ଆତ୍ମପରିଚୟ

 

 

 

 

 

 

 

 

ଆତ୍ମପରିଚୟ

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଆତ୍ମଜୀବନୀ

 

ଅନୁବାଦ

ଶକୁନ୍ତଳା ବଳିଆରସିଂହ

 

ଅଗ୍ରଲେଖ

 

ଶକୁନ୍ତଳା ବଳିଆରସିଂହ ଓଡ଼ିଆ ଅନୁବାଦ ସାହିତ୍ୟରେ ଏକ ସୁପରିଚିତ ନାମ । ଗତ ପାଞ୍ଚଦଶନ୍ଧି ଧରି ସାହିତ୍ୟ କ୍ଷେତ୍ରରେ ନିଜକୁ ସେ ନିୟୋଜିତ କରି ରଖିଛନ୍ତି । ବିବିଧ ଅନୁଷ୍ଠାନ ମାଧ୍ୟମରେ ସମବେତ ଭାବରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି କରିବାରେ ତାଙ୍କର ରୁଚି ରହିଛି । ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଭାବରେ ଲେଖକୀୟ ମାନବୃଦ୍ଧି କରାଇବାରେ ସେ ଆଗ୍ରହୀ-। ‘ଶତଭିଷା’ ନାମକ ତୈମାସିକ ଅନୁବାଦ ପତ୍ରିକାର ପ୍ରକାଶନ ୧୯୯୭ ମସିହାରୁ ଆରମ୍ଭ କରି ଅନୁବାଦ ସାହିତ୍ୟର ଗୁରୁତ୍ୱ ଉପଲବ୍ଧ କରାଇବାରେ ସେ ସମର୍ଥ ହୋଇଛନ୍ତି । ଏହି କାର୍ଯ୍ୟପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସହ ଅନେକ ଅନୁଷ୍ଠାନରୁ ସ୍ୱୀକୃତି ଲାଭ କରିଛନ୍ତି ।

 

ବିଭିନ୍ନ ଭାରତୀୟ ଭାଷା ସହିତ ବହୁ ବିଶ୍ୱ କ୍ଳାସିକ ସାହିତ୍ୟର ଅନୁବାଦରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଡକ୍ଟର ବଳିଆରସିଂହ । ଦାନ୍ତେଙ୍କ ଡିଭାଇନ କମେଡ଼ି, ଡଷ୍ଟଉସ୍କିଙ୍କ ‘ନୋଟସ ଫ୍ରମ ଅଣ୍ଡରଗ୍ରାଉଣ୍ଡ’ (ଅଜ୍ଞାତବାସର ଇତିକଥା) ଭଳି ପୁସ୍ତକର ଓଡ଼ିଆ ଅନୁବାଦ ଆମ ଭାଷାକୁ ସମୃଦ୍ଧ କରିଛି । ତାଙ୍କର ଦୁଇଟି ଉପନ୍ୟାସ, ଦୁଇଟି ପ୍ରବନ୍ଧ ପୁସ୍ତକ, ଗୋଟିଏ ଭ୍ରମଣକାହାଣୀ ସମେତ ଚଉତିରିଶଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଅଛି । ମୁଖ୍ୟତଃ ଇଂରାଜୀରୁ ଓ ହିନ୍ଦୀରୁ ଅନୁବାଦ କରନ୍ତି ଡକ୍ଟର ବଳିଆରସିଂହ । ନୋବେଲ ପୁରସ୍କାର ବିଜେତା କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ‘ଅଫ ମାଇଁସେଲ୍ଫ’ ପୁସ୍ତକଟି ପ୍ରଥମେ ଇଂରାଜୀ ଭାଷାରେ ହିଁ ପ୍ରକାଶ ପାଇଥିଲା । ‘ଆତ୍ମପରିଚୟ’ ଏହାର ଓଡ଼ିଆ ଅନୁବାଦ । ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଆ ଭାଷାରେ ରଚିତ ସାହିତ୍ୟସୃଷ୍ଟିକୁ ଅନ୍ୟ ଭାରତୀୟ ଭାଷାରେ ଓ ଅନ୍ୟ ଭାରତୀୟ ଭାଷାରେ ରଚିତ ସଫଳ ସାହିତ୍ୟସୃଷ୍ଟିକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠକଙ୍କ ନିକଟରେ ପହଞ୍ଚାଇବାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ପ୍ରୟାସ କରିଅଛି । ଆଶା କରୁଛୁ ପୁସ୍ତକଟି ପ୍ରଚୁର ପାଠକୀୟ ଆଦୃତି ଲାଭ କରିବ ।

 

ଜୟନ୍ତୀ ରଥ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ଅନୁବାଦକର ଟିପ୍ପଣୀ

 

ରବୀନ୍ଦ୍ରନାଥ ଟାଗୋର, ବିଶ୍ୱକବି ଭାରତୀୟ ସାରସ୍ୱତ ଜଗତର ମଥାମଣି, ଏକମାତ୍ର ଭାରତୀୟ ନୋବେଲ ବିଜେତା । ‘ଅଫ ମାଇସେଲ୍‌ଫ’ ପୁସ୍ତକଟି ମୂଳ ବଂଗଳା ‘ଆତ୍ମପରିଚୟ’ର ଇଂରାଜୀ ଅନୁବାଦ । ଆଜୀବନ ସାରସ୍ୱତ ସାଧନାରେ ନିମଜ୍ଜିତ ରହିବା ସହିତ, ‘ଶାନ୍ତିନିକେତନ’ ଜୀବନ ବିଦ୍ୟାଳୟର କଳ୍ପନା କରିବା ଆଉ ସେହି କଳ୍ପନାକୁ ସାକାର କରିପାରିବାରେ କବିଙ୍କ ମହାନତା ଉପଲବ୍ଧ । ଈଶ୍ୱରୀୟ ଆଶୀର୍ବାଦ ବିନା ଜଣେ ବ୍ୟକ୍ତିବିଶେଷ ଏହା ଚିନ୍ତା ବି କରିପାରିବ ନାହିଁ ।

 

‘ଆତ୍ମ ପରିଚୟ’ ପୁସ୍ତକର ପ୍ରତିଟି ଶବ୍ଦରେ ସେହି ଅଧ୍ୟାତ୍ମଭାବ ନିହିତ । ବିଶ୍ୱନିୟନ୍ତାଙ୍କ ସୃଷ୍ଟି ସମୂହ ସହିତ ମନୁଷ୍ୟ ପ୍ରତିକ୍ଷଣ କିପରି ସମ୍ପୃକ୍ତ ହୁଏ ଆଉ ନିଜର ସୌଭାଗ୍ୟକୁ କିପରି ଦୃଷ୍ଟି ଅଭାବରୁ ହାତଛଡ଼ା କରିଦିଏ ସେହି ମାନବୀୟ ଦୁର୍ଦ୍ଦଶାର ଅଭିଲେଖ ଏହି ‘ଆତ୍ମ ପରିଚୟ ।’

 

ଏହା ଆତ୍ମଜୀବନୀ ନୁହେଁ, ଏକ ଦର୍ଶନଗ୍ରନ୍ଥ, ଏକ କବିତାଗ୍ରନ୍ଥ କହିଲେ ଠିକ୍ ହେବ । ବଙ୍ଗଳାଭାଷା ପଢ଼ି ଲେଖି ଜାଣେନା ମୁଁ, ସେଥିପାଇଁ ଇଂରାଜୀରୁ ଅନୁବାଦ କରିଛି । ଅନୁବାଦ ବେଳର ଅନୁଭବ ମୋର ହେଉଛି ଏତାଦୃଶ ପୁସ୍ତକର ଅନୁବାଦ କର୍ମ ସାରାଜୀବନର ଏକ ମହାର୍ଘ ଅନୁଭୂତି । ଉତ୍ତରିତ ଜୀବନର ଏପରି ଏକ ଛବି ଏଥିରେ ଅଙ୍କିତ ହୋଇଅଛି, ଯାହା ସମଗ୍ର ମାନବ ସମାଜକୁ ନୂତନ ଜୀବନର ନୂତନ ସ୍ୱାଦ ଚଖାଇବାର ସାମର୍ଥ୍ୟ ରଖେ । ଏହିପଥ ଜ୍ଞାନର, ଏହିପଥ ବିଚାରଶୀଳତାର ।

 

ସଂକୋଚନରୁ ପ୍ରସାରଣ, ଅନ୍ଧକାରକୁ ଆଲୋକ, ନିକଟରୁ ଦୂରଯାଏ ବିସ୍ତାରିତ ପଥ ମାନବଜାତିର ସମ୍ମୁଖରେ । ଚରୈବେତି, ଚରୈବେତି । ଆଗେଇ ଚାଲ, ଆଗେଇ ଚାଲ,

 

ସଂଗଚ୍ଛ ଧ୍ୱମ୍‌, ସଂବଦୋଧ୍ୱମ୍‌

ସଂବୋମନାଂସି ଜାନତାମ

ଦେବାଭାଗଂ ଯଥାପୂର୍ବେ

ସଂଜାନାନା ଉପାସତେ ।

ଅସତୋ ମା ସଦ୍‌ଗମୟ

ମୃତ୍ୟୋଃ ମା ଅମୃତମ୍ ଗମୟ

ଅଳମତି ବିସ୍ତରଣ ।

 

ଶକୁନ୍ତଳା ବଳିଆରସିଂହ

(ଅନୁବାଦିକା)

Image

 

ଏକ

 

ମୋ ଜୀବନର ଗୋଟିଏ ବିବରଣୀ ଲିପିବଦ୍ଧ କରିବାକୁ ମୋତେ କୁହାଯାଇଛି । ଅଯଥା ବିନୟ ଦେଖାଇ ମୁଁ କାଗଜ ନଷ୍ଟ କରିବାକୁ ଚାହେଁନାହିଁ, ହେଲେ ପ୍ରଥମରୁ ଏହି କହିଦେବା ଠିକ ହେବ ଯେ ଆତ୍ମଜୀବନୀପାଇଁ ଆବଶ୍ୟକ ସ୍ୱାଭାବିକ-ସାମର୍ଥ୍ୟ ସ୍ୱତନ୍ତ୍ର ଲୋକମାନଙ୍କର ଅଧିକାରଭୁକ୍ତ, ଯାହା ମୋର ନାହିଁ । ମୋ ଜୀବନର ବିଶଦ ବର୍ଣ୍ଣନାରୁ କାହାରି କିଛି ଲାଭ ହେବ ବୋଲି ମୁଁ ଭାବେ ନାହିଁ, ଏଣୁ କିଛି ହରାଇବାର ବି ନାହିଁ ।

 

ଏଥିପାଇଁ ମୋ ଜୀବନ ବିବରଣରୁ ବିବରଣଟିକୁ ବାଦ ଦେଉଛି । ବେଶ୍‍ ସଂକ୍ଷେପରେ କେବଳ ସେତିକି ମୁଁ ସରଳଭାବରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିବି; ମୋ ଜୀବନ କିପରି କବିତା ମାଧ୍ୟମରେ ଅଭିବ୍ୟକ୍ତି ପାଇଛି ।

 

ଏବେ ପଛକୁ ଚାହିଁ ଦେଖିଲେ ସ୍ପଷ୍ଟଭାବରେ ମୁଁ ଦେଖିପାରେ ଏତେ ଦୀର୍ଘକାଳ ଧରି ମୋର କବିତା ଲେଖାର ଏହି ପ୍ରକ୍ରିୟାକୁ: ଏହା ଏପରି ଗୋଟିଏ ବ୍ୟାପାର ଯାହା ଉପରେ ମୋର କେବେ କୌଣସି ଅକ୍ତିଆର ନଥିଲା । ମୁଁ ଯେତେବେଳେ ଲେଖୁଥିଲି, ଭାବୁଥିଲି, ସେହି ଯିଏ ଲେଖିଚାଲିଛି ସିଏ ମୁଁ । ହେଲେ ଏବେ ଜାଣୁଛି ତାହା ସତ୍ୟ ନଥିଲା । କାରଣ ଏହି କବିତାଗୁଡ଼ିକ ବେଶ୍ ବିଖଣ୍ଡିତ ଆଉ ସେଗୁଡ଼ିକରେ କବିତାର ସାମଗ୍ରିକ ନିହିତାର୍ଥ ବି ଅସଂପୂର୍ଣ୍ଣ । ଅବଶ୍ୟ ନିହିତାର୍ଥ ବି କ’ଣ ସେ ବିଷୟରେ ମୋର କୌଣସି ଧାରଣା ନଥିଲା । ମୁଁ ଗୋଟେ ପରେ ଗୋଟିଏ କବିତା ଲେଖି ଚାଲିଥିଲି, ଲେଖି ଚାଲିଥିଲି ପରିଣତି ପ୍ରତି ଆଖି ବୁଜି ଦେଇ । କିନ୍ତୁ ପ୍ରତିଟି କବିତାର ଗୋଟିଏ ଛୋଟିଆ ଅର୍ଥ ମୋ କଳ୍ପନାରେ କେଉଁଠି ନା କେଉଁଠି ଦେଖିପାରୁଥିଲି । ଆଜି ସେସବୁ ଏକାଠି କରି ମୁଁ ସ୍ପଷ୍ଟ ଦେଖିପାରୁଛି ଯେମିତି ଗୋଟିଏ ଅବିଭାଜିତ ନିହିତାର୍ଥ ସେମାନଙ୍କ ଭିତରେ ବରାବର ବୋହି ଚାଲିଥିଲା । ଏବେ ଏତେବର୍ଷ ପରେ ମୁଁ ଲେଖିଲି;

 

ଏକି କୌତୁକ ନିତ୍ୟ ନୂତନ

ଆଗୋ ଆନନ୍ଦମୟୀ !

ଯାହା କିଛି ଯେବେ କହିବାକୁ ଚାହେଁ

କହିବାକୁ ଦିଅ କାହିଁ ?

ଅନ୍ତରେ ମମ ବସି ଅହରହ

ମୁଖରୁ ତ ମୋର ଭାଷା କାଢ଼ିନିଅ

ମୋର କଥା ନେଇ ତମେ କଥା କହ

ମିଶାଇ ଆପଣା ସୁରେ !

କିକଥା କହିବି ସବୁ ଭୁଲିଯାଏ

ତୁମେ ଯା’ କୁହାଅ ତାହା ହିଁ ତ କହେ

ସଂଗୀତର ସ୍ରୋତେ କୂଳ ନାହିଁ ପାଏ

ଭାସିଯାଏ କାହିଁ ଦୂରେ ।

 

ମୁଁ ଭାବେ ଯେ, ଯାହାସବୁ ବର୍ତ୍ତମାନ ଅଛି ଆଉ ଭବିଷ୍ୟତରେ ଯାହାସବୁ ହେବ, ସେଗୁଡ଼ିକୁ ମହାଜାଗତିକ ଶୃଙ୍ଖଳାର ନିୟମ କଦାପି ଗୋଟେ ଛୋଟିଆ ମାପରେ ଗଢ଼େନାହିଁ, ବା ଗଢ଼ି ହେବାକୁ ଅନୁମତି ଦିଏନାହିଁ । କେବେ ଏହାକୁ ଜାଣିବାକୁ ବି ଦିଏ ନାହିଁ ଯେ ଅନେକ ସୋପାନର ଅନୁକ୍ରମ ମଧ୍ୟରୁ ଏହା କେବଳ ଗୋଟିଏ କ୍ଷୁଦ୍ର ସୋପାନ ମାତ୍ର । ଏହା ସର୍ବଦା ଗୋଟିଏ କଥା ବତାଉଥାଏ ଯେ ଏହା ନିଜଭିତରେ ନିଜେ ସ୍ୱୟଂ ସଂପୂର୍ଣ୍ଣ । ଫୁଲଟିଏ ଯେତେବେଳେ ଫୁଟେ, ମନେହୁଏ ସତେ ଅବା ଗଛଟିର ଏକମାତ୍ର ଉଦ୍ଦେଶ୍ୟ ଆଉ ଲକ୍ଷ୍ୟ ହେଉଛି ସ୍ୱୟଂ ଫୁଲ; ଏହାର ସୌନ୍ଦର୍ଯ୍ୟ, ଏହାର ସୁବାସ ଯେପରି ଏହି ପ୍ରାଚୁର୍ଯ୍ୟ ଭିତରେ ଅରଣ୍ୟ ଦେବୀଙ୍କ ସମସ୍ତ ଅନୁରାଗ ନିର୍ଦ୍ଦିଷ୍ଟ ହୋଇ ସର୍ବୋତ୍ତମ ରୂପରେ ରୂପାୟିତ । ହେଲେ ଏହା ଫଳ ଫଳିବାର ପୂର୍ବ ସୂଚନା ମାତ୍ର, ଯାହା ସବୁବେଳେ ଗୋପ୍ୟ ହୋଇ ରହିଥାଏ । ଏହା ବର୍ତ୍ତମାନର ସଫଳତାରେ ଖୁସି ହୁଏ, ଏହା ଭବିଷ୍ୟତର ଉତ୍କର୍ଷରେ ଦବିଯାଏ ନାହିଁ । ପୁଣି ଫଳଟିକୁ ଦେଖିଲେ ଲାଗେ, ଫଳବତୀ ହେବାହିଁ ଯେପରି ଏହାର ଚରମ ସାର୍ଥକତା ! ହେଲେ ଭବିଷ୍ୟତ ବୃକ୍ଷର ମଞ୍ଜି ଯେ ଏହାର ଗର୍ଭ ଭିତରେ ଆରାମରେ ଲୁଚିରହି ପରିପକ୍ୱ ହେଉଥାଏ ତାହା ଆଖିକୁ ଦେଖାଯାଏ ନାହିଁ । ଏହି ଉପାୟରେ ପ୍ରକୃତି ନିଜେ ଫୁଲର ଉତ୍କର୍ଷକୁ ଫୁଲ ଭିତରେ ହିଁ ସୁରକ୍ଷିତ ରଖି, ଆଉ ଫଳର ଉର୍ତ୍କଷକୁ ଫଳ ଭିତରେ ରଖି ଗୋଟେ ଚରମ ପରିଣାମକୁ ଏପରି ବ୍ୟାପକ ପ୍ରଶ୍ରୟ ଦିଏ ଯାହା ସେମାନଙ୍କ ଉର୍ଦ୍ଧ୍ୱରେ, ସେମାନଙ୍କ ଅଲକ୍ଷ୍ୟରେ କ୍ରମାଗତ ଆଗେଇ ଚାଲିଥାଏ ।

 

କବିତା ରଚନାକୁ ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କଲେ ଆମେ ଦେଖୁ ସେହି ଏକା ମହାବିଶ୍ୱିକ ଶୃଙ୍ଖଳା; ଅନ୍ତତଃ ମୋ ନିଜ ଭିତରେ ମୁଁ ଏହାର ଉପସ୍ଥିତି ଅନୁଭବ କରିଛି । କିଛି ଲେଖିଲାବେଳେ ମୁଁ ଅନୁଭବ କରିଛି ନିର୍ଦ୍ଦିଷ୍ଟ କବିତାଟି ସ୍ୱୟଂ ଏହାର ଅନ୍ତିମ ପରିଣତି । ଏହାକୁ ସଂପୂର୍ଣ୍ଣ କରିବାବେଳେ ମୁଁ ବହୁତ ଉତ୍କଣ୍ଠା ଆଉ ପରମ ଆନନ୍ଦ ମଧ୍ୟ ଦେଇ ଯାଇଛି । ମୁଁ ଯେ ଏହାକୁ ଲେଖୁଛି ଆଉ ଏହା ଲେଖି ଯେ ଏକ ନିର୍ଦ୍ଦିଷ୍ଟ ଆବେଗସ୍ତରକୁ ମୁଁ ଉଠିଯାଉଛି ଏକଥା ଅସ୍ୱୀକାର କରି ହେବନାହିଁ । ହେଲେ ଏବେ ମୁଁ ଜାଣୁଛି ଯେ ସମସ୍ତ ରଚନା କେବଳ ଗୋଟେ ଗୋଟେ ଆବଶ୍ୟକତା, ବିଶେଷ ଘଟଣା ମାତ୍ର; ପ୍ରତିଟି କବିତା ତିଆରି କରେ ଏପରି ‘କିଛି’ ଯାହା ତଥାପି ଆସିବା ଅପେକ୍ଷାରେ ଥାଏ, କଣ ସେହି ‘କିଛି’ ତିଳେ ବି ଧାରଣା ନଥାଏ । ଏଣେ ଲେଖକ ଭିତରେ ପୁଣି ଗୋଟେ ଲେଖକ ଥାଏ, ଯାହାର ଆଖି ଆଗରେ ଭବିଷ୍ୟତର ଗୁରୁତ୍ୱ ଜଳଜଳ ଦିଶୁଥାଏ । ଗୋଟିଏ ବଇଁଶୀର ଅନେକ ରନ୍ଧ୍ର ଦେଇ ନିଃଶ୍ୱାସ ଗୋଟିଏ ପରେ ଗୋଟିଏ ମଧୁର ସ୍ୱର ଜଗାଏ ଆଉ ତୀବ୍ର ସ୍ୱରରେ ଏହାର ନିଜର ନିୟନ୍ତ୍ରଣ ଘୋଷଣା କରେ; ତଥାପି ବିଖଣ୍ଡିତ ମଧୁର ତାନମାନଙ୍କୁ ଗୋଟିଏ ରାଗିଣୀରେ ବଦଳାଇ ଦିଏ କିଏ ? ନିଶ୍ଚୟ ନିଃଶ୍ୱାସ ହିଁ ସ୍ୱର ବାହାର କରାଏ, ତଥାପି ଦେଖ, ନିଃଶ୍ୱାସ ବଂଶୀ ବଜାଉନାହିଁ । ବାଦକପାଇଁ ସମସ୍ତ ରାଗ ରାଗିଣୀ ଉପସ୍ଥିତ ଓ ଜୀବନ୍ତ, ଏପରି କିଛି ନାହିଁ ଯାହା ତା’ଠାରୁ ଲୁଚିକରି ରହିଛି ।

 

କହିଥିଲି କଥା ବସି ଏକଧାରେ

 

ଆପଣାର କଥା ଆପଣା ଜନରେ

 

ଶୁଣୁଥିଲି ବସି ମୋ ଘର ଦୁଆରେ

 

ସେ ସବୁ କାହାଣୀ ଯେତେ

ତମେ ସେ ଭାଷାକୁ ଦହିଲ ଅନଳେ

 

ଭସାଇଲ ତାକୁ ନୟନର ଜଳେ

 

ନବ କୌଶଳେ ଗୋ ନବୀନ ପ୍ରତିମା

 

ଗଢ଼ିଗଲ ମନମତେ

 

ମୋର ମନେହୁଏ, ଏହି ପଦ୍ୟଟିର ଅର୍ଥ ହେବ ଯେ ମୁଁ କ’ଣ ଲେଖିବାକୁ ଯାଉଛି ତାହା ଏକ ଗୌଣ ବ୍ୟାପାର, ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ; ଆଉ ତା’ପରେ ଗୋଟିଏ ସୁର ଏମିତି ଭେଦିଯାଏ ମୋର ଏଇ ଶବ୍ଦଗୁଡ଼ିକ ଉପରେ ଯେ ସେହି ଗୌଣ ବ୍ୟାପାରଟି ହୋଇଯାଏ ବହୁତ ବଡ଼, ଆଉ ବ୍ୟକ୍ତିଗତ ହେବା ବଦଳରେ ହୋଇଯାଏ ପ୍ରଶସ୍ତତର ବିଶ୍ୱର ଏକ ଅଂଶ ବିଶେଷ । ସ୍ୱରଟି ସ୍ୱୟଂ କେବେ ବି ନଥିଲା ମୋର ଉଦ୍ଦେଶ୍ୟ । କାଗଜ ଉପରେ ମୁଁ ଚିତ୍ରଟିଏ ଆଙ୍କୁଥିଲି, ଏଥିରେ ରଂଗ ଫୁଟି ଉଠିଲା, ଅଥଚ ରଂଗ ଓ ରଂଗତୁଳୀ ମୋ ହାତରେ ଆଦୌ ନଥିଲା ।

 

ନୂତନ ଛନ୍ଦ ଅନ୍ଧାର ପ୍ରାୟେ

 

ଅତି ଆନନ୍ଦେ ଛୁଟି ଚାଲିଯାଏ

 

ନୂତନ ବେଦନା ବାଜି ଉଠେ ତହିଁ

 

ନୂତନ ରାଗିଣୀ ଭରେ

ଯେ କଥା ଭାଳିନି କହେ ସେଇ କଥା

 

ଯେ ବ୍ୟଥା ବୁଝିନି ଜାଣେ ସେଇ ବ୍ୟଥା

 

ଜାଣେନା ଆଣିଛି କାହାର ବାରତା

 

ଶୁଣାଇବି ଅବା କା’ରେ

 

ମୁଁ ତ ଗୋଟେ ନଗଣ୍ୟ ଲୋକ, କିଛି ନଗଣ୍ୟ କଥା ବା ସେହିପରି କିଛି ଯେତେବେଳେ କହିବାକୁ ଚାହେଁ ଜଣେ କେହି ଆଗ୍ରହରେ ମୋତେ ସମର୍ଥନ କରି କହନ୍ତି, ‘କହ, କହ, ଯାଅ, ଆଗେଇଯାଅ, କହିଦିଅ କ’ଣ ତୁମର କହିବାକୁ ଅଛି ! ସମସ୍ତେ ତୁମ କଥା ଶୁଣିବାକୁ ବିକଳ ହୋଇ ଅପେକ୍ଷା ଯେ କରିଛନ୍ତି ! ଏତକ କହି ଦର୍ଶକଙ୍କଆଡ଼କୁ ଅନାଇ ଆଖି ମାରନ୍ତି । ସଦୟ ହସ ହସି ମୋରି କଥା ଉପରେ ନିଜର ଟିପ୍ପଣୀ ରଖିବାର ବ୍ୟବସ୍ଥା କରନ୍ତି, ଯାହାବି ତାଙ୍କର କହିବାକୁ ଥାଏ ।

 

କିଏ କେମିତି ବୁଝେ ଅର୍ଥ ତାହାର

କେହି କହେ ଏକ କେହି ଅପର

ମନେ ଏଇ ପ୍ରଶ୍ନ ବୃଥା ବାରମ୍ବାର

ତୁମ ହସ ବୋଧେ ଦେଖି,

କିଏ ଆଗୋ ତୁମେ କେଉଁଠି ଲୁଚିଛ

ମୁଁ ମରଇ ଖୋଜି ଖୋଜି ।

 

କବିତା ଲେଖାରେ କଣ କେବଳ ଗୋଟାଏ ନିର୍ଦ୍ଦିଷ୍ଟ ସତ୍ତା କବିର ପରିସୀମା ବାହାରକୁ ଯାଇ କଲମ ଧରି ଲେଖି ପକାଏ ? ମୁଁ ଏପରି ଭାବେ ନାହିଁ । କାରଣ ତା ସହିତ ମୁଁ ସମୟକ୍ରମେ ଦେଖିବାକୁ ପାଇଛି ଯେ ଜୀବନ ଯେତେବେଳେ ଗୋଟେ ଛାଞ୍ଚରେ ଢଳା ହେଉଥାଏ, କେହିଜଣେ ଏହାର ସୁଖ-ଦୁଃଖମାନଙ୍କୁ ବୁଣୁଥାଏ, ଲୁଗା ବୁଣିଲା ପରି, ଏହାର ଯୋଗ-ବିଯୋଗମାନଙ୍କୁ ସେମାନଙ୍କ ଅସଂପୂର୍ଣ୍ଣ ପ୍ରକ୍ରିୟା ଭିତର ଦେଇ ହିଁ ଗୋଟେ ଅନ୍ତରଂଗ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଜନୀୟତାଆଡ଼କୁ ନେଇଯାଏ । ଏହି ସ୍ଥିତିର ସପକ୍ଷରେ ମୁଁ ସବୁବେଳେ କାମ କରିଛିକି ନାହିଁ ଜାଣେନା; ହେଲେ ମୋ ବିପଦରେ, ମୋ ଅସୁବିଧା ସମୟରେ, ସେଇ ଜଣକ ହିଁ ମୋର ସମସ୍ତ କ୍ଷତିର ଭରଣା କରିଛି, ଖଣ୍ଡିତାଂଶକୁ ଏକାଠି କରି, ଢିରା ଦେଇ ମତେ ସଳଖ କରି ଟେକି ରଖି । କେବଳ ସେତିକି ନୁହେଁ: ମୋର ସହଜାତ ପ୍ରବୃତ୍ତି ଆଉ ମୋର ସ୍ୱାର୍ଥପରତା ମୋ ଜୀବନକୁ ସୀମିତ କରେ, ଏକ ନିର୍ଦ୍ଦିଷ୍ଟ ଅର୍ଥବତ୍ତାରେ ବାନ୍ଧି ରଖେ; ହେଲେ ତାହା ଅବିରତ ସୀମା ଲଂଘି ଚାଲିଯାଏ ଆଉ ବନ୍ଧନମାନଙ୍କୁ ଛିନ୍ନକରି ଗଭୀର ଯନ୍ତ୍ରଣାରେ ଉଠିଯାଏ ଉପରକୁ, ଯାହା ବ୍ୟାପକ, ଯାହା ବିରାଟ, ଯାହା ଉତ୍କର୍ଷ ଆଉ ଯାହା ନୈସର୍ଗିକ ତାହା ସହିତ ଫେଣ୍ଟି ହୋଇଯାଏ । ଅପର ପକ୍ଷରେ, ଦିନେ ଯେତେବେଳେ ଜୀବନ ପଶିଯାଏ ହାଟ ଭିତରକୁ ଏହା ବିଶ୍ୱମାନବତାର ରଂଗଭୂମିରେ ଆଉ କାର୍ଯ୍ୟ ସମ୍ପାଦନ କରିବାକୁ ଚାହେଁନାହିଁ; ଏହା ନିଜର ପ୍ରତିଟି କଉଡ଼ି ସଂଚୟ କରି ରଖେ ଘରର ଉନ୍ନତି ଓ ସୌଭାଗ୍ୟପାଇଁ । ହେଲେ ସେହି ପାର୍ଥିବ ପଥରୁ ଦୁଃଖ ଓ ସୁଖର ଘରୋଇ ବାଟର କିଏ ଏହାକୁ ଜବରଦସ୍ତ ଘୋଷାରି ଆଣେ ବାହାରକୁ ? ସାହାଯ୍ୟକରେ ଅତିକ୍ରମି ଯିବାକୁ ପାହାଡ଼, ପର୍ବତ, ମାଳଭୂମି, ଉପତ୍ୟକା ?

 

ଏକି କୌତୁକ ନିତ୍ୟ ନୂତନ

ଆଗୋ କଉତୁକମୟୀ

ଯେ ଦିଗେ ପାନ୍ଥ ଚାଲିବାକୁ ଚାହେଁ

ଚାଲିବାକୁ ଦିଅ କାହିଁ ?

ଗ୍ରାମର ଯେ ପଥ ଯାଏ ଘରଆଡ଼େ

ଦିନ ଅବସାନେ ଚାଷୀ ଫେରେ ଘରେ

ଗୋଠୁ ଯାଏ ଗୋରୁ,

ବଧୂ ଜଳଭରେ ଶତବାର ଯାତାୟାତେ ॥

ଏକଦା ପ୍ରଥମ ପ୍ରଭାତ ବେଳାରେ

ସେ ପଥେ ବାହାରି ଗଲି ମୁଁ ହେଳାରେ

ମନଥିଲା ଦିନ କାମ ଓ ଖେଳାରେ

କଟାଇ ଫେରିବି ରାତେ ॥

ପଦେପଦେ ତୁମେ ଭୁଲାଇଲ ଦିଗ

କେଉଁ ଦିଗେ ଯିବି ଜାଣି ନ ପାରି ମୁଁ

କ୍ଲାନ୍ତ ହୃଦୟ ଭ୍ରାନ୍ତ ପଥିକ

ଆସିଛି ନୂତନ ଦେଶେ

କେବେ ବା ଉଦାର ଗିରିରାଜ ଶିରେ

କେବେ ବେଦନାର ଅନ୍ଧ ଗହ୍ୱରେ

ଚିହ୍ନେନି ଯେ ପଥ ସେ ପଥ ଉପରେ

ଚାଲଇ ପାଗଳ ବେଶେ ॥

 

ଏହି କବି ଯିଏ ନେଇଯାଏ ମୋ ଭିତରର ସମସ୍ତ ଭଲ ଆଉ ମନ୍ଦ, ମୋର ସମସ୍ତ ଉପାଦାନ, ସହାୟକ ଆଉ ଅସହାୟକ ଉଭୟ, ଗଢ଼ି ଦେବାକୁ ମୋ ଜୀବନ । ଏ ହେଉଛି ମୋ କବିତାର ‘ସେ’ ଯାହାକୁ ମୁଁ ଡାକେ ଜୀବନ ଦେବତା । ମୁଁ ବିଶ୍ୱାସ କରେ ନାହିଁ ଯେ ସେ କେବଳ ମୋ ବର୍ତ୍ତମାନ ଜୀବନର ବିଖଣ୍ଡିତ ଅବସ୍ଥାକୁ ସୁସଂଯତ କରାନ୍ତି, ତାହେଲେ ସଂସାର ସହିତ ଜୀବନ ସୁସଂହତ ହୋଇ ଚଳିପାରିବ । କେଉଁ ଆବାହମାନକାଳରୁ ଆଉ ଅସଂଖ୍ୟ ଭୁଲିଯାଇଥିବା ଘଟଣାରୁ ମୁଁ ଜାଣେ ସେହିଁ ମୋତେ ଆଣିଛନ୍ତି ଏଇଥିପାଇଁ ଯେ ବର୍ତ୍ତମାନର ଏଇ ମୁହୂର୍ତ୍ତଟିକୁ ଅବ୍ୟକ୍ତ ଏହି ପୃଥିବୀ ଉପରେ ମୋରି ମାଧ୍ୟମରେ ବ୍ୟକ୍ତ କରିବେ । ଏଇ ପୃଥିବୀରେ ମଧ୍ୟ ତାଙ୍କ ଚାରିପଟେ ବେଢ଼ି ରହିଛି ଅସ୍ମିତାର ଗୋଟେ ବେଶ୍ ଲମ୍ବା ଶୃଙ୍ଖଳାର ଅନୁକ୍ରମ ବିସ୍ତୃତ ରୂପରେ, ଆଉ ତାହା ହିଁ ଶୋଇ ରହିଛି ମୋ ଭିତରେ, ମୋ ଅବଚେତନରେ । ସେଇଥିଯୋଗୁ ମୁଁ ଅନୁଭବ କରେ ବିଶ୍ୱ ପ୍ରକୃତି ଓ ଜୀବଜଗତ ସହିତ ଏପରି ସୁଦୀର୍ଘ ବନ୍ଧୁତାପୂର୍ଣ୍ଣ ସଂପର୍କ । ସେଇଥିଯୋଗୁ ତ ବିରାଟ, ରହସ୍ୟମୟ ଜଗତ ଲାଗେ ନାହିଁ ଅଜଣା ଆଉ ଭୟଙ୍କର ।

 

ଆଜି ମନେହୁଏ ସକଳ ମଧ୍ୟେ

ତୁମକୁ ହିଁ ଭଲ ପାଇଛି

ଜନତା ଭିତରେ ଚିରଦିନ ଧରି

ତୁମ ସହ ମୁହିଁ ରହିଛି ।

ଚାହିଁ ରହେ ଚଉଦିଗେ, କି ଭାବ ଯେ ପ୍ରାଣେ ଜାଗେ !

ତୁମର ଓ ମୋର ଅସୀମ ମିଳନ ଯେମିତି ସକଳ ଦିଗେ !

କେତେ ଯୁଗ ଏହି ଆକାଶେ ବିତିଲା

ସେ କଥା ଯାଇଛି ଭୁଲି

ତାରାରେ ତାରାରେ ଯେ ଆଲୋକ ଥରେ

ଦୁହେଁ ସେଠି ଖେଳେ ଦୋଳି

ତୃଣ ରୋମାଞ୍ଚ ଧରଣୀ ବକ୍ଷେ ଆଶ୍ୱିନେ ନବ ଆଲୋକେ

ଚାହିଁ ଦେଖେ ଯେବେ ମନ ଆଉ ପ୍ରାଣ ଭରିଯାଏ କେତେ ପୁଲକେ ।

ମନ ମୋର କହେ-ଜାଣେ

ଅକଥିତ ଭାବ ପ୍ରାଣେ

ମୂକ ମେଦିନୀର ମର୍ମର ମଧ୍ୟେ

ଜାଗେ ଯେ ଭାବନା ମନେ ।

ଏଇ ପ୍ରାଣ ଭରା ଧରଣୀ ଉପରେ କେତେ ଯୁଗ ଆମେ ଯାପିଛୁ

କେତେ ଶରତର ସୁବର୍ଣ୍ଣ ଆଲୋକେ କେତେ ତୃଣେ ଆମେ କଂପିଛୁ

ଲକ୍ଷ ବରଷର ଆଗେ ଯେ ପ୍ରଭାତ

ଉଠିଥିଲା ଏଇ ଭୁବନେ

ତାହାର ଅରୁଣ-କିରଣ-କଣିକା

ଗୁନ୍ଥିନ କି ମୋ ଜୀବନେ ?

ସେ ପ୍ରଭାତେ କେବେ ଅବା କେଉଁ ସ୍ଥାନେ

ଜାଗିଥିଲି କେବା ଜାଣେ ?

କି ମୂର୍ତ୍ତି ରୂପରେ ବିକଶିତ କଲ

ସେଦିନ ଲୁଚାଇ ପ୍ରାଣେ ?

ହେ ଚିର ପ୍ରାଚୀନ ଚିରକାଳ ମତେ ଗଢ଼ିଛ ନୂତନ କରି

ଚିରଦିନ ତୁମେ ସଙ୍ଗେ ଥିଲ ମୋର ଥିବ ଚିରଦିନ ଧରି ॥

 

ଦର୍ଶନ କ୍ଷେତ୍ରରେ ମୋର ବିଶେଷ ପ୍ରବେଶ ନାହିଁ । ଦ୍ୱୈତବାଦ ଆଉ ଅଦ୍ୱୈତବାଦକୁ ନେଇ ଯଦି ତର୍କ ହୁଏ, ମୁଁ କିଛି କହିପାରିବି ନାହିଁ । ମୁଁ ଯାହା ଅନୁଭବ କରୁଛି ସେହି ଦୃଷ୍ଟିକୋଣରୁ କହୁଛି, ମୋ ଭିତରେ ଅଛି ମୋ ଅନ୍ତର ଦେବତାର ଏକ ଅଭିବ୍ୟକ୍ତିର ଆନନ୍ଦ; ସେଇ ମୋର ଖୁସି, ସେଇ ପ୍ରେମ ପ୍ଲାବିତ କରି ରଖିଛି ମୋ ଅଂଗ ପ୍ରତ୍ୟଙ୍ଗ, ମୋ ନିରୂପଣ ସାମର୍ଥ୍ୟ, ମୋ ଚେତନା, ମୋ ମନ, ମୋ ବୁଦ୍ଧିକୁ, ଏଇ ସାରା ଜଗତକୁ ମୋ ଆଗରେ, ବିନା ଆରମ୍ଭରେ ମୋ ଅତୀତକୁ ଆଉ ବିନା ଶେଷରେ ମୋର ଭବିଷ୍ୟତକୁ । ନିଶ୍ଚିତ ଭାବରେ, ପ୍ରେମର ଏଇ ନାଟକରୁ ମୁଁ କିଛି ବୁଝେନାହିଁ, ତଥାପି ଏହା ସବୁବେଳେ ମୋ ଭିତରେ ଘଟି ଚାଲିଥାଏ । ସେହି ଆଲୋକ ଯାହା ମୋ ନୟନକୁ ଉଜ୍ଜ୍ୱଳ କରେ, ସକାଳ ସଂଜର ମେଘଦ୍ୟୁତି ଯାହା ପୁଲକିତ କରେ, ପତ୍ର ସମୂହର ସବୁଜିମା ଯାହା ଆନନ୍ଦିତ କରେ, ପ୍ରେମ ଭୋଗିଥିବା ଲୋକର ମୁଖମଣ୍ଡଳ ଯାହା ତୃପ୍ତ କରେ; ଏ ସମସ୍ତ ପ୍ରେମର ସ୍ୱର୍ଗୀୟ ଅଭିନୟ ସହିତ ଉଚ୍ଛୁଳୁଥିବା ଢେଉ ଗୋଟିଏ ପରେ ଗୋଟିଏ ଆସୁଥିବାର ଏକ କ୍ରମାଗତ ପ୍ରକ୍ରିୟା । ଆଉ ଏହାରି ଅନ୍ତରାଳରେ ସାରା ଜୀବନର ଛାୟାଛବି, ସୁଖଦୁଃଖ, ଆଲୁଅ ଓ ଅନ୍ଧାର ।

 

ମୋ ଭିତରେ ଯାହା ଗଢ଼ାହୋଇ ସାରିଥିଲା ଆଉ ଜଣେ ଯିଏ ଅନବରତ ଗଢ଼ିଚାଲିଛି ଉଭୟ ମଧ୍ୟରେ ଅଛି ଗଭୀର ଆସକ୍ତି, ଶାଶ୍ୱତ ପ୍ରେମର ଡୋର; ଆଉ ଯଦି ଜୀବନର ସବୁ ଘଟଣା ଭିତରେ ଜଣେ ଏହାକୁ ଦେଖିପାରେ, ବୁଝିପାରେ, ତାହେଲେ ଜାଣ ସୁଖ ଆଉ ଦୁଃଖ ମଝିରେ ପ୍ରଶାନ୍ତି ଥାଏ ତା’ ହାତ ମୁଠାରେ । ଆଉ ଯେତେବେଳେ ମୁଁ ଅନୁଭବ କରେ ଯେ ମୋର ପ୍ରତିଟି ଖୁସିରୁ ଉଚ୍ଛୁଳି ପଡ଼ୁଥିବା ଅଭିବ୍ୟକ୍ତିକୁ ସେ ନିଜ ଆଡ଼କୁ ଟାଣି ନେଇଛନ୍ତି, ଆଉ ସ୍ୱୟଂ ମୋର ସମସ୍ତ ଦୁଃଖ ଯନ୍ତ୍ରଣାକୁ ଗ୍ରହଣ କରି ନେଇଛନ୍ତି, ସେତେବେଳେ ମୁଁ ଜାଣେ ଯେ ଏପରି କିଛି ବି ନାହିଁ ଯାହା ବୃଥା ନଷ୍ଟ ହୋଇଯାଇଛି, ସବୁକିଛି ସତେ ସତେ ବିଶ୍ୱକୁ ଆବୃତ୍ତ କଲାଭଳି ପୂର୍ଣ୍ଣତାର ଆଲୋକରେ ସମୁଜ୍ଜ୍ୱଳ ।

 

ଏଠାରେ ମୋର ଗୋଟେ ପୁରୁଣା ଚିଠିର କିଛି ଅଂଶ ଉଦ୍ଧାର କରୁଛି–

 

‘ସ୍ପଷ୍ଟ ଆଉ ବଳିଷ୍ଠ ରୂପରେ ଧର୍ମ କହିଲେ ଯାହା ବୁଝାଯାଏ, ତାହାକୁ ମୋ ନିଜ ଭିତରେ ମୁଁ ଯେ ଗ୍ରହଣ କରିପାରିଛି, ଏକଥା କେବେ ବି ଦୃଢ଼ତାର ସହ କହିପାରିବି ନାହିଁ । ହେଲେ ଅନେକ ସମୟରେ ଏହିପରି ମୁଁ ଅନୁଭବ କରିଛି ଯେ ମୋ ମନର ବହୁତ ତଳେ, ବହୁତ ତଳେ କିଛି ଗୋଟାଏ ଜୀବନ ଯେପରି ସୃଷ୍ଟି ହେଉଛି । ଏହା କୌଣସି ପ୍ରକାରର ନିର୍ଦ୍ଦିଷ୍ଟ କୁସଂସ୍କାର ନୁହେଁ; ପରନ୍ତୁ ଗୋଟେ ଗଭୀର ସଚେତନତା, ମୋ ଆତ୍ମାର ଏହା ଗୋଟିଏ ନୂତନ ଅଂଗ । ମୁଁ ସ୍ପଷ୍ଟ ଦେଖି ବି ପାରୁଛି ଯେ ଧୀରେ ଧୀରେ ଗୋଟିଏ ଆତ୍ମିକ ସ୍ୱଚ୍ଛନ୍ଦତା ଓ ସଂହତି ପାଇବାକୁ ନିଶ୍ଚୟ ମୁଁ ସମର୍ଥ ହେବି, ଆଉ ଏହି ସ୍ୱଚ୍ଛନ୍ଦତା ହିଁ ମୋର ସମସ୍ତ ସୁଖ- ଅସୁଖ, ମୋ ଭିତର-ବାହାର, ମୋର ବିଶ୍ୱାସ-ଅବିଶ୍ୱାସକୁ ନିଜ ଭିତରେ ସମାହିତ କରିନେବ ।

 

ମୁଁ କହିପାରିବି ନାହିଁ ଧର୍ମଶାସ୍ତ୍ରରେ ଯାହା ଲେଖାଅଛି ତାହା ସତ୍ୟ କି ମିଥ୍ୟା; ହେଲେ ଏଭଳି ସମସ୍ତ ସତ୍ୟ ମତେ କେବେ ସୁହାଇନାହିଁ । ସତ କହିବାକୁ ଗଲେ, ଅଧିକାଂଶ ବେଳେ ଏ ସବୁର କୌଣସି ସ୍ଥିତି ହିଁ ମୋପାଇଁ ନଥାଏ । ମୋର ସମଗ୍ର ଜୀବନକାଳ ଦେଇ ଯାହା ମୁଁ ଗଢ଼ିବାକୁ ସମର୍ଥ ହେବି ତାହା ହିଁ ମୋର ଚରମ ସତ୍ୟ । ଯେତେବେଳେ ମୁଁ ଜୀବନର ସମସ୍ତ ସୁଖ ଦୁଃଖମାନଙ୍କୁ ଗୋଟେ କ୍ଷଣିକ, ବିଖଣ୍ଡିତ ବା ଆଂଶିକ ଭାବରେ ଭୋଗେ, ଆମ ଭିତରେ ଯେଉଁ ସୃଜନ ପ୍ରକ୍ରିୟା ଅଛି ତାହାର ଅନନ୍ତ ରହସ୍ୟକୁ ସେତେବେଳେ ଜମା ଠିକ୍‌ରେ ବୁଝିପାରେ ନାହିଁ । ଉଦାହରଣସ୍ୱରୂପ ଜଣକୁ ଯେତେବେଳେ ପ୍ରତିଟି ଶବ୍ଦ ଗୋଟି କରି ସ୍ପଷ୍ଟ ଓ ନିର୍ଭୁଲ ଉଚ୍ଚାରଣ କରିବାକୁ ପଡ଼େ ସେତେବେଳେ କବିତାଟିର ସାମଗ୍ରିକ ବିଷୟ, ଏହାର ଅର୍ଥ ଆଉ ଆବେଗର ସମଷ୍ଟିକୁ ସେ ଠିକ୍‌ରେ ବୁଝିପାରେ ନାହିଁ । ହେଲେ ଜଣକ ଭିତରେ ସୃଜନଶକ୍ତିର ସାମୂହିକ ଅଭଂଗା ଖଣ୍ଡମାନ ଯଦି ତତ୍‌କ୍ଷଣାତ୍ ବୋଧଗମ୍ୟ ହୋଇଯାଏ, ସେତେବେଳେ...ତ... ଅସୀମ ରୂପରେ ସୃଷ୍ଟି ହେଉଥିବା ଏ ଜଗତ ସହିତ ମୋର ନିବିଡ଼ ସଂପର୍କକୁ ମୁଁ ଦେଖିପାରେ; ମୁଁ ଦେଖିପାରେ କିମିତି ଗ୍ରହତାରା, ଚନ୍ଦ୍ର ଓ ସୂର୍ଯ୍ୟ ସେମାନଙ୍କ ନିଜନିଜ ବଳୟରେ ଜ୍ଜ୍ୱଳନ୍ତ ହୋଇ-ଗଢ଼ା ହୋଇଛନ୍ତି ।

 

ଏହିପରି ଭାବରେ ତ ସୃଷ୍ଟି ପୂର୍ବରୁ ବି ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହୋଇ ଚାଲିଛି ଯେ ଚାଲିଛି । ଏହି ସୃଷ୍ଟି ପ୍ରକ୍ରିୟା ଭିତରେ ହିଁ ମୋ ଦୁଃଖ ସୁଖ, କାମନା ଯନ୍ତ୍ରଣା ନିଜନିଜର ଉପଯୁକ୍ତ ସ୍ଥାନ ଗ୍ରହଣ କରି ନେଇଛନ୍ତି । ଏଥିରୁ କ’ଣ ବାହାରିବ ମୁଁ ଜାଣେ ନାହିଁ, କାରଣ ଆମେ ଏତିକି ବି ଜାଣୁନା ଯେ ଗୋଟେ ଧୂଳିକଣା ପ୍ରକୃତରେ କଣ । ହେଲେ ମୋ ନିଜର ପ୍ରବହମାନ ଜୀବନକୁ ଯେତେବେଳେ ଏହାର ବାହାରେ ଥିବା ବିଶ୍ୱ ଓ ସମୟ ସହିତ ଏହାର ସମସ୍ତ ସଂପୃକ୍ତିକୁ ମିଶାଇ ଦେଖେ, ସେତେବେଳେ ଜୀବନର ସମସ୍ତ ଦୁଃଖ ଗୋଟେ ବିରାଟ ସୁଖ ଖଣ୍ଡ ସହ ବନ୍ଧା ହୋଇଥିବାର ଦେଖିପାରେ । ଦେଖିପାରେ ମୋର ସ୍ଥିତି ଅଛି, ମୁଁ ଉପଯୁକ୍ତ, ମୁଁ ଅବିରାମ ଦେଇ ଚାଲିବି, ମୁଁ ଜାଣେ ଏସବୁ ଗୋଟେଗୋଟେ ବିରାଟ କାମ । କାରଣ ମୁଁ ଅଛି ଆଉ ମୋ ସହିତ ମିଶି ଅନ୍ୟସବୁ ଜିନିଷ ବି ଅଛି, ଏପରିକି ଗୋଟେ ଅଣୁ ବା ଗୋଟେ ପରମାଣୁ ବି ଏହି ଅସୀମ ବିଶ୍ୱରେ ମୋ ବିନା ରହିପାରିବ ନାହିଁ । ସେଇ ସବୁ ସହି ସହି ଯେଉଁ ସଂପର୍କଗୁଡ଼ିକୁ ମୁଁ ଭଲପାଏ, ଯଥା: ଏହି ସୁନ୍ଦର ଶିଶିର ସକାଳ ସହ ମୋର ସଂପର୍କ କୌଣସି ଅନ୍ୟ ସଂପର୍କଠାରୁ ଆଦୌ କମ୍ ନୁହେଁ । ପ୍ରକୃତରେ ଏହି ସଂପୃକ୍ତି ହିଁ ଏକ ଆଲୋକିତ ଶୂନ୍ୟତା ଯାହା ମୋ ଆତ୍ମାର ଅଭ୍ୟନ୍ତରକୁ ଏକାଠି କରି ଗୋଟିଏ କରିଦିଏ ଆଉ ସବୁକୁ ମିଳାଇଦିଏ ଏହିପରି ଏହାରି ଭିତରେ । ନ ହେଲେ ମୋ ମନକୁ କଣ ଏହା ସୂକ୍ଷ୍ମତମ ରୂପରେ ଛୁଇଁ ପାରିଥାନ୍ତା ? ନ ହେଲେ କଣ ଏହାକୁ ସୁନ୍ଦର ବୋଲି ମୁଁ ଅନୁଭବ କରିପାରିଥାନ୍ତି ? ... ବିଶ୍ୱର ଶାଶ୍ୱତ ଜୀବନ ସହିତ ଶେଷହୀନ ଏକ ଗଭୀର ମୌଳିକ ସଂପର୍କ ମୁଁ ସମ୍ଭାଳି ଚାଲିଥାଏ ଯାହା କବିତା, ରଂଗ ଓ ସୁବାସ ଭିତରେ ରୂପପାଏ, ଭାଷା ପାଏ, ଚତୁର୍ଦିଗରେ ଏହି ଭାଷାର ଅନ୍ତହୀନ ଅଭିବ୍ୟକ୍ତି ଅବିରତ ଆମ ମନକୁ ଆନ୍ଦୋଳିତ କରୁଛି, ସଚେତନ ଭାବରେ ଓ ଅଚେତନ ଭାବରେ; ଆଳାପ ଚାଲିଛି ଦିନରାତି ।’

 

ମୋ ଅନ୍ତରତଳର ଏହି ଯେଉଁ ସୃଜନୀ ଶକ୍ତି ଯାହା କଥା ଏଇ ଚିଠିରେ ମୁଁ ଲେଖିଛି, ଏହି ଶକ୍ତି ଯାହା ମୋର ସମସ୍ତ ସୁଖ ଦୁଃଖ ତଥା ମୋ ଜୀବନର ଘଟଣାମାନଙ୍କୁ ସଂଗତି ଓ ଗୁରୁତ୍ୱ ପ୍ରଦାନ କରେ, ସେହି ସୃଜନୀଶକ୍ତି ହିଁ ଗୋଟିଏ ରଜ୍ଜୁରେ ମୋ ନିଜର ଅସଂଖ୍ୟ ଆକୃତି ଆଉ କେତେ ଜୀବନର ଶୃଙ୍ଖଳକୁ ଧରି ରଖେ, ବାନ୍ଧି ଚାଲିଥାଏ କଡ଼ିରେ କଡ଼ି ଲଗାଇ, ଏହାରି ମାଧ୍ୟମରେ ଏତେବଡ଼ ବ୍ରହ୍ମାଣ୍ଡ ମଧ୍ୟରେ ମୁଁ ଅନୁଭବ କରେ ଐକ୍ୟ । ଏହା ହେଉଛି ସେହି ଯାହାକୁ ମୁଁ ‘ଜୀବନ ଦେବତା’ ନାମରେ ସମ୍ବୋଧନ କରି ଏକଦା ଲେଖିଥିଲି:

 

ଆହେ ଅନ୍ତରତମ

ମେଣ୍ଟିଲା କି ତବ ସକଳ ତୃଷ୍ଣା ଆସି ଅନ୍ତରେ ମମ ?

ସୁଖ ଦୁଃଖର ଲକ୍ଷ ଧାରାରେ

ପାତ୍ର ଭରି ମୋ ଦେଇଅଛି ତୋରେ

ନିଷ୍ଠୁର ପୀଡ଼ନେ ନିଗାଡ଼ି ବକ୍ଷ

ଦଳିତ ଦ୍ରାକ୍ଷା ସମ ॥

କେତେ ଯେ ବର୍ଣ୍ଣ କେତେ ଯେ ଗନ୍ଧ

କେତେ ଯେ ରାଗିଣୀ କେତେ ଯେ ଛନ୍ଦ

ଗୁନ୍ଥି ଗୁନ୍ଥି କରି କରିଛି ବୟନ

ବାସର ଶୟନ ତବ

ତରଳାଇ କେତେ ବାସନାର ସୁନା

ପ୍ରତିଦିନ ମୁଁ ଯେ କରିଛି ରଚନା

ତୁମରି କ୍ଷଣିକ ଖେଳା-ଡୋଳା ଲାଗି

ମୂରତି ନିତ୍ୟ ନବ ॥

 

ସବୁଠାରୁ ଆଶ୍ଚର୍ଯ୍ୟ କଥାଟି ଏୟା ଯେ ମୋର ଅସ୍ତିତ୍ୱ ରୂପ ନେଉଛି, ମୁଁ ପାଉଛି ଅଭିବ୍ୟକ୍ତି । କେତେ ମଧୁର ସୀମାହୀନ ଆନନ୍ଦ ଅଛି ମୋ ଭିତରେ, ଯେଉଁଥିପାଇଁ ମୁଁ ଆଖି ଖୋଲି ଠିଆ ହୋଇଛି ଏଇ ଆଲୁଅ ଏଇ ଆକାଶ ମଝିରେ, ଅସୀମ ବ୍ରହ୍ମାଣ୍ଡର ଅସଂଖ୍ୟ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରାଙ୍କର ସମସ୍ତ ଶକ୍ତିଦ୍ୱାରା ପରିପୁଷ୍ଟ; କାହାରିଦ୍ୱାରା ତ ମୁଁ ପରିତ୍ୟକ୍ତ ନୁହେଁ ! ହେଲେ ମୋ ମନରେ ଉଠେ ଗୋଟିଏ ପ୍ରଶ୍ନ: ମୁଁ କିପରି ମୋର ଏହି ଚମକପ୍ରଦ ଅସ୍ତିତ୍ୱର ଅଧିକାରକୁ ଯଥାର୍ଥତା ଦେବି ? ମୋ ପ୍ରତି ଏ ପ୍ରେମ, ଏ ଖୁସି ଯାହା ଅକ୍ଲାନ୍ତ ବୋହି ଚାଲିଛି, ଯାହାର ଉପସ୍ଥିତି ବିନା ମୋ ଅସ୍ତିତ୍ୱକୁ ବଞ୍ଚେଇ ରଖିବା ମୋ ପକ୍ଷେ ସମ୍ଭବ ହୋଇ ନଥାନ୍ତା; ଏହା ପ୍ରତି ମୋର କଣ କିଛି ଦାୟିତ୍ୱ ନାହିଁ ?

 

ଆପଣାର କରି ନେଇଥିଲ ମୋତେ

ଜାଣେନି କେଉଁ ଆଶାରେ,

କେତେ ଭଲ ଲାଗେ ହେ ଜୀବନନାଥ

ଏ ମୋର ରାତ୍ରୀ ଏ ମୋର ପ୍ରଭାତ

ଏ ମୋର କର୍ମ ଏ ମୋର ଶ୍ରମ

ତୁମରି ବିଜନ ଘରେ ।

ବରଷା ଶରତେ ବସନ୍ତେ ଓ ଶୀତେ

ଧ୍ୱନିତ ମୋ ହୃଦ ଯେତେ ସଂଗୀତେ

ଶୁଣିଛ କି ତାହା ଏକାକୀ ବସି ହେ

ନିଜର ସିଂହାସନେ ?

ମୋ ମନ କୁସୁମ ତୋଳି ଅଂଚଳେ

ଗୁନ୍ଥିଛ କି ମାଳା, ପିନ୍ଧିଛ କି ଗଳେ

ନିଜ ଇଚ୍ଛାମତେ କର କି ଭ୍ରମଣ

ମମ ଯଉବନ ବନେ ?

ଦେଖିଛ କି ବନ୍ଧୁ ମରମେ ମୋହର

ଥାପି ଆଖି ଦୁଇଗୋଟି

କରିଛ କି କ୍ଷମା ଯେତେକ ମୋହର

ସ୍ଖଳନ, ପତନ, ତ୍ରୁଟି ?

ପୂଜାହୀନ ଦିନ ସେବାହୀନ ନିଶି

କେତେବାର ନାଥ ଫେରିଗଲ ଆସି

ଅର୍ଘ୍ୟ କୁସୁମ ଝରିଝରି ଗଲା

ବିଜନ ବିପିନେ ଫୁଟି ।

ଯେ ସୁରେ ବାନ୍ଧିଲ ଏ ବୀଣାର ତାର

ତଳକୁ ତଳକୁ ଖସେ ବାରମ୍ବାର

ହେ କବି ତୁମର ରଚିତ ରାଗିଣୀ

ମୁଁ କେବେ ଗାଇ କି ପାରେ ?

ତୁମ ଉଦ୍ୟାନରେ ଜଳ ଦେବା ବେଳେ

ଘୁମେଇ ପଡ଼ିଲି ଗଛ ଛାଇ ତଳେ,

ଆସନ୍ନ ସଂଧ୍ୟାରେ ଆଖିରୁ ମୋହର

କେବଳ ଅଶ୍ରୁ ଢାଳେ ॥

 

ଯଦି ଏଭଳି ଘଟେ ଯେ ଏହି ଜୀବନ ଦେବତାର ସେବାପାଇଁ ମୋର ବର୍ତ୍ତମାନ ଜୀବନରେ ଆସିଥିବା ସମସ୍ତ ସୁଯୋଗ ଏବେ ଅନ୍ତର୍ହିତ, ଯଦି ମୋ ବର୍ତ୍ତମାନ ଜୀବନର ସମସ୍ତ ଦାହିକା ଶକ୍ତି ନିର୍ବାପିତ ହୋଇ ମୁଠାଏ ପାଉଁଶରେ ପରିଣତ ଯାହାକୁ ଆଉଥରେ ନୂଆକରି ଗଢ଼ି ହେବନାହିଁ । ତାହେଲେ ସେ କଣ ଏଇ ଅଗ୍ନିକୁ ଲିଭିଯିବାକୁ ଦେବେ ଯାହାକୁ ସେ ବରାବର ଜଳାଇ ରଖିବାକୁ ଚାହୁଁଥିଲେ ? ଆଲୋକର ଅଦରକାରୀ ଭସ୍ମକୁ କେତେଦିନରେ ଫିଙ୍ଗି ଦିଆଯାଏ ? ତଥାପି କାହିଁକି ଆଲୋକର ଏଇ ଅଗ୍ନିଶିଖା ସେହି କାରଣରୁ ମରେ ? ଏକଥା ତ ଏକଦମ ସ୍ୱଚ୍ଛ ଯେ ଜୀବନ ଆଦୌ ଅବହେଳାର ବସ୍ତୁ ନୁହେଁ । ଅନ୍ତର ଭିତରେ ଜଣେ ଭଲଭାବରେ ଜାଣେ ଯେ ଏହା ଉପରେ ଆନନ୍ଦର ଅକମ୍ପିତ ଦୃଷ୍ଟିର ଅନ୍ତ ନାହିଁ ।

 

ଶେଷରେ ସବୁକି ଅନ୍ତହେଲା ପ୍ରାଣେଶ୍ୱର

ଯାହାକିଛି ଥିଲା ମୋର

ଯେତେ ଶୋଭା ଯେତେ ଗାନ ଯେତେ ପ୍ରାଣ

ଜାଗରଣ ନିଦ୍ରା ଘୋର ?

ଶିଥିଳ ହୋଇଛି ବାହୁ ବନ୍ଧନ

ମଦିରା-ବିହୀନ ମମ ଚୁମ୍ବନ

ଜୀବନ କୁଞ୍ଜେ ଅଭିସାର ନିଶା

ହୋଇ ଆସିଲା କି ଭୋର ?

ଭାଂଗି ଦିଅ ତେବେ ଆଜିର ଏ ସଭା

ଆଣ ନବ ରୂପ ଆଣ ନବ ଶୋଭା

ନୂତନ କରି ଗୋ ନିଅ ଆଉ ଥରେ

ଚିର ପୁରାତନ ମତେ

ନୂତନ ବିବାହ କର ଆଉଥରେ

ନବୀନ ଜୀବନ ପ୍ରାତେଃ ॥

 

ତାଙ୍କ ଆଗମନ ମୁଁ ମୋ ବ୍ୟକ୍ତିଗତ ଜୀବନରେ ଅନୁଭବ କରିଛି, ଅନୁଭବ କରିଛି ଯେ ଅତୀତର ଅନ୍ତରାଳରୁ ଯେତେ ଯାହା ଆସିବାର ଅଛି ସେ ସମସ୍ତରୁ ପ୍ରେମର ଏକ ମଳୟ ସ୍ପର୍ଶ ଭାସି ଆସି ଛୁଇଁ ଯାଏ ଜୀବନ ନୌକାକୁ, ଆଉ ସେହି ନୌକାଟି ନେଇଯାଏ ମତେ ନୂଆ ନୂଆ ଘାଟକୁ ସମୟର ବିରାଟ ସ୍ରୋତରେ, ସେଇ ହିଁ ଜୀବନ ଦେବତା ଯାହାଙ୍କ କଥା ମୁଁ କହୁଥିଲି ।

 

ଜୀବନ ଯାତ୍ରାରେ, ବେଳେବେଳେ ବିରାମ ମୁହୂର୍ତ୍ତରେ, ଯେତେବେଳେ ମୁଁ ପୃଥିବୀକୁ ଅଧିକ ସ୍ପଷ୍ଟ ଓ ଅକମ୍ପିତ ଦୃଷ୍ଟିରେ ଦେଖିବାର ସୁଯୋଗ ନେଇଛି, ଆଉ ଗୋଟିଏ ଆବେଗ ମୋତେ ଅଭିଭୂତ କରିଛି । ମୋର ଆଉ ପ୍ରକୃତି ଜଗତ ଭିତରେ ଗୋଟେ ଅଛିଣ୍ଡା ସଂପର୍କର ଆବେଗ, ଅସ୍ମିତାର ଗୋଟେ ଚିର-ପ୍ରାଚୀନ ସଂହତି, ଖୁବ୍ ଜୋର ଟାଣି ନେବାକୁ ପ୍ରବଳ ପ୍ରୟାସ କରିଛି । ଡଙ୍ଗାଟି ଉପରେ ବସି ବହୁବାର ମୁଁ ମୋର ନିଜର ଅନ୍ତରାତ୍ମାକୁ ଛାଡ଼ି ଦେଇଛି ନିଜକୁ ସଂପୂର୍ଣ୍ଣ ବିଛେଇ ଦେବାକୁ ଜଳରାଶି ଉପରେ, ଭୂମି ଆଉ ସୂର୍ଯ୍ୟ କିରଣରେ ଆଲୋକିତ ନଭଃମଣ୍ଡଳରେ । ତା’ପରେ ମୁଁ ଆଉ ଭୂମିକୁ ଦୂରରେ ରଖିପାରିନାହିଁ, କାରଣ ଏହା ଭୂମି, ତା’ପରେ ଜଳସ୍ରୋତ ମୋ ଆତ୍ମାକୁ ପ୍ଲାବିତ କରି ଚାଲିଛି ଗୋଟେ ସନ୍ତୋଷର ସଂଗୀତ ଗାଇ, ସେଇକ୍ଷଣରେ ମୁଁ କହିପାରିଥାନ୍ତି–

 

ହୁଏ ଯଦି ମାଟି ହୁଏ ଯଦି ଜଳ

ହୁଏ ଯଦି ତୃଣ, ହୁଏ ଫୁଲ ଫଳ

ଜୀବସହ ଯଦି ଫେରେ ଧରାତଳ

କିଛି ହେଲେ ନାହିଁ ଭାବନା

ଯହିଁ ଯିବି ତହିଁ ଅସୀମ ବନ୍ଧନେ

ଥିବ ଅନ୍ତହୀନ ଏ ପଣ ଆପଣା ।

ସେତେବେଳେ ବି ଲେଖିଥିଲି:

ଫେରେଇ ନିଅ ମୋତେ ହେ ବସୁନ୍ଧରେ !

କୋଳର ସନ୍ତାନକୁ କୋଳ ଭିତରେ,

ବିପୁଳ ଅତଳ ତଳେ ଆଗୋ ମୃଣ୍ମୟୀ

ତୁମରି ମାଟିରେ ରହିବି ମୁଁ ଯାଇ

ଦିଗବିଦିଗେ ବସନ୍ତର ଉତ୍‌ଫୁଲ୍ଲିତ

ଆନନ୍ଦଭଳି, କରି ଆପଣାକୁ ବିସ୍ତାରିତ ॥

ଏକଥା କହିବାକୁ ସଂକୋଚ ବି କରି ନଥିଲି–

ତୁମରି ମୃତ୍ତିକାସନେ

ମିଶାଇ ନେଇଛ ମତେ ଅନନ୍ତଗଗନେ

ଅଶାନ୍ତ ଚରଣେ କରାଇଛ ପ୍ରଦକ୍ଷିଣ

ଯୁଗ ଯୁଗାନ୍ତର, ଅସଂଖ୍ୟ ରଜନୀ ଦିନ

ସବିତୃ ମଣ୍ଡଳ; ଏ ମୋର ଅନ୍ତରେ

ପଲ୍ଲବିତ ତୃଣ ତବ, ପୁଷ୍ପ ଭାର ଭାରେ

ଫୁଟେଇଚ; ଅଜାଡ଼ି ଦେଇଛି ବୃକ୍ଷରାଜି ତେଣୁ ।

ପତ୍ର, ଫୁଲ, ଫଳ ଗନ୍ଧ ରେଣୁ

 

ବିଚ୍ଛିନ୍ନ ଅସ୍ତତ୍ୱରେ ମୋର ବିଶ୍ୱାସ ନାହିଁ; ଜଗତ ଆଉ ମୋ ମଧ୍ୟରେ କୌଣସି ବିଚ୍ଛିନ୍ନତା ଅଛି ବୋଲି ମୁଁ ଭାବେ ନାହିଁ ।

 

ମାନବ ଆତ୍ମାର ଦମ୍ଭ ଆଉ ନାହିଁ ମୋର

ଚାହିଁ ତୋର ସ୍ନିଗ୍ଧ ଶ୍ୟାମ ମାତୃ ମୁଖ

ଭଲ ପାଇଅଛି ମୁଁ ଯେ ଧୂଳି ମାଟି ତୋର ।

 

ମୁଁ ଆଶାକରେ ପାଠକମାନେ ଏଥିରୁ ଅନ୍ତତଃ ଏତିକି ବୁଝିପାରିବେ ଯେ ମୋ ପୂଜା ଓ ଅନୁରାଗକୁ ମୁଁ କେବେ ବିଭାଜିତ ହେବାକୁ ଦେଇନାହିଁ, ମୋ ଆତ୍ମା, ପ୍ରକୃତି ଜଗତ ଆଉ ବିଶ୍ୱଜଗତର ବିଶ୍ୱସମ୍ରାଟଙ୍କୁ ଉପଯୁକ୍ତ ସ୍ଥାନରେ, ଅଲଗା ଅଲଗା ବଖରାରେ ଗୋଟି ଗୋଟି କରି ସୁନ୍ଦର ଭାବରେ ସଜେଇ ଦେଇଛି ।

 

ଆମ ଜରିଆରେ ହେଉ ବା ବିଶ୍ୱ ଜରିଆରେ, ଚମକୃତ ହେବାରେ ମୋର ଅନ୍ତ ନାହିଁ । କୌଣସି ଜିନିଷକୁ ମୁଁ ତ୍ୟାଗ କରିପାରିବି ନାହିଁ ଆଉ ଏହାକୁ ଜଡ଼, ନିର୍ବେଦ ବା ସୀମିତ କହିପାରିବି ନାହିଁ । ଭିତରେ ଯାହା ସୀମିତ ଆଉ ଅନନ୍ତର ପ୍ରକାଶରୂପେ ଦେଖାଯାଏ ତାହା ମୋପାଇଁ ଆଶ୍ଚର୍ଯ୍ୟର ଏକ ଅବିନାଶୀ ଉତ୍ସ । ମୁଁ ଯେ ଆଖି ମେଲା ରଖି ଏଠାରେ ଜଳ ଆଉ ସ୍ଥଳଭାଗରେ, ଉଦ୍ୟାନ ଓ ପ୍ରାଣୀମାନଙ୍କ ଗହଣରେ, ଚନ୍ଦ୍ରସୂର୍ଯ୍ୟ, ଦିନ ଆଉ ରାତିରେ ବୁଲିପାରୁଛି, ଏସବୁ ଏକେବାରେ ଅସାଧାରଣ । ଏହି ବିଶ୍ୱବ୍ରହ୍ମାଣ୍ଡ ଅତିମାତ୍ରାରେ ବିସ୍ମୟକର ଏହାର ଅଣୁ ପରମାଣୁ ସହିତ, ଏହାର ପ୍ରତିଟି ଧୂଳିକଣା ସହିତ । ଅଗ୍ନି ଓ ବାୟୁ, ସୂର୍ଯ୍ୟ ଓ ଚନ୍ଦ୍ର, ମେଘ ଓ ବିଜୁଳିକୁ ଆମ ପୂର୍ବପୁରୁଷମାନେ ଦେଖିଥିଲେ ଏକ ଉତ୍ତୁଙ୍ଗ ଦୃଷ୍ଟିରେ; ସେମାନେ ସାରାଜୀବନ ପୃଥିବୀର ଅକଳ୍ପନୀୟ ବିଶାଳତା ମଧ୍ୟରେ ଘୂରି ବୁଲିଥିଲେ ଜୀବନ ଅନୁରାଗ ଆଉ ବିସ୍ମୟର ସହିତ ଏୟା ଭାବି ଯେ ପୃଥିବୀର ପ୍ରତିଟି ସ୍ପର୍ଶ ସବୁବେଳେ ଶୁଭେ ନୂତନ, ରୋମାଞ୍ଚିତ ମନ୍ତ୍ରପାଠ ପରି, ସତେଯେପରି ଏହା ସେମାନଙ୍କ ହୃଦୟ ବୀଣାରେ ସ୍ପନ୍ଦିତ ହେଉଛି; ଏଇ ଜିନିଷଟି ମୋ ହୃଦୟର ଗଭୀରତମ ସ୍ଥଳକୁ ଛୁଏଁ, ମତେ ଚମତ୍କୃତ କରେ ।

 

ଏଠାରେ ଏପରି ଅନେକ ଅଛନ୍ତି ଯେଉଁମାନେ ସୂର୍ଯ୍ୟଙ୍କୁ ଏକ ଅଗ୍ନିପିଣ୍ଡୁଳା କହି ବିଷୟର ଗମ୍ଭୀରତାକୁ ପବନରେ ଉଡ଼େଇ ଦେବାକୁ ଇଚ୍ଛା କରନ୍ତି, ସତେ କି ସେମାନେ ଜାଣନ୍ତି ନିଆଁ ଜିନିଷଟି କଣ ! ଆହୁରି ଅନେକ ଅଛନ୍ତି ଯେଉଁମାନେ ଏୟା କହି କଥା ଶେଷ କରିଦିଅନ୍ତି ଯେ ଧରିତ୍ରୀ ଗୋଟିଏ ମାଟିର ପିଣ୍ଡୁଳା, ଗୋଲକଟିଏ ଛନ୍ଦାଛନ୍ଦି ନଦୀନାଳରେ ପୂର୍ଣ୍ଣ; ଏମାନେ ଭାବନ୍ତି ଯେ ପାଣିକୁ ପାଣି କହିଦେବା ଅର୍ଥ ସମସ୍ତ ଜଳାଧାରର ଧାରଣା ସେମାନେ କରି ନେଇଛନ୍ତି, ଆଉ ପୃଥିବୀକୁ ପୃଥିବୀ କହିଦେବା ଅର୍ଥ ଏହା ପୃଥିବୀ ହୋଇଗଲା ।

 

ପ୍ରକୃତି ସମ୍ବନ୍ଧରେ ମୋର ତିନୋଟି ପୁରୁଣା ଚିଠିରୁ କିଛି ଅଂଶ ମୁଁ ଉଦ୍ଧାର କରିବି ।

 

‘ଏତାଦୃଶ ଅତିସୁନ୍ଦର ଦିନ-ରାତିମାନ ମୋ ଜୀବନରୁ କ୍ରମାଗତ ଅପସରିଯାଏ, ଅଥଚ ସେମାନଙ୍କୁ ମୁଁ ଭଲଭାବରେ ଅନୁଭବ ବି କରିନାହିଁ । ଏଇ ଯେତେ ରଂଗ, ଏ ଛାଇ ଆଲୁଅ, ଏ ଆକାଶ ବ୍ୟାପୀ ନୀରବ ଚିତ୍ତାକର୍ଷକ ପ୍ରଦର୍ଶନ, ସମସ୍ତ ଫାଙ୍କା ଯାଗାରେ ବିସ୍ତାରିତ ଶାନ୍ତି ଆଉ ସୌନ୍ଦର୍ଯ୍ୟ ଆକାଶ ପୃଥିବୀ ମଝିରେ । ଏ ସବୁ ଗଢ଼ିବାକୁ ଯେଉଁ ବ୍ୟବସ୍ଥା ଦରକାର ତାହା କଣ ଗୋଟିଏ ଛୋଟିଆ ଜିନିଷ ? କେତେ ବିଶାଳ ଏ ଉତ୍ସବ- ପ୍ରାଙ୍ଗଣ ! ଏଭଳି ଏକ ଅତି ବିରାଟ ଆଉ ଚମତ୍କାର ପ୍ରଭାବଶାଳୀ ଜିନିଷ ଆମ ବାହାରେ ପ୍ରତିଦିନ ଘଟିଚାଲିଛି, ଆଉ ହେ ଭଗବାନ, ଏହାପ୍ରତି ଉପଯୁକ୍ତ ପ୍ରତିକ୍ରିୟା ଆମ ଭିତରେ ନାହିଁ ! ଆମେ ବିଶ୍ୱଠାରୁ ଏହିଭଳି ଦୂରତା ରଖି ବଞ୍ଚି ଚାଲିଛେ ! ଗୋଟିଏ ନକ୍ଷତ୍ରର ଆଲୋକ ଏହି ବିଶ୍ୱ ଗ୍ରହରେ ପହଞ୍ଚେ କେତେ ଆଲୋକବର୍ଷରେ; ହଜାର ହଜାର ଶତାବ୍ଦୀ ନେଇ, ଅନ୍ତହୀନ ଅନ୍ଧକାର ବାଟ ଦେଇ ଯାତ୍ରା କରି ଆସେ, ଅଥଚ ଏହା ଆମ ଆତ୍ମାରେ ପ୍ରବେଶ କରେ ନାହିଁ ! ଏହା ଏପରି ଘଟିଯାଏ ସତେ ଯେପରି ଆମ ମନ ବହୁତ ଅଧିକ ଆଲୋକ ବର୍ଷ ଦୂରରେ ଅଛି ! ବହୁରଂଗରେ ଭରା ପ୍ରାତଃକାଳ ଓ ସାୟଂକାଳ ଗୋଟିଏ ପରେ ଗୋଟିଏ ଖସିପଡ଼ନ୍ତି ସାଗରଜଳରେ, ଦିଗାଙ୍ଗନାର ମାଳାରୁ ଛିଣ୍ଡି ଅଳଙ୍କାର ଖସିଲା ପରି, ଆଉ ଗୋଟିଏ ବି ପହଞ୍ଚେନାହିଁ ଆମ ମନ ଜଗତରେ ! ଆମେ ଯେଉଁ ପୃଥିବୀରେ ଆସି ପଡ଼ିଛେ, ଏଠାର ଲୋକେ ସମସ୍ତେ ଗୋଟିଏ ଗୋଟିଏ ଅଦ୍ଭୁତ ଜାନୁଆର । ଦିନରାତି, ମୁହୂର୍ତ୍ତେ ବନ୍ଦ ନ କରି ସେମାନେ ଲାଗିଥାନ୍ତି କାନ୍ଥ ଉଠାଇବାରେ, ନିୟମ କାନୁନ ଗଢ଼ିବାରେ; ଯଦି ଆକସ୍ମାତ ସେମାନଙ୍କ ନିଜ ଦୁଇ ଆଖିରେ କିଛି ଦେଖିଦେଲେ, ତତ୍‌କ୍ଷଣାତ୍ ପରଦା ପକାଇ ଦିଅନ୍ତି-। ସତ କହିବାକୁ ଗଲେ, ପୃଥିବୀର ଜୀବମାନେ ବଡ଼ ବିଚିତ୍ର ! ଆଶ୍ଚର୍ଯ୍ୟର କଥା ଯେ ସେମାନେ ଏଯାଏଁ ପ୍ରତିଟି ଫୁଲ ଗଛକୁ ଚାରିପଟୁ ଆବଦ୍ଧ କରି ଦେଇନାହାନ୍ତି କିମ୍ବା ଚନ୍ଦ୍ରତଳେ ଚନ୍ଦ୍ରାତପର ଆବରଣ ବାନ୍ଧି ଦେଇ ନାହାନ୍ତି । ନିଜ ଉପରେ ନିଜେ ଅନ୍ଧତ୍ୱ ଆରୋପ କରି ସେମାନେ ନିଜ ତିଆରି ଚାରିପଟୁ ବନ୍ଦ ପାଲିଙ୍କିରେ ବିଶ୍ୱଭ୍ରମଣ କରୁଛନ୍ତି, ଦେଖୁଛନ୍ତି କଣ ? କାହାକୁ ?’

 

‘ଏ ପୃଥିବୀ ମୋପାଇଁ ଚିର ନୂତନ ଯାହାକୁ ମୁଁ ଭଲ ପାଇଛି ବହୁ ଯୁଗ ବହୁ ଜନ୍ମ ଧରି... ବେଶ ଭଲଭାବରେ ମୁଁ ମନେ ପକାଇପାରେ ଅନେକ ଲକ୍ଷ ଯୁଗ ପୂର୍ବରୁ, ଏହି କୁମାରୀ ପୃଥବୀ ସାଗରରେ ଅବଗାହନ କରି ଠିକ୍ ସେତିକିବେଳେ ତାର ମୁଣ୍ଡ ଉଠାଇଥାଏ ଆଉ ସେତେବେଳର କିଶୋର ସୂର୍ଯ୍ୟକୁ ମନ୍ତ୍ରଟିଏ ଗାଇ ଶୁଣାଉଥାଏ, ପୃଥିବୀର ନବୀନ ଭୂମିରୁ କେଉଁଠାରୁ ଗୋଟେ ବୃକ୍ଷ ଜୀବନର ପ୍ରଥମ ଅବାରିତ ପ୍ରବାହରେ ପୁଷ୍ପ ବିମଣ୍ଡିତ ହୋଇସାରିଥାଏ । ପୃଥିବୀରେ ନଥାନ୍ତି କେହି ଜୀବିତ ଜୀବଜନ୍ତୁ, ଅସୀମ ସାଗର ଦିବାରାତ୍ର ହେଉଥାଏ ତରଙ୍ଗାୟିତ ଆଉ ଗୋଟେ ଜ୍ଞାନହୀନ ମାଆ ପରି ତାର ଛୋଟ ନବଜାତକ ଭୂମିଟିକୁ ଏକ ପାଗଳ ବନ୍ଧନରେ ବାରମ୍ବାର ଚାରିପଟୁ ଜାବୁଡ଼ି ଧରୁଥାଏ । ତା’ପରେ ଏଇ ପୃଥିବୀ ଉପରେ ମୋର ସାରା ଶରୀର ଦେଇ ପାନକରେ ସୂର୍ଯ୍ୟର ପ୍ରଥମ କିରଣ, ଗୋଟେ ବାଳୁତ ଶିଶୁ ପରି ଗୋଟେ ନୀଳ ଆକାଶ ତଳେ ଜୀବନର ଅନ୍ଧ ଆବେଗ ଭିତରେ ମୁଁ କମ୍ପିଉଠେ, ଆଉ ମୋର ଏଇ ବିଶ୍ୱମାତାକୁ ଆଲିଙ୍ଗନ କରେ ମୋର ସମସ୍ତ ଚେରଦ୍ୱାରା ପାନ କରେ ତା’ ଛାତିର କ୍ଷୀର । ଏକ ଅକୁହା ପୁଲକରେ ମୋର ଫୁଲସବୁ ଫୁଟିଯାଏ ଆଉ ମୋ ଦେହରେ ନୂଆ ପତ୍ର କଅଁଳି ଆସେ । ମୌସୁମୀ ମେଘ ଯେତେବେଳେ ଘନ ହୋଇ ଆସେ, ସେମାନଙ୍କ ବହଳ ଅନ୍ଧାରର ଚମତ୍କାର ସେମାନଙ୍କ ପାପୁଲିର ପରିଚିତ ସ୍ପର୍ଶରେ ମୋ ପତ୍ରମାନଙ୍କୁ ଛୁଇଁଚାଲେ । ସେଇ ଛୁଆଁ ପରେ ମୁଁ କେତେ କେତେ ନୂଆ ଯୁଗରେ ଏଇ ପୃଥିବୀର ମାଟିରେ ଜନ୍ମ ହୋଇଛି ଅନେକ ଅନେକ ହୋଇ । ଯେତେବେଳେ ବି ଆମେ ଦୁହେଁ ନିର୍ଜନରେ ମୁହାଁମୁହିଁ ହୋଇ ବସିଥାଉ, ମୋର ମନେ ପଡ଼ିଯାଏ ଆମର ଯୁଗଯୁଗର ଏଇ ପୁରୁଣା ପରିଚୟରୁ କିଛି । ବର୍ତ୍ତମାନ ଏଇ ମୁହୂର୍ତ୍ତରେ ମୋ ଧରିତ୍ରୀ ବସିଛି ଶସ୍ୟକ୍ଷେତ୍ରରେ, ସେଇ ନଦୀକୂଳରେ ପିନ୍ଧି ସୁନେଲି ହଳଦିଆ ସୂର୍ଯ୍ୟ ଜ୍ୟୋତିର ଶାଢ଼ୀ । ମୁଁ ତା କୋଳପାଖରେ ପାଦ ପାଖରେ ଗୋଡ଼ହାତ ମେଲାଇ ପଡ଼ିଛି । ଯେମିତି କେତେ ମାଆ ସେମାନଙ୍କ ପିଲାଙ୍କ ଯିବା ଆସିବା ପ୍ରତି ଗୁରୁତ୍ୱ ବା ଯଥେଷ୍ଟ ନଜର ଦିଅନ୍ତିନାହିଁ, ସେହିପରି ଅର୍ଦ୍ଧଚେତନ ଅଥଚ ଅଟଳ ଧୈର୍ଯ୍ୟ ସହିତ, ମୋ ଧରିତ୍ରୀ ଏଇ ଅପରାହ୍ଣରେ ଚାହିଁ ରହିଛି ଦୂରଦିଗ୍‌ବଳୟକୁ ଆଉ ଭାବୁଛି ଆଦିମ ପୃଥିବୀର ପ୍ରଥମ ସମୟକୁ-। ସେ ମୋ’ଆଡ଼କୁ ବେଶୀ ଚାହୁଁ ନାହିଁ, ଆଉ ମୁଁ କେବଳ ଅବିରାମ ବକର ବକର ହୋଇ ଚାଲିଛି ।’

 

ପ୍ରକୃତି ସବୁବେଳେ ମତେ ଅଭିଭୂତ କରିଚାଲିଛି ତା’ର ଆକାର ଆଉ ସୁନ୍ଦରତାର ବିନ୍ୟାସରେ, ତା’ର ରଂଗ ଆଉ ସୁବାସରେ, ଏବଂ ମାନବସମାଜ ତା’ର ବୁଦ୍ଧିମତ୍ତା ଓ ମନଦ୍ୱାରା, ତା’ର ଶ୍ରଦ୍ଧା ଆଉ ପ୍ରେମଦ୍ୱାରା । ସେହି ଆକର୍ଷଣକୁ ମୁଁ ଅସ୍ୱୀକାର କରେ ନାହିଁ, ସମାଲୋଚନା କରେ ନାହିଁ । ଏହା ମୋତେ ବନ୍ଧନଯୁକ୍ତ କରୁନାହିଁ, ବରଂ ଏହା ମୋତେ ବିମୁକ୍ତ କରୁଛି; ଏହାମୋତେ ମୋର ସୀମା ବାହାରକୁ ଛୁଇଁବାକୁ ପ୍ରେରିତ କରିଛି । ଡଙ୍ଗାଟିକୁ ପଛକୁ ଟାଣିଲେ ଏହା ପଛକୁ ଟାଣି ହୋଇ ଆସେ ନାହିଁ, ଏହା ଆହୁରି ଆଗକୁ ଟାଣି ହୋଇଯାଏ । ପୃଥିବୀର ଆକର୍ଷଣର ସମସ୍ତ ଶୃଙ୍ଖଳା ଏହିପରି ଆମକୁ ଆଗକୁ ଆଗେଇ ଯିବାରେ ସାହାଯ୍ୟ କରେ । ଜଣେ ଯିଏ ବହୁତ ଦ୍ରୂତଗତିରେ ଚାଲୁଛି ସେ ନିଜର ବେଗ ବିଷୟରେ ସଚେତନ; ଆଉ ଜଣେ ଯିଏ ଧୀରେ ଧୀରେ ଚାଲୁଛି ସେ ହୁଏତ ନିଜକୁ ସେଇ ସମାନ ଯାଗାରେ ଅଟକି ଯାଇଥିବାର କଳ୍ପନା କରୁଛି । ହେଲେ ପ୍ରତ୍ୟେକ ଆଗେଇବାକୁ ବାଧ୍ୟ । ପୃଥିବୀର ଦୈନନ୍ଦିନ ବ୍ୟାପାରର ନିରନ୍ତରତା ଭିତରେ, ପ୍ରତିଟି ଲୋକ ତା ନିଜର ନିର୍ଣ୍ଣାୟକ ଦିଗରୁ ବାହାରିଯାଇ ଏକ ବୃହତ୍ତର ବା କ୍ଷୁଦ୍ରତର ପରିସରରେ ଈଶ୍ୱରମୁଖୀ ହୋଇଥାଏ । ଆମେ ଯାହା ଭାବିଲେ ବି, ଗୋଟିଏ ଯାଗାରେ ଆମେ ବନ୍ଧା ନୁହେଁ, ଆମ ଭାଇ, ବନ୍ଧୁ, ପୁତ୍ର, ପ୍ରିୟଜନଦ୍ୱାରା । ଗୋଟିଏ ଲ୍ୟାମ୍ପର ଆଲୁଅ କେବଳ ସେତିକି ଆଲୋକ ଦିଏ ନାହିଁ ଯେତିକି ଆମେ ଖୋଜୁଥାଏ, ଏହା ସମଗ୍ର କୋଠରୀଟିକୁ ଆଲୋକିତ କରେ-। ପ୍ରେମ ପ୍ରସାରିତ କରାଏ, ପ୍ରେମର ଅଭିପ୍ରେତ ବସ୍ତୁ ବା ବ୍ୟକ୍ତିକୁ ଅତିକ୍ରମ କରି । ଜଗତର ସୌନ୍ଦର୍ଯ୍ୟ ମାଧ୍ୟମରେ, ପ୍ରିୟଲୋକଙ୍କ ମଧୁରତା ଜରିଆରେ, ଈଶ୍ୱର ସ୍ୱୟଂ ଆମକୁ ବାହାର କରି ଟାଣି ନିଅନ୍ତି, ଆଉ କାହାରି ଏପରି କରିବାର ସାମର୍ଥ୍ୟ ଆଦୌ ନାହିଁ । ମାଟିର ମାୟାରେ ବିପୁଳ ପୁଲକ ଆଉ ସୃଷ୍ଟିର ବିବିଧତା ଅନୁଭୂତ ହୁଏ; ପୃଥିବୀର ସୌନ୍ଦର୍ଯ୍ୟରେ ଏକ ସୂକ୍ଷ୍ମ ଗଭୀର ରୂପମାଧୁର୍ଯ୍ୟ ଦେଖିହୁଏ; ଏହା ହିଁ ପ୍ରକୃତରେ ସେୟା ଯାହାକୁ ମୁଁ ମୁକ୍ତି ଖୋଜିବାର ଆନ୍ତରିକ ଉଦ୍ୟମ କହେ । ପୃଥିବୀଦ୍ୱାରା ମୁଁ ମନ୍ତ୍ରମୁଗ୍ଧ, ଆଉ ସେହି ବିମୋହନ ଭିତରେ ହିଁ ମୁଁ ପାଏ ମୁକ୍ତିର ଅମୃତ ସ୍ୱାଦ ।

 

ବୈରାଗ୍ୟ ସାଧନେ ମୁକ୍ତି ସେ ନୁହେଁ ମୋହର

ଅସଂଖ୍ୟ ବନ୍ଧନ ମଧ୍ୟେ ମହାନନ୍ଦମୟ

ଲଭିବି ମୁକ୍ତିର ସ୍ୱାଦ ଏଇ ବସୁଧାରେ

ମୃତ୍ତିକାର ପାତ୍ରଟିକୁ ଭରି ବାରମ୍ବାର

ତୁମର ଅମୃତ ଦେବ ଢାଳି ଅବିରତ

ପ୍ରଦୀପର ସମ, ଏତେ ବର୍ଣ୍ଣ ଏତେ ସୁବାସିତ

ସମସ୍ତ ସଂସାର ମୋହ ଲକ୍ଷ ବର୍ତ୍ତିକାରେ

ଜଳାଇ ଆଲୋକ ଦେବ ତୁମରି ଶିଖାରେ-

ତୁମରି ମନ୍ଦିର ମଧ୍ୟେ । ଇନ୍ଦ୍ରିୟର ଦ୍ୱାର

ରୁଦ୍ଧ କରି ଯୋଗାସନ, ସେ ନୁହେଁ ମୋହର ।

ଯେତିକି ଆନନ୍ଦ ଅଛି ଦୃଶ୍ୟେ, ଗନ୍ଧେ, ଗାନେ

ତୁମ ଆନନ୍ଦ ରହିବ ତାର ମଧ୍ୟ ସ୍ଥାନେ ।

ମୋହ ମୋର ମୁକ୍ତି ରୂପେ ଜଳି ଯେ ଉଠିବ

ପ୍ରେମ ମୋର ଭକ୍ତି ରୂପେ ଫଳ ପ୍ରାପ୍ତ ହେବ ॥

 

ବାଳକ ଅବସ୍ଥାରେ ମୁଁ ଲେଖିଥିଲି ‘ପ୍ରକୃତିର ପ୍ରତିଶୋଧ’ । କାହିଁକି ମୁଁ ଜାଣେ ନାହିଁ । ସେତେବେଳେ ଏହାର ସ୍ପଷ୍ଟ ଧାରଣା ମୋ ମନରେ ନଥିଲା, ହେଲେ ଏଇ ଭାବଟି ଏଥିରେ ଥିଲା ଯେ ଆମେ ଯେତେବେଳେ ଏହି ପୃଥିବୀକୁ ଗ୍ରହଣ କରିଚେ, ଏଇ ପାର୍ଥିବ ଘର ଉପରେ ନିର୍ଭର କରୁଚେ, ଆମ ଚାରିପାଖ ପୃଥବୀକୁ ଗଭୀରଭାବେ ସମ୍ମାନ କରୁଛେ, ଏହାର ପ୍ରକୃତ ଅର୍ଥ ଭିତରେ ଥିବା ଶେଷହୀନତାକୁ ବି ଆମେ ଉପଲବ୍‌ଧି କରିପାରିବା । ପୋତରୁ ଡେଇଁ ପଡ଼ିବାର ପ୍ରଚେଷ୍ଟା ଯାହା ଅଗଣିତ ଲକ୍ଷ ଲକ୍ଷ ସେମାନଙ୍କ ଜଳଯାତ୍ରା କାଳରେ ପ୍ରଦର୍ଶିତ କରିଛନ୍ତି, ଆଉ ସାଗରକୁ ସନ୍ତରଣ କରିବାର ଚେଷ୍ଟା, ଅତିକ୍ରମ କରିବାର ଚେଷ୍ଟା, କେବେ ବି ସଫଳ ହୋଇନାହିଁ ବା ହେବ ନାହିଁ ।

 

ହେ ବିଶ୍ୱ, ହେ ମହାତରୀ, କେଉଁ ଦିଗେ ଯାଅ

ମୋତେ ତୋଳି ନେଇ, ଦିଅ ହେ ଆଶ୍ରୟ ।

ଏକା ମୁଁ ଯେ ସନ୍ତରଣ ପାରିବିନି କରି

କୋଟି କୋଟି ଯାତ୍ରୀ ଏଠି ଯାଇଛନ୍ତି ଚାଲି,

ମୁଁ ବି ଚାହେଁ ସେମାନଙ୍କ ସହ ଯା’ନ୍ତି ବୁଲି ।

ଯେ ପଥେ ତପନ ଶଶୀ ଦିଅନ୍ତି ଆଲୋକ

ସେଇ ପଥ କରି ତୁଚ୍ଛ ସେ ଆଲୋକ ଛାଡ଼ି

ଆପଣାର କ୍ଷୁଦ୍ର ଏଇ ଖଦ୍ୟୋତ ଆଲୋକେ

ଅନ୍ଧକାରେ ମରି କିଆଁ ପଥ ଯିବ ଲୋଡ଼ି.... ?

 

ପକ୍ଷୀ ଯେବେ ଉଡ଼ିଯାଏ ନୀଳ ନଭବକ୍ଷେ

ମନେକରେ ଏଇ ବୋଧେ ପୃଥିବୀକୁ ତ୍ୟଜି

ପୃଥିବୀ ଉର୍ଦ୍ଧ୍ୱକୁ ଯେତେ ଯେତେ ଯାଏ ଉଡ଼ି

କେବେହେଲେ ପୃଥିବୀକୁ ପାରେକି ସେ ଛାଡ଼ି

ଅବଶେଷେ ଫେରେ ନୀଡ଼େ ଶାନ୍ତ ଦେହ ଧରି ।

 

ପରେ ପରିପକ୍ୱ ବୟସରେ ଯେତେବେଳେ ମୁଁ ‘ମାଳିନୀ’ ନାଟକ ଲେଖିଲି ସେଇ ଏକା ଢଙ୍ଗରେ କହିଥିଲି ଧର୍ମର ଉପଲବ୍ଧି ସମ୍ବନ୍ଧରେ–ଏହା ସୁଦୂରରୁ ନିକଟ, ସାଧାରଣରୁ ନିର୍ଦ୍ଦିଷ୍ଟ, କଳ୍ପନାରୁ ଦୈନନ୍ଦିନ ବାସ୍ତବତା ଯାଏ ସବୁଠାରେ ଅନୁଭୂତ ହେଉଥାଏ, ଘୂରି ବୁଲୁଥାଏ ।

 

ଜାଣିଛି ମୁଁ ଧର୍ମ ଦିଏ ମାଆର ମମତା ସ୍ନେହ,

ଅପତ୍ୟ ଶରଧା; ଦେଇଛି ସେ ଦାତା ରୂପେ

ମହାଦାନୀ ପରି, ଦରକାର ବେଳେ ପୁଣି ନେଇଛି କୋଳେଇ;

ଗୁରୁ ତୁଲ୍ୟ ଦିଅଇ ଆଶୀଷ, ଶିଷ୍ୟ ତୁଲ୍ୟ

ନମ୍ର ହୋଇ ଥାଏ; ପ୍ରିୟା ହୋଇ ଭଲ ପାଇବାର

ଅସରା ଝରଣା ସୃଜେ ପାଷାଣ ଅନ୍ତରେ

ହୃଦୟ ଆବେଗେ କରେ ସର୍ବତ୍ୟାଗ

ଧର୍ମ ବିଶ୍ୱ ଲୋକାଳୟେ ଫିଙ୍ଗି ଅଛି ଚିତ୍ତ ଜାଲ ନିଖିଳ ଭୁବନେ

ଟାଣିନିଅ, ପ୍ରେମକ୍ରୋଡ଼େ, ସେ ମହାବନ୍ଧନ

ଭରିଦିଏ ଅନ୍ତରେ ମୋ’ ବେଦନା ଆନନ୍ଦ ।

 

ନିଜ ସମ୍ବନ୍ଧରେ ଯତ୍‌କିଞ୍ଚିତ ମୋର କହିବାର ଥିଲା ପ୍ରାୟ ସବୁ କହିଦେଇଛି, ଆଉ କେତୋଟି ଶେଷ ଶବ୍ଦ ସହ ମୁଁ ଶେଷ ବକ୍ତବ୍ୟରେ ପହଞ୍ଚିବି–

 

ଏ ମାଟି ଲୋକଙ୍କୁ ତୁମେ ଦିଅ ଯେଉଁ ଦାନ,

ମର୍ତ୍ତ୍ୟର ସକଳ ଆଶା କର ଯେ ପୂରଣ

ବ୍ୟର୍ଥ ତାହା ହୁଏନାହିଁ, ଏବଂ ସର୍ବଶେଷେ

ନିଜେ ମୁଁ ଖୋଜେ ଓ ପାଏ ତୁମର ଉଦ୍ଦେଶ୍ୟେ ।

ନଦୀ ଧାଏଁ ପ୍ରତିଦିନ ସର୍ବ କର୍ମ ସାରି

ଅନ୍ତହୀନ ସ୍ରୋତେ ପଶେ ଶରଣ ତୁମରି

ନିତ୍ୟ ଜଳାଞ୍ଜଳି ରୂପେ ବାଧା ହୀନ ଝରେ

କୁସୁମ ନିଜର ଗନ୍ଧେ ସମସ୍ତ ସଂସାରେ

ସଂପୂର୍ଣ୍ଣ ହୋଇ ବି ତାର ସଂପୂର୍ଣ୍ଣତା କାହିଁ ?

ତୁମରି ପୂଜାତ କେତେ ଶେଷ ହୁଏ ନାହିଁ,

କବି ଆପଣାର ଗାନେ ଯେତେକଥା କହେ

ସଂସାର ଦୃଷ୍ଟିରେ ତାହା ତୁମ ପୂଜା ନୁହେଁ,

ତାକୁ ନେଇ ଭିନ୍ନ ଲୋକ ଭିନ୍ନ ଅର୍ଥ କହେ

ସର୍ବ ଶେଷ ଅର୍ଥ କିନ୍ତୁ ତୁମ ପାଖେ ରହେ ॥

 

ମୋ ଜୀବନ ଓ କବିତାର ମୁଖ୍ୟ ଧାରାକୁ ମୁଁ ଚେଷ୍ଟା କରିଛି ସ୍ୱରଚିତ କବିତାରୁ କିଛି ଉଦ୍ଧୃତି ଦେଇ ଆଉ କିଛି ବିଶଦ ବ୍ୟାଖ୍ୟା କରି ଉପସ୍ଥାପିତ କରିବାକୁ । ଜାଣେନି ସ୍ପଷ୍ଟ ଭାବରେ ଏହା ମୁଁ ଉପସ୍ଥାପିତ କରି ପାରିଛି କି ନାହିଁ; କାରଣ ଏହାର ସ୍ପଷ୍ଟୀକରଣ କାର୍ଯ୍ୟ ପୂରାପୂରି ମୋ ହାତରେ ନାହିଁ- ଅନେକ ନିର୍ଭର କରେ ବୁଝିବା ଲୋକ ଉପରେ ।

 

ମନରେ ସନ୍ଦେହ ଜାଗେ ଯେ ଅନେକ ପାଠକ କହିବେ: କବିତା ଗୋଟେ ପ୍ରହେଳିକା ହୋଇ ରହିଯାଇଛି ଆଉ ଜୀବନ ଯେପରି ଥିଲା ସେହିପରି । ଯଦି ବିଶ୍ୱର ଶକ୍ତି ମୋ ମନର ସୃଜନୀ ଶକ୍ତିରେ ଉଚ୍ଚାରିତ ହୁଏ ଆଉ ଜୀବନ ଏକ ବାର୍ତ୍ତା ଆକାରରେ; ଯାହା ଅନ୍ୟମାନେ ବୁଝିପାରନ୍ତି ନାହିଁ, ତାହାହେଲେ ମୋ କବିତା ଆଉ ଜୀବନର ଅର୍ଥ ଏ ପୃଥିବୀରେ କାହାପାଇଁ ନାହିଁ; ଏହା ମୋର ନିଜର କ୍ଷତି, ମୋ ନିଜର ଅସଫଳତା । ଏଥିପାଇଁ ମୋତେ ଗାଳିଦେଇ କିଛି ଲାଭ ନାହିଁ, ଏହାକୁ ସଂଶୋଧନ କରିବା ମୋ ପକ୍ଷେ ଅସମ୍ଭବ, ମୋର ଅନ୍ୟବାଟ ନାହିଁ ।

 

ଜଗତ ଯେତେବେଳେ ପ୍ରକାଶିତ ହୁଏ ମଣିଷର ଭାଷାରେ, ମଣିଷର ହୃଦୟ ଆଉ ଜୀବନ ଜରିଆରେ, ସେତେବେଳେ ସେଠାରେ ଲାଭ ଏକଦମ୍ କମ୍ ହୁଏ ଯଦି ଏହା କେବଳ ପ୍ରତିଧ୍ୱନି ଆଉ ପ୍ରତିବିମ୍ବ ଭଳି ଶୁଣାଯାଏ, ଦେଖାଯାଏ । ଆମେ ଆମର ଜ୍ଞାନ, ବିଚାରବୁଦ୍ଧିଦ୍ୱାରା ଏ ପୃଥିବୀକୁ ଚିହ୍ନଟ କରିବାର ଗୋଟିଏ ଛୋଟ ଅଂଶ ମାତ୍ର ହସ୍ତଗତ କରିଥାଏଁ ଯୁଗପରେ ଯୁଗ ସ୍ୱପ୍ନଜୀବୀମାନଙ୍କର ଆତ୍ମା ଜରିଆରେ, କବି ଓ ଦ୍ରଷ୍ଟା ଋଷିମାନଙ୍କ ଜରିଆରେ ଆମେ ସେହି ପରିଚୟକୁ ସଂପୂର୍ଣ୍ଣ କରେ ଅଧିକ ନୂତନ ଆଉ ଅଧିକ ଗଭୀର ରୂପରେ । ଗୋଟେ ଗୀତିକବିର କଥା ନିଆଯାଉ, ଆଉ ତାର କବିତାଗୁଡ଼ିକ ଭଲ ବା ସାଧାରଣ ବିଚାର କରିବାପାଇଁ ସେଗୁଡ଼ିକୁ ଖଣ୍ଡଖଣ୍ଡ କରି, ଭାଙ୍ଗି ପରୀକ୍ଷା କରିବା ଗୋଟେ ଆଲୋଚକର ପ୍ରକୃତ କାମ ନୁହେଁ । ବଦଳରେ କିପରି ତା’ର କବିତାସାରାରେ ବିଶ୍ୱ ନିଜକୁ ପ୍ରକାଶ କରୁଛି, ସେଥିରେ ଥିବା ବାର୍ତ୍ତା କିପରି ରୂପ ନେଉଛି, ତାହା ହିଁ ଆମର ବୁଝାମଣା ଦାବି କରିବା ଉଚିତ । କବିକୁ ନିଜର ଅସ୍ତ୍ର କରି, କେଉଁ ରୂପରେ ବୀଣାଧାରିଣୀ ବାଣୀ ଦେବୀ, ବିଶ୍ୱର ପ୍ରକାଶ ଶକ୍ତି, କିପରି ନିଜକୁ ରୂପାୟିତ କରନ୍ତି ? ଏହା ହିଁ ପ୍ରକୃଷ୍ଟ ବିଷୟ ଯାହା ଦେଖାହେବା ଉଚିତ ।

 

ପୃଥିବୀରେ ଯାହା ଅପ୍ରକାଶ୍ୟ, ଆଉ କବି ହୃଦୟର ଦରଜାରେ ଯାହା ବାରମ୍ବାର ଆଘାତ କରେ, ଯଦି ତାହା କବିର କବିତାରେ ଭାଷା ପାଇଯାଏ, ତାହାଠାରୁ ବଳି ଆଉ କଥା ନାହିଁ-। ପୃଥିବୀକୁ ସୁନ୍ଦରତାର ବାହାରେ ଯାହା ଥାଏ ତାହା ପ୍ରତିଦିନ ଆସି ଯଦି କବି ସାମ୍ନାରେ ତା ମୁହଁକୁ ଚାହିଁ ବସେ, ଆଉ ଯଦି ସେହି ଆକୃତି ବିହୀନ ସୌନ୍ଦର୍ଯ୍ୟ କବିର କବିତା ଭିତରେ ଆକାର ପାଏ; ତାହାଠାରୁ ବଳି ସୌଭାଗ୍ୟ ଆଉ ନାହିଁ । ଆଗରୁ ଯାହା ଆଖି ଆଗରେ ଏକ ମୂର୍ତ୍ତି ରୂପରେ ଥାଏ, ଯଦି ତାହା ନିଜକୁ ବିସ୍ତାରିତ କରି କବିର କବିତାରେ ଏକ ଅନୁଭବ ରୂପରେ ଆସେ, ଆଉ ଯଦି ନିର୍ଦ୍ଦିଷ୍ଟ ଆକାର ନଥିବା ଏକ ଅନୁଭବ ଘରଛଡ଼ା ହୋଇ ମୁକ୍ତି ପାଇ ବୁଲୁଥିବା ବେଳେ ହଠାତ୍ ପୂର୍ଣ୍ଣ ଆକାର ପାଇଯାଏ କବିର କବିତାରେ; ସେତିକିବେଳେ, ହଁ ସେତିକିବେଳେ ହିଁ କେବଳ କବିତା ସଫଳ ହୁଏ; ଆଉ ସେହି ସଫଳ କବିତା ଆପେ ହୋଇଯାଏ କବିର ପ୍ରକୃତ ଜୀବନୀ । ଦୈନନ୍ଦିନ ଜୀବନର ଘଟଣାବଳୀରୁ କିଛି ପ୍ରସଂଗ କ୍ରମେ କବି ଜୀବନୀର ବିଷୟବସ୍ତୁ ସହ ମିଶାଇବାକୁ ଚେଷ୍ଟା କରିବା ଏକାନ୍ତ ହାସ୍ୟାସ୍ପଦ ।

 

ବାହାରେ ଥାଇ ଗୋ ଦେଖନାହିଁ ମତେ ଏମିତି

ଦେଖ ନାହିଁ ମୋର ବାହ୍ୟରୂପ

ପାଇବନି ମତେ ମୋର ଦୁଃଖ ଓ ସୁଖରେ

ବେଦନାକୁ ମୋର ଖୋଜନାହିଁ ମୋ ଛାତିରେ

ମୋ ମୁହଁରେ ମୋତେ ଦେଖିକି ପାଇବ ନାହିଁରେ

କବିକୁ ଯେଉଁଠି ଖୋଜୁଚ ସେଠି ସେ କାହିଁରେ ?

ମୁଁ ଯେ ସପନ-ମୂରତି ଗୋପନଚାରୀ

ନିଜକୁ ଯେ ବୁଝି ବୁଝାଇ ନ ପାରି

ନିଜ ଗତ ପାଖେ ନିଜେ ହିଁ ହାରେ

ସେମିତି କବି ମୁଁ ଧରିବ କା’ରେ ?

ମଣିଷ ଆକାରେ ବଦ୍ଧ- ଯେ ଜନ ଘରେ

ଭୂମିରେ ଯେ ଲୋଟେ ପ୍ରତି ନିମିଷରେ

ଯାହାକୁ ଥରାଏ ସ୍ତୁତି- ନିନ୍ଦାର ଜ୍ୱର

କବିକୁ ଖୋଜ ଜୀବନ ଚରିତେ ତାର ?

Image

 

ଆତ୍ମପରିଚୟ

ଦୁଇ

 

ଭୁଲ ସମୟରେ କିଛି ଘଟଣା ଘଟିଗଲେ, ମନ ସବୁବେଳେ ଆଶଙ୍କାଗ୍ରସ୍ତ ହୋଇ ରହେ-। ଆପଣମାନଙ୍କଠାରୁ ଯେଉଁ ପ୍ରଶଂସା ମୁଁ ପାଇଛି ତାହା ଏକ ଅନାଲୋଚିତ ଫଳ, ଜଣେ ତେଣୁ ଭୟ କରିପାରେ ଯେ ଏହା ଯେ କୌଣସି ମୁହୂର୍ତ୍ତରେ ନିଜ ହାତରୁ ଖସି ଯାଇପାରେ ।

 

ଅନ୍ୟ ଶ୍ରମଜୀବୀମାନେ ଯେପରି ଅଳ୍ପ କିଛି ପାଉଣା ଆଉ ନିୟମିତ ଦରମା ପାଆନ୍ତି ସେହିପରି କବିମାନେ ନିଜ ସାହିତ୍ୟ ସେବାପାଇଁ କିଛି ପାଇବାକୁ ଆଶା କରିପାରନ୍ତି । ସେମାନେ ସବୁବେଳେ ଖୋଜୁଥାନ୍ତି ପ୍ରଶଂସା ଓ ଯଶର ଛୋଟ ଛୋଟ ପାଉଣା, ସତେ ଯେପରି ଦୈନନ୍ଦିନ କ୍ଷୁଧା ମେଣ୍ଟିଯାଏ ଏହାଦ୍ୱାରା, ସେମାନଙ୍କ ଦିନମାନ ତ ଖାଲି ଉପବାସରେ କଟି ପାରିବ ନାହିଁ, ହେଲେ ଏପରି କେତେ କବି ଅଛନ୍ତି, ଯେଉଁମାନେ ନିଜ ପୁରସ୍କାର ନିଜେ ଯୋଗାଡ଼ କରନ୍ତି, ନିଜ ଖୁସିରୁ ସେମାନେ ପାଉଣା ଦେଇଥାନ୍ତି, ଘର ସଦସ୍ୟମାନଙ୍କର ମୁଠାଏ ଦାନା ବି ଏଥିରେ ଯୋଗ ହୋଇ ନ ଥାଏ ।

 

ଏହା ହିଁ ସେମାନଙ୍କ ଦୈନିକ ବେତନ, ଦିନ ଶେଷର କଷ୍ଟଲବ୍‌ଧ ଭତ୍ତା; ଯାହା ଦିନପରେ ଦିନ କମି କମି ଯାଏ, ଆଉ ରହିଲା ପାରିଶ୍ରମିକ କଥା । ହେଲେ ମାସ ସରିବା ଆଗରୁ ଏହା ତ ଦାବି କରି ହେବନାହିଁ । ସେହି ଶାଶ୍ୱତ ସମ୍ମାନ, ଜଣକର ଜୀବନକାଳ ଭିତରେ ଏହା ପାଇବାକୁ ଚାହିଁବା ଆମର ପରମ୍ପରା ନୁହେଁ, ଏ ପାରିଶ୍ରମିକର ହିସାବ ସାଧାରଣତଃ ଚିତ୍ରଗୁପ୍ତଙ୍କ ଅଫିସ୍‌ରେ ହୋଇଥାଏ । ବସ୍ତୁତଃ ସେଠାରେ କୌଣସି ଭୁଲ୍ କେବେ ହୁଏ ନାହିଁ ।

 

ହେଲେ ତାହା ପୂର୍ବରୁ ଜଣକର ଜୀବଦ୍ଦଶାରେ ଯେତେବେଳେ ବ୍ୟବସ୍ଥା କରାଯାଏ, ଏହା ସନ୍ଦେହ ଘେରକୁ ଆସିଯାଏ । ବହୁତ ଜିନିଷ ମିଳିଯାଏ ଯାହା ଶେଷକୁ ରଖାଯାଇ ପାରନ୍ତା । ଅନେକ ଲୋକ ଅନ୍ୟକୁ ଠକି ଧନୀ ହୋଇଥାନ୍ତି, ଏହାର ଉଦାହରଣ ବିରଳ ନୁହେଁ । ହେଲେ ଯଶର ଏଭଳି ସୁଯୋଗ ନାହିଁ । ଏଠାରେ ‘ବୈଧ ସମୟ ସରିନାହିଁ’ର କାନୁନ୍ କାମ କରେ ନାହିଁ । ଥରେ ଜାଲିଆତି ଧରା ପଡ଼ିଗଲେ ବାଜ୍ୟାପ୍ତି ତତ୍କାଳ । ଏହା ହିଁ କାଳର କାନୁନ୍ । ଏଣୁ ଜଣେ କବି ତା’ ଜୀବନକାଳ ଭିତରେ ଯେତେ ସମ୍ମାନ ପାଏ, ତାହା ବାବଦରେ ଦୃଢ଼ ନିଶ୍ଚିତ ହେବାର ଅବକାଶ ଏଠାରେ ଆଦୌ ନାହିଁ ।

 

କେବଳ ଏତିକି ନୁହେଁ । ଯଦି ବି ଜଣକ ଜୀବଦ୍ଦଶାରେ ଗୋଟେ ରକମର ବେତନ ହାସଲ ହୋଇଗଲା, ତଥାପି ଏହା ସମ୍ପୂର୍ଣ୍ଣ ଭାବରେ କବି ହାତରେ ପଡ଼େ ନାହିଁ । କେହି ଜଣେ ଦିନରାତି କବି ଦୁଆର ମୁହଁରେ ତମ୍ବୁ ପକାଇ ବସିଥାଏ କମିଶନ ଛଡ଼େଇ ନେବାକୁ । ଯେତେବଡ଼ କବି ସେ ହେଉନା କାହିଁକି, ତାର ସମଗ୍ର ସତ୍ତା ଗୋଟିଏ କବି ନୁହେଁ, ତାକୁ ଯାବୁଡ଼ି ଧରିଥିବା ଅହଂକାର ସବୁ ଜିନିଷରୁ ନିଜର ଭାଗ ନେବାକୁ ଅହରହ ଜିଗର କରୁଥାଏ । ଏହି ଅହଂକାର ବିଶ୍ୱାସ କରେ ଯେ ସବୁ କୃତିତ୍ୱ ତା’ର, ଆଉ କବିପଣର ଯଶ ବି ତା’ରି ଭାଗରେ ପଡ଼ିବା ଉଚିତ । ସେ ତେଣୁ ଏ ସବୁକୁ ବାନ୍ଧିବୁନ୍ଧି ହେଇଯାଏ, ପୁରୋହିତ ପୂଜାପାଇଁ ଅର୍ପିତ ଭଲ ମନ୍ଦ ସବୁ ଚୋରି କରି ନେଲା ପରି । ମାତ୍ର ମୃତ୍ୟୁ ପରେ ଅହଂକାରୀ ମାନ୍ୟବ୍ୟକ୍ତିଟିର ନାମ ଗନ୍ଧ ବି ରହେ ନାହିଁ, ଆଉ ଯାହା ପ୍ରାପ୍ୟ ତାହା ଠିକ୍ ଯାଗାରେ ପହଞ୍ଚିଯାଏ ।

 

ପୃଥିବୀରେ ସବୁଠାରୁ ବଡ଼ ଚୋର ହେଉଛି ସ୍ୱାଭିମାନ; ଅହଂ, ‘ମୁଁ’ ପଣ । ସ୍ୱୟଂ ଈଶ୍ୱରଙ୍କ ଚିଜଗୁଡ଼ିକୁ ବି ନିଜର କରିନେବାକୁ ସେ ସାମାନ୍ୟ ଲଜ୍ଜାବୋଧ କରେ ନାହିଁ । ଏଇଥିଯୋଗୁ ହିଁ ପୁଙ୍ଖାନୁପୁଙ୍ଖ ଯୋଜନା କରାଯାଇଥିବା ବହୁ ପଦ୍ଧତି ନୀତିହୀନ ବ୍ୟକ୍ତିଙ୍କୁ ଦମନ କରିବାପାଇଁ ରହିଛି-। ଏଥିପାଇଁ ମନୁ କହିଛନ୍ତି; ‘ଜାଣିରଖ ଯେ ସମ୍ମାନ ବିଷତୁଲ୍ୟ, ଅପମାନ ଅମୃତ ତୁଲ୍ୟ ।’ ଯେଉଁଠାରେ ଯେତେବେଳେ ବି ସମ୍ମାନ ପ୍ରଲୋଭିତ କରାଏ, ସେତେବେଳେ ଯେତେଦୂର ସମ୍ଭବ ସମସ୍ତ ସଂପର୍କ ବର୍ଜନ କରିବା ମଙ୍ଗଳକାରକ ।’

 

ମତେ ପଚାଶବର୍ଷ ହେଲାଣି । ଏବେ ଅରଣ୍ୟର ଆହ୍ୱାନ ଆସିଛି । ବର୍ତ୍ତମାନ ହିଁ ଠିକ୍ ସମୟ ସବୁ ତ୍ୟାଗ କରିବାର । ବର୍ତ୍ତମାନ ମଥାରେ ନିଜ ସଂଗୃହିତ ସଂପତ୍ତିର ବୋଝ ମୁଣ୍ଡେଇବା ସମ୍ଭବ ନୁହେଁ । ଏଣୁ ଈଶ୍ୱର ଯଦି ମୋତେ ପଚାଶବର୍ଷରେ ବି ସମ୍ମାନର ସହ ପୁରସ୍କୃତ କରନ୍ତି, ମୋର ବୁଝିବା ଦରକାର ଯେ, ଏହା କେବଳ ମତେ ମୁକ୍ତିର ଶିକ୍ଷା ଦେବାପାଇଁ ଉଦ୍ଦିଷ୍ଟ । ଏଭଳି ସମ୍ମାନକୁ ସମ୍ପୂର୍ଣ୍ଣ ନିଜର ଭାବି ମୁଁ ଗ୍ରହଣ କରିପାରିବି ନାହିଁ । ବରଂ ମୁଣ୍ଡର ବୋଝକୁ ତଳେ ସେଇଠି ଥୋଇଦେବା ଉଚିତ ଯେଉଁଠାରେ ମୋର ମୁଣ୍ଡ ନଇଁଯାଏ । ଏଣୁ ମୁଁ ଆପଣମାନଙ୍କୁ ଏତିକି ଆସ୍ଥା ଦେଇପାରେ ଯେ ଆପଣମାନେ ଯେଉଁ ସମ୍ମାନ ମୋତେ ଦେଇଛନ୍ତି, ତାହାକୁ ମୋ ଅହଂର ସନ୍ତୁଷ୍ଟିପାଇଁ ଦ୍ରବ୍ୟ ଭଳି ବ୍ୟବହାର କରି ତାହାର ଅବମାନନା ମୁଁ କରିବି ନାହିଁ ।

 

ଆମ ଦେଶରେ ଯେହେତୁ ଦୀର୍ଘଜୀବନ ବିରଳ, ବର୍ତ୍ତମାନ ସମୟରେ ଜଣେ ପଚାଶବର୍ଷ ପହଞ୍ଚିଗଲେ ଖୁସି ମନେଇବା କଥା । ଆମ ଦେଶ ଯେଉଁଠାରେ ଲୋକେ ଯୁବାବସ୍ଥାରେ ମୃତ୍ୟୁ ଲଭନ୍ତି । ଏପରି ଗୋଟିଏ ଦେଶ ଯାହା ପରିଶତ ବୟସର ଅନୁଭୂତିର ଐଶ୍ୱର୍ଯ୍ୟରୁ ବଞ୍ଚିତ । ଯୌବନ ଏକ ଘୋଡ଼ା ଆଉ ପରିପକ୍ୱ ରଥ ଚାଳକ । ବେଳେବେଳେ ଆମେ ଘୋଡ଼ାକୁ ନିୟନ୍ତ୍ରଣରେ ରଖିବାକୁ ଚାଳକ ନ ଥାଇ ଦେଶ ରଥକୁ ଚଳାଇବାର ବିପଦ ଭୋଗିଚେ । ଗୋଟିଏ ଭୂମିଖଣ୍ଡ, ଯେଉଁଠାରେ ଲୋକେ ଅଳ୍ପାୟୁ ସେଠାରେ କେହି ପଚାଶବର୍ଷ ଟପିଗଲେ ତା ନିଜ ବାଟରେ ଖୁସି ହେବା ଉଚିତ ।

 

ହେଲେ କବିଟି ବୈଜ୍ଞାନିକ ନୁହେଁ ବା ଦାର୍ଶନିକ କିମ୍ବା ଐତିହାସିକ ବା ରାଜନୀତିଜ୍ଞ ନୁହେଁ । କବିତା ମଣିଷର ପ୍ରଥମ ଅଭିବ୍ୟକ୍ତିର ପହିଲି ଐଶ୍ୱର୍ଯ୍ୟମୟ ସକାଳ । ଯେତେବେଳେ ଆଶା ରହିଥାଏ ନିରୋଳା ରହସ୍ୟରେ ପୂର୍ଣ୍ଣ; କେବଳ ସେତିକିବେଳେ କବିତାର ସଂଗୀତ ଚିରନୂତନ ସୁରରେ ଉପରକୁ ଉଠିଆସେ । ତଥାପି ରହସ୍ୟର ଅପରୂପକାନ୍ତି କୌଣସି ପ୍ରକାରେ କେବଳ ସକାଳର ନୁହେଁ; ଜୀବନ ପୂର୍ଣ୍ଣ ହେବାର ସାୟଂକାଳରେ ବି ଅମର ଜୀବନର ନିରୋଳା ରହସ୍ୟର ସମ୍ମୁଜ୍ଜ୍ୱଳ ଆଭାସ ଏହାର ଅଧିକ ଗଭୀର ସୌନ୍ଦର୍ଯ୍ୟକୁ ଉଦ୍‌ଘୋଷିତ କରେ । ହେଲେ ସେହି ରହସ୍ୟର ନମ୍ର ଗାମ୍ଭୀର୍ଯ୍ୟ ସଂଗୀତର ପ୍ରାଚୁର୍ଯ୍ୟକୁ ନୀରବ କରାଇଦିଏ, ତେଣୁ ମୁଁ ପଚାରେ, କବିର ବୟସର ମୂଲ୍ୟ କ’ଣ ?

 

ସେତେବେଳେ, ମୋ ପରିଣତ ବୟସର ଆରମ୍ଭରେ ଯେଉଁ ପ୍ରଶଂସା ମୁଁ ପାଇଥିଲି, ହୁଏତ ମୋ ପରିପକ୍ୱତା ପ୍ରତି ଉପଯୁକ୍ତ ଏକ ସମ୍ମାନରୂପେ ବିବେଚିତ ହେବନାହିଁ । ଏ ବୟସରେ ବି ଆପଣମାନେ ମତେ ଜଣେ ଯୁବକର ପ୍ରାପ୍ୟ ଦେଇଛନ୍ତି । ସତ କହିବାକୁ ଗଲେ, ଏହା ହିଁ ଗୋଟେ କବିର ପ୍ରକୃତ ସମ୍ମାନ । ଏହା ସମ୍ମାନ ନୁହେଁ ବା ନୁହେଁ ଭକ୍ତି, ଏହା ହୃଦୟର ଶ୍ରଦ୍ଧା । ଆମେ ଜଣକୁ ଭକ୍ତି ଜଣାଉ ତାର ମହାନତାର ମାନ ଅନୁସାରେ, ହେଲେ ଶ୍ରଦ୍ଧା ଦରକାର କରେ ନାହିଁ ମାପ ପ୍ରକ୍ରିୟାର ନିୟମ । ପ୍ରେମ ଯେତେବେଳେ ଆରମ୍ଭ କରେ ଏହାର ଶ୍ରଦ୍ଧାଞ୍ଜଳି, ଏହା ନିଜକୁ ପୂର୍ଣ୍ଣ ରୂପରେ ଦେଇଦିଏ ।

 

ବୌଦ୍ଧିକ ଶକ୍ତିବଳରେ ଏହାକୁ ପାଇ ହୁଏ ନାହିଁ, କିମ୍ବା ଜ୍ଞାନର ଓଜନରେ, ବା ଈଶ୍ୱର ଭକ୍ତିର ଶ୍ରେଷ୍ଠତାରେ, ହେଲେ ବହୁବର୍ଷର ବଂଶୀବାଦନ ପରେ ଯଦି ତୁମ ହୃଦୟକୁ ମୋର ଗୋଟିଏମାତ୍ର ସ୍ୱରରେ ନିଜର କରି ନେଇଛି; ତାହେଲେ ମୁଁ ତ ଅତିମାତ୍ରରେ ଧନଶାଳୀ, ଆଉ ତତ୍‌କ୍ଷଣାତ୍ ସେହି ପ୍ରେମକୁ ମୁଁ ଗ୍ରହଣ କରିନେବି । ପ୍ରେମରେ ନିଜକୁ ସମର୍ପିତ କରିଦେବାରେ ଯେପରି କୌଣସି ହିସାବ କରାଯାଏ ନାହିଁ, ସେହିପରି ଜଣେ ଯିଏ ଏହା ପାଇବାରେ ଅତି ଭାଗ୍ୟବାନ ସେ ତାର ନିଜର ମୂଲ୍ୟର ହିସାବ କରିବାରେ ଭୟ କରିବା ଦରକାର ନାହିଁ । ସେହି ଲୋକଟି ପ୍ରକୃତ ଶକ୍ତିଶାଳୀ ଯିଏ ପ୍ରେମର ଉପହାର ଦେଇପାରେ; ଯିଏ ଏହା ପାଏ ସେ କେବଳ ଭାଗ୍ୟବାନ ।

 

ଆଜି ମୁଁ ବିଶେଷ ଭାବରେ ଅନୁଭବ କରୁଛି ପ୍ରେମ କେତେ ବଡ଼ ଗୋଟେ ଶକ୍ତି । ଯାହା ମୁଁ ପାଇଛି ତାହା କୌଣସି ମତେ ତୁଚ୍ଛ ବା ଗୁରତ୍ୱହୀନ ନୁହେଁ । ଗୋଟେ ଚାକରକୁ ଆମେ ଯେଉଁ ଦରମା ଦିଏ ତାହା ଅତି କମ, ଆଉ ଚାଟୁକଥା କହି ତାର ଯେଉଁ ବିରାଟ ମୂଲ୍ୟ ଆମେ ସ୍ଥିର କରିଦେଉ, ତାହା ଗୋଟେ ନୀଚକାମ । ସେହି ଘୃଣ୍ୟ ଉପହାରପାଇଁ ମୁଁ କେବେ ପ୍ରାର୍ଥନା କରିନାହିଁ କିମ୍ବା ତୁମେ ତାହା ଦେଇନାହଁ । ଏହା ପ୍ରେମର ଏକ ଉପହାର ଯାହା ମୁଁ ପାଇଛି । ଏହି ପ୍ରେମର ଗୋଟେ ମହାନ ମୌଳିକ ଗୁଣ ଅଛି । ଗୋଟେ ବସ୍ତୁ ଯାହାପାଇଁ ଆମେ ପଇସା ଦେଉ ସେଥିରେ ଗୋଟିଏ ବି ତ୍ରୁଟି ଆମର ସହ୍ୟ ହୁଏ ନାହିଁ; ଯଦି କେଉଁଠି ଗୋଟେ ଛିଦ୍ର ବା ଦାଗ କେଉଁଠି ଥାଏ ଆମେ ପଇସା ଫେରସ୍ତ ପାଇବାକୁ ଦାବି କରୁଁ । ଯେତେବେଳେ ଆମେ ଶ୍ରମର ମୂଲ୍ୟ ଦେଉ ତ ତ୍ରୁଟିଯୁକ୍ତ କାମପାଇଁ ଜୋରିମାନା ମଧ୍ୟ ଲଗାଉ । ହେଲେ ପ୍ରେମ ବହୁତ ଦାଉ ସହିପାରେ, ବାରବାର କ୍ଷମା କରିପାରେ; ନିଜେ ଆଘାତ ପାଇ ନିଜର ବଡ଼ପଣ ପ୍ରକାଶିତ କରେ ।

 

ଆଜିକୁ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱକାଳ ମୁଁ ସାହିତ୍ୟ ସୃଷ୍ଟିରେ ନିଜକୁ ନିୟୋଜିତ କରିଛି, ଆଉ ନିଃସନ୍ଦେହରେ ଅନେକ ଗୁରୁତର ଭୁଲ କରିଛି ପୁଣି ବାରମ୍ବାର ଅପମାନଜନକ କାମ କରିଛି । ଏଇ ଯେଉଁ ମାଳା, ଯାହା ଦେଇ ଆପଣ ମୋତେ ସମ୍ବର୍ଦ୍ଧିତ କରିଛନ୍ତି, ତାହା ମୋର ସମସ୍ତ ଅସଂପୂର୍ଣ୍ଣତାକୁ ଉପେକ୍ଷା କରି ଦେଇଛି, ମୋର ସମସ୍ତ ଆଘାତ ଦେବାଭଳି ଶବ୍ଦ ଆଉ ଗାଳିପୂର୍ଣ୍ଣ ସମାଲୋଚନାକୁ ବି । ଏହା ଆଉ କିଛି ହୋଇପାରିବ ନାହିଁ ପ୍ରେମର ଏକ ମାଳା ବ୍ୟତୀତ । ଏହି ଦେବାରେ ହିଁ ଆପଣମାନଙ୍କର ପ୍ରକୃତ ମହାନତା ନିହିତ, ଆଉ ଏହା ମୋତେ ମଧ୍ୟ ବିଖ୍ୟାତ କରାଏ ।

 

ପ୍ରକୃତିର ଚୟନ ପ୍ରକ୍ରିୟା ଯେଉଁଠାରେ ବଳିଷ୍ଠ, ସେଠାରେ ବେଶ ପ୍ରାକୃତିକ ପ୍ରାଚୁର୍ଯ୍ୟ ରହିବାକୁ ବାଧ୍ୟ । ଯେଉଁଠାରେ ଅତିବେଶୀ ଜନ୍ମନିଏ ସେଠାରେ ସବୁଠାରୁ ବେଶୀ ମରିଯାଏ, ଅଳ୍ପ କିଛି ରହିଯାଏ । ଗୋଟେ ଯାନ୍ତ୍ରିକ ବାଟରେ ଯେଉଁ କବିମାନେ ଉଚ୍ଚକୋଟୀର ଦକ୍ଷତା ହାସଲ କରିଥାନ୍ତି, କଳାକାରବୃନ୍ଦ ସର୍ଜନା କରନ୍ତି ମାନସିକ ମନୋନୟନ ନିର୍ଦ୍ଦେଶରେ, ସେମାନେ ପ୍ରାକୃତିକ ଚୟନକୁ କ୍ଷଣକପାଇଁ ବି ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ନାହିଁ । ଯାହାବି ସେମାନେ ବ୍ୟକ୍ତ କରନ୍ତି ସେସବୁ ଅତ୍ୟଧିକ ଅର୍ଥରେ ଭରା ହୋଇଥାଏ କେବଳ ।

 

ମୁଁ ଏହା ଜାଣେ ଯେ ମୋ କାମର ବହୁତ ଗୋଟେ ବଡ଼ ଅଂଶ ଏପରି ଅଛି ଯାହା ନଜର ପଡ଼ିଲା ଭଳି ବିଫଳତାରେ ଭରା, ଅମରତ୍ୱର ଡଙ୍ଗାରେ ବହୁତ କମ ଯାଗା ଥାଏ,ଏଣୁ ଯେତେ ମୋ ବୋଝ ମୁଁ କମେଇ ପାରିବି, ବିଲୁପ୍ତିର ନଦୀ ପାର୍ ହୋଇଯିବାର ସୁଯୋଗ ସେତେ ଅଧିକ ପାଇବି-। ଏକଥା ଆଦୌ ସତ୍ୟନୁହେଁ ଯେ ଅନନ୍ତକାଳକୁ ଯେତେ ଅଧିକ ଆମେ ଦେବା, ସେତେ ଅଧିକ ସେ ଗ୍ରହଣ କରିନେବ । ମୋ ବୋଝ ବହୁତ ଭାରି ହୋଇଗଲାଣି, ଆଉ ତାହା ଯଥେଷ୍ଟ ସୂଚନା ଦିଏ ଯେ ଏଥିରୁ ବଡ଼ ଭାଗଟିରେ ବହୁ ଆଗରୁ ମୃତ୍ୟୁର ମୋହର ଲାଗି ସରିଲାଣି-। ଅବିନଶ୍ୱରତାର ସାରଥୀ ନିଜକୁ ସୁବର୍ଣ୍ଣ ମୁକୁଟ, ହୀରକ ମାଳା ଆଉ ରତ୍ନଖଚିତ ଅସ୍ତ୍ରରେ ସଜେଇଥାଏ; ସେ ତା’ ମୁଣ୍ଡରେ ଅଖାଟିଏ ବୋହି ନ ଥାଏ ।

 

ହେଲେ ଗୋଟେ କୁଶଳୀ କାରିଗରର ସାମାନ୍ୟ ମୋଡ଼ାମୋଡ଼ି ଅଥଚ ଦାମୀ ଅଳଙ୍କାର ଭୂଷଣ ଗଢ଼ିବାରେ ମୁଁ ସବୁବେଳେ ଅସମର୍ଥ ରହି ଆସିଛି । ମୋ ବାଟରେ ଯାହା ଆସିଛି ସେଇଥିରେ ମୋ ବସ୍ତା ମୁଁ ବାନ୍ଧିଛି । ଏହା ମୂଲ୍ୟ ଯାହା ଓଜନ ତାଠାରୁ ବେଶୀ । ନଷ୍ଟ କରିବା ଯେମିତି ଜୀବନର ଗୋଟେ ସତ୍ୟ, ଠିକ୍ ସେହିପରି ଅତ୍ୟଧିକ ସଂଚୟ ଗୋଟେ ବିରକ୍ତିର ଉତ୍ସ । ସାହିତ୍ୟର ଏହି ଦୁର୍ବଳତା ସହିତ ମୁଁ ବେଶ୍ ଅଭ୍ୟସ୍ତ । କଷ୍ଟମ୍‌ସ ଅଫିସ ଯେଉଁଠାରେ ସବୁ ଜିନିଷ ଯାଞ୍ଚ ହୁଏ ସେଠାରୁ ମୋ ସମସ୍ତ ଜିନିଷ କେବେ ଆଗକୁ ଯିବ ନାହିଁ, ଯାଇ ପାରିବ ନାହିଁ । ହେଲେ ହଜିଯିବାର ଭୟକୁ ନେଇ ମୁଁ ଅଭିଯୋଗ କରିବାକୁ ଚାହେଁ ନାହିଁ । ସେଠାରେ ଗୋଟିଏ ପଟେ ଅଛି ଅନନ୍ତକାଳ, ଅପର ପାର୍ଶ୍ୱରେ ତତ୍କାଳ । ଯାହା ମୁଁ ଯୋଗାଇ ଦେଇଛି ସେସବୁ ସମକାଳୀନ ଆବଶ୍ୟକତାକୁ ପୂରଣ କରିବାପାଇଁ, ଏହାର ସମାରୋହପାଇଁ, ଏପରିକି ଏହାର ଅନାବଶ୍ୟକ ନୈତିକ ଅବକ୍ଷୟପାଇଁ; ମୁଁ ଜାଣେ ଏହା ଅଳ୍ପକ୍ଷଣ ସ୍ଥାୟୀ, ତଥାପି ଏହାକୁ ସମ୍ପୂର୍ଣ୍ଣ ନିଷ୍ଫଳ କୁହାଯାଇପାରିବ ନାହିଁ । ଏହାର ଅନ୍ତତଃ ଗୋଟିଏ ପରିଣତି ମୁଁ ଦେଖୁଛି ଯେ, କେବଳ ବିପୁଳତାଦ୍ୱାରା ମୋର କବିତା ରଚନା ଉଦ୍ୟମ କେତେକାଂଶରେ ବର୍ତ୍ତମାନ ସମୟର ହୃଦୟ ଅଧିକାର କରିପାରିଛି, ଆଉ ମୋର ସନ୍ଦେହ ନାହିଁ ଯେ ଆଜି ମୋ ପାଠକମାନଙ୍କଠାରୁ ଯେଉଁ ଶ୍ରଦ୍ଧା, ସଦ୍‌ଭାବନା ମୁଁ ପାଇଛି ତାହା ଅନେକ ପରିମାଣରେ ଏହି ବିପୁଳତାର ପ୍ରତିଦାନ ।

 

ହେଲେ ମୋ ଉପହାରମାନ ଯେପରି କ୍ଷଣସ୍ଥାୟୀ ସେହିପରି ଏହାର ପ୍ରତିଦାନ ବି ଚିରସ୍ଥାୟୀ ନୁହେଁ । ଯେଉଁ ପୁଷ୍ପଗୁଡ଼ିକୁ ମୁଁ ପ୍ରସ୍ଫୁଟିତ କରାଇଛି, ସେଥିରୁ ଅନେକ ଝଡ଼ିଯିବ, ସେହିପରି ଯେଉଁ ମାଳା ଆପଣମାନେ ଦେଇଛନ୍ତି ତାହା ସମ୍ଭବତଃ ମଉଳିଯିବ । ଜଣେ କବି ନିଜ ଜୀବଦ୍ଦଶାରେ ଯାହା ପାଏ ପ୍ରକୃତରେ ସେ ସବୁ ବର୍ତ୍ତମାନ ସହିତ ଗୋଟେ ପ୍ରକାର ହିସାବ-ନିକାଶ, ଏକଥା ମୁଁ ନିଜକୁ ଭୁଲିବାକୁ ଦେଇପାରିବି ନାହିଁ ଯେ ଆଜିର ଆବଶ୍ୟକତାର ସ୍ୱତନ୍ତ୍ର ଘଟଣା ଭିତରେ ମୋର ସମୟ ସହିତ ଲାଭକ୍ଷତିର ହିସାବ ନିକାଶ ବି ଯୋଡ଼ା ।

 

ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ବର୍ତ୍ତମାନ ସହିତ ଏହି ଦେଣ-ନେଣ ଭିତରେ ଅନେକ ଅବହେଳା, ଦୋଷତ୍ରୁଟି ସମ୍ଭବ ହୋଇଛି । ଅସଫଳତାର ଗୋଟେ ବଡ଼ ବୋଝର ଭାର ନିଜ ଉପରେ ଆମେ ନିଜେ ଲଦି ଦେଇପାରେ, ଯେତିକି ଚିନ୍ତାକରେ ତା’ଠାରୁ ବେଶୀ କହିପାରେ, ପ୍ରକୃତ ମୂଲ୍ୟଦ୍ୱାରା ଯେତିକି ନୁହେଁ ପରମ୍ପରା ଦୃଷ୍ଟିରୁ ଅଧିକ ଅଭିନିବେଶ ଦାବି କରାଯାଏ, ଅନୁକରଣ ଟପିଯାଏ ବାସ୍ତବ ଅନୁଭବକୁ । ଏ କଥା ନିଶ୍ଚୟ ମୁଁ ମାନିବି ଯେ ସାହିତ୍ୟ ଜଗତରେ ମୋର ଦୀର୍ଘକାଳର ବୃତ୍ତିଗତ ଜୀବନର କ୍ରମ ଭିତରେ, ମୋ ଜାଣତରେ ବା ଅଜାଣତରେ ଏହି ସବୁ ତ୍ରୁଟି ଘଟିଛି ଓ ଅଧିକରୁ ଅଧିକ ଜମା ହୋଇଚାଲିଛି ।

 

ନିଜ ତରଫରୁ ଗୋଟିଏ କଥା କହିବାକୁ ଉଚିତ ମନେକରୁଛି, ତାହା ହେଉଛି ଏୟା ଯେ ମୁଁ ସାହିତ୍ୟକୁ କେବଳ ସେହିପରି ସଂରଚନା ଦେଇଛି ଯାହାକୁ ମୁଁ ଏହାର ଯୋଗ୍ୟ ଭାବିଛି । ଜନପ୍ରିୟ ଦାବିକୁ ଇନ୍ଧନ ଯୋଗାଇବାର ପ୍ରୟାସ ମୁଁ କରିନାହିଁ । ଲୋକପ୍ରିୟ ରୁଚିର ଦାବି ସହିତ ମୋ ରଚନାକୁ ଖାପ ଖୁଆଇବା ବଦଳରେ ଏହାକୁ ମୋ ନିଜ ରୁଚି ଅନୁଯାୟୀ ଆକାର ଦେଇଛି ଓ ସାହିତ୍ୟର ବିଚାରାଳାୟରେ ଉପସ୍ଥାପିତ କରିଛି । ଏପରି କରିବା ଅର୍ଥ ସେହି ବିଚାରାଳାୟକୁ ତାର ଯଥାର୍ଥ ସମ୍ମାନ ଦେବା । ଏହି ଚିନ୍ତାଧାରା ଆଉ ଯାହାକିଛି ଦେଇପାରେ, ହେଲେ ନିଶ୍ଚିତ ଭାବରେ ବନ୍ଦ ନ ହେଉଥିବା କରତାଳି ଆଣେ ନାହିଁ, ଆଉ ମୋ କ୍ଷେତ୍ରରେ ବି ଭିନ୍ନ କିଛି ଘଟିନାହିଁ । ମୋ ଜୀବନର ବିଳମ୍ବିତ ପ୍ରହରରେ ସେହି ସ୍ପର୍ଶ, ଯାହା ମୋ ଯଶର ଅଗ୍ରଗତିକୁ ମଧୁର କରାଏ, ତାହା ମୋ’ପାଇଁ ଗୋଟେ ନବ ଅନୁଭବ । କବିତା ଆରମ୍ଭ କଲାବେଳେ ଯେଉଁ ଗଠନ ଶୈଳୀ ଓ ପଦବିନ୍ୟାସ ମୁଁ ବ୍ୟବହାର କରୁଥିଲି ସେମାନଙ୍କ ସମୟରେ ସେଗୁଡ଼ିକ ଆଦୃତ ହୋଇପାରି ନଥିଲେ, ଏ କଥା ବି କହିପାରିବି ନାହିଁ ଯେ ଆଜି ସେସବୁ ଆଦରର ଯୋଗ୍ୟ । କେବଳ ଏତିକି କହିବାର କଥା: ଯାହା ମୋର ଏକାନ୍ତ ନିଜର ଥିଲା ଅନ୍ୟମାନଙ୍କୁ ସେସବୁ ମୁଁ ଦେଇ ଦେଇଥିଲି, କେବେ ସହଜସାଧନର ଉପାୟ ଅବଲମ୍ବନ କରି ନଥିଲି । ଅଧିକାଂଶ ବେଳେ ତୁମେ ପ୍ରତାରଣାଦ୍ୱାରା ଖୁସି କରାଇ ଦେଇପାର, ହେଲେ ସେଇ ନିର୍ଦ୍ଦିଷ୍ଟ ଖୁସି ତା ସୁଯୋଗ ବେଳେ ତୁମକୁ ପ୍ରତାରିତ କରିଦେବ, କିଛି ସମୟ ବାଦ । ସେହି ଶସ୍ତା ଖୁସିଆଡ଼କୁ ମୋ ଲୋଭିଲା ଆଖି ଥରେ ହେଲେ ମୁଁ ବୁଲାଇ ନାହିଁ ।

 

ଏହାବ୍ୟତୀତ, ମୋ ରଚନାରେ ଅନେକ ସମୟରେ କେତେ କଟୁମନ୍ତବ୍ୟ ଦେଇଛି, ଆଉ ତତ୍‌କ୍ଷଣାତ୍ ଏଭଳି ମନ୍ଦକର୍ମର ଫଳ ମୋତେ ସହିବାକୁ ହୋଇଛି । ଜଣେ ନିଜର ପ୍ରକୃତି ବିକାଶ ନିଜ ଶକ୍ତିରେ କରିପାରେ ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ ଶାଶ୍ୱତ ହିତକାରୀ ବସ୍ତୁ କେବେ ବି ଭିକ୍ଷା ଓ ବିନୀତ ପ୍ରାର୍ଥନାଦ୍ୱାରା ଆସେ ନାହିଁ । ତିକ୍ତତମ ଭର୍ତ୍ସନାର ମୁହାଁମୁହିଁ ନ ହୋଇଥିଲେ ପ୍ରାଚୀନ ତଥା ନୂତନତ୍ୱ ବିହୀନ ମନ୍ତବ୍ୟ ଦେବାକୁ ସମର୍ଥ ହୁଅନ୍ତି ନାହିଁ । ଏଭଳି ବାରମ୍ବାର ମୋ ସାଥିରେ ଘଟିଛି । ହେଲେ, ଯାହାକୁ ମୁଁ ସତ୍ୟବୋଲି ଜାଣେ, ତାହାକୁ ହାଟ ବଜାରରେ ବିକ୍ରି କରି ଜନପ୍ରିୟତା ହାସଲ କରିବାକୁ କେବେ ଚେଷ୍ଟା କରିନାହିଁ । ମୋ ଦେଶକୁ ମୁଁ ହୃଦୟଦେଇ ସମ୍ମାନ କରେ; ମୋ ଲୋକଙ୍କ ଭିତରେ ଯାହା ସବୁଠାରୁ ଉତ୍କର୍ଷ, ଉଜ୍ଜ୍ୱଳ, ନିର୍ମଳ ଅଛି, ତା ସହିତ ତୁଳନା କଲାଭଳି କିଛି କେବେ କେଉଁଠାରେ ଦେଖିନାହିଁ । ଏହି କାରଣରୁ ଯେତେବେଳେ କଷ୍ଟକର ସମୟର ଧୂଳି ଓ ଆବର୍ଜନା ଆମ ଅବିରତ ଉଦ୍ୟମର ଐଶ୍ୱର୍ଯ୍ୟକୁ ଯଦି ଅବରୋଧ କରିଛି, ସେତେବେଳେ ଘଟଣାବଳୀ ପ୍ରତି ମୁଁ ଆଦୌ କୌଣସି ଅନୁକମ୍ପା ଦେଖାଇ ନାହିଁ, ଆଉ ଏଇଥିଯୋଗୁ ମୋ ପାଠକ ଓ ଦର୍ଶକମାନଙ୍କଠାରୁ ମୁଁ ସ୍ପଷ୍ଟଭାବରେ ବାରମ୍ବାର ଭିନ୍ନମତ ପୋଷଣ କରିଅଛି । ମୁଁ ଜାଣେ ଏ ମତଭେଦ ବହୁତ ଶକ୍ତିଶାଳୀ ଆଉ ଏହାର ପ୍ରଭାବ ଭୟାନକ; ଏଇଭଳି ଅସଂଗତି ଭିତରେ ଆମେ ଗୋଟେ ଶତ୍ରୁକୁ କଳ୍ପନା କରୁ ଗୋଟେ ସଖା ରୂପରେ ଆଉ ଗୋଟେ ରକ୍ତସଂପର୍କୀୟକୁ ଭାବୁ ଗୋଟେ ଅଜଣା ଲୋକ । ହେଲେ ମୁଁ ନିଜେ ଏଭଳି ହୀନ ଉଦ୍ୟମର ପ୍ରଭାବ ଭୋଗିଛି । ମୁଁ ଧୂର୍ତ୍ତ ହେବାକୁ ଚେଷ୍ଟାକରିନାହିଁ ଆଉ ଅପ୍ରୀତିକର ସ୍ଥିତିକୁ ବର୍ଜନ କରିପାରିନାହିଁ ।

 

ସେଥିପାଇଁ ଆଜି ଆପଣମାନଙ୍କଠାରୁ ଯେଉଁ ଅସାଧାରଣ ସ୍ୱୀକୃତି ମୁଁ ପାଇଛି ତାହାକୁ ନମ୍ରତାର ସହ ମୁଣ୍ଡପାତି ମାନି ନେଉଛି, ଏହା କୌଣସି ଶସ୍ତା ତୋଷାମଦି ନୁହେଁ, ଏହା ପ୍ରେମର ଏକ ଉପହାର । ଏହା କେବଳ ପାଇବା ଲୋକକୁ ସମ୍ମାନିତ କରେ ନାହିଁ ଦାତାକୁ ମଧ୍ୟ କରେ । ଗୋଟେ ସମାଜରେ ଯେଉଁଠି ଜଣେ ବ୍ୟକ୍ତି ତାର ବାସ୍ତବ ଆଦର୍ଶର ଆପୋଷ ସମାଧାନ ବିନା ବା ତାର ନିଜସବ ମତାଦର୍ଶକୁ ଏପଟ ସେପଟ ନ କରି ସମ୍ମାନିତ ହୋଇପାରେ, ପ୍ରକୃତ ଅର୍ଥରେ ତାହା ଏପରି ଏକ ସମାଜ ଯାହା ସମ୍ମାନ ଦାବି କରେ । ଯେଉଁଠାରେ ଲୋକେ ପ୍ରଶଂସା ପାଇବାକୁ ସେମାନଙ୍କ ସତ୍ୟର ସଉଦା କରିଥାନ୍ତି, ସେଠାରେ ପ୍ରଶଂସା ସ୍ୱୟଂ ପ୍ରଶଂସାର ଯୋଗ୍ୟ ନୁହେଁ । ଯେଉଁଠାରେ ସ୍ତୁତି ଓ ସମ୍ମାନ ବଣ୍ଟାଯାଏ ବାଛି ବାଛି ସେଇ ଅନୁସାରେ ଯେ ସେ ନିଜ ଦଳର କି ନୁହେଁ, ସେଠାରେ ସମ୍ମାନ ସ୍ୱୟଂ ଘୃଣାରବସ୍ତୁ ହୋଇଯାଏ । ଯଦି ଲୋକେ ବିରକ୍ତ ହୋଇ ତୁମ ଉପରକୁ ଧୂଳି ଫିଙ୍ଗନ୍ତି, ଏଭଳି ଏକ ପୃଥିବୀରେ ଧୂଳି ହିଁ ତୁମର ବାସ୍ତବ ଭୂଷଣ, ତାଙ୍କ କ୍ରୋଧାନ୍ୱିତ ଭର୍ତ୍ସନା ହିଁ ତୁମର ପ୍ରକୃତ ସମ୍ବର୍ଦ୍ଧନା ।

 

ଯେଉଁଠାରେ ସମ୍ମାନ ମହତ, ଯେଉଁଠାରେ ଏହାସତ୍ୟ, ପ୍ରାଣ ଆପେ ଆପେ ସେଠାରେ ନମ୍ରହୋଇ ନଇଁପଡ଼େ । ଏଣୁ ଆପଣମାନଙ୍କଠାରୁ ଆଦି ବିଦାୟନେବା ପୂର୍ବରୁ ମୁଁ କହିବାକୁ ଚାହେଁ ଯେ ଏହି ସମ୍ମାନର ଉପହାର ମୁଁ ମୁଣ୍ଡରେ ମୁଣ୍ଡେଇ ଧରିବି ଆଉ ମୋ ଦେଶର ଆଶୀର୍ବାଦ ମନେକରି ଏ ଐଶ୍ୱର୍ଯ୍ୟକୁ ସାଇତି ରଖିବି । ଏହା ପବିତ୍ରତମ ବସ୍ତୁ । ମୋର ନିଜର ତୃପ୍ତିପାଇଁ ଉଦ୍ଦିଷ୍ଟ ଏକ ପଦାର୍ଥ ନୁହେଁ । ଏହା ମୋ ଅନ୍ତରାତ୍ମାକୁ ସ୍ୱଚ୍ଛ କରିବ ଆଉ ମୋ ଅହଂକାରକୁ ଉଦ୍ଦୀପ୍ତ କରିବ ନାହିଁ ।

 

ଫାଲଗୁନ- ୧୩୧୮/ ଫେବୃଆରୀ ମାର୍ଚ୍ଚ- ୧୯୧୨

Image

 

ତିନି

 

‘ମୋ ଧର୍ମ’ କହିଲେ ପ୍ରତ୍ୟେକ ଲୋକର ବିଶେଷ ଭାବରେ କିଛି କହିବାକୁ ଥାଏ, ହେଲେ ଏହା ବାବଦରେ ତାର କୌଣସି ସ୍ପଷ୍ଟ ଧାରଣା ନଥାଏ । ସେ ଏତିକି ଜାଣେ; ମୁଁ ଗୋଟେ ଖ୍ରୀଷ୍ଟିଆନ, ମୁଁ ଗୋଟେ ମୁସଲମାନ, ବୈଷ୍ଣବ, ଗୋଟେ ଶାକ୍ତ ଇତ୍ୟାଦି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟେ ପ୍ରତିଷ୍ଠିତ ସ୍ଥାୟୀଧର୍ମର ଅନ୍ତର୍ଭୁକ୍ତ ବୋଲି ନିଶ୍ଚିତ ହୋଇଥିଲେ ବି ତାର ଧାରଣା ତଥାପି ଭୁଲ ହୋଇଥାଇ ପାରେ । ଗୋଟିଏ ନାମର ଏଇ ଆନୁମାନିକ ଧାରଣା ହିଁ ସ୍ୱୟଂ ଏପରି ଗୋଟିଏ ପରଦା ତାର ବିଚାର ଉପରେ ଟାଣିଦିଏ ଯେ ଭିତରର ଧର୍ମଟି ଦୃଷ୍ଟିର ଅନ୍ତରାଳକୁ ଚାଲିଯାଏ ।

 

କେଉଁଟି ତାର ଧର୍ମ ? ସେଇଟି ଯାହା ତା’ର ହୃଦୟତଳେ ଲୁଚି ରହି ଅନବରତ ତାକୁ ନିର୍ମାଣ କରିଚାଲିଛି । ଗୋଟେ ଅନ୍ତର୍ନିହିତ ଧର୍ମ ଆଉ ଜୀବନର ପ୍ରବୃତ୍ତି ହିଁ ଗଢ଼ିଥାଏ ସେହି ସବୁ ଯାହା ପଶୁସୁଲଭ ଓ ଜୀବନ୍ତରୂପେ ଆମେ ଦେଖେ । ପଶୁଭିତରେ ଧର୍ମର କୌଣସି ବିଚାରବୋଧ ରହିବାର ଆବଶ୍ୟକତା ନାହିଁ । ମଣିଷର ସତ୍ତା ଅଲଗା ପ୍ରକାରର, ଶାରୀରିକ ସତ୍ତାଠାରୁ ବୃହତ୍ତର; ଏହା ତାର ମାନବିକତା, ମଣିଷ ଭିତରେ ଯେଉଁ ସୃଜନୀଶକ୍ତି ରହିଛି ତାହା ତାର ଧର୍ମ । ସେଥିପାଇଁ ଆମ ଭାଷାରେ ‘ଧର୍ମ’ ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ । ଜଳର ଜଳୀୟ ଗୁଣ ହିଁ ଜଳର ଧର୍ମ, ଅଗ୍ନିର ଅଗ୍ନିପଣ ଏହାର ଧର୍ମ, ସେହିପରି ମାନବର ଗଭୀରତମ ସତ୍ୟ ହିଁ ତାର ଧର୍ମ ।
 

ପ୍ରତିଟି ମଣିଷ ଭିତରେ ସତ୍ୟ ଏକ ବିଶ୍ୱିକ ଆକାର ନେଇ ରହିଛି ଆଉ ସେହି ଏକ ସମୟରେ ବୈୟକ୍ତିକ ରୂପରେ ବି ଅଛି । ତାହା ତାର ବ୍ୟକ୍ତିଗତ ଧର୍ମଧାରଣା, ଆଉ ତାହାରି ଭିତରେ ସେ ପୃଥିବୀର ବିବିଧତାକୁ ସାଇତି ରଖେ । ଏହି ବିବିଧତା ସୃଷ୍ଟିର ଏକ ଅମୂଲ୍ୟ ଉପାଦାନ । ଏଥିପାଇଁ ଏହାକୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିଦେବାର ଶକ୍ତି ଆମର ନାହିଁ । ତେବେ ‘ସମାନତା’ର ଶୃଙ୍ଖଳା ଯେତେ ଅନୁସରଣ କଲେ ବି, ମୁଁ କଦାପି ମୋ ଆକୃତି ଆଉ ଅନ୍ୟମାନଙ୍କ ଆକୃତି ଭିତରେ ଥିବା ପାର୍ଥକ୍ୟକୁ ଲୋପ କରି ପାରିବି ନାହିଁ । ଠିକ୍ ସେହିପରି ଗୋଷ୍ଠୀଗତ ପରିଚୟ ପତ୍ରର ଅନୁମାନ ଲଗାଇ ମୋ ଗୋଷ୍ଠୀର ସାମୂହିକ ଧର୍ମ ହିଁ ମୋ ଧର୍ମ ବୋଲି ଯେତେ ଭାବିଲେ ବି, ମୋ ନିଜର ଧାର୍ମିକ ଆତ୍ମାଟି ତଥାପି ଜାଣେ ଯେ ମୋ ବ୍ୟକ୍ତିଗତ ଧର୍ମର ଏକ ନିଶ୍ଚିତ ବୈଶିଷ୍ଟ୍ୟ ମୋ ମାନବତାର ମୂଳରେ ରହିଛି । ସେହି ବୈଶିଷ୍ଟ୍ୟ ହେଉଛି ଆତ୍ମାର ସ୍ୱତନ୍ତ୍ର ଆନନ୍ଦ ଯାହା ଭିତର-ବାହାରକୁ ଦେଖିପାରେ ।

 

ହେଲେ ଯାହା ମୁଁ ଆଗରୁ କହିଥିଲି, ବାହାରୁ ଯାହା ସହଜରେ ଦେଖାଯାଏ, ତାହା ମୋର ନୈର୍ବ୍ୟକ୍ତିକ ଧର୍ମ । ସେହି ସାଧାରଣ ପରିଚୟ ସମାଜ ଭିତରେ ମୋର ଧାର୍ମିକ ପରିଚୟ । ଏହା ମୋ ମୁଣ୍ଡର ଗୋଟେ ପଗଡ଼ି ପରି । ହେଲେ ମୁଣ୍ଡ ଭିତରେ ଯେଉଁ ମଗଜ ଅଛି, ତାହା ବାହାରକୁ ଦେଖାଯାଏ ନାହିଁ, ଏହା ଏପରି ଗୋଟେ ପରିଚୟ ଯାହା ମୋର ଧାର୍ମିକ ଆତ୍ମା ଆଗରେ ପ୍ରକାଶିତ ହୁଏ ।

 

ହଠାତ୍ କେହି ଯଦି ବାହାରୁ ଆସି କହେ ଯେ, ମସ୍ତିଷ୍କଟି ଏହାର ଜୀବନ୍ତ, ରହସ୍ୟମୟ ଖେଳଣା ଭିତରୁ ବାହାରି ଆସିଛି; ଆଉ ପାଦେ ଆଗେଇଯାଇ ଯଦି ସେ ଏହାର ଉପାଦାନଗୁଡ଼ିକୁ ବିଶ୍ଲେଷଣ କରେ ଆଉ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଏହାକୁ ଆବଦ୍ଧ କରିବାକୁ ଆଗେଇ ଯାଏ, ଜଣେ ତ ସମ୍ପୂର୍ଣ୍ଣ ଚକିତ ହୋଇ ରହିଯିବ ।

 

ଠିକ୍ ସେହିପରି ଅଛି ମୋ ସହିତ ମୋର ଧର୍ମ । ଏବେ ଏବେ ପ୍ରକାଶିତ ଏକ ସମ୍ବାଦରେ କୁହାଯାଇଛି ଯେ ମୋର ଗୋଟେ ପ୍ରକାର ଧର୍ମବିଶ୍ୱାସ ଅଛି ଆଉ ଏହା ଏକ ନିର୍ଦ୍ଦିଷ୍ଟ ପ୍ରକାରର ଓ ଶ୍ରେଣୀର ଅନ୍ତର୍ଭୁକ୍ତ ।

 

କେହି ଯଦି ମତେ କହିଥାନ୍ତା ଯେ ସେ ମୋର ଭୂତ ଦେଖିଛି, ହୁଏତ ମୁଁ କମ୍ ବିବ୍ରତ ହୋଇ ନଥାନ୍ତି । କାରଣ ଜଣକର ଭୂତ ଜୀବନ ସେ ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଯେଯାଏଁ ତାର ପାର୍ଥିବ ଜୀବନ ଶେଷ ହୋଇନାହିଁ । ମୋ ଭୂତ ସେ ଦେଖିଛି କହିବା ଅର୍ଥ ମୋର ବର୍ତ୍ତମାନର ଜୀବନ ମୋ’ପାଇଁ ଆଉ ବାସ୍ତବ ହୋଇ ରହିନାହିଁ, ଆଉ ମୋର ଅତୀତ ହିଁ କେବଳ ବାସ୍ତବତା ହୋଇ ରହିଛି । ମୋର ଧର୍ମ ଧାରଣା ରହିଛି ମୋ ଜୀବନର ଏକଦମ୍ ମୂଳରେ । ଏ ଜୀବନ ଏକ ନିରନ୍ତର ପ୍ରବାହ; ହେଲେ କେଉଁ ଗୋଟେ ବିନ୍ଦୁରେ ଏହି ଧର୍ମଧାରଣା ଅଟକିଯିବାର ସମ୍ବାଦ, ତାହେଲେ ଜିଜ୍ଞାସୁ ପରିଦର୍ଶକମାନଙ୍କ ଆଗରେ ଗୋଟେ ମ୍ୟୁଜିୟମ ଭିତରେ ଏହାକୁ ପ୍ରଦର୍ଶିତ କରାଯାଇ ପାରିବ ଗୋଟେ ଟିକେଟ୍ ମୂଲ୍ୟରେ; ଏକଥା ତ ବିଶ୍ୱାସ କରିବା ବି କଷ୍ଟକର ।

 

କିଛିବର୍ଷ ପୂର୍ବେ ଆଉ ଜଣେ ଲେଖକ ଆଉ ଗୋଟେ ଖବର କାଗଜରେ ମୋର କେତେଗୁଡ଼ିଏ ଭକ୍ତିଗୀତର ଗୋଟେ ସମୀକ୍ଷା ପ୍ରକାଶ କରିଥିଲେ । ଏଥିରେ ସେ ଜାଣିଜାଣି ମୋ କିଶୋର ବୟସର ରଚିତ କେତୋଟି ଲେଖା ଉଦ୍ଧୃତ କରିଥିଲେ ଯେପରି ସେ ନିଜେ ଇଚ୍ଛା କରୁଥିବା ସିଦ୍ଧାନ୍ତରେ ପହଞ୍ଚି ପାରିବେ । ମୁଁ ଯେତେବେଳେ ତଥାପି କାର୍ଯ୍ୟରତ, ମୁଁ ଅଟକି ଯାଇଥିବାର ଭାବ ଉଦ୍ରେକ କଲାଭଳି ଫଟୋଟିଏ ଛାପିବା କେବଳ ମତେ ଅପ୍ରତିତ୍ତ କରିବାପାଇଁ ଉଦ୍ଦିଷ୍ଟ । ଦୌଡ଼ୁଥିବା ଗୋଟେ ଘୋଡ଼ାର ଛବିରେ ଏହାର ଗୋଡ଼ ଖୁବ୍‌ଉଚ୍ଚକୁ ଉଠି ଲାତ ମାରୁଥିବାରୁ ପ୍ରମାଣିତ ହୁଏନାହିଁ ଯେ ଏହାର ଗୋଡ଼ଗୁଡ଼ିକ ସବୁବେଳେ ଶୂନ୍ୟରେ ଟେକି ହୋଇଥାଏ ଆଉ ଏବେ ବି ଅଛି । ସେଥିପାଇଁ ଗୋଟେ ବି ପଦକ୍ଷେପ ଫଟୋରେ ହାସ୍ୟାସ୍ପଦ ମନେହୁଏ, ଯାହାର ମର୍ମ ବୁଝିପାରେ କେବଳ ଗୋଟେ ଚିତ୍ରକରର ତୂଳୀ ।

 

ଏତକ ବି ସମ୍ଭବତଃ ଏହାର ସମସ୍ତ ଦିଗକୁ ପ୍ରକାଶ କରେ ନାହିଁ, ହୁଏତ ଚେତନାର ଅନାବିଷ୍କୃତ ଗଭୀରତାରେ ଜଡ଼ ହୋଇ ଯାହା ରହିଥାଏ ତାହାର ଗୋଟାଏ ଧାର ହଠାତ୍ ଆଖି ସାମନାକୁ ଉଠି ଆସେ; ଆଉ ଏହି ଉତ୍‌ଥାନର ମୁହୂର୍ତ୍ତଟି ଦେଖେ ବାହ୍ୟଜଗତ ସହିତ ଏହାର ପାରସ୍ପରିକ କ୍ରିୟାର ଆରମ୍ଭକୁ । ଯେତେବେଳେ ବି ସେହି ପାରସ୍ପରିକ କ୍ରିୟା ଆରମ୍ଭ ହୁଏ ଚଟାପଟ ପୃଥିବୀ ଏହାର ସୁବିଧାଜନକ ଲେବୁଲ୍‌ଟିଏ ଲଗାଇ ଦିଏ ଆଉ ଆଶ୍ୱସ୍ତ ହୁଏ । କାରଣ ଏହାର ମୂଲ୍ୟ ନିର୍ଦ୍ଧାରଣ ବା ସଦ୍‌ବିନିଯୋଗ କରିବାର ଅନ୍ୟବାଟ କିଛି ନାହିଁ ।

 

ଜଣେ ବାହ୍ୟ ପୃଥିବୀରେ ଯେପରି ଭାବରେ ପରିଚିତ ତାହାରି ଉପରେ ସେହି ବ୍ୟକ୍ତିର ଖ୍ୟାତି ଗଢ଼ା ହୋଇଥାଏ । ଯଦି ଏହି ବାହାର ପରିଚୟ ଅନ୍ତରର ସତ୍ୟ ସହିତ ଖାପ ନ ଖାଏ ତାହେଲେ ତାର ସ୍ଥିତି ଖଣ୍ଡଖଣ୍ଡ ହୋଇଯାଏ । କାରଣ ଜଣେ କେବଳ ସେତିକି ନୁହେଁ ଯେତିକି ସେ ନିଜେ ନିଜ ଭିତରେ ଥାଏ । ସେ ବିପୁଳଭାବରେ ଜୀଇଥାଏ ଯେପରି ସେ ସମସ୍ତଙ୍କ ନିକଟରେ ଜଣାଶୁଣା । ‘ନିଜକୁ ଚିହ୍ନ’ ଆଦୌ ଶେଷ ସତ୍ୟ ନୁହେଁ; ‘ନିଜକୁ ଚିହ୍ନାଅ’ ମଧ୍ୟ ବହୁତ ଗୁରତ୍ୱପୂର୍ଣ୍ଣ ସତ୍ୟ । ‘ନିଜକୁ ଚିହ୍ନାଇ ଚାଲ’ର ପ୍ରକ୍ରିୟା ପୃଥିବୀର ସବୁଠାରେ ଅଛି । ଏଣୁ ମୋ ଭିତରର ଧର୍ମ ଯାହା ନିଜକୁ ନିଜ ଭିତରେ ବନ୍ଦ କରି ରଖିବାରେ ଅସଫଳ ହୁଏ, ଆଉ ନିଶ୍ଚୟ ଏହା ଯାଇ ବାହାରେ ନିଜକୁ ଅନେକ ଢଙ୍ଗରେ ଚିହ୍ନାଏ, ଜଣାଏ; ଏ ସମସ୍ତ ଏପରି ନିଜକୁ ଚିହ୍ନାଏ ଯାହା ଦେଖା ବି ଯାଏ ପୁଣି ମୋ ନିଜକୁ (ମୋତେ) ଦେଖାଯାଏ ନାହିଁ ବି ।

 

ନିଜକୁ ପ୍ରଚାର କରାଇବା ପ୍ରକ୍ରିୟାର ଅନ୍ତନାହିଁ । ଏଥିରେ ଯଦି କିଛି ବି ସତ୍ୟତା ଥାଏ ତାହେଲେ ମୃତ୍ୟୁ ପରେ ବି ଏହା ଚାଲେ । ଜଣେ ହୁଏତ ଏପରି ପଚାରିପାରେ ଯେ ଏହି ଆତ୍ମ-ସତ୍ୟୋପଲବ୍‌ଧି କ୍ରିୟା ଯଦି ବନ୍ଦ ହୋଇଯାଏ, ତାହାହେଲେ ପ୍ରକୃତରେ କ୍ଷତି କ’ଣ ହେବ ? କ୍ଷତି ଏତିକି ହେବ ଯେ ଜଣେ କବି ବିନା ଅଭିଯୋଗରେ କେବଳ ସେତିକି ସହିଯିବାକୁ ବାଧ୍ୟ ହେବ ଯେତିକି ତା’ କବିତା ବିଷୟରେ କୁହାଯାଇଛି । ଏହା ଗୋଟେ ରୁଚିର କଥା । ରୁଚିର କଥା ତ ଯୁକ୍ତିଦ୍ୱାରା ସମାଧିତ ହୁଏନାହିଁ, ସମୟଦ୍ୱାରା ହୁଏ । ସମୟର ଧୈର୍ଯ୍ୟ ଅସୀମ ଆଉ ରୁଚି ଏହାକୁ ଅନୁସରଣ କରିବ । ଏହା ଆଶା କରିପାରିବ ନାହିଁ ଯେ ଏହାର ସମସ୍ତ ପ୍ରାପ୍ୟ ତତ୍‌କ୍ଷଣାତ୍ ମିଳିଯିବ । ହେଲେ ‘ମୋ ଧର୍ମ’ ବୋଲି କିଛି ଯଦି ଅଛି, ତାହେଲେ ଏହାକୁ ନେଇ ଉଠିଥିବା ଭୁଲଧାରଣାଗୁଡ଼ିକୁ ଦୂର ନକଲେ ଏହା ମୋ ନିଜପ୍ରତି ଆଉ ଅନ୍ୟମାନଙ୍କ ପ୍ରତି ବି ଅନ୍ୟାୟ ହେବ । ଏଣୁ ଜଣେ ଉତ୍ସୁକ ଆଲୋଚକ ଯଦି ଏପରି କିଛି କହେ ଯାହାଦ୍ୱାରା ମୋ ମନରେ ଧାରଣା ଜାଗେ ଯେ ଅନ୍ୟମାନଙ୍କ ସହ ମୋ ଯୋଗଯୋଗର ଅପରିହାର୍ଯ୍ୟତାକୁ ମିଛର ଢାଙ୍କୁଣିରେ ସେ ଘୋଡ଼େଇ ଦେଇଛନ୍ତି ଆଉ ଏହି ଯୋଗର ଉପଯୁକ୍ତ ଆକଳନ ହେବା ଉଚିତ; ଉକ୍ତ ବିଷୟରେ ନୀରବ ରହିବା ନିଶ୍ଚୟ ଔଦ୍ଧତ୍ୱ୍ୟପୂର୍ଣ୍ଣ ହେବ ।

 

ହେଲେ ଏକଥା ମାନିବାକୁ ହେବ ଯେ ଧର୍ମ ସମ୍ବନ୍ଧେ ମୋର ବକ୍ତବ୍ୟ ଗୋଟେ ପଦଯାତ୍ରୀର ଭ୍ରମଣକଥା ପରି । ଯେଉଁମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିସାରି କିଛି କହନ୍ତି, ସେମାନଙ୍କ ଶବ୍ଦାବଳୀ ସୁନିଶ୍ଚିତ ଆଉ ଦୃଢ଼ ହୋଇଥାଏ । ସେମାନେ ନିଜର ଶବ୍ଦମାନଙ୍କୁ ଦେଖିପାରନ୍ତି ଗୋଟେ ପ୍ରକାର ଅନାସକ୍ତ ରୀତିରେ, ନିଜଠାରୁ ବେଶ୍ ଦୂରରେ ଆଉ ଏକଦମ୍ ସ୍ପଷ୍ଟ ରୂପରେ । ମୁଁ ମୋ ଧର୍ମବିଶ୍ୱାସକୁ କେବେ ଏଭଳି ଉଦାସୀନତାର ସହ ଦେଖିନାହିଁ । ଏହାର ସ୍ଥିତି ଆଉ ବିକାଶ ପ୍ରକ୍ରିୟା ଭିତରେ, ମୋର ବିଭିନ୍ନ ଲେଖାରେ ଯେତେ ସବୁ ଚିହ୍ନ ଏହା ଛାଡ଼ି ଯାଇଛି ତାହାରି ଭିତରେ ଏହାର ପୂର୍ଣ୍ଣାଙ୍ଗ ଛବିଟିଏ ଅଙ୍କାଯାଇପାରେ । ଏଥିରେ ଗୋଟିଏ ସମସ୍ୟା ଅଛି, ତାହା ଏୟା ଯେ, ଜଣେ କିପରି ଉପଯୁକ୍ତ ଖଣ୍ଡମାନଙ୍କ ସହିତ ଏହି ଉପାଦାନମାନଙ୍କୁ ନଖରୁ ଶିଖଯାଏ ସଜାଏ, ତାହା ନିର୍ଭର କରେ ବିଶେଷ ଭାବରେ ଜଣକର ବୈୟକ୍ତିକ ଅନୁରାଗ ଉପରେ-। ଅନ୍ୟମାନେ ସେଗୁଡ଼ିକ ସହ ଯାହା ଇଚ୍ଛା କରନ୍ତୁ, ମୁଁ ଏହି ଉପାଦାନଗୁଡ଼ିକୁ ମୋ ନିଜପାଇଁ ଖଣ୍ଡଖଣ୍ଡ କରି ଯୋଡ଼ି ଦେବାକୁ ଚାହେଁ, ତାହେଲେ ମୁଁ ଦେଖିପାରିବି ଛବିଟି କିପରି ଉଠି ଆସୁଛି ।

 

ଏହା ବି ଲୋକେ କହିବାର ମୁଁ ଶୁଣିଛି ଯେ, ମୋ ଧର୍ମ ଆଉ ବଂଶୀବାଦକର ବିମୋହନ ତଳେ ତଳେ ଥାଏ, ଏହା ଶକ୍ତି ଆଉ ବଳିଷ୍ଠତା ବଦଳରେ ପ୍ରଶାନ୍ତି ଆଡ଼କୁ ଅଧିକ ଢଳିଥାଏ । ଏହା ନିହାତି ଜରୁରୀ ଯେ ଏହି ପର୍ଯ୍ୟବେକ୍ଷଣକୁ ଅଧିକ ଯତ୍ନର ସହ ମୁଁ ବିଚାର କରିବି, ହେଉ ପଛେ ଏହା କେବଳ ମୋ ନିଜପାଇଁ ।

 

ଏପରି କେତେ ଅଛନ୍ତି ଯେଉଁମାନଙ୍କ ଭିତରେ ନ ଥାଏ କୌଣସି ସଙ୍କେତ, ଯାହାଙ୍କ ଭିତରେ ଏପରିକି ଥାଇପାରେ କିଛିଟା ଗୌରବବୋଧ ମଧ୍ୟ, ସେମାନଙ୍କପାଇଁ ଧର୍ମ ହେଉଛି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାର ଏକ ସଂଭ୍ରାନ୍ତ ଉପାୟ, ନିଷ୍କ୍ରିୟତା ଭିତରେ ଖୋଜିପାଇବା ଗୋଟେ ପ୍ରକାର ଅବସର ବିନୋଦନ । ଧର୍ମର ଉଦ୍ଦେଶ୍ୟକୁ କେତେ ଲୋକ ଏହିପରି ବିଚାର କରନ୍ତି, ଯଥା–ଜୀବନ ଓ ଉପସ୍ଥିତିରୁ ଏପରି ଉପାଖ୍ୟାନମାନଙ୍କୁ ବର୍ଜିତ କରିଦେବା ଅର୍ଥ ଜଣକୁ କାମର ବୋଝରୁ ଅବ୍ୟାହତି ଦେଇଦେବା ସଂଗେ ସମାନ, ଧର୍ମ ନାମରେ ଏହି ସବୁରୁ ମୁହଁ ବୁଲେଇନେବା ଆଉ ଆଶ୍ୱସ୍ତିର ଲମ୍ବା ନିଃଶ୍ୱାସ ନେବା ସତେ ଯେପରି ଧର୍ମର ଏକମାତ୍ର ଲକ୍ଷ୍ୟ । ଏଭଳି ଲୋକଙ୍କୁ କୁହାଯାଏ ବୈରାଗୀ । ଅପର ପକ୍ଷରେ, ଅଛନ୍ତି ଭୋଗୀମାନେ, ସେମାନେ ଅଳ୍ପ କେତୋଟି ସ୍ୱତନ୍ତ୍ର ପାର୍ଥିବ ଶିହରଣ ସହିତ ଆଧ୍ୟାତ୍ମିକତାକୁ ଫେଣ୍ଟି ପିଇଦିଅନ୍ତି ବାକି ଦୁନିଆକୁ ଭୁଲିଯିବାପାଇଁ । ଏହାର ଅର୍ଥ ଏୟା ଯେ ଗୋଟେ ଗୋଷ୍ଠୀ ବ୍ୟାକୁଳ ହୁଅନ୍ତି ଏପରି ଶାନ୍ତି ପାଇବାପାଇଁ ଯାହା ପୃଥିବୀକୁ ପରିହାର କରିଥାଏ, ଯେତେବେଳେ ଅପର ଗୋଷ୍ଠୀଟି ଚାହାନ୍ତି ଏପରି ଗୋଟେ ସର୍ତ୍ତ ଯେଉଁଥିରେ ପୃଥିବୀ ଭୁଲି ହୋଇଯାଇଥାଏ । ଉଭୟ ଦେଖନ୍ତି ବନ୍ଧନରୁ ମୁକ୍ତିର ପଥ ହିଁ ଧର୍ମର ପଥ-

 

ତଥାପି ଏପରି ଲୋକ ଅଛନ୍ତି ଯେଉଁମାନେ ଧର୍ମକୁ ଆବିଷ୍କାର କରନ୍ତି ବାସ୍ତବତାର ମୋହିତ ଦୃଷ୍ଟିରେ, ଯାହା ଭିତରେ ପୃଥିବୀ ଏହାର ସମସ୍ତ ସୁଖ ଓ ଦୁଃଖ, ଦ୍ୱନ୍ଦ୍ୱ ଓ ସଂଘର୍ଷ ସହିତ ଦିଶୁଥାଏ ଅନୁପମ, ଶୋଭାମୟ । ପୃଥିବୀକୁ କେବଳ ପୃଥିବୀରୂପେ ଦେଖିଲେ ଏହାର ସର୍ବୋଚ୍ଚ ଅର୍ଥ ବୁଝିହୁଏ ନାହିଁ । ଏହାର ସର୍ବୋତତ୍କୃଷ୍ଟ ଅର୍ଥ ଭିତରେ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ବିପୁଳ ବ୍ୟାପ୍ତିରେ ରହିଛି କେତେ ଅଙ୍କାବଙ୍କା ବିକୃତି ଅଙ୍କିତ ହୋଇ, ଆଉ ତନ୍ତର ଭରଣିରେ ବୁଣା ଚାରିପଟୁ ରଂଗ ରଂଗ ସୂତାରେ ଆବୃତ ହୋଇଥିବା ବିରାଟତାର ବନ୍ୟା ଏହା ଉପରେ ଲହଡ଼ି ମାରୁଛି । ସେଇଥିପାଇଁ ସେମାନେ ଧର୍ମର ସତ୍ୟରୂପ କଳ୍ପନା କରିପାରନ୍ତି ନାହିଁ, ଫଳରେ କେତେଗୁଡ଼େ ଦିଗକୁ ନ ଦେଖି ଏଡ଼େଇ ଯାଆନ୍ତି, ଭାବକୁ ଉପେକ୍ଷା କରି ଯାଆନ୍ତି ଆଉ ଧର୍ମକୁ ସତ୍ୟରୂପେ ପ୍ରତ୍ୟକ୍ଷ ଦେଖି ପାରନ୍ତି ନାହିଁ, ଓଲଟା ସମସ୍ତ ପୂର୍ଣ୍ଣତା ଭିତରେ ଏହାର ଉଚ୍ଚତର ଅର୍ଥକୁ ବାସ୍ତବତାର ଆତଙ୍କରୂପେ ପ୍ରତ୍ୟକ୍ଷ କରନ୍ତି ।

 

କାରଣ ନ ଥାଇ ବିଦ୍ୟାଳୟରୁ ଅନୁପସ୍ଥିତ ରହିବାର ଦୁଇଟି ପରିଣତ ହୋଇପାରେ; ଏକ କୌଣସି କାମ ନ କରିବା, ଦୁଇ, ଖେଳିବାପାଇଁ ଜଣକ ପଛରେ ଆଗ୍ରହରେ ଧାଇଁବା । ସ୍କୁଲର କଠୋର ନିୟମରେ ଯନ୍ତ୍ରଣା ବହୁତ ! ଏଥିରୁ ରକ୍ଷା ପାଇବାପାଇଁ ଜଣକୁ କାନ୍ଥ ଡେଇଁବାକୁ ପଡ଼ିପାରେ ବା ଜଗୁଆଳିକୁ ଲାଞ୍ଚଦେବାକୁ । ହେଲେ କଠିଣ କାମର ଯନ୍ତ୍ରଣା ସହିବାର ଦୁଇଟି ପକ୍ଷ ରହିଛି । କିଛି ବାଳକ ଦଣ୍ଡ ଭୟରେ ଶୃଙ୍ଖଳା ମାନି ନିଅନ୍ତି, ଆଉ କେତେକ ଅଭ୍ୟାସ ଦୃଷ୍ଟିରୁ ଶୃଙ୍ଖଳା ଭିତରେ ଆଶ୍ରୟ ନିଅନ୍ତି । ଦିନି ଦିନ ଧରି ସଠିକ ଭାବରେ ଅଭିଭାବକଙ୍କ ଆଦେଶ ଯନ୍ତ୍ରଚାଳିତବତ୍ ମାନିବା ଭିତରେ ସେମାନେ ନିରାପଦ ଅନୁଭବ କରନ୍ତି, ଏଥିରୁ ଗୋଟେ ସନ୍ତୋଷ ବି ସେମାନେ ପାଆନ୍ତି ଯେପରି କଣ ଗୋଟାଏ ଲାଭ ହୋଇଛି ସେମାନଙ୍କର । ହେଲେ ଏହି ଉଭୟ ପ୍ରକାରର ବାଳକ ଶୃଙ୍ଖଳାକୁ ଦେଖନ୍ତି ଗୋଟେ ଅତୁଳନୀୟ ସଂପୂର୍ଣ୍ଣ ଦ୍ରବ୍ୟ ପରି, ଏହାର ସୀମାବାହାରେ ଆଉ କିଛି ଦେଖି ପାରନ୍ତି ନାହିଁ ।

 

ହେଲେ ଆଉ ଗୋଟେ ପ୍ରକାରର ସ୍କୁଲବାଳକ ବି ସବୁବେଳେ ଥାଆନ୍ତି ଯେଉଁମାନେ ପରିଶ୍ରମର କଠିଣ ଶୃଙ୍ଖଳା ଓ ଯନ୍ତ୍ରଣାକୁ ଆଲିଙ୍ଗନ କରନ୍ତି ସ୍ୱତଃପ୍ରବୃତ୍ତ ହୋଇ, ଏପରିକି ଆନନ୍ଦ ସହିତ, କାରଣ ସେମାନେ ଠିକ୍‌ରେ ବୁଝିଥାନ୍ତି ସ୍କୁଲର ଉଦ୍ଦେଶ୍ୟ । ଏଇ ବୋଧଶକ୍ତି ଜରିଆରେ ପିଲାଟି ଯେତେଶୀଘ୍ର ଯନ୍ତ୍ରଣାକୁ ଭେଟେ ତେତେଶୀଘ୍ର ତାକୁ ଜୟ କରିବାକୁ ସମର୍ଥ ହୁଏ, ଶୃଙ୍ଖଳାର ଶୃଙ୍ଖଳମାନଙ୍କୁ ଯେତେଶୀଘ୍ର ମାନିନିଏ ସେତେଶୀଘ୍ର ଏଥିରୁ ନିଜ ମନକୁ ମୁକୁଳେଇ ପାରେ । ଏହାହିଁ ପ୍ରକୃତ ଦାସତ୍ୱମୋଚନ । କଠୋର ନିୟମଠାରୁ ଦୂରେଇ ଯାଇ ସ୍ୱାଧୀନତା ଖୋଜିବା ବାସ୍ତବରେ ଆତ୍ମ-ପ୍ରତାରଣା । ଏତିକି ବୁଝିଗଲା ପରେ ବାଳକଟି ନିଜ ସାମ୍ନାରେ ଜ୍ଞାନର ସମ୍ପୂର୍ଣ୍ଣତାର ଗୋଟେ ଉଜ୍ଜ୍ୱଳ ଛବି ଦେଖେ ଏବଂ ଜାଣେ ଯେ ସମସ୍ତ ଅପୂର୍ଣ୍ଣତା, ସମସ୍ତ କଷ୍ଟ, ବର୍ତ୍ତମାନର ସମସ୍ତ ସଂଯମ ହିଁ ସେହି ବିପୁଳ ଆନନ୍ଦର ମୂଳଧାର । କଷ୍ଟଭୋଗି ଯେଉଁ ଖୁସି ସେ ପାଏ, ତାହା ବିନା କାମ ଓ କେବଳ ଖେଳର ଖୁସିଠାରୁ କେତେଗୁଣ ବେଶୀ । ଏହି ଖୁସି ପ୍ରଶାନ୍ତିଠାରୁ ଅଧିକ ମୂଲ୍ୟବାନ୍ ଆଉ ଅଧିକ ସୁନ୍ଦର ବଂଇଶୀର ସୁରଠାରୁ ।

 

ଏବେ ପ୍ରଶ୍ନ ଉଠେ, ଏହା କେଉଁ ଧର୍ମବିଶ୍ୱାସ ଯାହାକୁ ମୁଁ ମୋ ନିଜର ବୋଲି ଚିହ୍ନେ ? ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ‘ମୋ ଧର୍ମ’ ବୋଲି ଯେତେବେଳେ ମୁଁ କହୁଛି ଏଥିରୁ କେହି ଯେପରି ଧରି ନ ନିଅନ୍ତି ଯେ ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ବିଶ୍ୱାସରେ ଗଭୀର ଆସ୍ଥା ରଖିଛି ଆଉ ସେଥିରେ ସମ୍ପୂର୍ଣ୍ଣ ସିଦ୍ଧି ଲାଭ କରିଛି । ‘ମୁଁ ଜଣେ ଖ୍ରୀଷ୍ଟିଆନ’ କହିବା ଅର୍ଥ ନୁହେଁ ଯେ ଜଣେ ଖ୍ରୀଷ୍ଟ ସଦୃଶ ଖ୍ରୀଷ୍ଟ ଧର୍ମ ଧାରାର ଅସଂଖ୍ୟ ଉଲଂଘନ ତା’ ଦୈନନ୍ଦିନ ଜୀବନରେ ଦେଖାଯାଇପାରେ, ମୋ ଧର୍ମ ବିଶ୍ୱାସକୁ ମୁଁ କେବେ ଭଙ୍ଗ କରିନାହିଁ କହିବା ଆଉ କାର୍ଯ୍ୟରେ ଦେଖାଇବା ସେହିପରି ଏକ ମିଥ୍ୟାଚାର ଯାହାଭିତରେ ମୁଁ ପଶିବାକୁ ଚାହେଁ ନାହିଁ । ତଥାପି ପ୍ରଶ୍ନଟି ସ୍ଥିର ରହେ: ମୋ ଧର୍ମବିଶ୍ୱାସର ଆଦର୍ଶ କ’ଣ ?

 

ଏ ପ୍ରଶ୍ନର ଉତ୍ତର ଅବଶ୍ୟ ମୋର ବହୁରଚନାରେ ବିକ୍ଷିପ୍ତ ହୋଇ ରହିଛି । ମୁଁ ନିଜ ଭିତରକୁ ନିଜେ ଏଇ ପ୍ରଶ୍ନ ଯେବେ ପଚାରେ ଏହି ଉତ୍ତର ମତେ ମିଳେ; ଏହାର ପ୍ରତିଟି ଅଂଶ ଯେହେତୁ ମତେ ପରିପୂର୍ଣ୍ଣ କରେ, ଏହାର ଛୋଟ ଗୋଟେ ଅଂଶରୁବି ନିଜକୁ ମୁଁ ଅଲଗା କରିପାରିବି ନାହିଁ ।

 

ମୁଁ ଯେବେ କୌଣସି ଗୋଟିଏ ଅଂଶରେ ବି ସତ୍ୟର ଅବକ୍ଷୟ ଦେଖେ ସେତେବେଳେ ଏହାର ମୂଳସତ୍ୟକୁ ଅସ୍ୱୀକାର କରେ । ସତ୍ୟର ସଂକେତ ହେଲା, ଏହା ସବୁକୁ କୋଳାଗ୍ରତ କରିନିଏ । ଏହାର ସ୍ୱଭାବରେ ହୁଏତ କ୍ଷଣିକ କିଛି ଅମେଳ ଦେଖାଯାଇପାରେ, ଏହାର କେନ୍ଦ୍ରରେ କିନ୍ତୁ ସବୁବେଳେ ଥାଏ ଅପରିବର୍ତ୍ତନୀୟ ସୁସଂହତି, କାରଣ ସେପରି ନ ହୋଇଥିଲେ ଏହା ନିଜକୁ ଧ୍ୱଂସ କରିଦେଇଥାନ୍ତା । ଦୃଢ଼ତା ହେଉଛି ସତ୍ୟର ଏକ ମୂଳଗୁଣ; ସେଥିପାଇଁ ତାଳିପକା କାମ ଓ ଅବହେଳାଦ୍ୱାରା ମନଗଢ଼ା ଦୃଢ଼ତା ଦେଖାଇବା ଅର୍ଥ ସ୍ୱୟଂ ସତ୍ୟର ପଥରୋଧ କରିବା । ଦିନଥିଲା ଯେତେବେଳେ ମଣିଷ ଉଦ୍ଦେଶ୍ୟହୀନ ଭାବରେ ପୃଥିବୀକୁ ଏକ ପଦ୍ମଫୁଲ ପରି କଳ୍ପନା କରିଥିଲା ଆଉ ସୁମେରୁ ପର୍ବତ ଥିଲା ଏହାର କେନ୍ଦ୍ରରେ କେଶର ସଦୃଶ, ଆଉ ମହାଦେଶମାନ ସବୁଦିଗକୁ ପାଖୁଡ଼ା ପରିବ୍ୟାପ୍ତ ହୋଇଥିଲେ । ଏତାଦୃଶ କଳ୍ପନା ମୂଳରେ ଏହି ବିଶ୍ୱାସ ଥିଲା ଯେ ସତ୍ୟର ଗୋଟେ ଐକ୍ୟତାନ ଅଛି, ଯାହା ବିନା ଏହା ନିଜକୁ ସଳଖ କରି ଧରିପାରିବ ନାହିଁ; ଆଉ ନିଜକୁ ସୁସଂହତ କରିପାରିବ ନାହିଁ ।

 

ଏହି ବିଶ୍ୱାସ ଯଥାର୍ଥ । ହେଲେ ସଂଗତି କେବେ ବିନା ଅମେଳ, ବିନା ବିରୋଧରେ ସମ୍ଭବ ନୁହେଁ । ଏହା ଏପରି କିଛି ଯାହା ଅସଂଗତିକୁ ଆଲିଙ୍ଗନ କରେ ଆଉ ସମସ୍ତ ମତାନ୍ତରଠାରୁ ବହୁତ ବଡ଼ ହୋଇଥାଏ; ଠିକ୍ ଯେପରି ଶିବ ସାଗର ମନ୍ଥନର ସମସ୍ତ ହଳାହଳ ପାନ କରିବାକୁ ସମର୍ଥ ହୋଇଥିଲେ ବୋଲି ଅଧିକ ନିଜ ରୂପରେ ପ୍ରକଟିତ ହେଲେ । ସେହିପରି ଯଦି ଜଣେ ସତ୍ୟକୁ ସମ୍ମାନ କରେ ତାହେଲେ ଏ ପାର୍ଥିବ ପୃଥିବୀ ଯେଉଁପରି ଠିକ ସେହିପରି ତାକୁ ଜାଣିବାର ସାହସ ତା’ର ରହିବା ଉଚିତ, ଅର୍ଥାତ୍ ଏହା ଯେ ଅନେକ ଅସମାନ, ଅସମାପ୍ତ ଭଗ୍ନ ଖଣ୍ଡରେ ବିଭକ୍ତ । ମୁଁ ଏହାଠାରୁ ଅଧିକ କାମନା କରେ ଆଉ ଅସଂଗତି, ଅସାମଞ୍ଜସ୍ୟକୁ ଆଦୌ ଭୟ କରେ ନାହିଁ । ପୁଣି ବନାଚୂନା ସୁନ୍ଦର ସତ୍ୟ ଆଉ ପୂର୍ବରୁ ତିଆରି ସୁସଂଗତି ମୋର କାମ୍ୟ ନୁହେଁ ।

 

ମୁଁ ଯେବେ ତରୁଣ ଥିଲି ଅନେକ କାରଣରୁ ମୋର ମଣିଷ ସମାଜ ସହିତ ସଂପର୍କ କ୍ୱଚିତ ଥିଲା; ମୋର ଏକାନ୍ତ ବେଳାରେ ପ୍ରକୃତି ସହିତ ହିଁ ଥିଲା ମୋର ପ୍ରକୃତ ବନ୍ଧନ । ଏ ସଂପର୍କ, ଏ ବନ୍ଧନ ଥିଲା ଏକେବାରେ ସୁଂସହତ, କାରଣ ସେଠାରେ ନ ଥିଲା ସଂଘର୍ଷ ବା ଦ୍ୱନ୍ଦ୍ୱ, ନା କୌଣସି ମନ ଅନ୍ୟମନର ବିରୋଧୀ ବା କୌଣସି ଇଚ୍ଛା ଅନ୍ୟ ଇଚ୍ଛାର ବିରୋଧୀ । ଏହି ଅବସ୍ଥା ସତ କହିବାକୁ ଗଲେ ଶୈଶବର ଅବସ୍ଥା । ଏହି ସମୟରେ ଘରର ଏକାନ୍ତତା ଭିତରେ ସବୁଠାରୁ ବେଶୀ ଦରକାର ହୁଏ ଶାନ୍ତି ଆଉ ଆଦର । ବିସ୍ତୃତ ଧରିତ୍ରୀର ଆବରଣ ତଳେ ମାଟିର କେନ୍ଦ୍ରସ୍ଥଳରେ ବୀଜଟି ଯେତେବେଳେ ବିଶ୍ରାମ ନେଉଥାଏ ଏହା ଶାନ୍ତିରେ ତା ଚାରିପଟୁ ଜୀବନୀଶକ୍ତି ଆହରଣ କରିବାକୁ ଚାହେଁ । ବର୍ଷା, ଝଡ଼, ସୂର୍ଯ୍ୟ, ଅନ୍ଧାରର ଘାତ ଓ ପ୍ରତିଘାତ ବୀଜଟିପାଇଁ ଏବେ ଦରକାର ନାହିଁ । ପ୍ରକୃତିର ଡେଣାତଳେ, ସୁରକ୍ଷିତ ଅବସ୍ଥାରେ ଠିକ୍ ଆଧ୍ୟାତ୍ମିକ ସହଜାତ ପ୍ରବୃତ୍ତିର କୁଳୁକୁଳୁ ଆଲୋକ ସେ ପ୍ରଚୁର ପରିମାଣରେ ଗ୍ରହଣ କରେ ଏଇଠି ଶିଶୁଟି ଦେଖେ ସେଇ ନିର୍ଦ୍ଦିଷ୍ଟକୁ ଯାହା ସର୍ବଶାନ୍ତ (ଶାନ୍ତମ୍‌) ଆଉ ତାହାରି ଛାୟାରେ ବିକଶିତ ହୁଏ ଯାହା ସର୍ବ ସତ୍ୟ (ସତ୍ୟମ୍‌) ।

 

ପ୍ରକୃତି ଜଗତ ସହିତ ନିଜର ସହଜାତ ପ୍ରକୃତିର ଏହି ଘନିଷ୍ଠ ସଂପର୍କ ଅନୁଭବ କରିବା ବେଶ୍ ସହଜ, କାରଣ ସେଠାରେ ଜଣକର ଆତ୍ମା ଉପରେ ଅନ୍ୟମାନଙ୍କର ହସ୍ତକ୍ଷେପ ନଥାଏ । ତଥାପି ଏହି ନିର୍ଦ୍ଦିଷ୍ଟ ଆଦାନ ପ୍ରଦାନରେ ଆମେ ସମ୍ପୂର୍ଣ୍ଣ ସନ୍ତୋଷ କେବେ ପାଉନା । କାରଣ ଆମର ଗୋଟିଏ ଆତ୍ମା ଅଛି ଆଉ ସେହି ଆତ୍ମାଟି ବୃହତ୍ତର ସଂପର୍କ ସନ୍ଧାନରେ ଥାଏ । ଏହି ବୃହତ୍ତର ମିଳନ ଘଟିବାର ସମ୍ଭାବନା ଥାଏ ପ୍ରକୃତି ଜଗତ ସହିତ ନୁହେଁ, କେବଳ ମଣିଷ ଜଗତ ସହିତ । ଏହି ବୃହତ୍ ପ୍ରାନ୍ତରେ ନିଜକୁ ବିଛାଇ ଦେଇ ଆମେ ଆମ ମହତ୍ତର ସତ୍ତା ସହିତ ମିଳିତ ହେବାକୁ ଖୋଜୁ । ସେଠାରେ ଆମେ ଖୋଜୁ ଆମର ମହାନ ପିତା, ବନ୍ଧୁ, ପ୍ରଭୁ, ଆମ କର୍ମର ନେତା, ଆମ ପଥଦ୍ରଷ୍ଟାଙ୍କୁ । ସେଠାକୁ ମୁଁ ଯେତେବେଳେ ମୋର କ୍ଷୁଦ୍ରତର (ଗୌଣ) ସତ୍ତା ସହିତ କେବଳ ଯାଏ, ମୋର ମାନବୀୟ ସ୍ଥିତି ଦୟନୀୟ ହୋଇଯାଏ; ମୃତ୍ୟୁ ମୋତେ ଡରାଏ, ଅପ୍ରାପ୍ତି ମତେ ଦୁଃଖଦିଏ; ବର୍ତ୍ତମାନ ଭବିଷ୍ୟତକୁ ଚୂନା କରିଦିଏ; ଆଉ କେଉଁଠାରେ ସାନ୍ତ୍ୱନା ପାଇବାକୁ କେବଳ ଦୁଇଟି ଶେଷ ସୀମାନ୍ତ ମତେ ଦେଖାଯାନ୍ତି; ବେଦନା ଓ କାତରତା । ତା’ପରେ ମୋ ବାଟରେ ଆସି ପହଞ୍ଚିଥିବା କୁଟାଖଣ୍ଡଟି ଉପରେ ମୁଁ ଜୀବନକୁ ଥୋଇ ବାଜି ଲଗାଇ ଦିଏ, କୌଣସି ଜିନିଷ ପାଖରେ ନିଜକୁ ସମର୍ପିତ କରିଦେବାରେ କୌଣସି ସୁଜ୍ଞାନ ମୁଁ ଦେଖିପାରେ ନାହିଁ, ଗୋଟେ ନିକୁଛିଆ ଈର୍ଷା ଆଉ କୂଟିଳ ପ୍ରଭାବ ମନ ଉପରେ ପଡ଼େ, ଆଉ ତା’ପରେ:

 

ଦିନ ପରେ ଦିନ ଖାଲି, ପ୍ରାଣ ଧାରଣର ଗ୍ଳାନି

ଲାଜ ଓ ସରମ ଭାରି

ରାତି ରାତି ରୁଦ୍ଧ ଘରେ କ୍ଷୁଦ୍ର ଶିଖା ସ୍ତିମିତ ଦୀପର

ଧୂମାୟିତ କାଳି ।

 

ମୋ କବିତାରେ ବୃହତ୍ତର ଆତ୍ମସତ୍ତାକୁ ଖୋଜିବାର ପାଗଳପଣ ଯେତେବେଳେ ବିକଶିତ ହେବାକୁ ଆରମ୍ଭ କରେ, ଠିକ୍ ସେତିକିବେଳେ ବୀଜଟିରୁ ଅଙ୍କୁର ବାହାରି ମାଟି ଭେଦ କରି ଉଠି ଆସେ ଆଉ ବାହାରକୁ ଦେଖାଯାଏ, ଏହି ପ୍ରକ୍ରିୟା ‘ସୋନାର ତରୀ’ର ‘ବିଶ୍ୱନୃତ୍ୟ’ କବିତାରେ ନିଜକୁ ନିଜେ ଦେଖାଇଛି :

 

ବିପୁଳ ଗଭୀର ମଧୁର ମନ୍ଦେ

ବଜାଇବ କିଏ ବାଜଣା

ଉଠିବ ଚିତ୍ତ କରିବ ନୃତ୍ୟ

ବିସ୍ତୃତ ହେବ ଭାବନା

 

ଭାଂଗିବ ବନ୍ଧ ମହା ଆନନ୍ଦ

ନବ ସଂଗୀତେ ନୂତନ ଛନ୍ଦ

ହୃଦୟ ସାଗରେ ପୂର୍ଣ୍ଣଚନ୍ଦ୍ର

ଜାଗିବ ନୂତନ ଭାବନା ।

 

ହେଲେ ଏଠାରେ ବି ବାଦ୍ୟଯନ୍ତ୍ରର ଲୟ ପୂର୍ଣ୍ଣତା । ସ୍ୱର ବାସ୍ତବରେ ଯଦି ବା ଗଭୀର, ତଥାପି ଏହାର ଗଭୀରତାରେ ଥାଏ ମଧୁର ଐଶ୍ୱର୍ଯ୍ୟ । ଏହା ସତ୍ତ୍ୱେ ମୋ କବିତାର ଗତି ସବୁବେଳେ ପ୍ରକୃତି ଜଗତରୁ ମାନବଜଗତଆଡ଼କୁ ଧାବମାନ । ବ୍ରହ୍ମାଣ୍ଡ ଜଗତର ସଚେତନ ଆତ୍ମା ସହିତ ଏହା ବନ୍ଧୁତାର, ପରିଚୟର ଏକ ଆଳାପ ଆରମ୍ଭ କରେ । ସେହି ଏକା କବିତାରେ–

 

ଏହାକୁ ବଜାଏ ଦିବସ ନିଶି

ବସି ଅନ୍ତର ଆସନେ

କାଳର ଯନ୍ତ୍ରେ ବିଚିତ୍ର ସୁର-

କେହି ଶୁଣେ କେ ନ ଶୁଣେ ।

ଅର୍ଥ ତାର ତ ଭାବି ମୁଁ ନ ପାରେ

କେତେ ଜ୍ଞାନୀ ଗୁଣୀ ଚିନ୍ତିତାରେ

ମହାମାନବ ମାନସ ସତ୍ତା ହିଁ

ଉଠେ ବସେ ତାର ଶାସନେ ॥

 

ଏଠାରେ ଉଲ୍ଲିଖିତ ଅନୁଭବକ୍ଷମ, ସୂକ୍ଷ୍ମଦର୍ଶୀ ମଣିଷ ସମ୍ବନ୍ଧରେ; ଯିଏ ବିଶ୍ୱମାନବର ଇତିହାସକୁ ପ୍ରତିଟି ପ୍ରତିବନ୍ଧକ, ବିଘ୍ନ ମଧ୍ୟଦେଇ ବିପଦସଂକୁଳେ ଉତ୍‌ଥାନ ପତନ ପଥରେ ଆଗେଇ ନିଏ । ଏବେଠାରୁ ଶେଷ ଯାଏଁ ଆଉକିଛି ନାହିଁ, ଅଛି କେବଳ ନିର୍ବିରୋଧ ଶାନ୍ତିର ଏକ କାଳଖଣ୍ଡ ।

 

ହେଲେ ସୁସଂହତି ମଣିଷଟି, ଯିଏ ଚାଲିଛି ଦ୍ୱନ୍ଦ୍ୱ ଆଉ ବିପ୍ଳବର ଅନ୍ୱେଷଣରେ, ଏହା କଣ ? ଏହା ହିଁ ଉତ୍କୃଷ୍ଟ ଓ ଶିବମ୍ (ମଙ୍ଗଳମୟ) । ଏହି ନିର୍ଦ୍ଦିଷ୍ଟ ଚମତ୍କାର ମଧ୍ୟରେ ହିଁ ରହିଛି ଏକ ବିଚାର ଯୋଗ୍ୟ ବିରୋଧାଭାଷ । ଏଇଠି ହିଁ ଚାରାଟିଏ ଆରମ୍ଭ କରେ ବିଭାଜିତ ହେବାକୁ ଆଉ ବିକଶିତ ହେବାକୁ ସୁଖ-ଦୁଃଖ ଭିତରେ, ଶିବ ଓ ଅଶିବ ମଧ୍ୟରେ ଯାହା ଥିଲା ମାଟିତଳେ, ଶାନ୍ତି (ଶାନ୍ତମ୍‌) ଥିଲା ଅବିଭାଜିତ; ସେଠାରେ ଆଲୋକ ଅନ୍ଧାର ମଧ୍ୟରେ ନଥିଲା ଦ୍ୱନ୍ଦ୍ୱ । ଯଦି ଉତ୍କୃଷ୍ଟ ଓ ମଙ୍ଗଳମୟକୁ ଜାଣିବାର ନାହିଁ ସେଠାରେ ଦ୍ୱନ୍ଦ୍ୱ ଉପୁଜିବାର ପ୍ରଶ୍ନ କାହିଁ ? ସେଠାରେ ତ ସତ୍ୟ ବି ଅଚିହ୍ନା ରହିଯିବ ! ଏହି ସତ୍ୟକୁ ଜାଣିବାର ଯନ୍ତ୍ରଣା ବହୁତ ଭୟାନକ । ଏଠାରେ ‘ମହାଭୟ ଛକି ରହିଥାଏ ବଜ୍ରପରି ଆଘାତ କରିବାକୁ’, ‘ମହାଭୟମ୍ ବ୍ରଜମୁଦ୍ୟତମ୍‌’ । ହେଲେ ଏହି ଭୟାନକ ଯନ୍ତ୍ରଣା ମଧ୍ୟରୁ ହିଁ ଜନ୍ମନିଏ ଆମର ବାସ୍ତବ ଆଧ୍ୟାତ୍ମିକ ଅନୁଭବ । ନାକ୍ଷତ୍ରିକ ପ୍ରକୃତିର ଅବିଚଳିତ ପ୍ରଶାନ୍ତି ଭିତରେ ଥାଏ ଏହାର ଗର୍ଭଧାରଣ କାଳ । ‘ନୈବେଦ୍ୟ’ର ଦୁଇଟି କବିତାରେ ମୋ ନିଜ ବିଷୟରେ ମୁଁ ଏହା ହିଁ କହିଛି ।

 

‘ନୈବେଦ୍ୟ’ରୁ ପ୍ରଥମାଂଶ–

 

ମାତୃସ୍ନେହ ବିଗଳିତ ସ୍ତନ୍ୟ ଖିର-ରସ

ପାନ କରି ହସେ ଶିଶୁ ଆନନ୍ଦ-ଅଳସ ।

ସେଭଳି ବିହ୍ୱଳ ହର୍ଷେ ଭବ-ରସ-ରାଶି

କୈଶୋରେ କରିଛି ପାନ, ବଜାଇଛି ବଂଶୀ ।

ପ୍ରମତ୍ତ ପଞ୍ଚମ ସୁରେ, ପ୍ରକୃତିର ବୁକେ

କୋମଳ-ଲଳିତ ଚିତ୍ତ ଶିଶୁ ସମ ସୁଖେ-

ଥିଲି ଶୋଇ, ପ୍ରଭାତ-ଶର୍ବରୀ-ସଂଧ୍ୟା ବଧୂ

ନାନା ପାତ୍ରେ ଆଣିଦେଲା ନାନାବର୍ଣ୍ଣ ମଧୁ-

ପୁଷ୍ପ ଗନ୍ଧେ ମଖା । ଆଜି ସେଇ ଭାବାବେଶ

ସେଇ ବିହ୍ୱଳତା ଯଦି ହୋଇଥାଏ ଶେଷ,

ପ୍ରକୃତିର ସ୍ପର୍ଶ ମୋହ ହୋଇପାରେ ଦୂର

କିଛି ଦୁଃଖ ନାହିଁ । ପଲ୍ଲୀରୁ ଏ ରାଜପୁର

ଧରି ଯେ ଆଣିଛି ମତେ; ଚିତ୍ତେ ଦିଅ ବଳ

ଦେଖାଅ ସତ୍ୟର ମୂର୍ତ୍ତି କଠିଣ ନିର୍ମଳ ।

(ଦ୍ୱିତୀୟ)-ଆଘାତ ସଂଘାତ ମଧ୍ୟେ ଠିଆହେଲି ଆସି

ଅଙ୍ଗଦ କୁଣ୍ଡଳ କଣି ଅଳଙ୍କାର ରାଶି

ଖୋଲି ଫିଙ୍ଗିଦେଲି ଦୂରେ । ଦିଅ ଦିଅତୂଳି

ନିଜ ହାତେ, ତୁମର ଅମୋଘ ଶର ସବୁ ତୋଳି

ତୁମର ଅକ୍ଷୟ ତୂଣ, ଅସ୍ତ୍ରେ ଦୀକ୍ଷା ଦିଅ

ରଣଗୁରୁ ! ତୁମର ପ୍ରବଳ ପିତୃସ୍ନେହ

ଧ୍ୱନିତ ହୁଅଇ କଠିନ ଆଦେଶେ ।

କର ମତେ ସମ୍ମାନିତ ନବ ବୀର ବେଶେ

ଦୁରୂହ କର୍ତ୍ତବ୍ୟ ଭାର ଦୁଃସହ କଠୋର

ବେଦନା, ପିନ୍ଧାଇ ଦିଅ ଅଙ୍ଗେ ଅଙ୍ଗେ ମୋର

କ୍ଷତ ଚିହ୍ନ ଅଳଙ୍କାର । ଧନ୍ୟକର ଦାସେ

ସଫଳ ଚେଷ୍ଟାରେ କିମ୍ବା ବିଫଳ ପ୍ରୟାସେ ।

ଭାବର ଲଳିତ କ୍ରୋଡ଼େ ନରଖି ମଳିନ

କର୍ମକ୍ଷେତ୍ରେ କରିଦିଅ ସୁଷମ ସ୍ୱାଧୀନ ।

 

କାମନା ପୂରଣ ହେବାର ପ୍ରବଳବାସନା, ତାହାପୁଣି ମଙ୍ଗଳମୟ (ଶିବମ୍‌) ଉପରେ ଆସ୍ଥା ଜରିଆରେ, ଯାହା ମାନବୀୟ ଆତ୍ମାକୁ ଯୋଗାଏ ସାହସ ଆଉ ଆଗେଇ ନିଏ ଯନ୍ତ୍ରଣା ଓ ଦ୍ୱନ୍ଦ୍ୱ ବାଟ ଦେଇ । ଏହି ଭାବନା ଉଚ୍ଚାରିତ ହୋଇଛି ‘ଚିତ୍ରା’ ପୁସ୍ତକର ‘ଏବାର ଫିରାଓ ମୋରେ’ କବିତାରେ । କବିତାର ଆରମ୍ଭ ବଂଶୀବାଦନର ସଠିକତାକୁ ନେଇ...

 

ରହିବି ଏଠାରେ ବୋଲି ଯେଉଁଦିନ ଜଗତକୁ ଥିଲି ଆସି

କିଏ ସେଇ ମା’ ମତେ ଦେଲେ ଏଇ ଖେଳିବାର ବଂଶୀ ?

ବଜାଇ ବଜାଇ ତାହା ମୁଗ୍ଧ ହୋଇ ଆପଣାର ସୁରେ

ଦୀର୍ଘଦିନ ଦୀର୍ଘରାତ୍ରି କଟିଗଳା ଏକାନ୍ତ ସୁଦୂରେ

ପାର୍‌କରି ସଂସାରର ସୀମା

 

ନିସ୍ତବ୍ଧ ପ୍ରଶାନ୍ତି ଯାହା ମଧୁରତାର ଅଧିକାର ଭୁକ୍ତ ତାହା ଏହି କବିତାର ଲକ୍ଷ୍ୟ ନୁହେଁ । କବିତାରେ କାହା ସାଥିରେ ପୂର୍ବ ନିର୍ଦ୍ଧାରିତ ମିଳନ ।

 

କିଏ ସେଇ ? ଜାଣେନିତ ! ଚିହ୍ନି ନାହିଁ ତାରେ

କେବଳ ଏତିକି ଜାଣେ- ତାହା ଲାଗି ଅତି ଅନ୍ଧକାରେ

ଚାଲିଛି ମାନବଯାତ୍ରୀ ଯୁଗ ଯୁଗାନ୍ତର ବହି

ସାବଧାନେ ଝଡ଼ ଝଞ୍ଜା- ବଜ୍ରପାତ କେତେ ଜ୍ୱାଳା ସହି

ଜାଳଇ ମୁଁ ପ୍ରଦୀପକୁ ଅନ୍ତରର, ସେ ଶୁଣିଛି କାନେ

ତାହାର ଆହ୍ୱାନଗୀତ, ଛୁଟିଅଛି ନିର୍ଭୀକ ପରାଣେ ।

ସଂକଟ ଆବର୍ତ୍ତ ମଧ୍ୟେ ଦେଇଛି ସେ ବିମ୍ବ ବିସର୍ଜନ

ନିର୍ଯ୍ୟାତନା ସହିଛି ସେ ବକ୍ଷପାତି, ମୃତ୍ୟୁର ଗର୍ଜନ

ଶୁଣିଛି ସେ ସଂଗୀତର ସମ, ଦହିଅଛି ଅଗ୍ନି ତାରେ

ବିଦ୍ଧ କରିଅଛି ମୂନେ, ଛିନ୍ନ ତାକୁ କରିଛି କୁଠାର

ସର୍ବ ପ୍ରିୟ ବସ୍ତୁ ତାର ଅକାତରେ କରିଣ ଇନ୍ଧନ

ଚିର ଜନ୍ମ ତାରି ଲାଗି, ଜାଳିଛି ସେ ହୋମ ହୁତାଶନ ।

ହୃତ୍‌ପିଣ୍ଡ କରି ଚ୍ଛିନ୍ନ, ରକ୍ତ ପଦ୍ମ ଅର୍ଘ୍ୟ-ଉପହାରେ

ଭକ୍ତିଭରେ ଜନ୍ମଶୋଧ ଶେଷ ପୂଜା କରିଅଛି ତାରେ

ମରଣେ କୃତାର୍ଥ କରି ପ୍ରାଣ ।

 

ଏହାପରେ ମୋ କବିତାରେ ବେଳେବେଳେ ଦେଖାଯିବାକୁ ଆରମ୍ଭ କରେ ମହା ଆତ୍ମା ଆଉ ବୈୟକ୍ତିକ ଆତ୍ମାର ଆଘାତ ଓ ପ୍ରତ୍ୟାଘାତ । ଉଭୟର ପାରସ୍ପରିକ ପ୍ରତିକ୍ରିୟା, ଖେଳା ଲୀଳା ସବୁବେଳେ ମଧୁର ବା ସହଜ ହୋଇନଥାଏ । ସେହି ଆହ୍ୱାନ ଯାହା ଅସୀମରୁ ଆସେ ତାହା ଯାହା ହେଲେ ବି ବଂଇଶୀର ସୁମଧୁର ସୁର ନୁହେଁ । ଏହାର ଉତ୍ତର ମୁଁ ଦିଏ ଏହିପରି–

 

ହେ ମୋହିନୀ, ହେ ନିଷ୍ଠୁରା, ରକ୍ତଲୋଭାତୁରା,

କଠୋର ସ୍ୱାମିନୀ

ଦିନ ମୋର ଦେଲି ତୋରେ ଶେଷେ ଘେନି ଯିବା ଚାହୁଁ

ମୋ ସର୍ବ ଯାମିନୀ ?

ଜଗତେ ସବୁରି ଅଛି ସୀମା କିଛି ଏ ସଂସାରେ

ସବୁହୁଏ ଶେଷ

ତେବେ କିଆଁ କେବେ ମୋରିପାଇଁ ଶେଷ ହୁଏ ନାହିଁ

ତୁମରି ଆଦେଶ ?

ବିଶ୍ୱବ୍ୟାପୀ ଅନ୍ଧକାର ଚଉଦିଗେ ବାଛିନିଏ

ଆପଣାର ସ୍ଥାନ

କେଉଁଠାରୁ ତାର ମଧ୍ୟେ ବିଦ୍ୟୁତ୍‌ର ସମବାଜେ

ତୁମର ଆହ୍ୱାନ ?

ଏ ଆହ୍ୱାନ ନିଶ୍ଚିତ ଭାବରେ ଶକ୍ତିର ଆହ୍ୱାନ: ସାମର୍ଥ୍ୟର ମଇଦାନ ଉପରକୁ ଏକ ଜରୁରୀ ଡାକରା; ରୋମାଞ୍ଚକର ତୃପ୍ତି କୁଞ୍ଜକୁ ନୁହେଁ । ଏଣୁ ମୋର ଶେଷ ଉତ୍ତର–

 

ହେବ ହେବ ଜୟ ହେ ଦେବୀ କର ନିର୍ଭୟ

ହେବ ନିଶ୍ଚେ ଜୟୀ ।

ତୁମରି ଆହ୍ୱାନ ବାଣୀ ସଫଳ କରିବି ରାଣୀ

ହେ ମହିମାମୟୀ ।

କମ୍ପିବନି କ୍ଲାନ୍ତ କର ଭାଙ୍ଗିବନି କଣ୍ଠ ସ୍ୱର

ବୀଣା ଭାଙ୍ଗିବନି

ନବୀନ ପ୍ରଭାତ ଲାଗି ଦୀର୍ଘରାତ୍ରି ମୁଁ ଜାଗିବି

ଦୀପ ଲିଭିବନି

କର୍ମଭାର ନବପ୍ରାତେ ନବ ସେବକର ହାତେ

କରିଯିବ ଦାନ

ମୋର ଶେଷ କଣ୍ଠସ୍ୱରେ ଯିବି ମୁଁ ଘୋଷଣା କରି

ତୁମରି ଆହ୍ୱାନ ।

 

ଏଠାରେ ଅଛି ମୋର ଅବଚେତନ ବିଶ୍ୱର ଭିତିରି ଅନ୍ଧକାରରୁ ସଚେତନର ଆଲୋକଆଡ଼କୁ ମୋ ବିଶ୍ୱାସର କ୍ରମାଗତ ଜୟଯାତ୍ରାର ସ୍ପଷ୍ଟ ଓ ଅସ୍ପଷ୍ଟ ପାଦଚିହ୍ନମାନ । ଏହି ଚିହ୍ନଗୁଡ଼ିକୁ ବିଚାର କଲେ ଜଣାଯାଏ ଯେ ଯାତ୍ରୀଟି ନା ଜାଣେ ବାଟ ନା ସେ କେଉଁ ଦିଗରେ ଯିବ ସେ ବାବଦରେ ସଚେତନ । ସେ ମଧ୍ୟ ବୁଝିନାହିଁ ଏହି ପଥ ତାର ପରିଚିତ ବିଶ୍ୱକୁ ଯାଉଛି ନା ଏହା ବାହାରେ ଆଉ କେଉଁଠାକୁ । ଯାହା ସେ ଦେଖିପାରେ ସେଗୁଡ଼ିକୁ ନାମ ଦେଇପାରେ ନାହିଁ, ଆଉ ଚେଷ୍ଟାକରେ ଅନେକ ନାମରେ ନାମିତ କରିବାକୁ । ତା ମନରେ ଥିବା ଲକ୍ଷ୍ୟଆଡ଼କୁ ସେ ତା’ର ବାଟ ଖୋଜି ଗଲାବେଳେ, ହଠାତ୍ ସେ ଆଶ୍ଚର୍ଯ୍ୟ ହୁଏ ଯେ କେହିଜଣେ ତାକୁ ଭିନ୍ନ ଏକ ବାଟରେ ବାଟ କଢ଼ାଇ ନେଉଛି ।

 

ପଦେ ପଦେ ତୁମେ ଭୁଲାଇଲ ଦିଗ କେଉଁ ଦିଗେ ଯିବି କରିନାହିଁ ଠିକ୍‌

କ୍ଲାନ୍ତ ହୃଦୟ ଭ୍ରାନ୍ତ ପଥିକ

ଆସିଛି ନୂତନ ଦେଶେ,

କେବେ ଯେ ଉଦାର ଗିରିଶିଖରେ କେବେ ବେଦନାର ତମୋ ଗହ୍ୱରେ

ଜାଣେନା ଯେପଥ ସେପଥ ଉପରେ

ଚାଲିଛି ପାଗଳ ବେଶେ ।

 

ପୂର୍ବରୁ ସେହି ଯିଏ ଏହି କୁହେଳିକାଚ୍ଛନ୍ନ ପଥରେ ଆସିଥିଲେ ସେଠାରେ ଏବେ ଆଲୋକର କୁଳୁକୁଳୁ ନାଦ ଆଉ ତା ପରେ ଏକ ନିଶ୍ଚିତ ଈଶ୍ୱରୀୟ ତଥ୍ୟର ଆଭାସ । ଏ ଅନୁଭୂତି ବ୍ୟକ୍ତ ହୁଏ ସେ ସମୟର ଏକ ଚିଠିରେ; ଏଥିରୁ ଦୁଇଟି ଉଦ୍ଧୃତାଂଶ...

 

‘କିଏ ସେହି ମତେ ପଚାରୁଛି ଏତେ ଗମ୍ଭୀର ଉଦ୍ଦାତ୍ତ ସ୍ୱରେ ଦେଖିବାକୁ ପ୍ରତିଟି ଜିନିଷ, କିଏ ମତେ ବାଧ୍ୟ କରୁଛି ଶୁଣିବାକୁ ଶାନ୍ତ ଆଉ ମଗ୍ନ ହୋଇ ସମସ୍ତ ସଂଗୀତ ଯାହା ଏହି ପୃଥିବୀର ନୁହେଁ-।’

 

‘କିଏ ମୋର ସଂସାର ସହ ଅନୁବନ୍ଧିତ ସୂକ୍ଷ୍ମ ଓ ଜଟିଳ ଜାଲମାନ ତିଆରି କରୁଛି ପ୍ରତ୍ୟହ ଅଧିକ ବ୍ୟଗ୍ର, ଅଧିକ ସହୃଦୟ, ଅଧିକ ଉତ୍ତରଦାୟୀ ହୋଇ ?’

 

ଜନପ୍ରିୟ ଧର୍ମର ନାନା ପୁରାଣରୁ ଆମେ ଯେଉଁ ଧର୍ମ ଶିକ୍ଷା ପାଉ ତାହା କଦାପି ଜଣକର ସ୍ୱଧର୍ମ ହୁଏ ନାହିଁ । ଏହା କେବଳ ଅଭ୍ୟାସର ଏକ ବନ୍ଧନ ଯାହା ଆମକୁ ଯୋଡ଼ି ରଖିଥାଏ ଏହା ସହିତ । ନିଜ ଭିତରେ ଧାର୍ମିକ ଚେତନାକୁ ଜାଗ୍ରତ କରିବା ମଣିଷର ଚିରନ୍ତନ ଅକ୍ଷୟ ଅନ୍ୱେଷଣ । ଏହା ଅସୀମ ଯନ୍ତ୍ରଣା ମାଧ୍ୟମରେ ଜୀବନଆଡ଼କୁ ଅଣାଯାଇ ପାରେ । ମୋର ଶିରା ପ୍ରଶିରାର ରକ୍ତ ସହିତ ଏହାକୁ ମୁଁ ସତେଜ କରିବାକୁ ଚାହେଁ, ତାହେଲେ ଜୀବନରେ ମୁଁ ସୁଖ ପାଏ କି ନପାଏ, କିନ୍ତୁ ମରିପାରିବି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ।’

 

ଏହିପରି ଧୀରେ, ନୀରବରେ ଧର୍ମର ସ୍ପଷ୍ଟ ସ୍ୱୀକାରପାଇଁ ଗୋଟେ ଅନୁକୂଳ ପରିବେଶ ଜୀବନ ଭିତରେ ତିଆରି ହୋଇଗଲା । ଏହା ଯେତେ ଆଗେଇ ଚାଲିଳା, ମନେହେଲା ହଠାତ୍ ଯେପରି ପୂର୍ବଜୀବନ ଆଉ ଆଗକୁ ଆସୁଥିବା ଜୀବନ ଭିତରେ କିଛି ଗୋଟାଏ ଭାଙ୍ଗିଗଲା । ୟେ କିଏ ଯିଏ ହଠାତ୍ ଆସି ଉପସ୍ଥିତ ହୁଏ ମଣିଷର ଦ୍ୱନ୍ଦ୍ୱ ବିଭାଜିତ ପୃଥିବୀର ମୋଡ଼ରେ; ଭୟାନକ ଆଉ ବିଶୃଙ୍ଖଳା ଭରା, ଅସୀମ ଆକାଶରେ ବିଛେଇ ହୋଇ ରହିଥିବା ମଧୁରତା ଓ ପ୍ରଶାନ୍ତିର ପ୍ରାକୃତିକ ଆବରଣକୁ ମୁହୂର୍ତ୍ତକରେ ଖଣ୍ଡଖଣ୍ଡ କରି ଚୂନା କରିଦିଏ ? ବର୍ତ୍ତମାନଠାରୁ ଏହା ଉପରେ ଛାଇଯିବ ସଂଶୟର ଯନ୍ତ୍ରଣା, ବିପ୍ଲବର ଉତ୍‌ଥାନ ପତନ । ‘ବର୍ଷଶେଷ’ କବିତାଟି, ଯାହା ପ୍ରାୟ ଏହି ସମୟରେ ଲେଖା ହୋଇଥିଲା, ଏହି ଆଗାମୀ ଅବସର ବିଷୟରେ ଏହା ଏକ ଧାରଣା ଦିଏ, କାରଣ ଏହା ମନେହୁଏ ମହାବାତ୍ୟାର କ୍ରୋଧ ଧରି ଆସିଥିବା ପରି :

 

ହେ ଦୁର୍ଦ୍ଦମ, ହେ ନିଶ୍ଚିତ, ହେ ନୂତନ, ନିଷ୍ଠୁର ନୂତନ ସହଜ ପ୍ରବଳ,

ଜୀର୍ଣ୍ଣ ପୁଷ୍ପଦଳ ଯଥା ଧ୍ୱଂସ ଭ୍ରଂଶକରେ ଚତୁର୍ଦ୍ଦିଗେ, ଉଚ୍ଛେଦିତ ଫଳ

ପୁରାତନ ପର୍ଣ୍ଣପୁଟ ଜୀର୍ଣ୍ଣ ଓ ବିକୀର୍ଣ୍ଣ କରି ଅପୂର୍ବ ଆକାରେ

ସେଭଳି ସବଳେ ତୁମେ ପରିପୂର୍ଣ୍ଣ ହୋଇଛ ପ୍ରକାଶ- ତୁମକୁ ପ୍ରଣାମ କରେ ।

ତୁମକୁ ପ୍ରଣାମ କରେ ହେ ଭୀଷଣ, ସ୍ନିଗ୍ଧ ଶ୍ୟାମଳ ଅକ୍ଲାନ୍ତ ଅମ୍ଳାନ

ସଦ୍ୟଜାତ ମହାବୀର ବୋହି ଆଣିଅଛ କଣ- ତମେ କି ତା ଜାଣ ?

ଉଡ଼ଇ ତୁମର ଧ୍ୱଜା ମେଘ ବଜ୍ରଚ୍ୟୁତ ତପନର ଜଳଦର୍ଚ୍ଚି ରେଖା

କରଯୋଡ଼ି ଚାହିଁଅଛି ଉର୍ଦ୍ଧ୍ୱମୁଖେ, ପଢ଼ି ଜାଣେନାହିଁ କଣ ସେଇ ଲେଖା

ହେ କୁମାର, ହାସ୍ୟ ମୁଖେ ତୁମ ଧନୁର ଟଙ୍କାର ଝନନ ଝନନ

ବକ୍ଷର ପଞ୍ଜରା ଭେଦି ଅନ୍ତରେ ହେଉ କମ୍ପିତ ସୁତୀବ୍ର ସୁସ୍ୱନ ।

ହେ କିଶୋର, ତୋଳିନିଅ ତୁମ ଜୟଭେଦୀ ଉଦାର କର ଆହ୍ୱାନ,

ଆମେ ସବୁ ଠିଆ ହେବୁ, ଛୁଟିବୁ ଚୌଦିଗେ ଅରଜିବୁ ପ୍ରାଣ ।

ଚାହିଁବୁନି ପଛକୁ କଦାପି, ମାନିବୁନି ବନ୍ଧନ କ୍ରନ୍ଦନ ବାରିବୁନି ଦିଗ

ମାନିବୁନି ଦିନକାଳ କରିବୁନି ବିତର୍କ ବିଚାର ଉଦ୍ଦାମ ପଥିକ ।

 

ଉଷାର ପ୍ରଥମ ଆଗମନୀ ସମୟରେ, ରାତ୍ରିର ଶେଷ ପ୍ରାନ୍ତରେ, ପାହାନ୍ତାର ପ୍ରଥମ ଭାଗରେ ଏହାର ଜ୍ୟୋତି କୌଣସି ରୋଷଣିଠାରୁ କମ୍ ନୁହେଁ । ଅନେକ ରଙ୍ଗ ଏକାସାଥିରେ ଉକୁଟିବା ଆରମ୍ଭ କରେ ନଭଃମଣ୍ଡଳର କୋଣମାନଙ୍କରେ ଆଉ ମେଘର ଆସ୍ତରଣ ଉପରେ, ଧୀରେ ବୃକ୍ଷରାଜିର ଉପରିଭାଗ ଫର୍ଚ୍ଚା ଦିଶି ଆସେ, ଘାସ ଉପରେ କାକରବିନ୍ଦୁ ତରଳିବାକୁ ଆରମ୍ଭ କରେ, ଏହି ସମଗ୍ର ବ୍ୟାପାରଟି ଦେଖାଯାଏ ସମ୍ପୂର୍ଣ୍ଣ ଶୋଭାବର୍ଦ୍ଧକ । ଏଥିରୁ ଏତିକି ତ ଅନ୍ତତଃ ସ୍ପଷ୍ଟହୁଏ ଯେ, ଦିବସର କାର୍ଯ୍ୟକ୍ରମ ଏବେ ଆରମ୍ଭ ହେଲା ଆଉ ରଜନୀର କାମ ଶେଷ ହୋଇଗଲା-। ଏହା ସୂଚନା ଦିଏ ଯେ ସୂର୍ଯ୍ୟଦେବଙ୍କ ସ୍ପର୍ଶ ଆକାଶର ହୃଦସ୍ଥଳରେ ଅନୁଭୂତ ହେଉଛି; ଏହା ଉଦ୍‌ଘୋଷିତ କରେ ଯେ ତନ୍ଦ୍ରାଳୁ ରାତ୍ରିର ସଘନ, ବ୍ୟାପ୍ତ, ଅନ୍ତରଙ୍କ ପ୍ରଶାନ୍ତି ଏବେ ଶେଷାବସ୍ଥାରେ, ଆଉ ମୁହୂର୍ତ୍ତକ ଭିତରେ ସମସ୍ତ ଶାରୀରିକ ମାନସିକ ଶ୍ରମ ଆଉ ଜାଗ୍ରତ ହେବାର ପ୍ରଚେଷ୍ଟା ଉଠିଯିବ ସପ୍ତମକୁ ଆଉ ଏକ ଅସ୍ଥିର ଚଞ୍ଚଳ ଧୂନ୍‌ର ଅନୁନାସିକ ସ୍ୱର ଭିତରେ ଉଠିଯିବ ଭାଙ୍ଗି ଭାଙ୍ଗି ଯିବାକୁ ଆଉ ନିୟନ୍ତ୍ରିତ ହେବାକୁ ସଂଯୋଗ ସ୍ୱରମାନଙ୍କଦ୍ୱାରା । ଏହିପରି ଭାବରେ ମୋ ଲେଖାର ରୂପକମାନଙ୍କ ଭିତରେ ମୋ ଧର୍ମ ବିଶ୍ୱାସର ପ୍ରଥମ ଉପସ୍ଥିତିର ଅନୁଭବ, ଆଉ ସେହି ଅନୁଭବର ଭାଷା ମୁଁ ଖୋଜି ପାଇଛି ଆଉ ଅନେକ ରଂଗରେ କଳ୍ପନାର ମେଘମାଳାକୁ ମୋ ମାନସିକ ବିଶ୍ୱର ତୁଙ୍ଗିମାରେ ରଙ୍ଗାଇଛି । ହେଲେ ଏହାର ଅଭ୍ୟନ୍ତରରୁ ଆସିଛି ଏଇ ବାର୍ତ୍ତା ଯେ, ନାକ୍ଷତ୍ରିକ ପ୍ରକୃତିର ଅଭଙ୍ଗୁର ଶାନ୍ତି ଆଉ ନାହିଁ, ସରିଯାଇଛି ପାହାଡ଼ ବଣ ଜଂଗଲରେ ନିର୍ଜନତା ଖୋଜି ଆଶ୍ରୟ ନେବାର ବେଳ, ଯେ ମାନବଜାତିର ଯୁଦ୍ଧ କ୍ଷେତ୍ରର ଅୟମାରମ୍ଭ ବିପୁଳ ରୂପ ଧରି ଆଗେଇ ଆସୁଛି । ଯଦି ମନେପକାଇ ପାରିବ ମୋର ସେହି ପ୍ରବନ୍ଧ ‘ପାଗଳ’ ଯାହା ପ୍ରାୟ ସେହି ସମୟରେ ‘ବଙ୍ଗଦର୍ଶନ’ରେ ପ୍ରକାଶିତ ହୋଇଥିଲା, ଦେଖି ପାରିବ ଏହାର କଳ୍ପନାର ଆଳଙ୍କାରିକତା ମାଧ୍ୟମରେ କଣ ପ୍ରକୃତରେ ଖୋଜା ଯାଇଥିଲା ।

 

‘ମୁଁ ଜାଣେ ଯେ, ‘ସୁଖ’ ଗୋଟେ ଦୈନନ୍ଦିନ ଭାବ ପ୍ରକାଶକ ଶବ୍ଦ ମାତ୍ର, ‘ଉଲ୍ଲାସ’ କିନ୍ତୁ ଏହାର ସୀମାବାହାରେ ଆଉ କିଛି । ସାମାନ୍ୟ ଧୂଳିଦ୍ୱାରା ଛୁଆଁ ହେବାର ଏତେଟିକେ ସମ୍ଭାବନାରେ ସୁଖ ସଂକୁଚିତ ହୋଇଯାଏ, ‘ଉଲ୍ଲାସ’ ଗଡ଼େ ଧୂଳିରେ ଆଉ ନକ୍ଷତ୍ର ଜଗତରୁ ଏହାକୁ ଅଲଗା କରୁଥିବା କାନ୍ଥମାନଙ୍କୁ ଭାଂଗି ପକାଏ । ସୁଖପାଇଁ ଧୂଳି ଘୃଣ୍ୟ ହୋଇଥିବା ବେଳେ, ‘ଉଲ୍ଲାସ’ପାଇଁ ଏହା ଏକ ଭୂଷଣ । ‘ସୁଖ’ ସଦାବେଳେ ଭୟାତୁର କାଳେ କିଛି ହଜାଇ ଦେବ, ଉଲ୍ଲାସ ସଦାବେଳେ ଭାବେ ଯାହାବି ଅଛି ସେତକି ତାର ନିଜର ଆଉ ସବୁକୁ ବାଣ୍ଟିଦେଇ ସେ ସନ୍ତୁଷ୍ଟ । ସେହି କାରଣରୁ ‘ସୁଖ’ପାଇଁ ‘କିଛି ନାହିଁ’ର ଅର୍ଥ ଗରିବ ହୋଇଥିବାବେଳେ ‘ଉଲ୍ଲାସ’ କହେ ଗରିବ ହେବା ଅର୍ଥ ଧନୀ ହେବା । ଗୋଟେ ବ୍ୟବସ୍ଥାର ସୀମାଭିତରେ ‘ସୁଖ’ ଅତି ସତର୍କତାର ସହ ଏହାର ତୁଚ୍ଛ ସ୍ୱାଚ୍ଛନ୍ଦ୍ୟକୁ ଜଗି ରଖିଥାଏ । ‘ଉଲ୍ଲାସ’ ଏହାର ସୌନ୍ଦର୍ଯ୍ୟକୁ ଧ୍ୱଂସ ତଥା ଉତ୍‌ଥାନ ପତନର ସ୍ୱାଧୀନତା ଭିତରେ ଉଚ୍ଚ ସ୍ୱରରେ ଉଦ୍‌ଘୋଷିତ କରେ । ଏହାର ମର୍ମ ଏୟା ଯେ, ‘ସୁଖ’ ନିଜ ବାହାରେ ଥିବା ଶୃଙ୍ଖଳାଦ୍ୱାରା ନିୟନ୍ତ୍ରିତ; ଯେତେବେଳେ ‘ଉଲ୍ଲାସ’ ସବୁ ସୀମାରେଖାକୁ ଫିଙ୍ଗିଦେଇ ନିଜର ଶୃଙ୍ଖଳା ନିଜେ ସୃଷ୍ଟି କରେ । ‘ସୁଖ’ ଟିକିଏ ଅମୃତ ପାଇବା ଆଶାରେ ଅପେକ୍ଷା କରି ରହେ, ‘ଉଲ୍ଲାସ’ ବିନା ଚେଷ୍ଟାରେ ହଜମ କରିଦିଏ ଦୁଃଖର ସାମଗ୍ରୀ । ସୁଖର ଆଗ୍ରହ କେବଳ ସୁଖଦଆଡ଼କୁ, ଯେତେବେଳେ ଉଲ୍ଲାସପାଇଁ ସୁଖଦ ଏବଂ ଦୁଃଖଦ ଉଭୟ ଏକ ଓ ଅଭିନ୍ନ ।

 

‘ସର୍ଜନା ଭିତରେ ଗୋଟିଏ ପାଗଳପଣ ଅଛି: ଯାହାକିଛି ଅଭାବନୀୟ ବା ଅପ୍ରାତ୍ୟଶିତ ସେଗୁଡ଼ିକୁ ବାଟ କଢ଼ାଇ ଆଣେ ବିନା ତାଳମେଳ, ବିନା କାରଣରେ... ଦମନକାରୀ ନିୟମର ଈଶ୍ୱର ସବୁବେଳେ ଲାଗିଥାନ୍ତି କିପରି ପାର୍ଥିବ ଗତିର ସମସ୍ତ ବାଟକୁ ବୃତ୍ତାକାରରେ ବୁଲେଇ ବୁଲେଇ ବଦଳାଇ ଦେବେ । ଆଉ ଏହି ପାଗଳପଣ ବ୍ୟସ୍ତଥାଏ ସେଗୁଡ଼ିକୁ କୁଣ୍ଡଳାକାର ପଥରୁ ସଳଖସିଧା କରାଇବାରେ । ଏଇ ପାଗଳଟି ନିଜର ଖିଆଲରେ ଚଢ଼େଇମାନଙ୍କୁ ସ୍ୱାଭାବିକ ଭାବରେ ବିକଶିତ କରାଏ ସରୀସୃପ ପରିବାରରେ ଆଉ ମଣିଷଙ୍କୁ ମାଙ୍କଡ଼ ପରିବାରରେ । ଆମର ଏ ପ୍ରିୟ ପୃଥିବୀରେ ଯାହା ଯେପରି ହୋଇ ଆସିଛି ଆଉ ସ୍ଥିତାବସ୍ଥାରେ ରହିଛି, ସେଇତକକୁ ସ୍ଥିର ରଖିବାପାଇଁ ବହୁତ କଷ୍ଟକର ପ୍ରଚେଷ୍ଟା ବିଶେଷ ଭାବରେ ଚାଲିଛି; ଏଇ ପାଗଳଟି ସେହି ଶୃଙ୍ଖଳାକୁ ଓଲଟପାଲଟ କରିଦିଏ ଆଉ ଯାହା ନାହିଁ ସେଥିପାଇଁ ବେଶ୍‌ ବାଟ ବନାଇ ଦିଏ । ତା’ ହାତରେ ବଂଇଶୀ ନାହିଁ, ସଂଗତିର ସଂଗୀତ ତାର ଗୀତ ନୁହେଁ, ପୂଙ୍ଗା ଗର୍ଜି ଉଠେ ଉଚ୍ଚ ନିନାଦରେ, ପରମ୍ପରା ଅନୁକ୍ରମରେ ଚାଲିଥିବା ରୀତିନୀତିଗୁଡ଼ିକ ଭୁଷୁଡ଼ି ପଡ଼େ, ଆଉ କେଉଁ ନଥିବା ଯାଗାରୁ ବାହାରି ଆସେ ଗୋଟେ ଅଦୃଷ୍ଟପୂର୍ବ ଅବସ୍ଥା ଆଉ ଦାବିକରେ ନିଜର ସିଂହାସନ ।

 

‘ଆମ ପ୍ରାତ୍ୟହିକ ଜୀବନର ନିରସ ବିରକ୍ତିକର ଛୋଟ ଛୋଟ ଘଟଣା ଭିତରକୁ ହଠାତ୍ ବଳପୂର୍ବକ ପଶିଆସେ ଭୟାନକତା, ନିଜର ଜଳନ୍ତା କେଶରାଶିର ଐଶ୍ୱର୍ଯ୍ୟ ଉଡ଼ାଇ । ଏଇ ଭୟାନକଟି ଜାଗ୍ରତ କରାଏ ପ୍ରକୃତି ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଉ ମଣିଷ ଭିତରେ ଅତି ବେଶୀ ନୈତିକ ଭ୍ରଷ୍ଟତା । ସେହି ଜାଗରଣ କେତେ ସୁଖକର ମିଳନର ବନ୍ଧନ ଛିଡ଼ାଇ ସେମାନଙ୍କୁ ଅଲଗା କରି ଦେଇଛି, କେତେ ହୃଦୟର ସଂପର୍କକୁ ରସାତଳଗାମୀ କରିଛି ! ହେ ଭୀଷଣତା, ତୁମ ଭ୍ରୂଲତା ଉପରେ କମ୍ପିତ ଅଗ୍ନିଶିଖା, ଯାହା ଅନ୍ଧାର ଘରେ ନିଜର ଝୁଲ ବିଛାଇ ଜଳେ ବତୀ ଭଳି, ଏହା ସେହି ସମାନ ଅଗ୍ନିଶିଖା ଯାହାର ବ୍ୟୁତ୍ପାତ ଗୃହମାନଙ୍କୁ ଜଳାଏ ରାତିରେ ଅଜସ୍ର କ୍ରନ୍ଦନ ଆଉ ସହସ୍ର ମଣିଷଙ୍କ ତୀବ୍ର ଚିତ୍କାର ମଧ୍ୟରେ । ହେ ଶମ୍ଭୁ ! ତୁମରି ନୃତ୍ୟରେ, ବାମ ଓ ଦକ୍ଷିଣକୁ ତୁମ ନୃତ୍ୟର ଛନ୍ଦରେ ନକ୍ଷତ୍ର ଜଗତରେ ବିଷ୍ପୋରିତ ହୁଅନ୍ତି ଅତିଭଲ ଓ ଅତିମନ୍ଦ ଉଭୟ । ସାରା ବିଶ୍ୱର ପ୍ରତିଦିନର ସ୍ଥିତି ଉପରେ ଘୋଟି ଆସେ ତୁଚ୍ଛତାର ଏକ ଆବରଣ, ଆଉ ତୁମେ ଭଲ ଓ ମନ୍ଦର ଶକ୍ତିଶାଳୀ ଆଘାତରେ ଏହାକୁ ଚିରି ଖଣ୍ଡ ଖଣ୍ଡ କରିଦିଅ, କେବଳ ଶକ୍ତିକୁ ଅଭିବ୍ୟକ୍ତି ଦେବାକୁ । ତୁମେ ଜୀବନର ବିଦ୍ୟୁତ ସ୍ରୋତକୁ ସଜୋରେ ସ୍ପନ୍ଦିତ କରାଅ ଅପ୍ରତ୍ୟାଶିତ ଉତ୍ତେଜନା ସହିତ ଏହାର ନବ ନବ ନୃତ୍ୟ ଓ ନାଟକରେ, ଆଉ ସୃଷ୍ଟିକୁ ଏହାର ନବ ନବ ରୂପରେ ।

 

ହେ ପାଗଳ ପ୍ରାଣଶକ୍ତି, ମୋ ଭୀରୁ ହୃଦୟ ସଙ୍କୁଚିତ ହୋଇ ତୁମର ଏ ଭୟାନକ ଉଲ୍ଲାସରେ ଭାଗ ନେବାରୁ ଦୂରେଇ ନ ଯାଉ । ଧ୍ୱଂସର ରକ୍ତଲାଲ ଆକାଶର କେନ୍ଦ୍ରରେ, ସୂର୍ଯ୍ୟର ସହସ୍ର କିରଣ ପରି ଅତ୍ୟୁଜ୍ଜ୍ୱଳ ତୁମ ତୃତୀୟ ନୟନ ମୋ ଭାବାବେଗର ହୃତ୍‌ପିଣ୍ଡକୁ ଉଜ୍ଜ୍ୱଳ ଦୀପ୍ତିରେ ଆଲୋକିତ କରୁ । ନାଚିଚାଲ, ହେ ପାଗଳ ପ୍ରାଣଶକ୍ତି, ନାଚିଚାଲ । ଯେତେବେଳେ ତେଜଃଶାଳୀ ଘନ ସନ୍ନିବିଷ୍ଟ ନକ୍ଷତ୍ରପୁଞ୍ଜ ଏହି ନୃତ୍ୟର ଘୁର୍ଣ୍ଣନରେ ଗତିଶୀଳ ହୋଇ ଲକ୍ଷ-କୋଟି ମାଇଲର ଏମୁଣ୍ଡୁ ସେ ମୁଣ୍ଡ ଦୂରତା ମାପୁଥାଏ, ସେତେବେଳେ ମୋ ବକ୍ଷସ୍ଥଳରେ ଆତଙ୍କର ଅନିୟନ୍ତ୍ରିତ ସଙ୍କୋଚନ ଭିତରେ ଭୀଷଣ ସଂଗୀତ ନିଜର ଲୟ ନ ହରାଉ । ହେ ମରଣଜୟୀ, ଆମର ସମସ୍ତ ମଙ୍ଗଳ ଅମଙ୍ଗଳ ଭିତରେ ତୁମରି ହିଁ ବିଜୟବାନା ଉଡ଼ୁ ।

 

ଆମର ଏହି ଖିଆଲି ଈଶ୍ୱର ଯେ କେବଳ କେତେବେଳେ ଦେଖାଦିଅନ୍ତି ସେତିକି ନୁହେଁ, ସତ କହିବାକୁ ଗଲେ ତାଙ୍କ ପାଗଳପଣ ତାଙ୍କ ସର୍ଜନା ଭିତରେ ସର୍ବଦା ବିଦ୍ୟମାନ । କଥା କେବଳ ଏତିକି ଯେ ଆମ ଆଖିକୁ ଏହା କେତେବେଳେ କେତେବେଳେ ଦେଖାଯାଇଥାଏ । ମୃତ୍ୟୁଦ୍ୱାରା ହିଁ ପ୍ରାତ୍ୟହିକ ଜୀବନ ପୁନଃପୁନଃ ଆରମ୍ଭ ହୁଏ, ମନ୍ଦଦ୍ୱାରା ହିଁ ଭଲ ହୁଏ ଆଲୋକିତ, ତୁଚ୍ଛତା ମାର୍ଜିତ ହୋଇ ମହାର୍ଘ ହୁଏ ଅପ୍ରତ୍ୟାଶିତଦ୍ୱାରା । ଆମ ଆଖି ଯେତେବେଳେ କ୍ଷଣକପାଇଁ ଦେଖିପାରେ, ଆମେ ଅପରୂପ ଭିତରେ ଏପରି କିଛି ଅକସ୍ମାତ ଉଠି ଆସିବାର ଦେଖେଁ ଯାହା ମାଧୁର୍ଯ୍ୟର ସୀମା ଉର୍ଦ୍ଧ୍ୱରେ, ଆଉ ଦେଖେଁ ବନ୍ଧନ ଭିତରେ ମୁକ୍ତିର ଜାଗରଣ ।’

 

ତା’ପରେ ଏହି ବଦ୍ଧମୂଳ ଧାରଣା ବାରମ୍ବାର ମୋ ରଚନାରେ ଆସିଥିଲା ଯେ ଦୁଃଖ ଓ ନୈରାଶ୍ୟର ଆକୃତି ଭିତରେ, ଦ୍ୱନ୍ଦ୍ୱ ଓ ମୃତ୍ୟୁଭିତରେ ହିଁ ଅବିନଶ୍ୱର ନିଜର ଉପସ୍ଥିତ ଜାହିର୍ କରନ୍ତି ଆମ ଜୀବନରେ ।

 

କହ ମିଳନର ଇଏ କେଉଁ ରୀତି

ଆହେ ମରଣ ହେ ମୋ ମରଣ

ତାର ସମାରୋହ ଭାର କିଛି ନାହିଁ

ନାହିଁ କିଛି ମଙ୍ଗଳାଚରଣ ?

ତବ ପିଙ୍ଗଳ କୁଞ୍ଚିତ ମହାଜଟ

ସେ କି ଜୂଡ଼ାରେ ବନ୍ଧାଯିବନି ?

ତବ ବିଜୟୋଦ୍ଧତ ଧ୍ୱଜ ପଟଳ

କି ଚତୁର୍ଦ୍ଦିଗେ ଉଡ଼ି ପାରେନି ?

ତବ ମସାଲ ଆଲୋକେ ନଦୀତଟ

ଆଖି ମେଲିବନି ରକ୍ତବରଣ

ତ୍ରାସେ କମ୍ପି ଉଠିବନି ଧରାତଳ

ଆଗୋ ମରଣ, ହେ ମୋ ମରଣ ।

ଯେବେ ବିବାହେ ଚଳିଲା ତ୍ରିଲୋଚନ

ଆହେ ମରଣ ହେ ମୋ ମରଣ

ତାର କେଉଁଭଳି ଥିଲା ଆୟୋଜନ

ଥିଲା କେତେ ଶତ ଉପକରଣ ?

ତାର ଛଟପଟ ହୁଏ ବାଘ ଛାଲ

ତାର ଭୁଜଙ୍ଗ ଦଳ ଗରଜେ

ତାର ବମ୍ ବମ୍ ବାଜେ ଗାଲ

ଦୋଳେ ଗଳାରେ କପାଳାଭରଣ

ତାର ବଂଇଶୀରେ ଫୁଲେ ତାନ

ଆହେ ମରଣ ହେ ମୋ ମରଣ ।

ଯଦି କାମ କରୁଥିବି ଗୃହ ମଧ୍ୟେ

ଆହେ ମରଣ ହେ ମୋ ମରଣ

ତୁମେ ଭାଙ୍ଗିଦିଅ ସବୁ କାମ ମୋର

କର ସବୁ ଲାଜ ଅପହରଣ ।

ଯଦି ସପନେ ମିଳଇ ସବୁ ଇଚ୍ଛା

ମୁଁ ଶୋଇଥିବି ସୁଖ ଶୟନ,

ଯଦି ହୃଦୟେ ଜଡ଼ାଇ ଅବସାଦ

ଥିବ ଅର୍ଦ୍ଧ ଜାଗରିତ ନୟନ

ତେବେ ଶଙ୍ଖେ ତୁମର ତୋଳିନାଦ

କରେ ପ୍ରଳୟ ଶ୍ୱାସ ଭରଣ ॥

 

କିଏ ସେହି ରାଜା ଯିଏ ଦେଖା ଦେଇଥିଲେ ‘ଖେୟା’ ପୁସ୍ତକରେ ସନ୍ନିବିଷ୍ଟ ମୋ କବିତା ‘ଆଗମନ’ରେ ? ସେ ହିଁ ତ ସେହି ଅଶାନ୍ତ । ତାଙ୍କରି ‘ଆଗମନ’ର ସଂଶୟ । ପ୍ରତିଟି ଲୋକ ରାତିରେ କବାଟ ବନ୍ଦ କରି ଶୋଇଯାନ୍ତି, ସାମାନ୍ୟତମ ଧାରଣା ବି ମନରେ ନ ଥାଏ ଯେ ସେ ଆସିବେ । କବାଟରେ ବାରମ୍ବାର ଶୁଭେ କରାଘାତ, ରଥ ଚକର ଘର୍ଘର ନାଦ ଶୁଭେ ନିରନ୍ତର ସ୍ୱପ୍ନରେ ମେଘ ଗର୍ଜନ ଭଳି, ତଥାପି କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥା’ନ୍ତି ଯେ ସେ ଆସୁଛନ୍ତି, ଏଇଥିପାଇଁ ଯେ ସେମାନଙ୍କ ସୁଖ ନିଦ୍ରାରେ ବ୍ୟାଘ୍ରାତ ଘଟିବ । ହେଲେ ଧଡ଼କିନା ଖୋଲିଯାଏ ଦ୍ୱାର; ରାଜା ଆସିସାରିଛନ୍ତି ।

 

ଓଠର ଦୁଆର ଖୋଲିଦେ ରେ

ବଜା ଶଙ୍ଖ ବଜା,

ଗଭୀର ରାତେ ଆସିଛି ଖୋଜି

ଅନ୍ଧାର ଘରର ରାଜା ।

ବିଦ୍ୟୁତ୍‌ର ଝଲକ ଜଳେ

ବଜ୍ର ଡାକେ ଶୂନ୍ୟ ପୁରେ,

ଛିନ୍ନ ଶୟନ ଆଣରେ ଟାଣି

ଅଗଣା ତୋର ସଜା

ଝଡ଼ର ସାଥେ ହଠାତ୍ ଆସେ

ଦୁଃଖ ରାତିର ରାଜା ।

 

‘ଖେୟା’ରେ ଗୋଟିଏ କବିତା ଅଛି ‘ଦାନ’ । ବିଷୟଟି ଏହିପରି: ମୁଁ ଚାହିଁଥିଲି ଫୁଲର ଏକ ମାଳା, ହେଲେ ପାଇଲି କଣ ?

 

ଏତ ମାଳା ନୁହେଁ ମାଳା ନୁହେଁ ଏ ଯେ ତୁମ ତରବାରି

ଜଳି ଉଠେ ଅଗ୍ନିସମ, ବଜ୍ରଧ୍ୱନି ସମ ଓଜନ ଏହାରି

ଏଯେ ତୁମ ତରବାରି ॥

 

ଏଭଳି ଏକ ଦାନପାଇଁ କେହି ଶାନ୍ତିରେ ରହିବା ସମ୍ଭବ ? ଅନେକ କ୍ଲେଶ ଆଉ ଯାତନା ଦେଇ ଯଦି ଏହା ପ୍ରାପ୍ତ ହୋଇ ନଥାଏ, ତାହେଲେ ଶାନ୍ତି କେବଳ ଗୋଟାଏ ବନ୍ଧନ:

 

ଆଜିଠାରୁ ଏହି ଜଗତ ମଧ୍ୟେ

ଛାଡ଼ିବି ମୁଁ ତ ଭୟ

ଆଜିଠାରୁ ମୋର ସକଳ କର୍ମେ

ତୁମରି ହେବ ଜୟ

ମୁଁ ଛାଡ଼ିବି ସକଳ ଭୟ ।

ମରଣକୁ ମୋର ଦ୍ୱିତୀୟ ସମ

ରଖି ଯାଇଅଛି ଏ ମୋର ଘରେ,

ତାହାକୁ ବରଣ କରି ମୁଁ ରଖିବି

ମୋର ଅନ୍ତର ପୁରେ ।

ତୁମ ତରବାରି ମୋର

କରିବ ବନ୍ଧନ କ୍ଷୟ

ମୁଁ ତ ଛାଡ଼ିବି ସକଳ ଭୟ ।

 

ଏହିଭଳି ଅନେକ କବିତାଂଶରୁ ଉଦ୍ଧୃତି ଦିଆଯାଇ ପାରିବ ଯାହାର ରାଗିଣୀ ବନ୍ଧା ହୋଇଥାଏ ଏହାର ଅସମଞ୍ଜସ ଶ୍ରୁତିମଧୁରତାର ଅଭାବ ସହିତ । ହେଲେ ସେହି ଏକା ସମୟରେ ଏକଥା ବି ମାନିବାକୁ ହେବ ଯେ ଏହା ଗୋଟେ ମଧ୍ୟବର୍ତ୍ତୀ ଅବସ୍ଥାର କଥା, ଯାହା ଏ ଯାଏଁ ଅନ୍ତିମ ସହ ସଂଯୁକ୍ତ ହୋଇନାହିଁ । ବାସ୍ତବ ଅନ୍ତିମ ହେଉଛି ଶାନ୍ତମ ଶିବମ୍ ଅଦ୍ୱୈତମ୍ । ‘ସେ ହିଁ ଶାନ୍ତ ଓ ଉତ୍ତମ ଯାହାର ବିକଳ୍ପ ନାହିଁ ।’ ଯଦି ଭୟଙ୍କରର ଚରମଗୁଣ ଭୟାନକ ହୋଇଥାନ୍ତା, ତାହେଲେ ଆମ ଆତ୍ମାମାନ ଏଭଳି ଏକ ଅସଂପୂର୍ଣ୍ଣତା ଭିତରେ ଆଶ୍ରୟ ଖୋଜି ନଥାନ୍ତେ, ଆଉ ବିଶ୍ୱ ନିଜକୁ ସଂରକ୍ଷିତ ରଖିବାକୁ କେଉଁଠାରୁ, କାହାଠାରୁ ସ୍ଥାନ ଖୋଜି ଥାନ୍ତା ? ସେଇଥିପାଇଁ ଏହି ମାନବସମୁଦାୟ ହିଁ ତାଙ୍କୁ ଉଦାତ୍ତସ୍ୱରରେ ଆହ୍ୱାନ କରେ: ‘ରୁଦ୍ରୟାତ୍ତେ ଦକ୍ଷିଣମ୍ ମୁଖମ୍ ତେନା ମାଂ ପାହି ନିତ୍ୟମ୍ ।’ ହେ ରୁଦ୍ର, ଏହା ସହିତ ତୁମ ଦୟାଶୀଳ ମୁଖ ସର୍ବଦା ମୋତେ ସୁରକ୍ଷିତ ରଖୁ । ସେହି କରୁଣାମୟ ମୁଖମଣ୍ଡଳ ହିଁ ଚରମସତ୍ୟ ଓ ଅନ୍ତିମ ସତ୍ୟ । ଏହା ଏପରି ସତ୍ୟ ଏହା ଭୀଷଣତାଠାରୁ ବୃହତ୍ତର । ହେଲେ ଏହା ପାଖରେ ପହଞ୍ଚିବାପାଇଁ ଜଣେ ଆତଙ୍କ ସହିତ ମୁକାବିଲା କରିବା ଦରକାର । ନୈପୁଣ୍ୟ ତାହା ଯାହା ଭୟାନକତାକୁ ନିଶ୍ଚିହ୍ନ କରିଦିଏ, ପ୍ରଶାନ୍ତି ତାହା ଯାହା ଅସ୍ଥିରତାକୁ ଯାଗା ଦେବାକୁ ମନାକରେ, ତାହା କେବଳ ସ୍ୱପ୍ନ, ତାହା ସତ୍ୟ ନୁହେଁ ।

 

ବଜ୍ରେ ତୁମର ବାଜଇ ବଂଶୀ,

ସେ କି ସହଜ ଗାନ

ସେଇ ସୁରରେ ଜାଗଇ ମୁଁ ଯେ,

ଦିଅ ମତେ ସେଇ କର୍ଣ୍ଣ ।

ଭୁଲିବିନି ଆଉ ସହଜରେ,

ସେଇଥିରେ ମାତି ଉଠିବ ମନ ।

ମୃତ୍ୟୁ ମଧ୍ୟେ ବି ଢାଙ୍କି ରହିଛି,

ସେଇ ଅନନ୍ତ ପ୍ରାଣ ।

ସେ ଝଡ଼ ଯେମିତି ବାଜେ ଆନନ୍ଦେ,

ଚିତ୍ତ ବୀଣାର ତାରେ

ସପତ ସିନ୍ଧୁ ଦଶ ଦିଗନ୍ତ,

ନାଚଇ ସେଇ ଝଂକାରେ

ସେଇ ଗଭୀରେ ନିଅ ହେ ମତେ,

ଆରାମରୁ କରି ଚ୍ଛିନ୍ନ

ଅଶାନ୍ତିର ଅନ୍ତରେ ଯହିଁ,

ଶାନ୍ତ ସୁମହାନ ।

 

ମୋ ରଚିତ ନାଟକମାନଙ୍କୁ ଯେତେବେଳେ ପାଖରୁ ଦେଖେ, ‘ଶାରଦୋତ୍ସବ’ରୁ ଆରମ୍ଭ କରି ‘ଫାଲ୍‍ଗୁନୀ’ ଯାଏଁ ପ୍ରତିଟିରେ ମୁଁ ଶୁଣେ ସେହି ଏକା ସଂଗୀତର ଘୋଷା । ରାଜା ସମସ୍ତଙ୍କ ସହ ମିଶି ବାହାରି ଯାଆନ୍ତି ଶାରଦୋତ୍ସବ ପାଳନ ନିମନ୍ତେ । ସେ ଖୋଜୁଛନ୍ତି ତାଙ୍କ ସାଥୀମାନଙ୍କୁ । ବାଟରେ ସେ ଦେଖନ୍ତି ଦଳେ ବାଳକ ବାହାରି ଆସିଛନ୍ତି, ପ୍ରକୃତି ଜଗତର ଆନନ୍ଦୋତ୍ସବରେ ଭାଗ ନେବାକୁ । ହେଲେ ସେଠାରେ ଅଛି ଗୋଟିଏ ବାଳକ ଉପାନନ୍ଦ, ଯିଏ ସବୁ ଖେଳ ଛାଡ଼ି ଗୋଟିଏ କୋଣରେ ବସି ତା ମାଲିକର ପାଉଣା ହିସାବ କାମରେ ବ୍ୟସ୍ତ । ରାଜା କହନ୍ତି ଯେ, ଏବେ ସେ ତାଙ୍କର ପ୍ରକୃତ ସୀଥୀ ଖୋଜି ପାଇଛନ୍ତି କାରଣ ସେହି ବାଳକଟି ଶରତ ଋତୁରେ ପ୍ରକୃତି ସହ ସଂପର୍କିତ ହେବାର ପ୍ରକୃତ ଆନନ୍ଦକୁ ଜାଣେ । ଆନନ୍ଦ ପାଇବାର ଋଣ ସେ ପରିଶୋଧ କରୁଛି ସହୁଥିବା କଷ୍ଟ ଦେଇ । ଏହି ଯନ୍ତ୍ରଣାର ଅଧିକାର ଯୋଗ୍ୟ ହେବାଠାରୁ ମିଠା ଆଉକିଛି ନାହିଁ । ନକ୍ଷତ୍ର ଜଗତ ବି ଏହି ଯନ୍ତ୍ରଣାର ଦଣ୍ଡ ଭୋଗିବାରେ ବ୍ୟସ୍ତ: ନିଜ ଭିତରେ ଏହାର ଦାନ ଗ୍ରହଣ କରି ଏକ ଅକ୍ଲାନ୍ତ ଘୂର୍ଣ୍ଣନ ମଧ୍ୟରେ ଏହା ପରିଶୋଧ କରୁଛି ଅସୀମର ଋଣ, ଅକ୍ଲାନ୍ତ ପ୍ରଚେଷ୍ଟା କରି ଘାସର ପ୍ରତିଟି ପତ୍ର ନିଜର ସ୍ଥିତି ଜାହିର କରେ, ତାହେଲେ ନିଜର ଅବିଚ୍ଛେଦ୍ୟ ବାସ୍ତବତାର ଯେଉଁ ଋଣ ତା ଉପରେ ରହିଛି ସେ ସୁଝି ପାରିବ । ନିର୍ମମ ଯନ୍ତ୍ରଣାଆଡ଼କୁ ଏହି ସମର୍ପଣ ଭିତରେ ରହିଛି ଏହାର ଆଚରଣର ସୌନ୍ଦର୍ଯ୍ୟ, ଆଉ ଏହିଠାରେ ହିଁ ଏହାର ଉତ୍ସବ ପାଳନ । ଏହି ସବୁ ମିଶି ପ୍ରକୃତି ଜଗତକୁ ଶରତ ଋତୁରେ ଦେଇଛନ୍ତି କମନୀୟତା, ଆଉ ଉଚ୍ଛ୍ୱାସରେ ଦେଇଛନ୍ତି ଭରପୂର ସାମର୍ଥ୍ୟ-। ବାହାରୁ ଦେଖିଲେ ଏହା ଖେଳଭଳି ମନେହୋଇ ପାରେ, ହେଲେ ଏହା ଖେଳନୁହେଁ, ଆଉ ସାମାନ୍ୟତମ ପ୍ରତିବନ୍ଧକ ଏହା ସହ୍ୟ କରେ ନାହିଁ । ଏହି ସହଜାତ ସତ୍ୟର ଋଣ ସୁଝିବାରେ ସାମାନ୍ୟ ହେଳା କଲେ, ଅଭିବ୍ୟକ୍ତି ବ୍ୟାହତ ହୁଏ, ଅସୁନ୍ଦରପଣ ସ୍ପଷ୍ଟ ହୁଏ, ଆନନ୍ଦ ଉଭେଇ ଯାଏ-। ଆତ୍ମାର ଅଭିବ୍ୟକ୍ତି ଆନନ୍ଦରେ ପୂର୍ଣ୍ଣ । ଏହି କାରଣରୁ ଏହା ଯନ୍ତ୍ରଣା ଓ ମୃତ୍ୟୁକୁ ସତ୍ୟବୋଲି ମାନି ନିଏ, ଯେଉଁ ବ୍ୟକ୍ତି ଏହି ଦୁଃଖ ଯନ୍ତ୍ରଣାର ପଥକୁ ଭୟ, ଆଳସ୍ୟ ବା ଅନିଶ୍ଚିତତା କାରଣରୁ ଏଡାଇଯାଏ ସେ ପୃଥିବୀରେ ଏହି ପରମ ସୁଖରୁ ବଞ୍ଚିତ ହୋଇଥାଏ । ‘ଶାରଦୋତ୍ସବ’ର ଏହା ହିଁ ଅନ୍ତର୍ନିହିତ ସତ୍ୟ; ଗୋଟେ ଗଛତଳେ ବସି ବଂଶୀବାଦନ ଶୁଣିବାର କାହାଣୀ ଏହା ନୁହେଁ ।

 

‘ରାଜା’ ନାଟକରେ ସୁଦର୍ଶନ ତାଙ୍କ ଗୋପ୍ୟ ରହିଥିବା ରାଜାଙ୍କୁ ଦେଖିବାକୁ ଇଚ୍ଛା କରିଥିଲେ, ନିଜ ସୌନ୍ଦର୍ଯ୍ୟର ପ୍ରଶଂସାରେ ଉତ୍‌ଫୁଲ୍ଲିତ ହୋଇ ସେ ଭୁଲ ରାଜାଙ୍କ ଗଳାରେ ବରଣମାଳା ପକାଇଦେଲେ; ସେହି ଅପରାଧ ଓ ଭ୍ରାନ୍ତିଭିତରେ, ପ୍ରଚଣ୍ଡ ଅଗ୍ନିକାଣ୍ଡ ଆଉ ଭୟାନକ ସଂଘର୍ଷ ଭିଆଇ ଭିତରେ ବାହାରେ ଏପରି ମହାଝଡ଼ ସୃଷ୍ଟି କଲେ ଯାହା ତାଙ୍କୁ ତାଙ୍କ ପ୍ରକୃତ ସାଥୀମାନଙ୍କ ପାଖକୁ ନେଇଗଲା । ସର୍ଜନାର ପଥ ଯାଇଥାଏ ବିଧ୍ୱସ୍ତ ଅବସ୍ଥା ଦେଇ । ସେଥିପାଇଁ ଉପନିଷଦରେ କୁହାଯାଇଛି, ସେହିଁ ଏ ସବୁ ସୃଷ୍ଟି କରିଛନ୍ତି ଯିଏ ଉତ୍ତପ୍ତତାଦ୍ୱାରା ସର୍ବଦା ଉତ୍ତପ୍ତ । ଆମ ହୃଦୟର ସର୍ଜନା ପ୍ରକ୍ରିୟାରେ ପାଦେ ପାଦେ ରହିଛି ଯନ୍ତ୍ରଣା । ହେଲେ ମୁଁ ଯଦି ଏହାକୁ କେବଳ କଷ୍ଟ ବୋଲି ଭାବିବି, ସମ୍ପୂର୍ଣ୍ଣ ଛବିଟି ମୁଁ ଦେଖିପାରିବି ନାହିଁ କାରଣ ସେହି କଷ୍ଟ ଭିତରେ ହିଁ ରହିଛି ସୌନ୍ଦର୍ଯ୍ୟ ଓ ଆନନ୍ଦ ।

 

ସଚେତନତା ତାହା ଯାହା ଆମକୁ ଜଣାଇଦିଏ କିପରି ଏହା ବାଧା ବିଘ୍ନ ଲଂଘି ଉପରକୁ ଉଠୁଛି, ଗତାନୁଗତିକ ଅଭ୍ୟାସ ଓ ଆରାମର କାନ୍ଥମାନଙ୍କୁ ତଳକୁ ଟାଣି ଭାଙ୍ଗି ଦେଉଛି । ସଚେତନତା ଆମକୁ ମୁକ୍ତ କରାଏ, ‘ଦୁର୍ଗମ ପଥସ୍ତତ୍ କବାୟୋ ବଦନ୍ତି’, ଏହା ଏକ ବିପଦସଙ୍କୁଳ ପଥ, ଏହିପରି କହନ୍ତି ସାଧୁଜନେ । ଏହାର ବିଜୟବାଦ୍ୟ ବଜାଇ ଆସେ ଯନ୍ତ୍ରଣାର ବିପଜ୍ଜନକ ରାସ୍ତା । ଏହା ଦିଗବଳୟକୁ ଆତଙ୍କରେ କମ୍ପମାନ କରେ, ଯେପରି ଏହାକୁ ଆମର ଶତ୍ରୁରୂପେ ଆମେ ଦେଖିବା, ଆଉ ଗୋଟିଏ ସଂଗ୍ରାମ ପରେ ଆମେ ଏହାକୁ ସମ୍ମାନ ଦିଏ, କାରଣ ଦୁର୍ବଳଦ୍ୱାରା ଆତ୍ମୋପଲବ୍ଧି ହୁଏ ନାହିଁ, ‘ନୟମାତ୍ମା ବଳହୀନେନା ଲଭ୍ୟଃ’, ‘ଅଚଳାୟତନ’ରେ ଏହି ଧାରଣା ତ ଆଲୌଚିତ ହୋଇଛି ।

 

ମହାପଞ୍ଚକ:

ତୁମେ କଣ ଆମ ଗୁରୁ ?

ଜେଜେବାପା:

ହଁ, ତୁମେ ମୋତେ ଜାଣନା, ହେଲେ ମୁଁ ତୁମର ପ୍ରକୃତ ଗୁରୁ ।

ମହାପଞ୍ଚକ:

ତୁମେ ଆମ ଗୁରୁ ? ଆମର ସମସ୍ତ ପ୍ରଚଳିତ ପ୍ରଥା ଭାଙ୍ଗି, କେଉଁ ବାଟ ଦେଇ ତୁମେ ଆସିଲ ? କିଏ ତୁମ କଥା ମାନିବ ?

ଜେଜେବାପା:

ମୁଁ ଜାଣେ ମୋତେ ମାନ୍ୟତା ମିଳିବ ନାହିଁ, ତଥାପି ବି ମୁଁ ତୁମର ଗୁରୁ ।

ମହାପଞ୍ଚକ:

ତୁମେ ଜଣେ ଗୁରୁ ? ତାହେଲେ ତୁମେ ଶତ୍ରୁ ପୋଷାକ ପିନ୍ଧିଛ କାହିଁକି ?

ଜେଜେବାପା:

ଏହା ମୋର ଗୁରୁଙ୍କ ପୋଷାକ, ତୁମେ ମୋ ସହିତ ଯୁଦ୍ଧ କରିବ,ସେହି ଯୁଦ୍ଧ ହିଁ ହେବ ଗୁରୁ ଭାବରେ ମୋର ସ୍ୱାଗତିକା ।

ମହାପଞ୍ଚକ:

ମୁଁ ତୁମ ପାଖରେ ମୁଣ୍ଡ ନୁଆଁଇବି ନାହିଁ ।

ଜେଜେବାପା:

ମୁଁ ତୁମର ବଶ୍ୟତା ସ୍ୱୀକାର କରିବି ନାହିଁ । ମୁଁ ତୁମକୁ ନତମସ୍ତକ କରାଇବି ।

ମହାପଞ୍ଚକ:

ତୁମେ ଆମ ଉପାସନା ଗ୍ରହଣ କରିବାକୁ ଆସିନାହଁ ?

ଜେଜେବାପା:

ନା, ମୁଁ ତୁମ ପୂଜା ପାଇବାକୁ ଆସିନାହିଁ, ମୁଁ ଆସିଛି ତୁମ ଅପମାନ ଗ୍ରହଣ କରିବାକୁ ।

 

ମୋ ମନକୁ ଆସେ, ଆଜି ୟୁରୋପରେ ଯେଉଁ ଯୁଦ୍ଧର ପ୍ରକୋପ ଦେଖାଦେଇଛି ତାହା ଘଟିଛି କାରଣ ଗୁରୁ ଆସି ସାରିଛନ୍ତି । ସେ ନିଶ୍ଚୟ ଛିନ୍‌ଛତ୍ର କରି ଭାଙ୍ଗିଦେବେ ଯୁଗ ଯୁଗରୁ ଗଢା ହୋଇଥିବା ଅର୍ଥ, ଯଶ, ଅହଙ୍କାରର ପ୍ରାଚୀନ କାନ୍ଥମାନ ।

 

ତାଙ୍କ ଆଗମନପାଇଁ କେହି ପ୍ରସ୍ତୁତ ନଥିଲେ । ହେଲେ ତାଙ୍କରତ ଆସିବାର ଥିଲା ଦର୍ଶନୀୟ ଶୋଭାଯାତ୍ରାରେ, ଯାହା ଦୀର୍ଘକାଳଧରି ପ୍ରସ୍ତୁତି ପଥରେ ଥିଲା, କାରଣ ୟୁରୋପର ସୁଦର୍ଶନା, ମିଥ୍ୟା ରାଜା ସୁବର୍ଣ୍ଣର ସୌନ୍ଦର୍ଯ୍ୟରେ ମୋହିତ ହୋଇ, ତାକୁ ନିଜର ସ୍ୱାମୀବୋଲି ଭୁଲରେ ଭାବିଲେ ଯାହା ଫଳରେ ଅଗ୍ନ୍ୟୁତ୍ପାତ ଘଟିଲା । ଆଉ ସାତଜଣ ରାଜା ନିଜକୁ ସଂଘର୍ଷରେ ମାତିଥିବାର ଦେଖିଲେ, ରାଣୀ ଏଠାରେ ନିଜର ରଥ ପରିତ୍ୟାଗ କରିବାକୁ ବାଧ୍ୟ, ଧନରତ୍ନ ତ୍ୟାଗ କରିବାକୁ ବାଧ୍ୟ ଆଉ ନିଜର ନିର୍ଦ୍ଧାରିତ ମିଳନ ସ୍ଥାନ ଓ ସମୟର ବାଟରେ ଧୂଳି, ଗୁଳି ନ ମାନି ଆଗେଇଗଲେ ପ୍ରିୟ ସହ ମିଳିତ ହେବାକୁ । ‘ଗୀତାଲି’ କବିତାରୁ ଅଂଶଟିଏ:

 

ଏକ ହାତେ ତାର କୃପାଣ ରହିଛି

ଆନ ହାତେ ଏକ ହାର

ସେ ଭାଙ୍ଗିଛି ତୁମ ଦୁଆର ।

 

ଆସିନି ସେ ଭିକ୍ଷାପାଇଁ

ସିଏ ଜିଣିବ କରି ଲଢାଇ

ମନ ଓ ପ୍ରାଣ ତୁମର ।

ସେ ତ ଭାଙ୍ଗିଛି ତୁମ ଦୁଆର ।

 

ମରଣର ପଥ ଦେଇ ସେହି

ଆସିଛି ଜୀବନ ମଧ୍ୟେ

ସେ ଯେ ଆସିଛି ବୀରର ସାଜେ ।

 

ଅଧା ନେଇ ସେତ ଫେରିବନି

ଅଛି ଯାହା ସବୁ ଏକାଥରେ

କରିନେବ ଅଧିକାର

ସେ ଯେ ଭାଙ୍ଗିଛି ତୁମ ଦୁଆର

ସେ ଯେ ଭାଙ୍ଗିଛି ତୁମ ଦୁଆର ॥

 

ଏହି ସବୁ ଉପରେ ବାରମ୍ବାର ମୁଁ ଦୀର୍ଘଦିନ ଧରି ଚିନ୍ତା କରିଛି: ଏହି ସଂଶୟ, ମୃତ୍ୟୁ ଆଉ ଜୀବନ, ଶକ୍ତି ଆଉ ପ୍ରେମ, ସ୍ୱାର୍ଥପରତା ଆଉ ଜନମଙ୍ଗଳ, ବିରୋଧାଭାସର ଏହି ସଂଘର୍ଷ ଯାହା ଭିତରେ କେବଳ ମଣିଷର ଧାର୍ମିକ ପ୍ରବୃତ୍ତି ହିଁ କ୍ଷଣକ ଦୃକ୍‌ପାତରେ ଏକ ସତ୍ ସମାଧାନ ଦେଖିପାରେ; ଏହା ଏପରି ଗୋଟେ ସମାଧାନ ଯାହା ସର୍ବୋଚ୍ଚ ଶାନ୍ତି, ସର୍ବୋଚ୍ଚ ଭଲପଣ ଆଉ ସର୍ବୋଚ୍ଚ ସଂହତିର ସମନ୍ୱୟ । ମୋ ‘ଶାନ୍ତିନିକେତନ’ ବକ୍ତବ୍ୟରୁ କିଛି ଅଂଶ ଉଦ୍ଧାର କରାଯାଇ ପାରେ । ହେଲେ ଯେଉଁଠାରେ ମୁଁ ସ୍ୱୀକାରୋକ୍ତିମୂଳକ ଧର୍ମନିଷ୍ଠ ବ୍ୟାଖ୍ୟାନ ଦେଇଛି ସେଠାରେ ମୋର ଗଭୀରତମ ସତ୍ୟକୁ ମୁଁ ପ୍ରକାଶ କରି ନଥାଇ ପାରେ; ଏହା ବି ଅସମ୍ଭବ ନୁହେଁ ଯେ ଜନଶ୍ରୁତିରୁ ଗ୍ରହଣ କରିଥିବା ସ୍ୱତଃସିଦ୍ଧତା ସହ ମୁଁ ଆପୋଷ ନିଷ୍ପତ୍ତି କରିନେଇଛି । ସାହିତ୍ୟ ସୃଷ୍ଟିରେ ଜଣେ ଲେଖକର ପବିତ୍ରତର ଅଂଶଟି ନିଜକୁ ଅଜାଣତରେ ଖୋଲି ଦେଇଥାଏ; ଯାହା ଫଳରେ ସୃଷ୍ଟି ହୋଇଯାଏ ଏକ ପବିତ୍ରତର ବସ୍ତୁ । ସେଥିଯୋଗୁ ମୁଁ କବିତା ଓ ନାଟକ ପାଖକୁ ଯାଏ କେବଳ ପ୍ରମାଣ ହାସଲ କରିବାକୁ ।

 

ଜୀବନ ଯେପରି ତାକୁ ସେହିରୂପେ ଜାଣିବାକୁ ହେଲେ ଜଣେ ମୃତ୍ୟୁ-ସହିତ ପରିଚିତ ହେବାକୁ ବାଧ୍ୟ । ବ୍ୟକ୍ତିଟି ଯିଏ ଭୟରେ ମୃତ୍ୟୁଠାରୁ ଦୂରେଇ ଯାଏ ଆଉ ଜୀବନକୁ ବିକଳ ହୋଇ ଯାବୁଡ଼ି ଧରେ ସେ ଜୀବନର ସୁଗନ୍ଧକୁ ଜାଣେ ନାହିଁ, କାରଣ ତାର ଜୀବନ ପ୍ରତି ଉପଯୁକ୍ତ ସମ୍ମାନ ନଥାଏ । ଫଳରେ ଜୀବନର ବଳୟ ଭିତରେ ଥିଲା ବେଳେ ବି ସେ ମୃତ୍ୟୁ ଆତଙ୍କରେ ସର୍ବଦା ଆକ୍ରାନ୍ତ ହୋଇଥାଏ । ଯେଉଁ ଲୋକଟି ଆଗୁଆ ଦୌଡ଼ିଯାଏ ମୃତ୍ୟୁକୁ ଆବଦ୍ଧ କରିନେବାକୁ ସେ ଦେଖିପାରେ ଯେ ଯାହା ସେ ଧରିଛି ତାହା ଆଦୌ ମୃତ୍ୟୁ ନୁହେଁ, ଏହା ଜୀବନ । ମୁଁ ଯେତେବେଳେ ସାହସର ସହିତ ଏହାର ମୁହାଁମୁହିଁ ହୋଇପାରେ ନାହିଁ; ଦେଖେ ମୋ ପଛରେ ଏହାର ଛାଇ । ମୁଁ ତାହାକୁ ଦେଖିଚାଲେ ଆଉ ପ୍ରତି ସେକେଣ୍ଡରେ ମରେ । ଯେତେବେଳେ ଏହା ସାମ୍ନାରେ ନିର୍ଭୟରେ ଠିଆ ହୁଏ ଦେଖେ ଯେ ସେ ସେହି ଏକା ସମ୍ପ୍ରଦାୟର ନେତା ଯିଏ ଆମକୁ ଜୀବନ ପଥରେ ବାଟ କଢ଼ାଇ ନିଏ ଆଉ ମରଣର ପ୍ରବେଶ ପଥ ଦେଇ ବୋହି ବି ନିଏ । ‘ପାଲ୍‌ଗୁନୀ’ର ପ୍ରାରମ୍ଭ ଦୃଶ୍ୟରେ ଦଳେ ଯୁବକ ବସନ୍ତୋତ୍ସବ ପାଳନ କରିବାକୁ ବାହାରିଛନ୍ତି । ହେଲେ ଏହି ପର୍ବଟି ଆଉ କୋଳାହଳପୂର୍ଣ୍ଣ ମଉଜ ମଜଲିସ୍‌ରେ ସୀମିତ ରହିନାହିଁ; ଏହା ବି ନୁହେଁ ଗୋଟେ ମାମୁଲି ଉତ୍ସବ ସାଧାରଣଭାବେ ପାଳିତ ହେବାପାଇଁ । ଜରା ଓ କଠିଣତାର କ୍ଲାନ୍ତି ଆଉ ବିନାଶର ଭୟବାଟ ଦେଇ ଜଣେ ଯାଇ ପହଞ୍ଚେ ନୂତନ ଜୀବନର ଆନନ୍ଦ ପାଖରେ । ଯୁବକଟି କହେ, ‘ଆମେ ଏହି ପ୍ରାଚୀନ ପଠନଶୀଳତାକୁ ଅତିକ୍ରମି ଯିବା, ଆମେ ବିନାଶକୁ ବନ୍ଦୀ କରି ନେବା ।’ ଏହି ଉଲ୍ଲାସ ଓ ଅଭିନୟ, ଏହି ବସନ୍ତୋତ୍ସବ ଆମେ ବାରମ୍ବାର ଦେଖେ ମଣିଷର ଇତିହାସରେ । ସାମାଜିକ ଜୀବନରେ ଯେତେବେଳେ ଜରାବସ୍ଥା ଗଭୀର ହୁଏ, ଆଉ ପରମ୍ପରା ହୋଇଯାଏ ଅର୍ଥହୀନ, ଆଉ ପୁରୁଣାକାଳିଆ ରୀତିନୀତିର ଅତ୍ୟାଚାର ଯୁବଜୀବନକୁ ଆହତ କରେ ଓ ଏହାର ପ୍ରାଣଶକ୍ତିକୁ ଧ୍ୱଂସ କରିଦିଏ, ସେତିକିବେଳେ, ଠିକ୍ ସେହି ସମୟରେ ମଣିଷ ଦ୍ରୁତ ଗତିରେ ବିନାଶ ଆଡ଼କୁ ମାଡ଼ିଯାଏ ଆଉ ବିପ୍ଲବ ବିଦ୍ରୋହ ମାଧ୍ୟମରେ ନବବସନ୍ତର ଉତ୍ସବପାଇଁ ଆୟୋଜନ କରେ । ଏହି ପ୍ରସ୍ତୁତି କରଣ, ଦେଖିବାକୁ ଗଲେ ୟୁରୋପରେ ହିଁ ଚାଲିଛି । ସେଠାରେ ଗୋଟାଏ ନୂଆଯୁଗର ବସନ୍ତୋତ୍ସବ ଅନେକ ରଂଗରେ ଆରମ୍ଭ ହୋଇଯାଇଛି । ମାନବର ଇତିହାସ ପଠାଇଛି ଏକ ବାର୍ତ୍ତା ବିନାଶକୁ ଆହ୍ୱାନ ଦେଇ, କାରଣ ଏହାକୁ ନିଜର ଚିରତାରୁଣ୍ୟଭରା ଅବିନଶ୍ୱର ଆକାରକୁ ବିମୁକ୍ତ କରି ଦେଖାଇବାକୁ ହେବ, ଦେଖାଇବାକୁ ବାଧ୍ୟ ବି; ଆଉ ଏହା ହେଉଛି ମୃତ୍ୟୁ ଯାହାକୁ ସୁନ୍ଦର କରିବାପାଇଁ ଶୋଭାବର୍ଦ୍ଧକ ପ୍ରକ୍ରିୟା ସହ ସର୍ବଦା ଜଡ଼ିତ କରାଯାଇଥାଏ ।

 

ସେଥିପାଇଁ ‘ଫାଲଗୁନୀ’ର ବାଉଲ୍ କହେ;

 

‘ଯୁଗଯୁଗଧରି ମଣିଷ ସଂଘର୍ଷ କରିଆସିଛି, ଆଜି ଏହି ମଳୟବୋହି ଆଣିଛି ସେହି ସଂଘର୍ଷର ତରଂଗ... । ବସନ୍ତର କଅଁଳ ପତ୍ରରେ ସେଇମାନେ ପଠାଇଛନ୍ତି ଚିଠି ଯେଉଁମାନେ ବିନାଶ ଜରିଆରେ ହୋଇଛନ୍ତି ଅବିନାଶୀ, ମରଣ ଜରିଆରେ ଅମର । ସବୁଦିଗରୁ ସେମାନେ ଡାକରା ଦେଉଛନ୍ତି: କେଉଁବାଟ ଗ୍ରହଣୀୟ ତାକୁ ନେଇ ଆମେ ତ କେବେ ଆପତ୍ତି କରିନାହୁଁ, ଆମେ ତ ଅଗ୍ରଗତିକୁ କେବେ ବିରୋଧ କରିନାହୁଁ, ଆମେ ତ ତଡ଼ିତ ବେଗରେ ସମୟ ସହିତ ଆଗେଇ ଆସିଛୁ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହୋଇ ଝଡ଼ିଯିବାକୁ । ଆମେ ଯଦି ଭାବିବାକୁ ଅଟକି ଯାଇଥାନ୍ତୁ, ବସନ୍ତର କଣ ହୋଇଥାନ୍ତା ?’

 

ବସନ୍ତର କଅଁଳ ପତ୍ରରେ ଲେଖା ଯେଉଁ ଚିଠିଟି ମୁଁ ପଢ଼ିଲି, ତାକୁ କିଏ ଲେଖିଥିଲେ ? ସେଇସବୁ ପତ୍ରମାନେ ଯିଏ ଜୀର୍ଣ୍ଣ ହୋଇ ଖସି ପଡ଼ିଥିଲେ ସେଇମାନେ ପଠାଇଥିଲେ ସେମାନଙ୍କ ବାର୍ତ୍ତା ବିନାଶ ଜରିଆରେ । ଯଦି ସେମାନେ ଡାଳମାନଙ୍କୁ ଜାବୁଡ଼ି ରହିଯାଇପାରିଥାନ୍ତେ, ତାହେଲେ ବାର୍ଦ୍ଧକ୍ୟ ଓ ଜୀର୍ଣ୍ଣତା ହିଁ ହୋଇଥାନ୍ତା ଅମର...ଆଉ ପୁରୁଣା ପୋଥିର କପଡ଼ା କାଗଜ ଯାହା ସାରା ଅରଣ୍ୟକୁ କରିଥାନ୍ତା ହଳଦିଆ, ଆଉ ଆକାଶ ଥରି ଉଠିଥାନ୍ତା ଶୁଖିଲା ପତ୍ରର ଖସ୍‌ଖସ୍ ମର୍ମରରେ-। ହେଲେ ପ୍ରାଚୀନ ନିଜର ଚିରନ୍ତନ ଯୌବନ ଆଉ ସତେଜତାକୁ ବିନାଶ ଜରିଆରେ ହିଁ ବ୍ୟକ୍ତ କରେ, ଏହା ହିଁ ପ୍ରକୃତ ବସନ୍ତୋତ୍ସବ । ସେଥିପାଇଁ ତ ବସନ୍ତ କହେ, ଯେଉଁମାନେ ମରଣକୁ ଡରନ୍ତି ସେମାନେ ଜୀବନକୁ ଜାଣନ୍ତି ନାହିଁ; ଜୀବନରସରେ ପୂର୍ଣ୍ଣ ବ୍ରହ୍ମାଣ୍ଡରୁ ବିଚ୍ୟୁତ ହୋଇ ସେମାନେ ପଚନଶୀଳତାକୁ କୋଳାଗ୍ରତ କରନ୍ତି ଆଉ ନିଜର ସ୍ଥିତି ଜାହିର କରନ୍ତି ଗୋଟେ ଜୀବନ୍ତ ମୃତ୍ୟୁ ଭିତରେ ।

 

ଚନ୍ଦ୍ରହାସ:

ଓଃ, ତୁମେ ... ଆମ କାପଟେନ ... ସେ ବୁଢ଼ା ଲୋକଟି କାହିଁ ?

କାପଟେନ:

ସେ ତ ଆଦୌ କେଉଁଠି ନାହିଁ ।

ଚନ୍ଦ୍ରହାସ:

କେଉଁଠି ନାହିଁ ? ... ତାହେଲେ ସେ କଣ ?

କାପଟେନ:

ସେ ଗୋଟେ ସ୍ୱପ୍ନ ।

ଚନ୍ଦ୍ରହାସ:

ତାହେଲେ ତୁମେ କଣ ଅପରିବର୍ତ୍ତନଶୀଳ ?

କାପଟେନ୍‌:

ହଁ ।

ଚନ୍ଦ୍ରହାସ:

ଆଉ ଆମେ ବି ଏଠାରେ ଅପରିବର୍ତ୍ତନଶୀଳ ?

କାପଟେନ୍‌:

ହଁ

ଚନ୍ଦ୍ରହାସ:

ପଛରୁ ଯେଉଁମାନେ ତମକୁ ଦେଖିଥିବେ, ସେମାନେ କେତେ ଅଲଗା ବାଗରେ ତମକୁ ଭାବିଥିବେ ? ତୁମେ ସେତେବେଳେ ନିଶ୍ଚୟ ବହୁତ ବୁଢ଼ା ଦେଖାଯାଉଥିଲ-। ତା’ପରେ ଗୁମ୍ଫା ଭିତରୁ ବାହାରି ଆସିଲ । ଏବେ ତୁମେ ଦେଖାଯାଉଛ ବାଳକଟି ପରି । ସତେ କି ତମକୁ ପ୍ରଥମକରି ଦେଖୁଛି । ବାରମ୍ବାର ତୁମେ ନୂଆ ଦିଶୁଛ, ପ୍ରତିଥର ନୂଆ । କି ଅଦ୍ଭୁତ ! (ଫାଲଗୁନୀରୁ)

 

ମଣିଷ ଚାହେଁ ଜୀବନକୁ ଅଧିକ ସତ୍ୟ, ବୃହତ୍ତର, ଅଧିକ ସତେଜ କରି ଅନୁଭବିବ, ମାନବ ସଭ୍ୟତାର ଯାତ୍ରାରେ ସେହି ଜୀବନ ଯାହା ଅବାରିତ ବିକଶିତ ହେଉଥାଏ, ପ୍ରଷ୍ପୁଟିତ ହେଉଥାଏ; ତାହା ସେପରି ପ୍ରଷ୍ଫୁଟିତ ହେଉଥାଏ କେବଳ ଅବାରିତ ମୃତ୍ୟୁକୁ ଜୟ କରି ପାରିଥାଏ ବୋଲି ।

 

ମାନବ କହୁଛି :

ମାରି ମାରି ମରଣ ପାଖେ କରି ଦେ ଏକାଥରକେ ଶେଷ

ତା’ପରେ ଆସିବ ଯେଉଁ ଜୀବନ

ଘେନ ଲବେ ନିଜ ଉଚ୍ଚଆସନ

ମଣିଷ ଜାଣିଛି, ନୁହେଁ ଏ ମଧୁର ଖେଳା

ତୁମର ମୋର ସାରା ଜୀବନ

ସକାଳ ସଞ୍ଜ ବେଳା

କେତେବାର ଯେ ଲିଭିଲା ବତୀ

ଗର୍ଜି ଆସିଲା ଝଡ଼ର ରାତି

ଏଇ ସଂସାର ଦୋଳିରେ ଚାଲେ

ସଂଶୟର ଖେଳା ।

ବନ୍ୟା ଛୁଟେ ବନ୍ଧ ଭାଙ୍ଗି ବାରମ୍ବାର

କାନ୍ଦଉଠେ ଦାରୁଣ ଦିନେ ଚଉଦିଗର

ଆହେ ରୁଦ୍ର, ଦୁଃଖେ ସୁଖେ

ଏଇ କଥାଟି ବାଜଇ ବୁକେ

ତୁମର ପ୍ରେମରେ ଆଘାତ ଅଛି ନାହିଁ ତ ଅବହେଳା ।

 

ଧର୍ମକୁ ନେଇ ମୋର ବିଚାରଧାରା କଣ ? ଆଜି ବି ଦୃଢ଼ ଭାବରେ ମୁଁ କହିପାରିବି ନାହିଁ-। ଯେ ଏକଦମ ସ୍ପଷ୍ଟଭାବରେ ଆଉ ଭଲ କରି ମୁଁ ଜାଣିଛି ଏହା କଣ । ଯାହା ହେଲେ ବି ଏହା କଦାପି ସିଦ୍ଧାନ୍ତ ଆଉ ବିଶ୍ୱାସ ଉପରେ ଆଧାରିତ ପୌରାଣିକ ଧର୍ମଧାରଣା ନୁହେଁ । ଯଦି ଜୀବନର ଅନ୍ତରତମ ପ୍ରଶିରାରୁ ଏହାର ମୂଳକୁ ଉତ୍ପାଟିତ କରି, ଆଉ ଅନାବୃତ୍ତ କରି, ହାତରେ ଟେକି ଧରି ଅନୁସନ୍ଧାନପାଇଁ ଦେଖାଇବାଦ୍ୱାରା ହିଁ କେବଳ ଏହି ଧର୍ମଧାରାକୁ ଜାଣିହେବ ଆଉ ବୁଝିହେବ; ତାହେଲେ ମୋ ପକ୍ଷରେ ଏହି କାର୍ଯ୍ୟ ସମ୍ଭବ ନୁହେଁ । ହେଲେ ଏତିକି ମୁଁ ନିଶ୍ଚୟ ଜାଣେ ଯେ, ଏହି ଧର୍ମର ମୂଳ ଉଦ୍ଦେଶ୍ୟ କେବେ ବି ଅଳସ ଶାନ୍ତି ଆଉ ସୌନ୍ଦର୍ଯ୍ୟର ଉପଭୋଗ ନୁହେଁ । ମୁଁ ମାନୁଛି; ‘ଆନନ୍ଦଧ୍ୟେବ ଖଳ୍ୱିମନି ଭୂତାନି ଜାୟନ୍ତେ’; ଅର୍ଥାତ୍ ଯାହାର କିଛି ସ୍ଥିତି ଅଛି ସେ ସମସ୍ତ ଆନନ୍ଦରୁ ଜାତ; ଆଉ ‘ଆନନ୍ଦମ୍ ପ୍ରୟାନ୍ତି ଅଭିସମ୍ବିଶାନ୍ତି’, ଅର୍ଥାତ୍ ସମସ୍ତେ ପ୍ରସ୍ଥାନ କରି ଆଉ ଦୂରେଇ ଯାଇ ଆନନ୍ଦରେ ଲୀନ ହୁଅନ୍ତି । ହେଲେ କୌଣସି ବି ଆନନ୍ଦ ଆନନ୍ଦ ପଦବାଚ୍ୟ ନୁହେଁ ଯାହା ଦୁଃଖକୁ ପରିତ୍ୟାଗ କରିଥାଏ । ଆନନ୍ଦ ଏହିପରି ଯାହା ଦୁଃଖକୁ ସ୍ୱାଗତ କରେ । ଏହି ଆନନ୍ଦରେ ଉତ୍କୃଷ୍ଟ ବସ୍ତୁଟି ଏୟା ଯେ ଏହା ମନ୍ଦକୁ ଅତିକ୍ରମ କରି ପ୍ରକାଶିତ ହୁଏ, ମନ୍ଦକୁ ତ୍ୟାଗ କରି ନୁହେଁ; ଆନନ୍ଦରେ ଯାହା ଅପରିବର୍ତ୍ତନୀୟ, ଅତୁଳନୀୟ ଆଉ ଆକର୍ଷଣୀୟ ତାହା ବିଭାଜନ ଓ ଦ୍ୱନ୍ଦ୍ୱମାନଙ୍କୁ ସମାଧାନ କରିବାଦ୍ୱାରା ମିଳିଥାଏ, ଏଗୁଡ଼ିକୁ ଆଗ୍ରାହ୍ୟ କରି ନୁହେଁ ।

 

ଅନ୍ଧକାରର ଉତ୍ସ ଭିତରୁ ଉତ୍ସରିତ ଯେ ଆଲୋକ

ସେଇତ ତୁମ ଆଲୋକ,

ସକଳ ଦ୍ୱନ୍ଦ୍ୱ ବିରୋଧ ମଧ୍ୟେ ଜାଗ୍ରତ ଯେଉଁ ‘ଭଲ’

ସେଇତ ତୁମରି ‘ଭଲ’ ।

ପଥର ଧୂଳିରେ ଛାତି ଖୋଲି ଦେଇ ରହିଅଛି ଯେଉଁ ଗୃହ

ସେଇତ ତୁମର ଗୃହ

ହଜାର ଆଘାତ ଅମର କରେ ଯେ ରୁଦ୍ର ନିଷ୍ଠୁର ସ୍ନେହ

ସେଇ ତ ତୁମର ସ୍ନେହ ।

ସବୁ ଶେଷ ହେଲେ ବାକି ରହିଯାଏ ଅଦୃଶ୍ୟ ଯେଉଁ ‘ଦାନ’

ସେଇ ତ ତୁମରି ‘ଦାନ’

ମୃତ୍ୟୁ ନିଜର ପାତ୍ରକୁ ଭରି ବହି ନିଏ ଯେଉଁ ‘ପ୍ରାଣ’

ସେଇ ତ ତୁମର ‘ପ୍ରାଣ’ ।

ବିଶ୍ୱ ଜନତାର ପାଦତଳେ ଧୂଳିମୟ ଯେଉଁ ଭୂମି

ସେଇ ତ ତୁମର ଭୂମି

ସଭିଙ୍କୁ ନେଇ ସଭିଙ୍କ ଭିତରେ ଲୁଚି ରହି ଅଛ ତୁମେ

ସେଇ ତ ମୋହର ‘ତୁମେ’ ।

 

ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ । ଶାନ୍ତମ୍ ଶିବମ୍ ଅଦ୍ୱୈତମ୍ । ‘ସତ୍ୟ ହିଁ ଅସୀମ ଜ୍ଞାନ । ଶାନ୍ତି ହିଁ ଚରମ ଉତ୍କର୍ଷ ।’ ହିବ୍ରୁ ପୌରାଣିକ କିମ୍ବଦନ୍ତୀରେ ଏହା କୁହାଯାଇଛି ଯେ ଏକଦା ମଣିଷ ଏକ ଅମର ବିଶ୍ୱରେ ବଞ୍ଚୁଥିଲା । ସେହି ସ୍ଥାନଟି ଥିଲା ସ୍ୱର୍ଗ । ସେ ବିଶ୍ୱରେ ନା ଥିଲା ଦୁଃଖ ନା ମୃତ୍ୟୁ । ହେଲେ ଯନ୍ତ୍ରଣା ଆଉ ଅନିଷ୍ଟ ପ୍ରବଣତା ସହ ସଂଗ୍ରାମ ନ କରି ଯଦି ଗୋଟିଏ ସ୍ୱର୍ଗ ମିଳିଯାଏ, ତାହେଲେ ଏହା ଜ୍ଞାନର ସ୍ୱର୍ଗ ନୁହେଁ; ଅମେ ଏହାକୁ ସ୍ୱର୍ଗ ବୋଲି ମାନିବାକୁ ପ୍ରସ୍ତୁତ ନୁହଁ; ଠିକ୍ ସେହିପରି ଯେପରି ମାଆର ଗର୍ଭ ଭିତରେ ଥାଇ ଶିଶୁଟି ମା’କୁ ଜାଣି ନଥାଏ, ମା’ଠାରୁ ବିଚ୍ଛିନ୍ନ ହୋଇ ହିଁ ସେ ମାଆଙ୍କୁ ଜାଣେ ।

 

ଗର୍ଭ ଛାଡ଼ି ମାଟି ଉପରେ ପଡ଼ଇ ଯେବେ

ନିଜର ମାଆଙ୍କୁ ସନ୍ତାନ ଦେଖଇ ତେବେ ।

ତୁମର ଆଦର ଲଭେ ମୁଁ ଯେବେ

ଆବୃତ ରହେ ମୁଁ ନାଡ଼ି ସଙ୍ଗେ ।

 

ସେତେବେଳେ କିଛି ନ ଜାଣେ

ଆଘାତ ହାଣେ

ତୁମ ଆଚ୍ଛାଦନ ଭିତରୁ ଯେଦିନ

ଟାଣି ହୋଇ ଆସେ

ଦେଖେ ମୁଁ ତୁମ ମୁଖ, ଚେତନା ଆସେ ।

 

ଏହା ତେଣୁ ସେହି ଜ୍ଞାନ ଯାହା ଅଜ୍ଞତାର ସ୍ୱର୍ଗରେ ଦେଖାଯାଏ ଆଉ ଜ୍ଞାନର ଆବିର୍ଭାବ ସହିତ ବାସ୍ତବତା ଭିତରେ ଚାରିଆଡ଼େ ଖେଳେଇ ହୋଇ ବିରାଟ ବିରୋଧାଭାଷ ତିଆରି କରେ । ସତ୍ୟ ଓ ମିଥ୍ୟାଚାର ମଧ୍ୟରେ, ଭଲ ଓ ମନ୍ଦଭିତରେ, ଜୀବନ ଓ ମୃତ୍ୟୁ ମଧ୍ୟରେ ଦ୍ୱନ୍ଦ୍ୱ ମଣିଷକୁ ସ୍ୱର୍ଗରୁ ବାହାର କରି ଲଜ୍ଜା, ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ ନିର୍ବାସିତ କରିଦିଏ । ଏହି ମତତ୍ତେଦର ସଂଘର୍ଷ ଭିତର ଦେଇ ମଣିଷ ଫେରେ ଅଖଣ୍ଡ ସତ୍ୟ ପାଖକୁ ଯେଉଁଠାରୁ ସେ ଆଉଥରେ ତଳେ ଖସି ପଡ଼ିବ ନାହିଁ । ହେଲେ କେଉଁଠାରେ ଏତେ ବିବାଦର ସଂଘର୍ଷ ସମାହିତ ହୋଇ ପାରିବ ? ଅନନ୍ତ ମଧ୍ୟରେ । ଉପନିଷଦରେ ଏହିପରି କୁହାଯାଇଛି, ‘ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ ।’ ସତ୍ୟ ହିଁ ଅନନ୍ତଜ୍ଞାନ । ସୃଷ୍ଟିର ଆରମ୍ଭରେ ମଣିଷ ରହେ ଉଭୟ ଜୀବନ୍ତ ଓ ଜଡ଼ ମେଳରେ ସତ୍ୟକୋଳରେ: ଜ୍ଞାନ ଆଣିଦିଏ ସଂଶୟ ଆଉ ମଣିଷକୁ ତା’ର ସ୍ୱାଧୀନତା ଭିତରୁ ବାହାର କରି ଆଣେ; ଆଉ ଶେଷରେ ସତ୍ୟର ପୂର୍ଣ୍ଣାଙ୍ଗ ତଥା ଅସୀମ ରୂପର ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଏହା ମାନବକୁ ମିଳାଏ ବାକି ସବୁସହିତ ।

 

ଧର୍ମନିଷ୍ଠ ସହଜାତ ପ୍ରବୃତ୍ତିର ପ୍ରାଥମିକ ଅବସ୍ଥାରେ ସେଠାରେ ଥାଏ ଶାନ୍ତମ୍‌, ପରମ ଶାନ୍ତି: ମଣିଷ ସେତେବେଳେ ତା ନିଜ ପ୍ରକୃତିର ପୂରାପୂରି ନିୟନ୍ତ୍ରଣରେ ଥାଏ । ଏଇ ଅବସ୍ଥାରେ ସେ ଚାହେଁ କେବଳ ସୁଖ ଆଉ ସମ୍ପତ୍ତି, ପୁଣି ଶିଶୁଟିଏ ପରି ବ୍ୟାକୁଳ ହୋଇଥାଏ କେବଳ ଖୁସିପାଇଁ, କାରଣ ତାର ଲକ୍ଷ୍ୟ ସନ୍ତୋଷ ଲାଭ । ତା’ପରେ ତାର ମାନବିକତାର ଜାଗରଣ ସହିତ ଆସେ ତାର ସଂଶୟାକୁଳ ସ୍ଥିତି । ତା’ପରେ ସେ ଖୋଜେ ଭଲ-ମନ୍ଦ, ସୁଖ-ଦୁଃଖ ଦ୍ୱୈତଭାବର ଏକ ସମାଧାନ; ଏହାପରେ ସେ ଆଉ ଦୁଃଖଠାରୁ ଦୂରେଇ ଯାଏ ନାହିଁ କିମ୍ବା ବିନାଶକୁ ଭୟ କରେ ନାହିଁ-। ଏହି ଅବସ୍ଥାରେ ଶିବମ୍‌, ସେହି ସତ୍ୟ, ସେହି ବାସ୍ତବ, ସେହି ଉତ୍କର୍ଷ ହୋଇଥାଏ ତାର ଲକ୍ଷ୍ୟ । ହେଲେ ଏହାର ଶେଷ ଏତିକିରେ ହୁଏ ନାହିଁ, ଏହାର ଶେଷ ହୁଏ ପ୍ରେମରେ, ଆନନ୍ଦରେ । ଗଙ୍ଗା ଓ ଯମୁନାର ଅପୂର୍ବ ମିଳନ ପରି ସୁଖ ଆଉ ଦୁଃଖ, ଭୋଗ ଆଉ ତ୍ୟାଗ, ଜୀବନ ଆଉ ମୃତ୍ୟୁ ସେଠାରେ ମିଶିଯାଆନ୍ତି । ସେଇଠି ଥାଏ ଅଦ୍ୱୈତମ; ଏକ ଏବଂ ସ୍ୱତଃସିଦ୍ଧ । ସେଠାରେ ଏହା ନୁହେଁ କେବଳ ସଂଶୟ ଓ ବିଚ୍ଛେଦର ସାଗର ଲଂଘନ; ଏହା ମଧ୍ୟ ନୌକାରୁ କୂଳକୁ ଆସିବା । ସେଠାରେ ଯେଉଁ ଆନନ୍ଦ ଥାଏ ତାହା ଦୁଃଖର ସମ୍ପୂର୍ଣ୍ଣ ବିରତିରେ ଆଦୌ ନଥାଏ, ପରନ୍ତୁ ଏହାର ସମ୍ପୂର୍ଣ୍ଣ ମିଳନରେ ଥାଏ । ଧର୍ମନିଷ୍ଠ ସହଜାତ ପ୍ରବୃତ୍ତିର ଏହି ଦୀର୍ଘଯାତ୍ରାରେ ପ୍ରଥମେ ଆସେ ଜୀବନ, ତା’ପରେ ମରଣ ଆଉ ତାହାପରେ ଅମରତ୍ୱ । ସେହି ଅମରତ୍ୱ ଲାଭ କରିବାର ଅଧିକାର ମଣିଷ ପାଇସାରିଛି । କାରଣ ସମସ୍ତ ଜୀବନ୍ତ ପ୍ରାଣୀଙ୍କ ମଧ୍ୟରେ କେବଳ ମଣିଷ ହିଁ ‘ଉତ୍ତମ’ର ବିପଦ ସଂକୁଳ କ୍ଷୁରଧାର ପଥ ଉପରେ ଦୁଃଖ ଆଉ ମୃତ୍ୟୁକୁ ସ୍ୱୀକାର କରି ନେଇଛି । ସାବିତ୍ରୀଙ୍କ ପରି ସେ ଯମରାଜଙ୍କ ହାତରୁ ନିଜର ସତ୍ୟକୁ ପୁନଃ ଫେରସ୍ତ ପାଇବାକୁ ଦାବି କରିଛି । ସେ ସ୍ୱର୍ଗରୁ ଖସି ତଳକୁ ମରଣଶୀଳ ପୃଥିବୀର ମାଟି ଉପରକୁ ଆସିଛି; ସେଥିପାଇଁ ଅମରତ୍ୱର ବିଶ୍ୱକୁ ଆଲିଙ୍ଗନ କରିବାର ସାମର୍ଥ୍ୟ ତାର ଅଛି । କେବଳ ଧର୍ମବିଶ୍ୱାସ ହିଁ ମଣିଷକୁ ସଂଶୟର ଝଡ଼ ଝଞ୍ଜା ଅତିକ୍ରମ କରାଇ ସେହି ଏକ ଓ ଅବିଚଳ କୂଳରେ ଲଗାଇ ଦେଇପାରେ; ଅମରତ୍ୱ, ଆନନ୍ଦ ଓ ପ୍ରେମର ଉପକୂଳରେ । ଯେଉଁମାନେ ସାମୁଦ୍ରିକ ଝଡ଼ ସାଥିରେ ଉଡ଼ି, କୂଳ ଅତିକ୍ରମ କରି ଆସନ୍ତି ସେମାନେ କିପରି ଦେଖିପାରିବେ ମୁକ୍ତିକୁ ? ସେଇଥିପାଇଁ ତ ମଣିଷର ପ୍ରାର୍ଥନା: ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ମୟ, ମୃତ୍ୟୋର୍ମାମୃତ ଗମୟ; ‘ଅବାସ୍ତବରୁ ବାସ୍ତବକୁ’ ଅନ୍ଧାରରୁ ଆଲୋକକୁ ମୃତ୍ୟୁରୁ ଅମୃତ୍ୱକୁ (ଅମରତ୍ୱକୁ) ମୋତେ ବାଟ ଦେଖାଅ ।’ ‘ଗମୟ’ ଶବ୍ଦର ଯଥାର୍ଥାତା ଏୟା ଯେ ପଥ ସହିତ ଆମକୁ ଆମର ନିଜ ବାଟ କରିବାକୁ ହେବ, ଏହା ବର୍ଜନ କରିବାର ପ୍ରଶ୍ନ ଉଠେ ନାହିଁ ।

 

ମୋ ରଚନାରେ ଯଦି କୌଣସି ଧର୍ମ ସମ୍ବନ୍ଧୀୟ ତତ୍ତ୍ୱ ଥାଏ, ତାହେଲେ ଏହି ସେହିତତ୍ତ୍ୱ-। ଧର୍ମ ସଚେତନତା ହେଉଛି ଜୀବାତ୍ମା ଆଉ ପରମାତ୍ମା ଓ ସ୍ୱୟଂସମ୍ଭୂତ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରେମ ସଂପର୍କର ଉପଲବ୍ଧି, ସେହି ପ୍ରେମ ଯାହାର ଗୋଟିଏ ପାର୍ଶ୍ୱରେ ଦ୍ୱୈତଭାବ ଆଉ ଅପର ପାର୍ଶ୍ୱରେ ଥାଏ ଏକତା । ଏହାର ଗୋଟିଏ ପଟେ ଥାଏ ବିଚ୍ଛିନ୍ନତା ଆଉ ଅନ୍ୟପଟେ ଥାଏ ସଂହତି, ଗୋଟିଏ ପଟେ ବନ୍ଧନ ଆଉ ଅନ୍ୟ ପଟେ ମୁକ୍ତି । ଏହି ପ୍ରେମ ଭିତରେ ନିପୁଣତା ଓ ସାହସ, ଆକୃତି ଓ ରୁଚି, ପରିମିତ ଓ ଅସୀମ ମିଶି ଏକାକାର ହୋଇ ଯାଆନ୍ତି । ବ୍ରହ୍ମାଣ୍ଡକୁ ତା’ ନିୟମରେ ଗ୍ରହଣ କରି ହିଁ ଏହି ପ୍ରେମ ବାସ୍ତବରେ ନିଜକୁ ଅତିକ୍ରମ କରିଯାଏ; ଆଉ ବିଶ୍ୱବ୍ରହ୍ମାଣ୍ଡର ଅତୀତକୁ ସ୍ୱୀକାର କରି, ଏହାକୁ ବାସ୍ତବରେ ସ୍ୱାଗତ କରେ । ଏହି ଉତ୍ତୁଙ୍ଗ ପ୍ରେମ ଦେଖି ବି ପାରେ ସଂଗ୍ରାମ ମଧ୍ୟସ୍ଥଳରେ ଶାନ୍ତମ ବା ଶାନ୍ତିର ଅସ୍ତିତ୍ୱ, ଚିହ୍ନିପାରେ ମନ୍ଦ ମଝିରେ ଭଲ ଆଉ ଅନେକ ମଧ୍ୟରେ ଏକକୁ ଆରାଧନା କରିପାରେ । ‘ସ୍ୱାଗତିକା’ର ସଂଗୀତ ଯାହା ମୋର ଧର୍ମଧାରଣା ଗାନ କରେ ତାହା ଏହିପରି:

 

ଭାଙ୍ଗିଛ ଦୁଆର, ଆସିଛ ଜ୍ୟୋତିର୍ମୟ

ତୁମ୍ଭର ହେଉ ଜୟ,

ତିମିର ବିଦାରି, ଉଦାର ଅଦ୍ଭ୍ୟୁଦୟ

ତୁମ୍ଭର ହେଉ ଜୟ ।

ହେ ବିଜୟୀ ବୀର, ନବକଳେବର ପ୍ରାତେ

ନବୀନ ଆଶାର ଖଡ଼ଗ ତୁମର ହାତେ

ଜୀର୍ଣ୍ଣ ଆବେଶେ ଛିନ୍ନ ହେଉ

ତୁମ୍ଭର କଠୋରାଘାତେ,

ବନ୍ଧନ ହେଉ କ୍ଷୟ,

ତୁମ୍ଭର ହେଉ ଜୟ ।

ଆସ ଦୁଃସହ, ଆସ, ଆସ ନିର୍ଦ୍ଦୟ

ତୁମ୍ଭର ହେଉ ଜୟ ।

ପ୍ରଭାତ ସୂର୍ଯ୍ୟ ଆସିଛି ତୂର୍ଯ୍ୟ ବାଦ୍ୟେ

ଅରୁଣ ବହ୍ନି ଜଳାଅ ଚିତ୍ତ ମଧ୍ୟେ

ମୃତ୍ୟୁର ହେଉ ଲୟ

ତୁମ୍ଭର ହେଉ ଜୟ ।

ଆଶ୍ୱିନ – କାର୍ତ୍ତିକ- ୧୩୨୪

Image

 

ଚାରି

 

ପ୍ରକୃତ ଆତ୍ମଜ୍ଞାନ ଆହରଣ ଆଦୌ ସହଜ ନୁହେଁ । ଜୀବନର ବିବିଧ ପ୍ରକାର ଅନୁଭୂତି ଭିତରେ ଐକ୍ୟର କେନ୍ଦ୍ରସୂତ୍ରଟି ସହଜରେ ନିଜକୁ ଦେଖାଇଦିଏ ନାହିଁ । ସ୍ରଷ୍ଟା ଯଦି ମୋତେ ଏକ ଦୀର୍ଘ ଜୀବନ ଦେଉନଥାନ୍ତେ, ସତୁରୀ ବର୍ଷର ବ୍ୟାପ୍ତ ସମୟସୀମା ଯଦି ଏଥିପାଇଁ ମୁଁ ବ୍ୟୟ କରିନଥାନ୍ତି, ନିଜକୁ ସ୍ପଷ୍ଟଭାବରେ ଆକଳନ କରିବାର ସୁଯୋଗ ମୁଁ ହରାଇ ଥାଆନ୍ତି । ମୁଁ ନିଜକୁ ଖଣ୍ଡଖଣ୍ଡ କରି ବହୁ ଦିଗରୁ ଦେଖିଛି, କର୍ମ କ୍ଷେତ୍ରରେ କେତେ ବିଭାଗରେ ନିଜକୁ ମୁଁ ଆଗ୍ରହୀ କରାଇଛି ଆଉ ଏହିପରି ବିବିଧ ମାର୍ଗରେ ବାରମ୍ବାର ମୋ ଚରିତ୍ରର ସଙ୍କେତମାନ ମୋ ସାମ୍ନାରେ ବିଛେଇ ହୋଇ ଯାଇଛନ୍ତି । ଜୀବନର ଏହି ଦୀର୍ଘ ପଥକୁ ଅନୁସରଣ କରିସାରି ଏବେ ବିଦାୟ ବେଳାରେ ଏହି ବୃତ୍ତଟିକୁ ସାମଗ୍ରିକ ଭାବରେ ମୁଁ ବିଚାର କରିପାରେ, ଆଉ ଭାବେ ଯେ ମୋର କେବଳ ଗୋଟିଏ ବ୍ୟକ୍ତିତ୍ୱ ଅଛି, ତାହା ହେଉଛି ଏୟା: ମୁଁ କେବଳ ଗୋଟିଏ କବି । ବାର ବାର ମୋ ସର୍ଜନା ଭିତରେ ମୋର ଆତ୍ମା ନିଜକୁ ପ୍ରକାଶିତ କରିଛି ଅନେକଙ୍କ ଆଗରେ; ହେଲେ, ସମ୍ପୂର୍ଣ୍ଣ ଛବି ସେଠାରେ ଅଙ୍କିତ ହୋଇ ପାରିନାହିଁ । ତତ୍ତ୍ୱ ଓ ପୁରାଣରେ ପାରଦର୍ଶୀ ଗୁରୁ ମୁଁ ନୁହେଁ; ନୁହେଁ ବି ମୁଁ ନେତା । ଥରେ ମୁଁ ଲେଖିଥିଲି, ‘ଆକୁଳ ମୁଁ ନୁହେଁ ଗାଇବାକୁ ନିଜ ଯଶ/ନୂତନ ପ୍ରଭାତ ଏକ ନବ ବଙ୍ଗଳାର’, ଆଜି ଜାଣୁଛି ସେତେବେଳେ ଯାହା ମୁଁ କହିଥିଲି ଯଥାର୍ଥ କହିଥିଲି ।

 

ଦାଗହୀନ ପବିତ୍ରତାର ଦୂତମାନେ ପୃଥିବୀରୁ ଏହାର ପାପମାନଙ୍କୁ ଧେଇ ପୋଛି ଦିଅନ୍ତି, ଆଉ ଲୋକମାନଙ୍କୁ ପବିତ୍ର, ସ୍ୱଚ୍ଛ, ଉପକାରୀ କର୍ମ କରିବାକୁ ପ୍ରତିଜ୍ଞା କରାନ୍ତି; ମୁଁ ସେମାନଙ୍କୁ ସମ୍ମାନ କରେ, ହେଲେ ମୋ ଆସନ ସେମାନଙ୍କଠାରୁ କିଞ୍ଚିତ ଦୂରରେ ଥାଏ । ଆଉ ସେହି ପବିତ୍ର ତେଜସ୍ୱିତା ଯେତେବେଳେ ବିବିଧ ଓ ଅନେକ ହୋଇଥାଏ ଆଉ ପୃଥିବୀକୁ ଅନେକ ରଂଗ ବେରଙ୍ଗର କିରଣରେ ସିକ୍ତ କରି ନିଜକୁ ସମର୍ପି ଦିଏ, ମୁଁ ସେହି ବହୁବର୍ଣ୍ଣୀର ଜୟଗାନ କରେ-। ଆମେ ନାଚେ ଓ ଅନ୍ୟକୁ ନାଚିବାକୁ ପ୍ରେରିତ କରେ, ଆମେ ହସେ ଓ ଅନ୍ୟକୁ ହସାଇବାକୁ ଉତ୍ସାହିତ କରେ, ଆମେ ଗୀତ ଗାଏ, ଛବି ଆଙ୍କେ, ବିବିଧତାର ଅସାଧାରଣ ସୃଜନ ଶକ୍ତିକୁ ଆମେ ସ୍ୱାଗତ କରେ, ସେଇ ସବୁକୁ ସ୍ୱାଗତ କରେ ଯାହା ବିଶ୍ୱବ୍ୟାପୀ ପରିପ୍ରକାଶର ଅଗଣିତ ଆନନ୍ଦ ଭିତରେ ସର୍ବଦା ଉତ୍ତେଜିତ ଆଉ କ୍ରିୟାଶୀଳ ହୋଇଥାଏ । ମୋ କାମ ହେଉଛି, ମୋ ଆତ୍ମାଭିତରେ ବିବିଧତାର ଯେଉଁ ଅଭିନୟ ଅନବରତ ଚାଲିଛି ସେମାନଙ୍କୁ ଏକତ୍ରିତ କରିବା ଆଉ ଏହାକୁ ଏକ ଆମୋଦପୂର୍ଣ୍ଣ ବାହ୍ୟ ଅଭିବ୍ୟକ୍ତି ଦେବା । ମଣିଷକୁ ତାର ଲକ୍ଷ୍ୟସ୍ଥଳକୁ ବାଟ କଢ଼ାଇନେବା ମୋର ଅଧିକାର ଭୁକ୍ତ ନୁହେଁ; ପଦଯାତ୍ରୀ ସହିତ ପାଦରେ ପାଦ ମିଳାଇ ଚାଲିବା ହିଁ ମୋର ଏକମାତ୍ର ବୃତ୍ତି-। ଏହି ପଥର ଉଭୟ ପାର୍ଶ୍ୱରେ ଅଛି ଘନଛାୟା, ସବୁଜିମାର ଐଶ୍ୱର୍ଯ୍ୟ, ପୁଷ୍ପ ଭଣ୍ଡାର, ପତ୍ରମାଳା, ପକ୍ଷୀର କୂଜନ; ଆନନ୍ଦର ଏହି ଉତ୍ସବକୁ ଅଧିକ ମନୋହର କରିବାପାଇଁ ଆମେ ଅଛେ-। ବିବିଧପ୍ରକାରେ ନିଜକୁ ଦେଖାଉଥିବା ଆଉ ବହୁଦିଗରୁ ପ୍ରକାଶିତ ଏହି ସ୍ୱୟଂସିଦ୍ଧ ଯେ ସବୁଠାରେ ନିଜର ଖେଳ ଖେଳେ, ସଂଗୀତରେ, ବାଦ୍ୟରେ, ନୃତ୍ୟରେ ଆଉ ଚିତ୍ରକଳାରେ, କେତେ ରଂଗ ଓ ଛାୟାରେ, ଆକାର ଓ ଅଭିବ୍ୟକ୍ତିରେ, ମାନସିକ ଉତ୍ତେଜନାରେ ଆଉ ଆଉ ସୁଖଦୁଃଖର ଆଘାତରେ, ଭଲ ଆଉ ମନ୍ଦର ସଂଘର୍ଷରେ; ତାଙ୍କର ନାନାବିଧ ଖେଳର ବୋଝ ମୁଁ ନିଜେ ମଥାପାତି ବୋହି ନେଇଛି, ଏହା ମୋ ସାଥିରେ ରହିଛି ତାଙ୍କ ରଙ୍ଗାଳୟର ବିବିଧ ରୂପକଥାକୁ ବାଛିବାଛି ସୁବିନ୍ୟସ୍ତ କରି ସଜାଇବାପାଇଁ, ଏହାହିଁ ମୋର ପ୍ରକୃତି ଆତ୍ମସତ୍ତା । ଲୋକମାନେ ମୋତେ ଅନ୍ୟପ୍ରକାରେ ବର୍ଣ୍ଣିତ କରିଛନ୍ତି, କେତେକ ମୋତେ ତତ୍ତ୍ୱବାଦୀ କହିଛନ୍ତି ତ କେତେ ସ୍କୁଲମାଷ୍ଟର । ହେଲେ ବାଲ୍ୟକାଳରୁ ହିଁ କେବଳ ଖେଳ ପ୍ରତି ମୋର ଆବେଗ ଯୋଗୁ ମୁଁ ସ୍କୁଲ ମାଷ୍ଟରଙ୍କୁ ଦୂରେଇ ଦେଇଛି । ଏଣୁ ଶିକ୍ଷକଙ୍କର ଆସନ ମୋର ନୁହେଁ । ମୋର ସେଦିନ କଥା ମନେ ଅଛି, ଯେବେ ମୁଁ ତଥାପି ବାଳକ ଥିଲି, ଆଉ ବାହାରି ଆସିଲି ହାତରେ ବଂଇଶୀଟିଏ ଧରି, ଯହିଁରେ ଥିଲା ଅନେକ ଛିଦ୍ର ଆଉ ଶତାଧିକ ସଂଗୀତ, ପାହାନ୍ତି ପହରବେଳକୁ ଅସ୍ପଷ୍ଟତା ଭିତରୁ ସ୍ପଷ୍ଟତା ବାହାରିବା ଆରମ୍ଭ ହୋଇଗଲା । ଏହା ଥିଲା ସେହି ଶୁଭ ମୁହୂର୍ତ୍ତ ଯେତେବେଳେ ଆଲୋକ ରଶ୍ମୀ ସହିତ ଅନ୍ଧକାର ଏହାର ପ୍ରଥମ ପ୍ରୀତି ଦୃଷ୍ଟି ବିନିମୟ କରିଥିଲା । ସେଦିନ ମୋ ମନର ପ୍ରଥମ କୁଣ୍ଠାବୋଧକୁ ଦୂରେଇ ଦେଇଥିଲା ଉଷାର ଆହ୍ୱାନର ପ୍ଳାବନ; ମୋ ମନର ସୁନୀଳ ହ୍ରଦରେ ଜଳରାଶି ଫୁଲ ଫୁଲି ନାଚିଥିଲା । ମୁଁ ଏହାର ଅର୍ଥମାନଙ୍କୁ ସଠିକ ବୁଝି ପାରିଥିଲି କି ନାହିଁ, ଏ ବିଷୟରେ ଠିକ୍‌ରେ କହିପାରିବି ନାହିଁ, ତେବେ ସେହି ଆହ୍ୱାନର ପ୍ରଭାବରେ ଆହୁରି ଅନେକ ଆହ୍ୱାନ ମୋ ଭିତରେ ଜାଗି ଉଠିଲା । ବ୍ରହ୍ମାଣ୍ଡ ଭିତରେ ଏତେ ଜିନିଷ ଏକାବେଳକେ ଅଭିନୀତ ହେଉଛି, ସଂଗୀତ ଉପରେ ସଂଗୀତ ମାଧ୍ୟମରେ ଯେ ମହାଜାଗତିକ ଆତ୍ମାର ଗଭୀରତା ଭିତରେ ସବୁବେଳେ ଗୋଟାଏ ଅଶାନ୍ତଭାବ ଲାଗିରହିଥାଏ; ଆଉ ଏହାରି ତରଂଗର ସ୍ପର୍ଶରେ ଗୋଟେ ଛୋଟ ବାଳକର ଆତ୍ମା ଏତେ ଅଶାନ୍ତ ସେହି ମୁହୂର୍ତ୍ତରେ ହୋଇଯାଏ ଯେ ଆଜିଯାଏଁ ଏହା ଆଉ ଆରାମ ପାଏ ନାହିଁ ।

 

ସତୁରୀ ବର୍ଷ ସମ୍ପୂର୍ଣ୍ଣ ହୋଇଗଲା, ଆଜି ବି ମୋ ସାଂଗମାନେ ମୋର ଯଥେଷ୍ଟ ଗମ୍ଭୀର ନହେବା ଉପରେ ପ୍ରତିବାଦ କରନ୍ତି, ଆଉ ଅଧିକାଂଶ ବେଳେ ମୋ ଗମ୍ଭୀରତାରେ କିଛି ଅଭାବ ବି ଥାଏ । ହେଲେ ବିଶ୍ୱକର୍ମାର କୁଶଳତାର ତ ଶେଷ ନାହିଁ । କାରଣ ସେ ଚପଳ । ଅରଣ୍ୟାନିରେ ବସନ୍ତର ମଳୟ ଅବିରାମ ବୋହିବା ସହିତ ସେ ଚିରକାଳ ଜୀବନ ପ୍ରାଚୁର୍ଯ୍ୟରେ ସ୍ପନ୍ଦିତ ହେଉଥାଏ-। ଆଉ ଯାହାହେଲେ ବି ଗମ୍ଭୀରତାର ଜଳଖାଇଦ୍ୱାରା ବେଷ୍ଠିତ ହୋଇ ମୁଁ ତ ମୋର ଦିନଗୁଡ଼ିକୁ ନଷ୍ଟ କରିପାରିବି ନାହିଁ । ଏହି ସତୁରୀ ବର୍ଷ ଭିତରେ ମୁଁ ଅନେକ ମାର୍ଗ ଦେଇ ଯାଇଛି ଆଉ ଆଜି ମୋ ମନରେ ତିଳେ ହେଲେ ସନ୍ଦେହ ନାହିଁ ଯେ ମୁଁ ସେହି ଅସ୍ଥିର ଆତ୍ମାର ଖେଳସାଥୀ-। ମୁଁ ଜାଣେ ନାହିଁ କଣ ମୁଁ କରିଛି, ଆଉ କଣ ପଛରେ ଛାଡ଼ିଯିବାକୁ ସମର୍ଥ ହେବି । ଚିରସ୍ଥାୟୀ ହେବାପାଇଁ ମୁଁ ମକଦ୍ଦମା ତ କରିପାରିବି ନାହିଁ ।

 

ସେ (ଅବିନଶ୍ୱର) ଖେଳନ୍ତି ବି ହେଲେ ବିନା ଆସକ୍ତିରେ; ଖେଳଘର ସେ ନିଜେ ଗଢନ୍ତି ଆଉ ନିଜ ହାତରେ ଭାଙ୍ଗି ଦିଅନ୍ତି । ଗତକାଲି ସଂଧ୍ୟାବେଳେ ଏଇ ଆମ୍ବତୋଟା ଭିତରେ ରଂଗରଂଗର ଆକୃତିମାନ ଏପରି ଅଙ୍କିତ ହୋଇଗଲା ଯେପରି ସେହି ଅସ୍ଥିରଟି ଗୋଟିଏ ରାତିର ଝଡ଼ରେ ଧୋଇ ପୋଛି ହୋଇଯାଇଛି, ଆଉଥରେ ନୂତନ ସତେଜ ରଙ୍ଗରେ ସଜେଇ ହେବାପାଇଁ । ଯଦି ମୁଁ ତାଙ୍କ ଖେଳ ଘରେ କେତୋଟି ଖେଳଣା ଥୋଇ ଦେଇଛି, ସେଥିପାଇଁ ମୁଁ ଆଶା କରୁନାହିଁ ସମୟ ସେଗୁଡ଼ିକୁ ସଂଗ୍ରହ କରିରଖିବ । ଭଙ୍ଗା ଖେଳଣାଗୁଡ଼ିକ ଅଳିଆଗଦାକୁ ନିଶ୍ଚୟ ଚାଲିଯିବ । ସମୟର କ୍ଷୁଦ୍ରତମ ଅଂଶପରି ଛୋଟ ମାଟି କପ୍‌ଟିରେ ଯଦି ମୁଁ ଆନନ୍ଦର ପ୍ରାଣଶକ୍ତି ଭରି ଚାରାଟିଏ ଲଗାଇ ଦେଇଥାଏ, ଏତିକି ଯଥେଷ୍ଟ । ଆସନ୍ତାକାଲି ହୁଏତ ଜୀବନଶକ୍ତି ସରିଯିବ, କପ୍‌ଟି ଭାଙ୍ଗିଯିବ, ହେଲେ ସେଥିପାଇଁ ଆନନ୍ଦର ପ୍ରାଚୁର୍ଯ୍ୟ ଶୂନ୍ୟ ହୋଇଯିବ ନାହିଁ । ଆଜି ମୁଁ ସତୁରୀ ବର୍ଷରେ ପଦାର୍ପଣ କରିଛି, ମୁଁ ଘୋଷଣା କରୁଛି ତାଙ୍କରି ନାମରେ, ସେହି ଯେ ସର୍ବ ରସମୟ ତାଙ୍କରି ନାମରେ କହୁଛି, ଅନ୍ୟଠାରୁ ମୋର ଛୋଟ ବା ବଡ଼ ହେବା, ଏହିଭଳି ବୃଥା କନ୍ଦଳ ଯୋଗୁ ହିଁ ନଷ୍ଟ ହୋଇଯାଏ ଖେଳର ମଜା ।

 

ମୂଲ୍ୟ ଧାର୍ଯ୍ୟ କରୁଥିବା ବିଚାରକର ଯନ୍ତ୍ରପାତି, ଆଣ୍ଠେଇ ଗୁରୁଣ୍ଡି ମାପଚୁପ, ହାତରେ ଗଜଖୁଣ୍ଟି; ସେସବୁକୁ ନ ଦେଖିବା ହିଁ ଭଲ । ମୁଁ ଆଣ୍ଠେଇ ଗୁରୁଣ୍ଡି ଝାମ୍ପି ନେବାକୁ ଚାହେଁ ନାହିଁ ସେହି ଶସ୍ତା ଯଶର ସୁଯୋଗ ଟୁକୁରାମାନଙ୍କୁ ଯାହା ଜନଗହଳିର ବିଶ୍ୱରେ ଧୂଳିରେ ଗଡୁଥାଏ । ପ୍ରାପ୍ୟକୁ ନେଇ ବଡ଼ ପାଟିରେ ଦରକଷାକଷିର ପ୍ରଲୋଭନ ପାଖରେ ମୁଁ କେବେ ଯେପରି ନିଜକୁ ସମର୍ପିତ ନ କରେ ।

 

ଏପରିକି ଏହି ଆଶ୍ରମ; ଯେତିକି ମୋର ଅଭିବ୍ୟକ୍ତି ସହ ଜଡ଼ିତ କେବଳ ସେତିକି ମୋ ନିଜର; ଏହାର ଯାନ୍ତ୍ରିକ ଦିଗ ଦେଖନ୍ତି ବିଶେଷଜ୍ଞମାନେ । ମଣିଷର ନିଜକୁ ପ୍ରକାଶିତ କରିବାର ଇଚ୍ଛାକୁ ମୁଁ ରୂପଦେବାକୁ ଚାହୁଁଥିଲି । ସେଥିପାଇଁ ମୁଁ ଖୋଜିଥିଲି ନିଭୃତ ସ୍ଥାନଟିଏ ଯାହା ଆକାର ଓ ସୌନ୍ଦର୍ଯ୍ୟର ଏକ ପୃଷ୍ଠଭୂମି ଯୋଗାଇଦେବ; ସହରର ଇଟା ପଥର ନିର୍ମାଣ ଭିତରେ ନୁହେଁ, ପରନ୍ତୁ ସୁନୀଳ ଆକାଶ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଏହି ରଂଗଭୂମିରେ । ମୁଁ ଚାହିଥିଲି ଏହି ନିରୀହ, ସୁନ୍ଦର ବାଳକବାଳିକାମାନଙ୍କ ଖେଳସାଥୀ ହେବାକୁ । ଏହି ଆଶ୍ରମରେ ହୃଦୟମାନଙ୍କର ଜୀବନ୍ତ ମିଳନର ଉତ୍କୃଷ୍ଟ ତଥା ମନୋରମ ବିକାଶରେ ସହଯୋଗ କରିବା ଥିଲା ମୋର କାମ । ଅନ୍ୟ ଅନେକ ପରିକଳ୍ପନା ମୁଁ ସାକାର କରାଇଛି । ଆଉ ମୋ ମନ ସବୁବେଳେ ସେହିଠାରେ ଥାଏ ଯେଉଁଠାରେ ସେମାନେ ଖୋଜି ପାଆନ୍ତି ସ୍ଥାନ ଆଉ ରୂପବୈଭବ; ତଥାପି ମୋର ପ୍ରକୃତ ସ୍ଥାୟୀ ନିବାସ ସେମାନଙ୍କ ପାଖରେ ନଥାଏ, ଯେଉଁଠାରେ ଗ୍ରାମର ଅବିକଶିତ ଅନୁଭବ ପ୍ରକାଶିତ ହେବାକୁ ବ୍ୟାକୁଳ ହେଉଥାଏ ମୁଁ ସେହିଠାରେ ଥାଏ । ଏଠାରେ ପିଲାମାନଙ୍କପାଇଁ ମୁଁ ଯେଉଁ ଶ୍ରେଣୀ ଖୋଲିଛି ସେତିକି ସବୁ କିଛି ନୁହେଁ । ମୋର ଇଚ୍ଛା ପିଲାମାନଙ୍କ କୋମଳ ଜୀବନର ପ୍ରଥମ ଉତ୍‌ଥାନପାଇଁ ପ୍ରକୃତିର ଖେଳ ପଡ଼ିଆର ମୁକ୍ତ ପରିବେଶ ଯୋଗାଇ ଦେବା, ସେମାନଙ୍କ ବୌଦ୍ଧିକ ଉଦ୍‌ଯୋଗର ପ୍ରଥମ ଦିନଗୁଡ଼ିକ ଭିତରକୁ ସକାଳ ସୂର୍ଯ୍ୟର ଉଜ୍ଜ୍ୱଳ କିରଣ କିପରି ପ୍ରବେଶ କରିପାରିବ ଦେଖିବା, ଆଉ ସେମାନଙ୍କ ସାଧନାର ନବ ବିକଶିତ କଳିକାପାଇଁ ସ୍ଥାନ ଯୋଗାଇଦେବା । ନହେଲେ ତ ମୁଁ କାନୁନ୍ ଓ ସିଲାବସର ଜଂଗଲ ଭିତରେ ହଜିଯିବା ଉଚିତ ଥିଲା-

 

ତେବେ ସେ କାମ ପରେ ଆସିବ, ଏହା ବହିର୍ଭାଗର କଥା, ମୋ ବନ୍ଧୁମାନେ ଏ ଦାୟିତ୍ୱ ସମ୍ଭାଳି ନେବେ । ହେଲେ ଏହି ପିଲାମାନଙ୍କୁ ସେହି ଖେଳପ୍ରିୟର ଖେଳ ତାଳରେ ନାଚିବାକୁ ଗାଇବାକୁ ଅନୁମତି ଦେଇ, ଆଉ ମଝିରେ ମଝିରେ ସେମାନଙ୍କୁ ଛୁଟି ଦେଇ, ଆନନ୍ଦ ଭିତରେ ସେମାନଙ୍କ ସତ୍ତାକୁ ଜାଗ୍ରତ କରାଇବାରେ ମୋ ନିଜର ଆନନ୍ଦ ଆଉ ପୂର୍ଣ୍ଣତା ନିହିତ । ଏହାଠାରୁ ଅଧିକ ଗମ୍ଭୀର କିଛି କାର୍ଯ୍ୟ କରିବାକୁ ମୁଁ ଅସମର୍ଥ । ଯେଉଁମାନେ ମୋତେ ଶଙ୍ଖଧ୍ୱନି ଭିତରେ ମଞ୍ଚ ଉପରେ ନେଇ ବସାନ୍ତି ସେମାନଙ୍କୁ ମୁଁ କହେ ଯେ, ଏହାଠାରୁ ତଳ ଆସନରେ ବସିବାକୁ ମୋର ଜନ୍ମ, ସବୁ ଖେଳର ଯେ ମାଲିକ ସେ ମତେ ମୁଖ୍ୟ ଆଉ ଦଳପତିର ଆସନ ଗ୍ରହଣ କରିବାରୁ ବିରତ କରାଇଛନ୍ତି ।

 

ଏଠାକୁ ମୁଁ ଆସିଛି ଏବଂ ମୋର ହୃଦୟ ଖୋଲି ଏଠାରେ ପ୍ରେମ ଢାଳି ଦେଇଛି ଧୂଳି, ପ୍ରାନ୍ତର ଓ ଘାସର ଗାଲିଚା ଉପରେ, ଲତା, ଦ୍ରୂମମାନଙ୍କ ଉପରେ । ସେମାନେ ଯେଉଁମାନେ ଏହି ଧରିତ୍ରୀ କୋଳରେ ଖେଳନ୍ତି,ଯେଉଁମାନେ ଏହାର ପାଣି ପବନରେ ବିକଶିତ ହୁଅନ୍ତି, ସେମାନେ ଯେଉଁମାନେ ଏଇ ମାଟି ଉପରେ ସେମାନଙ୍କ ପ୍ରଥମ ପାଦ ପକାନ୍ତି ଆଉ ଶେଷରେ ଏହାରି ଉପରେ ଶେଷ ବିଶ୍ରାମ ନିଅନ୍ତି, ମୁଁ ସେହି ସମସ୍ତଙ୍କର ବନ୍ଧୁ, ମୁଁ ଗୋଟିଏ କବି ।

 

ଶାନ୍ତି ନିକେତନ

୨୫ ବୈଶାଖ, ୧୩୩୮

(7th may, 1931,Tagore’s 70th Birthday)

Image

 

ଆତ୍ମପରିଚୟ

ପାଞ୍ଚ

 

ସେଇ ପୃଥିବୀ ଯାହା ଭିତରେ ପ୍ରଥମେ ମୁଁ ଆଖି ଖୋଲିଥିଲି ତାହା ଥିଲା ଗୋଟେ ନିରାପଦ ଆଶ୍ରୟସ୍ଥଳ । ଏହା ଥିଲା ଗୋଟେ ସହରର ଶେଷାଞ୍ଚଳ ପରି ଯେଉଁଠି ପଡ଼ୋଶୀଙ୍କ ହୋହଲ୍ଲା ଆଉ ଚାରିପଟେ ଘରମାନଙ୍କଦ୍ୱାରା ନୀଳଆକାଶ ଅଣନିଃଶ୍ୱାସୀ ହେଉ ନଥିଲା ।

 

ମୁଁ ଜନ୍ମ ହେବା ଆଗରୁ ଆମ ପରିବାର ସାମାଜିକ ଅବରୋଧକ ପ୍ରାଚୀରଗୁଡ଼ିକୁ ଭାଙ୍ଗି ସାରିଥିଲେ ଆଉ ପାରମ୍ପରିକ ବନ୍ଧନରୁ ଦୂରକୁ ଚାଲି ଯାଉଥିଲେ । ବିଧିବିଧାନ, ଆଇନ, କ୍ରିୟା ପଦ୍ଧତି, ସଂସ୍ଥାପିତ ରୀତିନୀତିର ଖୁବ୍ କମ ଭୂମିକା ଆମ ଘରେ ଥିଲା ।

 

ଆମର ଥିଲା ଗୋଟେ ବିରାଟ ପୁରୁଣାକାଳିଆ ପ୍ରାସାଦ, ପୋର୍ଟିକୋରେ ଝୁଲୁଥିଲା କେତୋଟି ଭଙ୍ଗା ଢାଲ, ବର୍ଚ୍ଛା ଆଉ ଜଙ୍କଲଗା ଖଣ୍ଡା, ଆଉ ଥିଲା ଗୋଟେ ପ୍ରାର୍ଥନା ହଲ୍‌, ତିନି ଚାରୋଟି ଅଗଣା, ସାମ୍ନା ଆଉ ପଛରେ ବଗିଚା, ଅନ୍ଧାରିଆ କୋଠରିଗୁଡ଼ିକରେ ଭର୍ତ୍ତି ହୋଇଥିଲା ବଡ଼ ବଡ଼ ଡ୍ରମ ପେଟୁଆ ପେଟୁଆ, ବର୍ଷସାରା ଗଙ୍ଗା ପାଣି ରଖିବାପାଇଁ । ଏଇତ ମୋ ଆଖି ଦେଖା କଥା, ଗଲାସନର ବିବିଧ ଉତ୍ସବ କ୍ରମାନୁଯାୟୀ ସେମାନଙ୍କ ଗହଳି ଓ ସାଜସଜ୍ଜା ସହିତ ଥରେ ଘର ଭିତରେ ପ୍ରବେଶ କଲେ ଆଉ ବାହାରିଗଲେ । ମୁଁ ନିଜକୁ ପାଇଥିଲି ସେମାନଙ୍କ ସ୍ମୃତିର ପରିଧି ବାହାରେ । ମୁଁ ନିଜକୁ ପାଇଥିଲି ସେମାନଙ୍କ ସ୍ମୃତିର ପରିଧି ବାହାରେ । ମୁଁ ପହଞ୍ଚଥିଲି ଠିକ୍ ସେତିକିବେଳେ ଯେତେବେଳେ ଘରୁ ପୁରୁଣାସମୟ ପାଦ ଫେରାଉଥିଲା ପଛକୁ ଆଉଗୋଟେ ନୂଆ ସମୟ ଆସିବାର କ୍ୱଚିତ ଉପକ୍ରମ କରୁଥିଲ, ଏହାର ଆସବାବପତ୍ର ଆସିବା ତଥାପି ବାକି ଥିଲା ।

 

ଏ ଦେଶର ସାମାଜିକ ଜୀବନର ସ୍ରୋତ ଯେପରି ଦିଗବଦଳାଇ ଏହି ଘରୁ ଦୂରକୁ ଦୂରକୁ ଚାଲି ଯାଉଥିଲା । ସେହି ସମାନବେଗରେ ଆମର ପୂର୍ବ ଐଶ୍ୱର୍ଯ୍ୟ ସଂପତ୍ତି କ୍ଷୟ ହେବା ଆରମ୍ଭ ହୋଇଥିଲା । ଜେଜେବାପାଙ୍କ ସଂପତ୍ତିର ଆଲୋକଶିଖା ଖୁବ୍ ଜୋର ଜଳି ଉଠିଥିଲା, ହେଲେ ଏବେ ସେ ନିଆଁ ଲିଭିଯାଇ ରହି ଯାଇଥିଲା କେବଳ କିଛି କଳାଦାଗ, କିଛି ପାଉଁଶ ଆଉ ଗୋଟିଏ ମାତ୍ର ଦୁର୍ବଳ, କମ୍ପିତ ଆଲୋକ ଶିଖା । ମଉଜ ମଜଲିସ୍‌, ଉତ୍ସବ ବିଳାସ ସହ ସଂପୃକ୍ତ କିଛି ଆନୁସଙ୍ଗିକ ଜିନିଷ ଅନ୍ଦିକନ୍ଦି, ଠଣାକାନ୍ଥରେ ଯଦିବା ରହି ଯାଇଥିଲା, ଧୂଳି ଧୂସରିତ ଆବର୍ଜନା ତଳେ ପୋତି ହୋଇ ବିଳାସମୟ ଅତୀତର ଉଚ୍ଛିଷ୍ଟପରି ସେମାନଙ୍କର ପ୍ରକୃତ ମର୍ଯ୍ୟାଦା ଆଉ ନଥିଲା । ମୁଁ ଜନ୍ମ ହୋଇଥିଲି ନା ଏ୍ୟୌଶ୍ୱର୍ଯ୍ୟ ଭିତରେ ନା ସେମାନଙ୍କ ସ୍ମୃତି ଭିତରେ ।

 

ଏହି ବିଚ୍ଛିନ୍ନତା ମଧ୍ୟରେ ଯେଉଁ ଅନନ୍ୟ ଅସାଧାରଣତା ପରିବାର ଭିତରେ ବିକଶିତ ହୋଇ ଉଠିଲା ତାହା ଥିଲା ସ୍ୱାଭାବିକ, ଠିକ୍ ଗୋଟେ ମହାଦେଶରୁ ବିଚ୍ଛିନ୍ନ ହୋଇ ଯାଇଥିବା ଗୋଟେ ଏକାନ୍ତ ଦ୍ୱୀପର ଉଦ୍ଭିଦ ସମୂହ ଓ ଜୀବଜଗତର ଅସାଧାରଣତା ପରି । ତେଣୁ ଆମର କଥା କହିବା ଢଙ୍ଗରେ ଥିଲା ଗୋଟେ ବିଶେଷ ଶୈଳୀ ଯାହାକୁ କଲିକତାରେ ଲୋକେ ଜାଣିଶୁଣି ପରିହାସ କରି କହୁଥିଲେ ‘ଟାଗୋର ଉଚ୍ଚାରଣ’ ।

 

ସେହି ଏକା ଜିନିଷ ଘଟିଥିଲା ଆମ ଘର ପୁରୁଷ ନାରୀମାନଙ୍କ ବେଶପୋଷାକ ଓ ଚାଲିଚଳଣରେ । ସେହି ସମୟରେ କଲିକତାର ବିଶିଷ୍ଟ ଲୋକମାନେ ବଙ୍ଗଳା ଭାଷାକୁ ତଳିତଳାନ୍ତ କରାଇ ନାରୀମାନଙ୍କୁ ଚାରିକାନ୍ଥର ଦୁନିଆ ଭିତରେ ରଖିଥିଲେ; ଇଂରାଜୀ ଭାଷା ହିଁ ସର୍ବସାଧାରଣଙ୍କ ଆଗରେ ବ୍ୟବହୃତ ହେଉଥିଲା, ଚିଠି ଲେଖା, ଶିକ୍ଷା ଏପରିକି ଦୈନନ୍ଦିନ କଥାରେ ମଧ୍ୟ ଥିଲା ଇଂରାଜୀର ପ୍ରଚଳନ । ଆମ ଘରେ ଏହି ନୈତିକ ବିଚ୍ୟୁତି ଘଟିପାରି ନଥିଲା । ଘର ଭିତରେ ବଙ୍ଗଳା ଭାଷା ପ୍ରୀତି ଖୁବ୍ ଗଭୀରରେ ବୋହୁଥିଲା ଆଉ ସବୁକାମରେ ଏହା ବ୍ୟବହୃତ ହେଉଥିଲା ।

 

ଘର ଭିତରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟର ସମ୍ମେଳନ ହୋଇଥିଲା । ଉପନିଷଦ ଜରିଆରେ ସାରା ପରିବାର ପ୍ରାକ୍ ପୁରାଣ ଯୁଗର ଭାରତ ସହିତ ଏକ ନିବିଡ ସମ୍ପର୍କ ରଖିଥିଲେ । ଅତି ଛୋଟ ଥିଲାବେଳେ ବି ଆମେ ପ୍ରାୟ ପ୍ରତିଦିନ ଉପନିଷଦରୁ ଶ୍ଳୋକମାନ ଆବୃତ୍ତି କରିବାରେ ଅଭ୍ୟସ୍ତଥିଲୁ ଆଉ ବାରମ୍ବାର, ନିର୍ଭୁଲ ଭାବରେ ଉଚ୍ଚାରଣ କରିବାକୁ ଶିଖିଥିଲୁ । ଏଥିରୁ ଏତିକି ବୁଝିହେବ ଯେ ବେଙ୍ଗଲ୍‌ର ଧାର୍ମିକ ପରମ୍ପରା ଭିତରେ ସାଧାରଣତଃ ଆବେଗର ଯେଉଁ ଅବାରିତ ପ୍ରବାହ ଲକ୍ଷ୍ୟ କରାଯାଏ ତାହା ଆମ ଘରେ ପ୍ରବେଶ କରି ନଥିଲା । ମୋ ବାପାଙ୍କଦ୍ୱାରା ପ୍ରଚଳନ କରାଯାଇଥିବା ପ୍ରାର୍ଥନାମାନ ଥିଲା ଶାନ୍ତ ଆଉ ସ୍ଥିର ।

 

ଏହାଥିଲା ସେତେବେଳେ ଘଟୁଥିବା ଘଟଣାମାନଙ୍କର ଗୋଟିଏ ଦିଗ; ଅପର ପକ୍ଷରେ ମୋ ବଡ଼ମାନଙ୍କର ଥିଲା ପ୍ରଗାଢ଼ ଇଂରାଜୀ ସାହିତ୍ୟ ପ୍ରୀତି । ଘରର ବାତାବରଣ ସେକ୍‌ସ୍ପିୟରଙ୍କ ନାଟକମାନଙ୍କର ସୁଖକର ଉପଭୋଗରେ ସ୍ପନ୍ଦିତ ହେଉଥିଲା, ଆଉ ସାର୍ ୱଲଟର ସ୍କଟଙ୍କ ପ୍ରଭାବ ଥିଲା ଖୁବ୍ ଶକ୍ତିଶାଳୀ । ସେହି ସମୟରେ ଦେଶରେ ମୁଖ୍ୟତଃ ଦେଶପ୍ରେମମୂଳକ ଧର୍ମାନ୍ଧତାର କୌଣସି ଚିହ୍ନବର୍ଣ୍ଣ ନଥିଲା । ରଙ୍ଗଲାଲଙ୍କ କବିତା ‘ବଞ୍ଚିବାକୁ ଚାହେଁ କିଏ ସେଠି ନାହିଁ ଯହିଁ ସ୍ୱାଧୀନତା ? ଆଉ ପରେ ପରେ ହେମଚନ୍ଦ୍ରଙ୍କ ‘ରହନ୍ତି ଯେଉଁଠି ଦୁଇଶହ ଲକ୍ଷ’ କବିତାରେ ଦେଶର ସ୍ୱାଧୀନତାପାଇଁ ବ୍ୟାକୁଳତାର ଯେଉଁ କୁଣ୍ଠିତ ସ୍ୱର ଜଣେ ଶୁଣେ, ତାହା ପ୍ରଭାତରେ ପକ୍ଷୀର କୂଜନ ପରି । ହିନ୍ଦୁମେଳାପାଇଁ ଆୟୋଜନ ଓ ଆଲୋଚନାରେ ଆମ ପରିବାରର ସମସ୍ତେ ଅତି ଉତ୍ସାହରେ ସକ୍ରିୟ ଭାଗ ନେଉଥିଲେ, ନବଗୋପାଳ ମିତ୍ର ଥିଲେ ଏହାର ମୁଖ୍ୟ କର୍ତ୍ତା । ଏହି ଉତ୍ସବର ସଂଗୀତ ଥିଲା ‘ଜୟ ଭାରତ’, ମୋ ଦ୍ୱିତୀୟ ଭାଇ ଏହା ରଚନା କରିଥିଲେ । ମୋ ଉପରଭାଇ ଗଣେନ୍ଦ୍ରନାଥ ରଚନା କରିଥିଲେ, ‘ଗାଇବି କିପରି ମୁହିଁ ଭାରତ ବନ୍ଦନା ଏତେ ଅପମାନେ ?’ ଆଉ ମୋ ସବା ବଡ଼ଭାଇ ଲେଖିଥିଲେ, ‘ ଭାରତ, ତୋ ଚନ୍ଦ୍ରପରି ମୁଖ ମଳିନ ନିସ୍ତେଜ’ । ମୋ ବଡ଼ ଭାଇ ଜ୍ୟୋତିରୀନ୍ଦ୍ର ନାଥ ଗୋଟେ ଗୁପ୍ତ ସଂଘ ଆରମ୍ଭ କରିଥିଲେ ଏକ ପରିତ୍ୟକ୍ତ ଜୀର୍ଣ୍ଣ ଘରେ ଆଉ ଏହାର ଅଧିବେଶନମାନଙ୍କରେ ଋଗ୍‌ବେଦର ପୋଥି, ମଣିଷ ଖପୁରି, ଉନ୍ମୁକ୍ତ ଖଡ୍ଗ ପ୍ରଦର୍ଶିତ ହେଉଥିଲା, ଆଉ ରାଜନାରାୟଣ ବୋଷ ଥିଲେ ଏହାର ପୁରୋହିତ । ସେଇଠାରେ ହିଁ ଆମେ ଭାରତକୁ ରକ୍ଷା କରିବାର କାର୍ଯ୍ୟକ୍ରମରେ ଦୀକ୍ଷିତ ହୋଇଥିଲୁ ।

 

ଏହି ବ୍ୟାକୁଳତା, କାର୍ଯ୍ୟବ୍ୟସ୍ତତା ଆଉ ଟିକିନିଖି ପ୍ରସ୍ତୁତି କେବେ ଖବରକାଗଜବାଲାଙ୍କ ମେଳରେ ବା ଲୋକଗହଳିରେ ହେଉନଥିଲା । ଶାନ୍ତି ଆଉ ନୀରବତା ଭିତରେ ଏହାର ପ୍ରଭାବ ଧୀରେ ଆମ ଆତ୍ମା ଭିତରେ ପ୍ରବେଶ କରୁଥିଲା । ସରକାରୀ ପୁଲିସ ନିଶ୍ଚୟ ସତର୍କ ନଥିଲେ କିମ୍ବା ସେତେବେଳେ ଥିଲେ ଉଦାସୀନ; କାରଣ ସେମାନେ ନା ଆସିଥିଲେ ଆମ ସଭ୍ୟମାନଙ୍କ ଖପୁରୀ ଚୂନା କରିଦେବାକୁ ନା ସେମାନଙ୍କ କ୍ଷମତାର ସମ୍ମୋହକ ପ୍ରଭାବରେ ଆମକୁ ବାନ୍ଧି ନେଇଯିବାକୁ ।

 

କଲିକତା ସହରର ଛାତି ସେତେବେଳେ ପଥର ଛାଉଣୀ ହେବାକୁ ତଥାପି ବାକିଥିଲା; ଗୋଟେ ବହୁତ ବଡ଼ ଅଞ୍ଚଳ ଥିଲା ପୂରାପୂରି ଅନାବୃତ । ତେଲକଳରୁ ଧୂଆଁ ତଥାପି ଆକାଶର ମୁହଁକୁ କଳା କରି ନଥିଲା । କୋଠାଘରର ଅରଣ୍ୟ ଭିତରେ ଫାଙ୍କା ଯାଗା ଦେଇ ସୂର୍ଯ୍ୟଦେବ ପୁଷ୍କରିଣୀର ଜଳରାଶି ଉପରେ କମ୍ପିତ ମୃଦୁ ଆଲୋକ ବିଛାଇ ଦେଉଥିଲେ, ଅଶ୍ୱତ୍ଥ ବୃକ୍ଷମାନ ଅପରାହ୍ଣମାନଙ୍କରେ ଅପେକ୍ଷାକୃତ ଦୀର୍ଘଛାୟା ନିକ୍ଷେପ କରୁଥିଲେ; ପବନରେ ନଡ଼ିଆ ବାହୁଙ୍ଗାର ପଥପ୍ରାନ୍ତ ଅଧିକ ଦୋହଲୁଥିଲା, ଆମ ଦକ୍ଷିଣଦିଗ ବଗିଚାରେ ଥିବା ଗାଡ଼ିଆରେ ଏକ ପଥୁରିଆ ନାଳଦେଇ ଝରଣା ପାଣି ଜୋର୍ ଆସି ପଡ଼ୁଥିଲା । ବେଳେବେଳେ ଗଳିରେ ଶୁଭୁଥିଲା ସବାରୀପାଲିଙ୍କି ବାହକମାନଙ୍କ ଅଣନିଃଶ୍ୱାସୀ ବୋବାଳି, ଆଉ ମୁଖ୍ୟ ସଡ଼କରୁ ଶୁଭୁଥିଲା ଘୋଡ଼ିଗାଡ଼ି ଚାଳକର ବାଟ ଛାଡ଼ିବାପାଇଁ ଚିତ୍କାର । ସଂଜ ହେଲେ ଗୋଟେ ତେଲବତୀ ଜଳୁଥିଲା, ଆଉ ମଶିଣା ଉପରେ ଚକାମୁଣ୍ଡି ପକାଇ ବସି ଆମେ ପ୍ରୋଢ଼ା ଦାସୀଠାରୁ ପରୀ କାହାଣୀ ଶୁଣୁଥିଲୁ-। ଏହି ଅର୍ଦ୍ଧ ସ୍ତବ୍ଧ ପୃଥିବୀରେ ମୁଁ ଥିଲି କେଉଁ କୋଣର ଗୋଟେ ଜୀବ, ଲଜ୍ଜାଶୀଳ, ଶୃଙ୍ଖଳିତ, ଚୁପଚାପ ।

 

ଆଉ ଗୋଟେ କାରଣପାଇଁ ବି ମୁଁ ଏକପ୍ରକାର ଅଦ୍ଭୁତ ସ୍ୱଭାବର ଥିଲି । କୌଣସି କାରଣ ନଥାଇ ମୁଁ ସ୍କୁଲରେ ସବୁବେଳେ ଅନୁପସ୍ଥିତ ରହୁଥିଲି । ପରୀକ୍ଷା ଦେଉ ନ ଥିଲି, କୌଣସି ପରୀକ୍ଷାରେ ମୁଁ କେବେ କୃତକାର୍ଯ୍ୟ ହୋଇ ନଥିଲି; ମୋ ଶିକ୍ଷକମାନେ ମୋ ଭବିଷ୍ୟତକୁ ନେଇ ସମସ୍ତ ଆଶା ଛାଡ଼ି ଦେଇଥିଲେ । ପ୍ରତିବନ୍ଧକ ବିହୀନ ବିରତି ଯାହା ଶ୍ରେଣୀ ଗୃହ ବାହାରେ ପ୍ରଚୁର ପରିମାଣରେ ଥିଲା, ସେ ଆଡ଼କୁ ମୋ ମନ ଛୁଟିଗଲା ଗୋଟେ ଶରଣାର୍ଥୀ ପରି ।

 

ଏତିକିବେଳେ ମୁଁ କାହାଠାରୁ ଶୁଣି ହଠାତ୍ ଆବିଷ୍କାର କଲି ଯେ, ଶବ୍ଦଧ୍ୱନି ଆଧାରିତ ପଦ ପରେ ପଦ ଛନ୍ଦ ମିଳନକୁ ଲୋକେ କହନ୍ତି ‘କବିତା’, ଆଉ ଏହି କବିତା ସାଧାରଣ କଲମରେ ସାଧାରଣ ମରଣଶୀଳ ଲୋକମାନଙ୍କଦ୍ୱାରା ଲେଖା ହୋଇଥାଏ । ସେତେବେଳେ ବି ଥିଲା ଏମିତି ଗୋଟେ ସମୟ ଯେତେବେଳେ ଯତିପାତ ଛନ୍ଦ କବିତା କେହି ଲେଖିଦେଲେ ଲୋକେ ତାକୁ ବିସ୍ମିତ ଦୃଷ୍ଟିରେ ଦେଖୁଥିଲେ । ବର୍ତ୍ତମାନ ସେଇମାନେ ଅସାଧାରଣ ବିବେଚିତ ହେଉଛନ୍ତି ଯେଉଁମାନେ ଏହା ନକରି ପାରିଛନ୍ତି ।

 

ପୟାର ଓ ତ୍ରିପଦୀ ଜଗତ ଭିତରେ ମୋର ନିର୍ବିରୋଧ ସାହିତ୍ୟିକ କ୍ଷମତାର ଅକ୍ଳାନ୍ତ ଆବେଗଦ୍ୱାରା ଆକ୍ରାନ୍ତ ହୋଇ ମୁଁ ପାଗଳ ହୋଇଗଲି । ଆଠ, ଛ ଆଉ ଦଶ ପଦାଂଶର ବିଭାଜନର ଯେକୌଣସି ସଂଖ୍ୟାର ଶବ୍ଦ ସହ ମୁଁ ନିଜକୁ ବ୍ୟସ୍ତ ରଖିଲି ଗୋଟିଏ କୋଣରେ, ମିତ୍ରାକ୍ଷର ଛନ୍ଦ ଗଢ଼ିବା ଭାଙ୍ଗିବାର ଖେଳ ଭିତରେ । ଧୀରେ ଫଳାଫଳ ଦେଖିଲା ସୂର୍ଯ୍ୟାଲୋକ ।

 

ସେହିସବୁ ଗାରିଆଗାରିର ଯାହା ବି ଗୁଣ ଥାଉ ନଥାଉ, ଗୋଟେ ଭିତ୍ତିଭୂମି ନିଶ୍ଚୟ ଥିଲା: ଗୋଟେ ବାଳକ ଯିଏ ଥିଲା ଲଜ୍ଜାଶୀଳ, ନିଜଭିତରେ ଚୁପଚାପ, ନିସଙ୍ଗ ଏବେ ଖେଳୁଥିଲା ତା’ର ନିଜର ବୈରାଗୀର ଖେଳ । ସେ ସମାଜର କଠିଣ ନିଗଡ଼ର ସୀମାଭିତରେ ନଥିଲା ଆଉ ସ୍କୁଲର ଶୃଙ୍ଖଳା ବାହାରେ ଥିଲା । ତାର ପାରିବାରିକ ବନ୍ଧନ ଥିଲା କମ । ବାପା ଥିଲେ ହିମାଳୟରେ; ଘର ଦାୟିତ୍ୱ ଥିଲା ବଡ଼ ଭାଇଙ୍କର । ମୋ ଭାଇ ଜ୍ୟୋତିରୀନ୍ଦ୍ରନାଥ, ଯାହାଙ୍କୁ ମୁଁ ବହୁତ ମାନୁଥିଲି, ମୋ ଉପରେ କୌଣସି ଅଙ୍କୁଶ ଲଗାଇନଥିଲେ । ମୁଁ ତାଙ୍କ ସହିତ ତର୍କ କରୁଥିଲି ଯେପରି ଆମେ ଏକା ବୟସର ଥିଲୁ । ସେ ଜାଣିଥିଲେ ଗୋଟେ କମ ବୟସ୍କକୁ କିମିତି ସମ୍ମାନ ଦେଖାଯାଏ । ଯଦି ପରିହାସ ଛଳରେ ସେ ମୋ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଅତ୍ୟାଚାର କରିଥାନ୍ତେ ମୁଁ ହୁଏତ ନିଜକୁ ଅନ୍ୟଆଡ଼କୁ ବୁଲେଇ ନେଇଥାନ୍ତି, ହୁଏତ ଏହା ଭଦ୍ର ସମାଜପାଇଁ ଗ୍ରହଣ ଯୋଗ୍ୟ କିଛି ହୋଇଥାନ୍ତା, ହେଲେ ମୋ ନିଜପରି ମୁଁ ଆଦୌ ହୋଇ ନଥାନ୍ତି ।

 

ଏହା ସହିତ ଆରମ୍ଭ ହୋଇଥିଲା ମୋ ଭଙ୍ଗା ଭଙ୍ଗା କବିତାରେ କାବ୍ୟିକ ଖଣ୍ଡମାନଙ୍କର ଏକ ଅଧ୍ୟାୟ, ମିତ୍ରାକ୍ଷର ଛନ୍ଦର ବର୍ଷା ପରି ଏହା ଥିଲା ଗୋଟେ ବାଳକର ବିସ୍ତାରିତ ଶବ୍ଦବହୁଳ ଆବେଗପାଇଁ ଏକ ସ୍ଥୂଳ, ଅସମାନ ଆଉ ପୂର୍ଣ୍ଣ ପ୍ରସ୍ତୁତ ତଥା ଅବିଶ୍ୱାସନୀୟ ଭିତ୍ତିଭୂମି । ଏହି ନିସଙ୍ଗ ଶିଶୁଟିର ପ୍ରତିଟି ଅସ୍ଥିରେ ପୂରି ରହିଥିଲା ଚିରାଚରିତ ପନ୍ଥାକୁ ଭାଙ୍ଗିବାପାଇଁ ଆଗ୍ରହ । ଏଥିରେ ଥିଲା ଅନେକ ବିପଦ । ହେଲେ ଏଠାରେ ବି ମୁଁ ଘୋର ବିପତ୍ତିକୁ ହଟେଇ ପାରିଥିଲି । ଏହା ସମ୍ଭବ ହୋଇଥିଲା ଏହି କାରଣରୁ ଯେ ସେତେବେଳେ ମୋ ସୌଭାଗ୍ୟକୁ ବଙ୍ଗଳା ସାହିତ୍ୟର ଯଶର ବଜାରରେ ଗହଳି ଥିଲା ବହୁତ କମ; ପ୍ରତିଯୋଗିତାର ଉତ୍ତେଜନା ତଥାପି ତୁଙ୍ଗ ଶିଖରକୁ ଛୁଇଁ ନଥିଲା । ପ୍ରତିକୂଳ ସମାଲୋଚନାର ଅପ୍ରୀତିକର ପ୍ରହାରକୁ ଅଧିକାଂଶବେଳେ ନ୍ୟାୟର ଲାଠି ନିୟନ୍ତ୍ରିତ କରୁଥିଲା, କିନ୍ତୁ ଭର୍ତ୍ସନା ଓ ଗୁଜବର ଝଡ଼ ତଥାପି ଏଯାଏଁ ସାରସ୍ୱତ ଜଗତକୁ ବିଷାଦଗ୍ରସ୍ତ କରି ନଥିଲା ।

 

ତତ୍କାଳୀନ ଅଳ୍ପ କେତେଜଣ ଲେଖକଙ୍କ ଭିତରେ ମୁଁ ଥିଲି ସବୁଠାରୁ ସାନ ଆଉ ସବୁଠୁକମ୍ ପାଠ ପଢ଼ିଥିବା ଲେଖକ । ମୋ କବିତା ଓ ମିତ୍ରଛନ୍ଦ ଥିଲା ଲଗାମ ବିହୀନ, ଅକୁଶଳ ଅଭିବ୍ୟକ୍ତିଦ୍ୱାରା ମୋ ବିଷୟଗୁଡ଼ିକ ଥିଲା ଅସ୍ପଷ୍ଟ, କୁହେଳିକାଚ୍ଛନ୍ନ, ପ୍ରତି ପଦରେ ଦେଖା ଯାଉଥିଲା ଭାଷା ଓ ଭାବର ଅପରିପକ୍ୱତା । ସମକାଳୀନ ବୁଦ୍ଧିଜୀବୀମାନେ କ୍ୱଚିତ ସେମାନଙ୍କ ମନ୍ତବ୍ୟ ବା ରଚନାରେ ମୋତେ ସାମିଲ କରାଉଥିଲେ ବରଂ ମୋର ଅର୍ଥହୀନ ବକବାସ୍ ଦେଖି ବହୁତ ହସୁଥିଲେ । ଏହା ତାତ୍ସଲ୍ୟର ହସ ନଥିଲା, ଏହା ପଛରେ ନିନ୍ଦା କରିବାର ଅଭିଳାଷ ବି ନଥିଲା । ସେମାନଙ୍କ ରଚନାରେ ମୋ ପ୍ରତି ମଧୁର ଗାଳି ଥିଲା, ହେଲେ ଅସୌଜନ୍ୟର ସାମାନ୍ୟତମ ଚିହ୍ନ ନଥିଲା । ଏପରିକି ଯେଉଁଠାରେ ପ୍ରତିକୁଳ ମନ୍ତବ୍ୟ ନିହାତି ଦରକାର ଥିଲା ସେଠାରେ ବି କୌଣସି ଅପକାର କରିବାର ଇଚ୍ଛା ଦେଖାଯାଇ ନଥିଲା । ଏହିପରି ଭାବରେ ମୋ ତରଫରୁ ସମାଲୋଚନାର ଅଭାବ ପ୍ରତି ଅମନଯୋଗୀ ହୋଇ, ଆଉ ସମକାଳୀନ ଶୈଳୀର ବିରୋଧରେ ଯାଇ, ମୁଁ ମୋ ନିଜର ରଚନା ଶୈଳୀ ଓ ମାର୍ଗ ବିକଶିତ କରାଇବାରେ ସମର୍ଥ ହୋଇଥିଲି ।

 

ଅସ୍ପଷ୍ଟତାର ପ୍ରଥମ ପ୍ରଥମ ଅବିଚଳିତ ମୁହୂର୍ତ୍ତମାନ ସରିଆସିଲା । ପ୍ରକୃତିର କୋମଳ ତତ୍ତ୍ୱାବଧାନ ଆଉ ସମ୍ପର୍କୀୟମାନଙ୍କ ଶ୍ରଦ୍ଧାର ଗଭୀର ଛାୟାରେ ମୁଁ ବିଶ୍ରାମ ନେଉଥିଲି । ବେଳେବେଳେ ମୋର ସମୟ ମୁଁ କଟାଉଥିଲି ତୃତୀୟ ମହଲା ଛାତ ଉପରେ ଗୋଟେ କୋଣରେ, ଅଳସ କେଉଁ ମୁହୂର୍ତ୍ତରେ ଗୁନ୍ଥୁଥିଲି ମାଳାଟିଏ ଦିବାସ୍ୱପ୍ନର କିମ୍ବା ଘାଜୀପୁରର ପୁରୁଣା ନିମଗଛ ତଳେ ବସି ଶୁଣୁଥିଲି ବଗିଚାରେ ପାଣି ମଡ଼ାଇବାପାଇଁ କୂଅରୁ ପାଣି ପମ୍ପରେ ବାହାରୁଥିବା ପାଣିର ଶୋକଭରା ଯନ୍ତ୍ରଣା, ଏହି ଯନ୍ତ୍ରଣା ମୁଁ ଗଙ୍ଗାନଦୀରେ ଦେଖିଛି କିପରି ଏହା ଇତସ୍ତତଃ ହୋଇ ବୋହି ଚାଲିଥାଏ ଅସଂଖ୍ୟ ଯନ୍ତ୍ରଣାରେ ଭରା ମୋ କଳ୍ପନାର ପାଖେ ପାଖେ । ସେତେବେଳେ ମୁଁ ଆଦୌ ଜାଣିନଥିଲି ଯେ, ଅନ୍ୟ ମନର ଖେଞ୍ଚାଖେଞ୍ଚି, ଆଘାତର କମାଣ ଗୁଳିଗୋଳା ତଳେ ଥାଇ ବି, ମୋ ନିଜ ମନର ଛାଇ ଆଲୁଅରୁ ବାହାରିଯାଇ କେବେ ମୁଁ ସହନଶୀଳତାର ରାଜପଥରେ ଦ୍ରୂତଗତିରେ ଯାଇ ପହଞ୍ଚି ଯିବି ।

 

ଶେଷରେ ଯଶ ଆସିଲା ଆଉ ମତେ ଟାଣି ନେଇ ଠିଆ କରାଇ ଦେଲା ମଧ୍ୟାହ୍ନ ମାର୍ତ୍ତଣ୍ଡର ସ୍ଥିର ଦୃଷ୍ଟି ତଳେ, ଉତ୍ତାପ ଆସିଲା ଧୀରେ ଧୀରେ, ଆଶ୍ରୟସ୍ଥଳର ମୋ ତିନି ମହଲା କୋଣଟି ଭୁଷୁଡ଼ି ପଡ଼ିଲା । ଯଶ ସହିତ ଜଡ଼ିତ ଅଶ୍ଳୀଳତା ମୋ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଥିଲା ଅଧିକ ଅପବିତ୍ରତାରେ ପୂର୍ଣ୍ଣ । ଆଉ କୌଣସି ଲେଖକକୁ ଏପରି ନିର୍ମମ, କଠୋର, ନିର୍ଦ୍ଦୟ, ନିର୍ବିଚାର, ନିର୍ବିରୋଧ ଅପମାନ ସହିବାକୁ ପଡ଼ିନଥିଲା । ସତ କହିବାକୁ ଗଲେ ଏହା ମୋ ଯଶର ବିପୁଳତାର ଏକ ଭଲ ମାପକାଠି । ଏପରି କହିବାର କାରଣ ଏହା ଯେ, ଦୁର୍ଭାଗ୍ୟର ପରୀକ୍ଷା ଭିତରେ ଭାଗ୍ୟ ମୋତେ ବାରମ୍ବାର ହଇରାଣ କରିଛି ସତ, ହେଲେ ପରାଜୟର ଅପମାନ ସହ ଲଜ୍ଜିତ କରି ନାହିଁ । ଏହା ବ୍ୟତୀତ, ମୋ ଦୁର୍ଭାଗ୍ୟ-ନକ୍ଷତ୍ର ମୋପାଇଁ ଯେଉଁ କଳାପରଦାଟି ଝୁଲାଇ ଦେଇଥିଲା ତାହାର ସମ୍ମୁଖ ଭାଗରେ ଖୋଲାଖୋଲି ଝଲସୁଥିଲା ମୋ ସାଥୀମାନଙ୍କ ଉଜ୍ଜ୍ୱଳ ହସ ହସ ମୁହଁ । ସେମାନଙ୍କ ସଂଖ୍ୟା ଯେ କେବେ କମ୍ ନଥିଲା ତାହା ଆଜିର ସଭାରୁ ସ୍ପଷ୍ଟ ଜଣା ପଡ଼ୁଛି-। କେତେଜଣ ବନ୍ଧୁଙ୍କୁ ମୁଁ ଜାଣେ, ଆଉ ଅନେକଙ୍କୁ ଜାଣେ ନାହିଁ, ହେଲେ ଏଇମାନେ ହିଁ ନିକଟ ଦୂରରୁ ଆସିଥିବା ସେଇ ଲୋକ ଯେଉଁମାନେ ଏ ଉତ୍ସବରେ ଆଜି ମୋ ସହିତ ସାମିଲ୍ ହୋଇଛନ୍ତି; ସେମାନଙ୍କ ଉତ୍ସାହ ଦେଖି ମୁଁ ବାସ୍ତବରେ ଏକଦମ ଅଭିଭୂତ । ଏବେ ମୋର ଗୋଟେ ପ୍ରକାର ଅନୁଭବ ହେଉଛି ଯେ ସେମାନେ ଆସିଛନ୍ତି ଘାଟପାଖରେ ମୋତେ ବିଦାୟ ଦେବାକୁ; ମୋ ନୌକାଟି ଦିବାଲୋକର ପରିସର ବାହାରେ ଗୋଟାଏ ଯାତ୍ରା ଆରମ୍ଭ କରିବ ଆଉ ମୋ କାନରେ ବାଜୁଥିବ ସେମାନଙ୍କ ଆଶୀର୍ବାଦର ସ୍ୱର । ମୋ ନୌକାଟି ଚାଲିଯାଉଥିବ ଦୂରରୁ ଦୂରକୁ ।

 

ସତୁରୀବର୍ଷର ଗୋଧୂଳି ଭିତରେ ମୋ ଦିନମାନଙ୍କର ଯାତ୍ରା ଗୋଟେ ଉପସଂହାରରେ ପହଞ୍ଚିଛି । ସମସ୍ତ ଆଲୋକ ମଉଳିଯିବା ଆଗରୁ ମୋ ଦେଶ ସ୍ୱୀକାର କରିସାରିଥିବ ମୋ ଦୀର୍ଘଜୀବନର ମୂଲ୍ୟ ଏଇସବୁ ସାମ୍ବତ୍ସରିକ ଉତ୍ସବ ପାଳନ ଭିତରେ ।

 

କ୍ଷେତରେ ଫସଲଥିଲା ଯାଏଁ ଥାଏ ଅନିଶ୍ଚିତତା । କ୍ଷେତକୁ ଦେଖି ଧୂର୍ତ୍ତ ସାଉକାର ସତର୍କ ହୋଇଯାଏ ଏତେ ଆଗରୁ କରଜ ଦେବ କି ଦେବନାହିଁ, ଆଉ ମୂଳପୁଞ୍ଜି ନିଜପାଇଁ ସଞ୍ଚି ରଖେ । କେବଳ ଯେତେବେଳେ ଫସଲ ଅମଳ ହୋଇଯାଏ ଆଉ ଗୋଦାମରେ ସଞ୍ଚିତ ହୋଇ ରହିଯାଏ, ସେତିକିବେଳେ ହିଁ ଓଜନ ଅନୁସାରେ ଦରଧାର୍ଯ୍ୟ ହୋଇଯାଏ । ଲାଗୁଛି ଆଜି ମୁଁ ଚିନ୍ତାର ଅମଳ ପରବର୍ତ୍ତୀ ସମୟରେ ଠିଆ ହୋଇଛି ।

 

ସେଇ ଲୋକଟି ଯିଏ ଦୀର୍ଘଦିନ ବଞ୍ଚିଯାଏ ଆପେ ଅତୀତ ପରି ହୋଇଯାଏ । ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି ଯେ ମୋର ଅସୀମ ବର୍ତ୍ତମାନ ଆଉ ମୋର ସମକାଳୀନ ବର୍ତ୍ତମାନ ଭିତରେ ନିଃସନ୍ଦେହ ଏକ ଦୂରତ୍ୱ ଅଛି । ମୋ ପ୍ରସ୍ଥାନର ଠିକ୍ ପୂର୍ବ ସଂଧ୍ୟାରେ ମୁଁ ସେଇ କବିମାନଙ୍କ ଗହଣରେ ଠିଆ ହୁଏ ଯେଉଁମାନେ ନିଜଭାଗ କାମ ଏ ଜଗତରେ ସମ୍ପୂର୍ଣ୍ଣ କରି ଅନ୍ୟ ଜଗତକୁ ଆଗରୁ ଚାଲି ଯାଇଛନ୍ତି । ଯେଉଁ ଅସ୍ପଷ୍ଟତା ସହ ଜଣକର ବିଚାର କରାହୁଏ, ବର୍ତ୍ତମାନ ସମୟର ରଥ ସହିତ ସମତାଳରେ ଚାଲୁଥିବା ପରି ଯେପରି ଗୃହୀତ ହୁଏ, ମୋ କ୍ଷେତ୍ରରେ ଏସବୁ ବର୍ତ୍ତମାନ ସୁଦ୍ଧା ସରିଯିବା କଥା । ଆଧୁନିକର ସମ୍ମୁଖଭାଗରୁ ମୁଁ ତ ଠିକ ସେତିକି ଦୂର ପଛେଇ ଆସିଛି ଯେତିକି କଳ୍ପନାର କାମେରାକୁ ଦରକାର ଜୀବନର ସମ୍ପୂର୍ଣ୍ଣ ଦୃଶ୍ୟପଟ୍ଟ ଦେଖାଇବାକୁ ।

 

ମନୁ କହିଛନ୍ତି, ପଚାଶ ବର୍ଷ ପରେ ଜଣେ ବାନପ୍ରସ୍ଥ ଅବଲମ୍ବନ କରିବା ଉଚିତ । ମନୁଙ୍କ ଅନୁସାରେ ଏହା ଏପରି ହେବା ଦରକାର କାରଣ ପଚାଶବର୍ଷ ପରେ ଜଣେ ବର୍ତ୍ତମାନର ପଛରେ ପଡ଼ିଯାଏ । କାରଣ ସେହି ବୟସରେ ସମୟର ଦୌଡ଼ ସହିତ ସମତାଳରେ ଦୃଢ଼ତାର ସହ ଚାଲିବାର କ୍ଲାନ୍ତି ଅଧିକ ହୋଇଥାଏ ଏହା ପ୍ରଦାନ କରୁଥିବା ସନ୍ତୋଷଠାରୁ । ଜଣେ କମ ପୁନରୁଜ୍ଜୀବିତ ହୁଏ ଆଉ ଅଧିକ ଅବସନ୍ନ ହୁଏ । ତେଣୁ ସେହି ବୟସରୁ ଜଣେ ନିଜକୁ ପ୍ରରୋଚିତ କରିବା ଉଚିତ ସେହି ଶାଶ୍ୱତ ନଦୀର ମୁହାଣ ଦିଗରେ ନିଜ ନଉକା ବାହି ନେବାକୁ, ଯେଉଁଠାରେ ସମୟ ଚିରକାଳ ସ୍ଥିର ଆଉ ଅପରିବର୍ତ୍ତିତ । ଜଗତର ସାଧନା ପୂର୍ଣ୍ଣ କରି ସାରିବା ପରେ ସମୟ ଆସିଛି ଏବେ ସ୍ଥିରତାର ସାଧନା ନିମନ୍ତେ ।

 

ମନୁଙ୍କ ସମୟ ନିର୍ଘଣ୍ଟକୁ କଡାକଡ଼ିଭାବେ ମାନିନେବା ଏଯୁଗରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କ ସମୟରେ ବର୍ତ୍ତମାନ ତୁଳନାରେ ନିଶ୍ଚୟ କମ ଦାୟିତ୍ୱ ଥିଲା ଜୀବନରେ ଆଉ କମ ଥିଲା ଜଟିଳ ଅବସ୍ଥା । ଆଜିକାଲି ସବୁ କିଛି ହୋଇଯାଇଛି ଗୋଟେ ବ୍ୟାପକ ବ୍ୟାପାର ଯଥା: ଶିକ୍ଷା, କାର୍ଯ୍ୟ, ଏପରିକି ଖେଳ କିମ୍ବା ଆମୋଦ ପ୍ରମୋଦ ଯାହାବି ହେଉ । ସେତେବେଳେ ସମ୍ରାଟଙ୍କ ରଥ ଯେତେ ଦର୍ଶନୀୟ ହେଉ ପଛେ, ବର୍ତ୍ତମାନ ରେଳଗାଡ଼ିରେ ବଗିମାନଙ୍କର ଏକତ୍ର ଖଞ୍ଜା ହେବା ବ୍ୟବସ୍ଥାଠାରୁ ଏହା ନିଶ୍ଚୟ ସରଳ ଥିଲା । ଗୋଟାଏ ମାଲବାହୀ ବଗି ଖାଲି କରିବାକୁ ଢେର ସମୟ ଲାଗେ । ଅଫିସ ବନ୍ଦ ହେବା ସମୟ ସନ୍ଧ୍ୟା ପାଞ୍ଚ, ହେଲେ ଫାଇଲ, କାଗଜପତ୍ର କାମ ସାରି ଡ୍ରୟାର ବନ୍ଦ କରିବା ଆଗରୁ ଜଣେ ଦୀର୍ଘଶ୍ୱାସଟିଏ ଆଗ ପକାଏ; ‘ଏଇଲେ ଘରକୁ ଯାଇ ବତୀ ଜଳାଇବାକୁ ହେବ ।’ ଏହିପରି ହିଁ ଆମ ଜୀବନ । ଏଣୁ ଅବସର ବୟସ ସୀମା ପଚାଶରୁ ଯଦି ବଢ଼ା ନଯାଏ ଆମେ ଛୁଟି ନେଇ ପାରିବା ନାହିଁ । ହେଲେ ସତୁରୀବର୍ଷ ବୟସରେ ଉପନୀତ ଜଣେ ବୟସ୍କପାଇଁ କୌଣସି କୈଫିୟତ ନଥାଇ ପାରେ । ବାହ୍ୟ ପ୍ରମାଣରୁ ଏକଥା ସ୍ପଷ୍ଟ ଯେ ମୋ ସମୟ ମୋର ପୁରୋଭାଗରେ ଚାଲିଯାଇଛି, ଅତିକମ୍‌ରେ ମୁଁ ଦଶବର୍ଷ ପଛରେ ପଡ଼ି ଯାଇଛି । ମୁଁ ଏକ ଦୂର ତାରାର ଆଲୋକ ପରି ଯେଉଁ ଆଲୋକ ପୂର୍ବବର୍ତ୍ତୀ ସମୟର ଅନ୍ତର୍ଭୁକ୍ତ ଏକ ଆଲୋକ ରେଖା ।

 

ଯାହା ହେଲେ ବି, ଆଗକୁ ଚାଲିବାର ଗତିମାତ୍ରା ଯୋଗୁଁ, ସମ୍ପୂର୍ଣ୍ଣ ସ୍ଥିର ହୋଇଯିବା ଆଗରୁ, ଅତୀତ ସ୍ମୃତିରୁ କିଛି ବର୍ତ୍ତମାନ ଉପରେ ପଡ଼ିବା ଦରକାର । ଗୋଟିଏ ସମ୍ପୂର୍ଣ୍ଣ ସଙ୍ଗୀତ ଯେତେବେଳେ ଏହାର ସମସ୍ତ ଧ୍ୱନି ସ୍ୱର ସହିତ ଗାନ ହୋଇଯାଏ, ଏହା ପ୍ରକୃତରେ ଶେଷ ହୋଇଯାଏ, ତଥାପି ଆଉ କିଛି ସମୟପାଇଁ ଅଳ୍ପ ଗାଇବାକୁ ଅନୁରୋଧ ଆସିଥାଏ । ଏହା କେବଳ ଅତୀତର ପୁନରାବୃତ୍ତି । ଅତିବେଶୀରେ ଗୋଟିଏ ବା ଦୁଇଟି ଲୟ ଯୋଗ କରାଯାଇପାରେ; ହେଲେ ଗାୟକ ଯଦି ନୀରବ ରହନ୍ତି ତା ହେଲେ ବି କିଛି ଯାଏ ଆସେ ନାହିଁ । ଦୀର୍ଘସମୟ ଧରି ପୁନରାବୃତ୍ତିକୁ ସତେଜ କରି ରଖିବାର ପ୍ରଚେଷ୍ଟା ଠିକ୍ ଗୋଟେ ମାଛକୁ ପାଣିରୁ ବାହାର କରି ମାସେ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ଚେଷ୍ଟା କଲା ଭଳି ।

 

ମାଛ ଆଉ କବି ଭିତରେ ଏହି ତୁଳନାକୁ ଆଉ ଟିକିଏ ବଢ଼ାଇ ଦିଆଯାଉ । ମାଛଟି ଯେପର୍ଯ୍ୟନ୍ତ ପାଣିରେ ଅଛି ଏହାର ନିଜର ବଞ୍ଚିବା ସ୍ୱାର୍ଥ ଲାଗି ସାମାନ୍ୟ ଖାଦ୍ୟ ଯୋଗାଇ ଦେବା ଯଥାର୍ଥ । ପରେ, ଏହା ଯେତେବେଳେ ପାଣିରୁ କଢ଼ା ହୋଇ ଆସୁଛି ସେତେବେଳେ ସ୍ୱାର୍ଥଟା ଅନ୍ୟ ଜୀବର ହୋଇ ଯାଉଛି । ସେହି ସମାନ ପ୍ରକାରେ କବି ପାଖକୁ ଉତ୍ସାହବାକ୍ୟର ଟୁକୁରାଖଣ୍ଡ ପକାଇଦେବା ସେ ପର୍ଯ୍ୟନ୍ତ ଭଲକଥା ଯେ ପର୍ଯ୍ୟନ୍ତ ସେ ପରିପକ୍ୱତାର ନିର୍ଦ୍ଦିଷ୍ଟ ସୀମାରେଖା ଅତିକ୍ରମ କରି ନାହିଁ; ଏହା କବିର ଆପଣା ସ୍ୱାର୍ଥପାଇଁ । ତା ପରେ, ତା’ର ପରିପକ୍ୱ ବର୍ଷମାନ ଯେତେବେଳେ ଶେଷପ୍ରାନ୍ତରେ ପହଞ୍ଚିବାର ପ୍ରଶାନ୍ତିଦ୍ୱାରା ପରିପୂର୍ଣ୍ଣ, ସେତେବେଳେ ଯଦି କବିର କିଛି ଆବଶ୍ୟକତା ଥାଏ, ତାହା ତା’ର ନିଜ ସ୍ୱାର୍ଥ ନୁହେଁ, ବରଂ ତା ଦେଶର ସ୍ୱାର୍ଥରେ ଥାଏ ।

 

ଗୋଟେ ଦେଶ ଚିରକାଳ ମାନବ ନିର୍ମିତ । ଦେଶଟି କେବଳ ଭୂମି ଖଣ୍ଡେ ନୁହେଁ ବରଂ ଆତ୍ମାର ଆବାସସ୍ଥଳୀ । କେବଳ ସେତିକିବେଳେ ଗୋଟାଏ ଦେଶ ସମ୍ପୂର୍ଣ୍ଣରୂପେ ଅଭିବ୍ୟକ୍ତି ପାଇଯାଏ ଯେତେବେଳେ ଏହାର ସମଗ୍ର ମାନବ ସମୁଦାୟ ପ୍ରକାଶକ୍ଷମ ହୋଇ ଯାଆନ୍ତି । ଯେତେ ଅଧିକ ଝଂକୃତ କରାଇ ଆମେ ଆମ ମାତୃଭୂମିର ମହତ୍ତ୍ୱ ଘୋଷଣା କରିବା, ସେତେ ଅଧିକ ସୁଜଳା-ସୁଫଳା-ଶସ୍ୟ ଶ୍ୟାମଳା-ମଳୟ ପ୍ରବାହିତର ଯଥାର୍ଥତା ପ୍ରତିପାଦନର ଆବଶ୍ୟକତା ଜରୁରୀ ହୋଇ ପଡ଼ିବ ।

 

ପ୍ରଶ୍ନ ଉଠିପାରେ; ଯଦି ପ୍ରକୃତିର ଅବଦାନମାନ କେବଳ ବସ୍ତୁଗତ ଉପାଦାନ, କିପରି ସେସବୁ ମଣିଷମାନଙ୍କ ଉତ୍କର୍ଷର ବିକାଶପାଇଁ ପ୍ରୟୋଗ ହୋଇ ପାରିବ ? ଯଦି ମଣିଷର ଜବରଦସ୍ତ ଆକ୍ରମଣଦ୍ୱାରା ଭୂମିର ଜଳସବୁ ଶୁଖିଯାଏ, ଗଛ ଯଦି ମରିଯାଏ, ଯଦି ମହାମାରୀ ଜୀବାଣୁଦ୍ୱାରା ବାୟୁମଣ୍ଡଳ ଦୂଷିତ ହୋଇଯାଏ, ଯଦି ଚାଷ ଜମି ବନ୍ଧ୍ୟା ହୋଇଯାଏ, କୌଣସିବି ପରିମାଣର କବିତା ଭୂଖଣ୍ଡର ଲଜ୍ଜା ବଞ୍ଚାଇବାକୁ ସମର୍ଥ ହେବ ନାହିଁ । ଦେଶ ନିର୍ମିତ ହୋଇ ନଥାଏ ଭୂମିଦ୍ୱାରା, ଏହା ଗଢ଼ା ହୋଇଥାଏ ଲୋକସମୂହକୁ ନେଇ ।

 

ନିଜତ୍ୱ ପ୍ରମାଣ କରିବାପାଇଁ, ଦେଶ ସବୁବେଳେ ସେଇମାନଙ୍କ ଅପେକ୍ଷାରେ ଥାଏ ଯେଉଁମାନେ କୌଣସି ବୃତ୍ତିରେ ଚରମ ଉତ୍କର୍ଷତା ହାସଲ କରିଥାନ୍ତି । ଏପରିକି ସେମାନଙ୍କ ବିନା ମଧ୍ୟ ଉଦ୍ଭିଦ ଜଗତ ଓ ଜୀବଜଗତ ଜନ୍ମ ନେବେ, ବର୍ଷା ହେବ, ନଦୀ ପ୍ରବାହିତ ହେବ, ହେଲେ ଦେଶ ଲୁଚି ରହିବ ମରୁଭୂମିର ବାଲୁକାତଳେ ମାଟି ରହିବା ପରି ।

 

ଏହି କାରଣରୁ ଦେଶ ଖୋଜିବ ବିଶେଷ ଘଟଣା ଓ ବିଶେଷ ସମୟ, ତାହେଲେ ସର୍ବସାଧାରଣରେ ସ୍ୱୀକୃତି ଦେଇ ପାରିବ ତା ନିଜର ଜଣକୁ ଯାହାକୁ ସେ ତା ନିଜର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ବୋଲି ବିଚାର କରେ । ଯେତେବେଳେ ଏହା ଘଟେ, ଯେଉଁଦିନ ଜଣେ ବ୍ୟକ୍ତିବିଶେଷ ଦେଶଦ୍ୱାରା ଖୁସିରେ ସ୍ୱୀକୃତ ହୋଇଯାଏ, ସେହିଦିନ ବ୍ୟକ୍ତିଟି ଭୂମିର କୋଳରୁ ଜନ୍ମନିଏ, ଦେଶମାତୃକାର କୋଳରେ ଆରାମରେ ଶୋଇବା ବସିବା ପରି ।

 

ମୋ ଜୀବନର ଶେଷ ଅବସ୍ଥାରେ, ଯଦି ଏହି ସାମ୍ବତ୍ସରିକ ଉତ୍ସବମାନଙ୍କ ପାଳନରେ କିଛି ସତ୍ୟତା ଥାଏ, ଏହା ହିଁ ସେମାନଙ୍କ ଯଥାର୍ଥତା । ମୋତେ ଚିହ୍ନିତ କରାଇ ଯଦି ଦେଶ ନିଜକୁ ନେଇ କୌଣସି ପ୍ରକାର ଆବିଷ୍କାର କରି ନାହିଁ, ତାହେଲେ ଆଜିର ଏ ଉତ୍ସବ ବ୍ୟର୍ଥ ହେବାକୁ ବାଧ୍ୟ । ଯଦି କେହି ଏସବୁରେ ଅହଂକାର ଓ ଆତ୍ମଶ୍ଲାଘା ଅନୁଭବ କରୁଥାଆନ୍ତି, ମୁଁ କହିଦେବା ଉଚିତ ହେବ ଯେ ସେପରି ବ୍ୟସ୍ତତା ଅନାବଶ୍ୟକ । ଖ୍ୟାତିର ପ୍ରଦର୍ଶନୀ ଯଦି ବହୁତ ଅଧିକ ଯେତେବେଳେ ତାର ମୂଳପୁଞ୍ଜି ଅତି ସୀମିତ, ଖୁବ୍‍ଶୀଘ୍ର ସେ ନିଃସ୍ୱ ହୋଇଯିବ । ଭ୍ରାନ୍ତି ଦେଖାଯାଏ ଗୋଟେ ବିପତ୍ତି ପରି, ସବାଶେଷରେ ରହିଯାଇଥାଏ କିଛିଟା ନଗଣ୍ୟ ଜିନିଷ । ଆତସବାଜିର ବାଦଲ ଭେଦକାରୀ ଆଲୋକ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇଯିବାର ଆକର୍ଷକ ଇଙ୍ଗିତ ।

 

ଏଥିରେ ବି ସନ୍ଦେହ ନଥାଇ ପାରେ ଯେ, ଦେଶ ଏହାର ସମ୍ମାନ ଗ୍ରହିତା ବାଛିବାରେ ଭୁଲ କରୁଥାଇ ପାରେ । ସାହିତ୍ୟର ଇତିହାସ ବହୁବାର ଦେଖିଛି ଯଶର କ୍ଷଣିକ କୋଳାହଳ ନୀରବ ହୋଇଯିବା । ଏଣୁ ଏହି ସତର୍କବାଣୀ ଦୃଷ୍ଟିରୁ ଜଣେ ଉତ୍ସବ ପାଳନକୁ ନେଇ ଖୁବ୍ ବେଶୀ ଉଲ୍ଲସିତ ହେବା ଉଚିତ ନୁହେଁ ।

 

ଏଥିରେ ତର୍କର ସ୍ଥାନ ଆଦୌ ନାହିଁ । ଏଇ ମୁହୂର୍ତ୍ତରେ ମୁଁ ବି ବିଷର୍ଣ୍ଣ ହେବାର କାରଣ କିଛି ଦେଖୁନାହିଁ । ଆମେ ଦେଖିଛେ, ଯୁଗ ଯୁଗ ଧରି ସାହିତ୍ୟ ସମାଲୋଚନାର ରାୟ ବିପରୀତ ଦିଗରେ ଯିବା ସହିତ ପୁନର୍ଗଠନ ଦେଇ ମଧ୍ୟ ଗତି କରିଥାଏ । ଯଦି ଶେଷ ନିଷ୍ପତ୍ତି ଅତି ଚପଳ ଭାବରେ ମନ୍ଥର ସମୟଦ୍ୱାରା ନିର୍ଣ୍ଣିତ ହୋଇଥାଏ, ତା’ପରେ ସମ୍ପୂର୍ଣ୍ଣ ନୀରବତା ହିଁ ବିଧି ସମ୍ମତ, ଏବେ ସେହି ବିଷୟରେ କୋଳାହଳ କରି କିଛି ଲାଭ ନାହିଁ । କାରଣ ଏହି ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଉତ୍ସବ ଆଉ ଏହାର ନିକଟତମ ଜରୁରୀ କଥାଟି ହେଉଛି ମୋର ତତ୍କାଳ ଲାଭ । ପରବର୍ତ୍ତୀ କାଳରେ ଆମ ନାତି ନାତୁଣୀ ଶେଷ ବିଚାରପାଇଁ ଉପସ୍ଥିତ ହେବେ । ବର୍ତ୍ତମାନପାଇଁ ମୁଁ ମୋ ସାଥୀ ବନ୍ଧୁମାନଙ୍କ ଗହଣରେ ସନ୍ତୁଷ୍ଟ ହୋଇ ଆନନ୍ଦଲାଭ କରେ; ଆଉ ଯେଉଁମାନେ ଅନ୍ୟପ୍ରକାରେ ଭାବୁଛନ୍ତି ସେମାନେ ପାଣିଫୋଟକା ଫୁଟାଇବାର ସ୍ପନ୍ଦନ ଉପଭୋଗ କରନ୍ତୁ । କଳା ଆଉ ଧଳାରଙ୍ଗ ଧରି ଦୁଇ ବିପରୀତ ଧର୍ମୀ ସ୍ରୋତ, ଯମ କନ୍ୟା ଯମୁନା ଆଉ ଶିବଙ୍କ ଜଟାରୁ ବୋହି ଆସିଥିବା ଗଙ୍ଗା, ବିଶ୍ୱର ଆନନ୍ଦମୟ ନଦୀଧାରାରେ ମିଳିତ ହୋଇ ଯାଆନ୍ତି । ଆପଣା ପୁଚ୍ଛର ଅହଙ୍କାରରେ ମୟୂର ନାଚି ଖୁସି ହୁଏ, ଯେତେବେଳେ ଶିକାରୀ ଆପଣା ଅଭେଦ୍ୟ ଲକ୍ଷ୍ୟର ଅହଙ୍କାରରେ ତାକୁ ଗୁଳି ମାରିବାକୁ ଯାଇ ଅତ୍ୟନ୍ତ ଉଲ୍ଲସିତ ହୁଏ ।

 

ଆଧୁନିକ କାଳରେ ପାଶ୍ଚାତ୍ୟ ଜଗତରେ ଆମେ ଦେଖୁ ସାହିତ୍ୟ ଓ କଳାତ୍ମକ ସର୍ଜନାର ଲୋକପ୍ରିୟତା ସବୁବେଳେ ତୀବ୍ର ବେଗରେ ବଦଳୁଛି । ଲୋକଙ୍କଦ୍ୱାରା ବ୍ୟବହୃତ କାର୍‍ମାନଙ୍କର ଗତି ବଢ଼ିଚାଲିଛି; ଗତି ନିର୍ଦ୍ଦୟ ଭାବରେ ଲୋକମାନଙ୍କ ହୃଦୟ ଓ ମନକୁ ବିଦ୍ଧ କରିଥାଏ ।

 

ଯେଉଁଠାରେ ପାର୍ଥିବ ପ୍ରତିଯୋଗିତା ଯେତେଭୟାନକ ସେଠାରେ ଗତିର ଭୂମିକା ସେତେ ଅଧିକ । ଯେଉଁଠାରେ ପ୍ରତିଟି ବ୍ୟକ୍ତି ଭାଗ୍ୟବଳରୁ ଖସି ପଡ଼ିଥିବା ଫଳମାନଙ୍କୁ ଅନ୍ୟଠାରୁ ଆଗ ପାଇବାକୁ ଧୂଳି, ମାଟି ଆଉ ଜନଗହଳିପୂର୍ଣ୍ଣ ବଜାର ଛକରେ ଦୌଡି ଲାଗିଥାନ୍ତି, ଆଉ ଯେଉଁ ଲୋକଟି ଗତି ଯୋଗୁଁ ବିଜୟ ହାସଲ କରେ ସ୍ୱାଭାବିକ ଭାବରେ ସେ ହିଁ ଖେଳ ଜିତେ । କେବେ ବି ସନ୍ତୁଷ୍ଟ ହେଉ ନଥିବା ଲୋଭର ମାଧ୍ୟମ ହେଉଛି ନିର୍ମମ ଗତି । ସମଗ୍ର ପାଶ୍ଚାତ୍ୟ ଜଗତ ସେହି ଆସକ୍ତିରେ ଗୋଟେ ମଦ୍ୟପ ପରି ଅସ୍ଥିର ହେଉଛି । ସେଠାରେ ଗତିର ତୀବ୍ରତା ବୃଦ୍ଧି ଗୋଟିଏ ସୁଯୋଗ ହେବା ବଦଳରେ ଧୀରେ ଧୀରେ ନିଜେ ନିଜ ଭିତରେ କ୍ଷୟ ହେବାରେ ଲାଗିଛି । ଏହା ସେହି ତୀବ୍ର ଗତିର ଲୋଭ ଯାହା ଜଳ, ସ୍ଥଳ, ଆକାଶ ଚତୁର୍ଦ୍ଦିଗରେ ଏକ ପ୍ରକାର ଉନ୍ମାଦପ୍ରାୟ ଗର୍ଜନ କରି ଅତି ବିଶୃଙ୍ଖଳିତ ଭାବରେ ଯେମିତି ବିଛେଇ ହୋଇ ଯାଇଛି ।

 

ହେଲେ ଜୀବନର ଉପାଦାନ ତ ଗୋଟେ ଲୁହାର ଇଞ୍ଜିନ ନୁହେଁ ଯାହା ବାଷ୍ପ ଆଉ ବିଦ୍ୟୁତର ଦ୍ୱୈତ୍ୟ ରାକ୍ଷସଦ୍ୱାରା ପରିଚାଳିତ ହେବ । ଏହାର ନିଜର ଗୋଟେ ଛନ୍ଦ ଅଛି । ଏହା ଏପରି ଏକ ଛନ୍ଦ ଯାହା ଅତି ବେଶୀରେ ଗୋଟେ ବା ଦୁଇଟି ପାଦ ଅଧିକ ନେଇପାରିବ, ତା’ଠାରୁ ଅଧିକ ନୁହେଁ । ଜଣେ ହୁଏତ ମାଙ୍କଡ଼ଡିଆଁ ମାରି ଘୂରି ଘୂରି କିଛି ମିନିଟ ଆଗେଇ ଯାଇପାରେ, ହେଲେ ଦଶ ମିନିଟ ପୂରିବା ଆଗରୁ ନିଶ୍ଚିତ ଭାବରେ ଦେଖାଯିବ ଯେ ମଣିଷମାନେ ସାଇକେଲ୍ ଚକା ନୁହଁନ୍ତି, ସେମାନଙ୍କ ପାଦଚଲା ଢଙ୍ଗ ଏକଦମ ତାଳଦେଇ ପ୍ରାଚୀନ କାବ୍ୟ ସଙ୍ଗୀତର ଛନ୍ଦ ସହିତ ପଡ଼େ । ସଙ୍ଗୀତର ଦ୍ରୁତ ଲୟ ସେତିକିବେଳେ ମଧୁର, ଯେତେବେଳେ ଏହା କର୍ଣ୍ଣ ଯୁଗଳର ସଜୀବ ଛନ୍ଦକୁ ମାନି ନିଏ । ଜୀବନ୍ତ ଚକ୍ଷୁ ଯୁଗଳ ଗୋଟେ କ୍ୟାମେରା ନୁହେଁ, କୋଣସି ବସ୍ତୁକୁ ଭଲ କରି ଦେଖିବାକୁ ଏହା ସମୟ ନିଏ । ଘଣ୍ଟାକୁ କୋଡ଼ିଏ ପଚିଶ ମାଇଲ ବେଗରେ ଯାଉଥିବାବେଳେ ଆଖି ଯାହା ଦେଖେ ତାହା ଏକପ୍ରକାର ଧୂଆଁଳିଆ ଦେଖିବା । ଦିନଥିଲା ଯେତେବେଳେ ତୀର୍ଥସ୍ଥାନଗୁଡ଼ିକ ସଜୀବବସ୍ତୁରୂପେ ଆମ ଦେଶରେ ଗଣା ହେଉଥିଲେ । ଯାତ୍ରାଜନିତ ସମସ୍ତ ଆରାମ ସହିତ ଏହି କାର୍ଯ୍ୟ ସମ୍ପାଦିତ ହେଉଥିଲା । ମଟର କାର୍ ଯୁଗରେ ତୀର୍ଥଯାତ୍ରା ତଥାପି ଚାଲିଛି, ଯାତ୍ରା ନାହିଁ, ଚାଲିବା ବୁଲିବା ନାହିଁ, କେବଳ ପହଞ୍ଚିଯିବା ଅଛି; କହିବାକୁ ଗଲେ, କିଛି ନଶିଖି, ପରୀକ୍ଷାରେ ପାଶ୍ କରିବା ଭଳି ଏ ଜିନିଷ । ରେଳ କଂପାନୀଦ୍ୱାରା ତୀର୍ଥଯାତ୍ରାର ବଟିକା ଆଗରୁ ତିଆରି ହୋଇ ଭିନ୍ନ ଭିନ୍ନ ମୂଲ୍ୟରେ ମିଳିଯାଏ, ତୁମ ଇଚ୍ଛା କେଉଁ ବଟିକା ତୁମେ ଖାଇବ, କେତେ ଟଙ୍କା ଦେଇ କିଣିବ । ଏହି ପ୍ରକ୍ରିୟାରେ ମୁହୂର୍ତ୍ତକର ବି ଫୁରୁସତ୍ ନାହିଁ ଜାଣିବାକୁ ଯେ ତୁମେ ଏହା ଭିତରର ପ୍ରକୃତ ଜିନିଷଟିକୁ ହରାଇ ସାରିଛ । ଯଦି, କାଳିଦାସଙ୍କ ଯକ୍ଷ ତାର ମେଘଦୂତକୁ ତ୍ୟାଗ କରି ଗୋଟେ ବ୍ୟୋମଯାନୀ ଦୂତକୁ ଅଳକାପୁରୀକୁ ପଠାଇଥାଆନ୍ତା, ତା ହେଲେ ମନ୍ଦାକ୍ରାନ୍ତା ମିତ୍ରଛନ୍ଦ ଯାହା ପୂରା ଦୁଇଟି ସର୍ଗ ପୂରଣ କରିଛି, ମାତ୍ର ଦୁଇଟି ଶ୍ଲୋକ ଟପିଗଲା ପରେ ଦୁର୍ଘଟଣାର ସମ୍ମୁଖୀନ ନିଶ୍ଚୟ ହୋଇଥାନ୍ତା ଆଉ ମୃତ୍ୟୁବରଣ କରିଥାନ୍ତା । ପ୍ରେମର ମଧୁର ଅନୁପସ୍ଥିତି (ବିରହ)ର ଯନ୍ତ୍ର ତିଆରି ବଟିକା ବଜାରରେ ଉପଲବ୍ଧ ହେବାକୁ ତଥାପି ବାକି ଅଛି ।

 

‘ମେଘଦୂତମ୍‌’ କାବ୍ୟର ବେଦନାଜଡ଼ିତ ଚରମ ମୁହୂର୍ତ୍ତଦ୍ୱାରା ବିଗଳିତ ନହୋଇଥିବା ବଳଶାଳୀ ଲୋକମାନେ ଆଜିକାଲି ଅଧିକ ଦେଖାଯାନ୍ତି । କେତେକ କହନ୍ତି ଯେ, ବର୍ତ୍ତମାନ କବିତାରେ ଶୁଣାଯାଉଥିବା ବେଦନାର ସ୍ୱର ଏହାର ମୃତ୍ୟୁବେଳାର ଶେଷ କରୁଣ ଚିତ୍କାର । ଏହାର ସମୟ ସରିଗଲାଣି । ଯଦି ଏହା ସତ ହୋଇଥାଏ, ତେବେ ଏହା କବିତାର ଦୋଷ ନୁହେଁ, ଏହା ସମୟର ଦୋଷ । ମାନବର ଆତ୍ମା ଚିରକାଳ ଗୋଟେ ଛନ୍ଦ ଲୟ ସହିତ ନିଜକୁ ଖାପ ଖୁଆଇ ଚଳାଇବାରେ ଅଭ୍ୟସ୍ତ, ହେଲେ ଏବେ ଏବେ ଦେଖାଯାଉଛି ଯେ ନିଜର ଦ୍ରୁତ ଗତିଶୀଳ ଇଞ୍ଜିନ ସହିତ ମେଳ ଓ ତାଳକୁ ସମୟ ନିଜେ ଭାଙ୍ଗି ଦେଇଛି ।

 

ଗୋଟେ ଅଙ୍ଗୁର ଉଦ୍ୟାନର ଚାଷୀ ମାଟିରେ ବାଡ଼ି ପୋତିଦିଏ, ଆଉ ଅଙ୍ଗୁରଲତା ରଞ୍ଜା ଉପରେ ଭରା ଦେଇ ଉଠିଯାଏ ଉପରକୁ ଆଶ୍ରୟ ଖୋଜି ଫଳ ଧାରଣ କରିବାକୁ । ଠିକ୍ ସେହିପରି ଜୀବନକୁ ବଳିଷ୍ଠ ଓ ସଫଳ କରିବାପାଇଁ କେତେଗୁଡ଼ିଏ ନିୟମ କାନୁନ୍ ଉଚିତ ସ୍ଥାନରେ ରଖିବା ନିହାତି ଦରକାର । ଏହି ନିୟମର ଅଧିକାଂଶ ମାନ୍ଦା, ଅରୁଚିକର ତଥା ନିର୍ଜୀବ ଉପଦେଶ ଆମ ଚାରିପଟେ ବୁଲିଥିବା ଶୃଙ୍ଖଳାର ବାଡ଼ ସଦୃଶ । ହେଲେ ଗୋଟେ ବାଡ଼ର ଉଜଳା କାଠ ଖୁଣ୍ଟିଟି ଯେପରି ଚେରର ସନ୍ଧାନ ପାଇଲା କ୍ଷଣି ଜୀବନ୍ତ ହୋଇ ଦୁଇଟା ପତ୍ର ମେଲିଦିଏ, ସେହିପରି ଜୀବନ ଯେତେବେଳେ ଗୋଟେ ନୀରବ ଗତିରେ ଆତ୍ମାର ଛନ୍ଦଆଡ଼କୁ ଆଗଉ ଥାଏ ଶୁଷ୍କ ବାଡ଼ର ଖୁଣ୍ଟିଗୁଡ଼ିକ ହିଁ ଯାଗା ବନାଇ ଦିଅନ୍ତି ଗଭୀରତମ ପ୍ରଦେଶରେ ପହଞ୍ଚିବାକୁ ଆଉ ଜୀବନର ଖାଲି ଯାଗାକୁ ପୂର୍ଣ୍ଣ କରିବା ଆରମ୍ଭ କରି ଦିଅନ୍ତି । ସେହି ଗଭୀରତାମାନଙ୍କରେ ରହିଥାଏ ଜୀବନୀଶକ୍ତିର ମୂଳଉତ୍ସ । ଏପରିକି ତତ୍ତ୍ୱ, ଆଦର୍ଶ, ନିୟମଭଳି ଜିନିଷମାନ ବି ସେହି ଶୁଖିଲା କାଠ ଭିତର ଦେଇ ଜୀବନ୍ତ ହୁଏ ଆଉ ଆତ୍ମାର ମୂଳ ଉତ୍ପାଦନରୂପେ ଭେଟେ ରୂପବତ୍ତାକୁ ଆଉ ତା’ପରେ ମାନବୀୟ ଉଲ୍ଲାସର କେତେ ଛଟାର ସ୍ପର୍ଶରେ ହୋଇଯାଏ ବର୍ଣ୍ଣିଳ । ଏହି ଉଲ୍ଲସିତ ଭାବର ଅଭିବ୍ୟକ୍ତି ଭିତରେ ଥାଏ ଅବିନଶ୍ୱରତା ।

 

ଗୋଟିଏ ଦିନର ଶୃଙ୍ଖଳା ହୁଏତ ପରଦିନକୁ ଗୃହୀତ ହୋଇ ନପାରେ ହେଲେ ଏହି ଶୃଙ୍ଖଳା ଯେଉଁ ପ୍ରେମ ଆଉ ସୁଦୃଶ୍ୟତା ବ୍ୟକ୍ତ କରେ ତାହା ହିଁ ଚିରକାଳ ଆମପାଇଁ ନୂଆ ହୋଇ ରହେ । ମୋଗଲ ସାମ୍ରାଜ୍ୟର ଚିତ୍ରକଳା ଆଜି ବି ସତେଜ ଆଉ ନବୀନ ହୋଇ ରହିଛି, ଆମେ ସେହି ସାମ୍ରାଜ୍ୟ ଓ ତାର ନୀତିକୁ ପ୍ରଶଂସା କରେ କି ନକରେ କିଛି ଯାଏ ଆସେ ନାହିଁ ।

 

ଗୋଟିଏ ଯୁଗ ଯେଉଁଥିରେ ପ୍ରଶାନ୍ତି ବା ବିଶ୍ରାମ ବିଶୃଙ୍ଖଳିତ ଆଉ ଅବରୁଦ୍ଧ ହୁଏ ପ୍ରୟୋଜନର ଗହଳିରେ, ଏମାନଙ୍କ ଚାପରେ ନିସ୍ତେଜ ସେହି ଯୁଗଟି ଉପଯୋଗିତାର ଯୁଗ, ପ୍ରେମର ଯୁଗ ନୁହେଁ । ପ୍ରେମ ଗଭୀରତର ହେବାପାଇଁ ଲୋଡେ ସମୟ । ଆଧୁନିକ ଯୁଗ ଆଜି ଆବଶ୍ୟକତା ପୂରଣର ବ୍ୟସ୍ତତାଦ୍ୱାରା ଆକ୍ରାନ୍ତ, ଯେପରି ଜଳଉଦ୍ଭିଦର ଅଦରକାରୀ ଗୁଳ୍ମ, ଅସଂଖ୍ୟ ରୂପ, ଆକାର ଧରି ପଶି ଆସିଛି ସାହିତ୍ୟର ସ୍ରୋତ ଭିତରକୁ ବି । ସେମାନେ ଜୀଇ ରହିବାକୁ ଆସିନଥାନ୍ତି, ସେମାନେ ଜବରଦସ୍ତ ନିଜକୁ ୟା ଭିତରେ ପୂରାଇଥାନ୍ତି ସେମାନଙ୍କ ନିଜ ସମସ୍ୟାର ସମାଧାନପାଇଁ ବିନୀତ ପ୍ରାର୍ଥନା ପତ୍ର ଧରି । ସେହି ପ୍ରାର୍ଥନାପତ୍ର ଯେତେ ଆଳଙ୍କାରିକ ଭାଷାରେ ଲେଖା ହୋଇଥାଉ ପଛେ କଦାପି ତାହା ସାହିତ୍ୟ ପଦବାଚ୍ୟ ହୋଇ ନପାରେ, ଏହା କେବଳ ଗୋଟେ ଅନୁଜ୍ଞା ପତ୍ର । ଦାବି ପୂରଣ ହେବା ମାତ୍ରେ ଏହା ଉଭେଇ ଯାଏ ।

 

ଏ ଭଳି ସ୍ଥିତିରେ ସାହିତ୍ୟିକ ଆବହାୱା ପ୍ରତି ଘଣ୍ଟାରେ ବଦଳେ । କେଉଁଠାରେ ବି ଏହା ନିଜ ହୃଦୟକୁ ପଛରେ ଛାଡ଼ି ଆସେ ନାହିଁ; ଯେଉଁ ବିଭାଗରେ ଏହା ପ୍ରତିଯୋଗିତା କରେ ତାହା ସରିଗଲା ପରେ ଗୋଇଠାମାରି ଘୃଣାରେ ତାହାକୁ ପ୍ରତ୍ୟାଖ୍ୟାନ କରିଦିଏ; ଯାହା ଉପରେ ଏହା ସୁଉଚ୍ଚ ମୀନାର ଗଢ଼େ, ତାହାରି ଉପରେ ଉପହାସ, ଘୃଣା ଗଦେଇ ତାକୁ ଅଯୋଗ୍ୟ ଘୋଷିତ କରେ । ଆମ ନାରୀମାନଙ୍କର ଚଉଡା ପାଟଧଡ଼ି ଶାଢ଼ୀ, ସେମାନଙ୍କ ନୀଳାମ୍ବରୀ ବନାରସୀ, ଦୀର୍ଘକାଳ ଧରି ମୋଟାମୋଟି ଅପରିବର୍ତ୍ତିତ ରହିଛି; କାରଣ ସେମାନେ ଆମ ହୃଦୟଭରା ସମ୍ମାନର ଅଧିକାରୀ । ସେମାନଙ୍କୁ ଯେତେ ଦେଖିଲେ ବି ଆମ ଆଖି କ୍ଲାନ୍ତ ହୁଏ ନାହିଁ । ସେମାନେ ସତେରେ ଆମକୁ କୋଉକାଳୁ ହାଲିଆ କରି ସାରନ୍ତେଣି ଯଦି ଆମ ମନ ଅସନ୍ତୁଷ୍ଟ ହୋଇଯାଇଥାନ୍ତା, ଯଦି ସେମାନଙ୍କୁ ଆନନ୍ଦର ସହ ଅବସର ବେଳେ ଶାନ୍ତ ଭାବରେ ଗ୍ରହଣ କରିବାପାଇଁ ଆମ ମନ ଆବେଗ ବିହୀନ ଆଉ ବିରକ୍ତିକର ହୋଇଯାଇଥାନ୍ତା । ଗୋଟେ ନିର୍ବୋଧ, ଅମନଯୋଗୀ, ଲୋକ ଦେଖାଣିଆ ବିଳାସର ଭିତ୍ତି ଉପରେ ହିଁ ନିରର୍ଥକ, ପ୍ରଚେଷ୍ଟାହୀନ ଆଉ ବାରମ୍ବାର ପୁନରାବୃତ୍ତି ହେଉଥିବା ସୌଖୀ ନ ରଙ୍ଗଢଙ୍ଗର ଅଦଳବଦଳ ଚାଲିଥାଏ । ଆଜିକାଲିର ସାହିତ୍ୟ ଜଗତ ଦେଖୁଛି ସେହି ଏକପ୍ରକାର ସଉକ ଆଉ ଅଦଳବଦଳର, ଲେଖନଶୈଳୀ ଯାହା ଭିନ୍ନ ଢଙ୍ଗରେ । ଅନ୍ତହୀନ ଦୌଡ଼ ପ୍ରତିଯୋଗିତାରେ ହୃଦୟ କେବେ ଶ୍ରଦ୍ଧା ଓ ପ୍ରେମର ଚାଦରଟିଏ ବୁଣିପାରେ ନାହିଁ କି ସୂତା ଖଣ୍ଡିଏ ହାତରେ ବାନ୍ଧି ପାରେନାହିଁ । କେବଳ ଯଥେଷ୍ଟ ସମୟ ପାଇଲେ ହିଁ ଏହା ଗଭୀର ଯତ୍ନର ସହିତ ପ୍ରେମର ବନ୍ଧନପାଇଁ ଆବଶ୍ୟକ ସୂତାକାଟି ପାରିବ ଆଉ ଚାଦର ବି ବୁଣି ପାରିବ । ହେଲେ ବ୍ୟସ୍ତ ଲୋକମାନେ ଏହାକୁ ଭର୍ତ୍ସନା କରନ୍ତି; ‘ସେ ସୁନ୍ଦରତାକୁ ଫିଙ୍ଗିଦିଅ ବାହାରକୁ !’ ଦିନକାଳ ଗଲାଣି ସୌନ୍ଧର୍ଯ୍ୟର, ମନୋହାରିତା ପୁରୁଣାକାଳିଆ । ଗୋଟେ ଯେମିତି ସେମିତି ବୁଣା ଛଣ ଦଉଡ଼ି ନେଇ ଆସ, ଚାଲ ଏହାକୁ ନାମ ଦେବା ବାସ୍ତବବାଦ । ଆଜିର ପ୍ରତିଯୋଗିତା ପ୍ରବଣ ତଥା ବାରମ୍ବାର ଭୁଲତ୍ରୁଟି କରୁଥିବା ମଣିଷମାନେ ତାହା ହିଁ ପସନ୍ଦ କରିବେ । କ୍ଷଣସ୍ଥାୟୀ ଜନପ୍ରିୟ ଶୈଳୀ ହଠାତ୍ ନୂଆ କରି ଗାଦିରେ ବସିଥିବା ନବାବ ପରି ଉଦ୍ଧତ; ଏହାର ମୁଖ୍ୟ ଅହଙ୍କାର ଏୟା ଯେ ଏହା ସାମ୍ପ୍ରତିକ ଆଉ ସମକାଳୀନ, ଯାହାର ଅର୍ଥ ଏହା ନିଜର ସମୟକୁ ନେଇ ଗର୍ବିତ, ନିଜର ଗୁଣାତ୍ମକ ମାନକୁ ନେଇ ନୁହେଁ ।

 

ଗତିଶୀଳତାର ଏହି ଯେଉଁ ମୋଟର ଇଞ୍ଜିନଟି ଦେଖୁଚ, ତାହାର ମୁଖ୍ୟ ଷ୍ଟେସନଟି ଅଛି ପାଶ୍ଚାତ୍ୟ ଭୂଖଣ୍ଡର ହୃଦ୍‌କେନ୍ଦ୍ରରେ । ଦପ୍ତରୀୟ କାଗଜାତ୍ ବଳରେ ଆମ ନିଜର ହେବାକୁ ତଥାପି ବାକି ଅଛି । ହେଲେ ଆମ ଭିତରେ ଦ୍ରୁତ ପ୍ରତିଯୋଗୀତା ବେଶ୍ ଆରମ୍ଭ ହୋଇଗଲାଣି । ପବନ ଭଳି ଦ୍ରୁତବେଗରେ ଦୌଡ଼ୁଥିବା ସେମାନଙ୍କ ରଥର ପାଦରଖା ଯାଗା ଉପରକୁ ଆମେ ବି ଲଂଫ ମାରି ସାରିଚେ । ଆମେ ବି ନମ୍ରତାର ସହ ଛୋଟ କଟାଚୁଟି ଆଉ ଅଳ୍ପ ବସ୍ତ୍ର ପରିହିତା ସାହିତ୍ୟର ସର୍ବାଧୁନିକ ଚଳଣି ରଙ୍ଗ ଢଙ୍ଗ କୌଶଳ ବାବଦରେ ଆଲୋଚନା କରୁଛେ; ଆମେ ବି ନୂଆ ଲେଖକର ଔଦ୍ଧତ୍ୟ ସହିତ ପ୍ରାଚୀନଙ୍କୁ ବଦନାମ କରି ବହୁତ ଆନନ୍ଦ ପାଉଚେ ।

 

ଏହି ସବୁ କଥା ମନରେ ରଖି ମୁଁ କହିଥିଲି ଯେ ମୋର ଏହି ସତୁରୀବର୍ଷ ବୟସରେ ଯଶକୁ ମୁଁ ବିଶ୍ୱାସ କରେ ନାହିଁ । ଏହି ସୁନାହରିଣୀର ଅନ୍ୱେଷଣରେ ଜଙ୍ଗଲ ସାରା ପାଗଳପ୍ରାୟ ଘୂରି ବୁଲିବା ଯୁବକମାନଙ୍କପାଇଁ ବହୁତ ଭଲ । କାରଣ ଜଣେ ଯେତେବେଳେ ଯୁବକ ଥାଏ, ହରିଣୀଟି ଯଦିଚ ବିଭ୍ରାନ୍ତିକର ହୋଇଥାଏ, ଶିକାର କାର୍ଯ୍ୟଟି ଆପେ ହିଁ ହୋଇଥାଏ ଯଥେଷ୍ଟ ରୋମାଞ୍ଚକର । ଫୁଲଟି ଫଳ ଦେଇପାରେ ବା ନଦେଇ ପାରେ; ତଥାପି ନିଜର ବ୍ୟଗ୍ରତାଭିତରେ ଫୁଲଟି ନିଜସ୍ୱଭାବକୁ ଏକ ପରିପକ୍ୱ ଅଭିବ୍ୟକ୍ତି ଦେବାକୁ ବାଧ୍ୟ । ଏହା ହିଁ ତ ଉଦ୍‌ବେଗ ଉଦ୍ଦୀପକ; ଏହାର ରଙ୍ଗ ଆଉ ସୁବାସର ସମସ୍ତ ପ୍ରଚେଷ୍ଟା ଅବିରତ ବାହାର ଦିଗକୁ ଖୋଲୁଥାଏ । ଫଳର କାମ ଆପେ ଅନ୍ତର୍ମୁଖୀ ହୋଇଥାଏ; ଏହାର ସ୍ୱଭାବ ଏକ ଆଡ଼ମ୍ବରହୀନ, ବିନୀତ, ଅବିଚଳିତ ଶାନ୍ତି ଦାବି କରେ-। ଏହାର ଦୃଢ଼ ପ୍ରଚେଷ୍ଟା ଚାଲିଥାଏ ଡାଳ କବଳରୁ ମୁକ୍ତି ପାଇବାପାଇଁ, ଏହା ଏପରି ଏକ ମୁକ୍ତିର ଇଚ୍ଛା ଯାହା ଆସେ ଅନ୍ତର୍ନିହିତ ପାକଳପଣ ଆଉ ଅନ୍ତରରେ ପୂର୍ଣ୍ଣତାର ଜାଗରଣରୁ ।

 

ମୋ ଜୀବନରେ ଆଜି ଆସିଛି ଫଳର ଋତୁ, ଏପରି ଗୋଟିଏ ଫଳ ଯାହା ବୃନ୍ତରୁ ଶୀଘ୍ର ଝଡ଼ି ପଡ଼ିବାପାଇଁ ବ୍ୟଗ୍ର । ଋତୁର ବିଶେଷ ସୁବିଧାମାନଙ୍କୁ ପୂର୍ଣ୍ଣଭାବରେ ଭୋଗ କରିବାପାଇଁ ବାହାର ଓ ଭିତରେ ଏକ ସୁବିଚାରିତ ପରିପକ୍ୱ ମିଳନ ହେବା ଦରକାର । ସେହି ପ୍ରଶାନ୍ତି କିନ୍ତୁ ଧ୍ୱଂସ ହୋଇଥାଏ ଯଶ, ଅସ୍ପଷ୍ଟତା ଆଉ ଅପବାଦର ଦ୍ୱନ୍ଦ୍ୱ ଭିତରେ ।

 

ଯଶ କଥା ଛାଡ: ଏହାର ବୃହତ୍ତର ଅଂଶଟି ତ ବାଷ୍ପରେ ପୂର୍ଣ୍ଣହୋଇ ଫୁଲିକି ରହିଥାଏ । ସେହି ଲୋକଟି ଯିଏ ଏହାର ସଂକୋଚନ ଓ ପ୍ରସାରଣଦ୍ୱାରା ଅତିମାତ୍ରାରେ ବିଚଳିତ ହୋଇଯାଏ ତା’ଠାରୁ ଦୀନହୀନ ଆଉ କେହି ନାହିଁ । ପ୍ରେମ ହିଁ ଭାଗ୍ୟର ସର୍ବୋଚ୍ଚ ଆଶୀଷ, ଆଉ ଏହା ମଧ୍ୟ ଜଣେ କବିପାଇଁ ସର୍ବଶ୍ରେଷ୍ଠ ପୁରସ୍କାର, ଯିଏ ନିଜ କାମ ବ୍ୟତୀତ ଆଉ କିଛି ଦେଇ ପାରେ ନାହିଁ, ସେ ପ୍ରତିଦାନରେ ହୁଏତ କିଛି ପାଇ ପାରେ; ହେଲେ ଯାହା ଉପରେ ଦାୟିତ୍ୱ ହେଉଛି ଆନନ୍ଦଦାନର ତାହାର ପ୍ରତିଦାନ ତ ବିନା ପ୍ରେମରେ ଦେବା ସମ୍ଭବ ନୁହେଁ ।

 

ଏ ସଂସାରରେ ଅନେକ ପ୍ରକାର କୃତି କୀର୍ତ୍ତି, ଲକ୍ଷ୍ୟସାଧନ ଅଛି ଯାହାର ମୁଖ୍ୟ ଉପାଦାନ ହେଉଛି ମଣିଷ । ଉଦାହରଣସ୍ୱରୂପ ରାଜ୍ୟକୁ ନିଆ ଯାଇପାରେ । ଏହାର ଭିତରର କାର୍ଯ୍ୟପନ୍ଥାର ଶକ୍ତି ରହିଥାଏ ଲୋକ ସଂଖ୍ୟାରେ, ଯେଉଁଥିପାଇଁ ଲୋକଙ୍କୁ ଏପଟକୁ ବା ସେପଟକୁ ଆଣିବାପାଇଁ ସତତ ଦ୍ୱନ୍ଦ୍ୱ ଲାଗି ରହିଥାଏ । ଲୋକଙ୍କୁ ଧରି ରଖିବାପାଇଁ ଏହା ଯଶର ଏକ ବିସ୍ତୃତ ବଡ଼ଜାଲ ବିଛାଇବା ଭଳି ଜଟିଳ କାମ କରେ । ଲୟଡ଼ ଜର୍ଜଙ୍କ କଥାଭାବ । କେବଳ ଯେତେବେଳେ ବହୁତ ବଡ଼ ସଂଖ୍ୟାର ଲୋକସମୂହ ତାଙ୍କ ବିଚାରଶକ୍ତିକୁ ମାନି ଯାଉଥିଲେ ଆଉ ତାଙ୍କ ବୋଧଶକ୍ତି ପାଖରେ ନିଜକୁ ସମର୍ପି ଦେଉଥିଲେ ତ ତାଙ୍କର କାମ ହୋଇ ଯାଉଥିଲା । ଅବସ୍ଥା ସାମାନ୍ୟ କୋହଳ ହୋଇଗଲେ ଜାଲଟି ଚିରିଯାଏ, ଆଉ ମାନବ ଉପାଦାନ ଅଦୃଶ୍ୟ ହେବାକୁ ଆରମ୍ଭ କରେ-

 

ଅପର ପକ୍ଷରେ, କବିର ସର୍ଜନାରେ ଯଦି ସତ୍ୟଥାଏ ତା ହେଲେ ସ୍ୱୟଂ ସୃଷ୍ଟିଭିତରେ ହିଁ ଯଶ ରହିଥାଏ । ଜନସାଧାରଣଙ୍କ ଅନୁମୋଦନ ଅନାବଶ୍ୟକ । କାରଣ ଏହା ଅତିସାଧାରଣ କଥା ଯେ ଏଭଳି ସୃଷ୍ଟି ଜନତାର ପ୍ରତିକୂଳ ମତର ସମ୍ମୁଖୀନ ହୁଏ । ତାହା ଏହାର ବଜାର ମୂଲ୍ୟକୁ ପ୍ରଭାବିତ କରେ ହେଲେ ଏହାର ପ୍ରକୃତ ମୂଲ୍ୟ ହ୍ରାସ କରିପାରେ ନାହିଁ ।

 

ଫୁଲଟିଏ ଯେ ଫୁଟିଛି, ଏହା ହିଁ ଫୁଲର ସର୍ବଶ୍ରେଷ୍ଠ ବାର୍ତ୍ତା । ଯେଉଁ ଲୋକଟି ଏହାକୁ ପ୍ରଶଂସା କରେ ତା’ ହୃଦୟ ସନ୍ତୋଷରେ ପୂର୍ଣ୍ଣ ହୋଇଯାଏ, ଯେତେବେଳେ କି ଫୁଲର ବିଜୟ ଥାଏ ଏହାର ନିଜ ଫୁଟିବା ଭିତରେ, ସୌନ୍ଦର୍ଯ୍ୟର ଆତ୍ମାଭିତରେ ନିହିତ ଥାଏ ଏପରି ଏକ ସତ୍ୟ ପ୍ରଲୁବ୍ଧକାରକ, ପରମାନନ୍ଦ ଆଉ ରହସ୍ୟରେ ଭରା, ତଥାପି ଆମ ମାନସିକ ଶକ୍ତି ସାମର୍ଥ୍ୟ ଏହା ପାଖରେ ପହଞ୍ଚିପାରେ ନାହିଁ, ଆଉ ତଥାପି ଆମ ନିଜ ଆତ୍ମା ସହିତ ଏହାର ଏକ ଅନିର୍ବଚନୀୟ ଆପଣାପଣ ଥାଏ । ଏହାପ୍ରତି ଆମର ସଚେତନତା ବହୁତ ଗଭୀର, ମଧୁର ଆଉ ଉଜ୍ଜ୍ୱଳ । ଆମ ଅନ୍ତର୍ନିହିତ ସତ୍ତା ଆପେ ଆରମ୍ଭ କରେ ବିକଶିତ ହେବାକୁ, ଚଳଚଞ୍ଚଳ ହେବାକୁ, ଅନେକ ରଙ୍ଗରେ ବୁଡ଼ିଯିବାକୁ । ଏହାର ରଙ୍ଗ, ସୁବାସ ଓ ଆବେଗ ସହ ଆମର ସତ୍ତା ଏକ ହୋଇଯାଏ; ଏହାରି ଭିତରେ ହିଁ ଥାଏ ପ୍ରେମର ପ୍ରସ୍ଫୁଟିତ ହେବା ।

 

କବିର କାମ ହେଉଛି,ମାନବର ଆତ୍ମାକୁ ଏହି ବିକଶିତ ଜାଗରଣଆଡ଼କୁ ଉଠାଇ ନେବା, ଆଉ ଉଦାସୀନତାରୁ, ଜଡ଼ତାରୁ ଚଳଚଞ୍ଚଳ କରାଇବା । ତାକୁ ହିଁ ଆମେ ଏକ ମହାନ କବି କହିପାରିବା ଯିଏ ମଣିଷର ମନକୁ ପ୍ରସ୍ତୁତ କରିପାରିଛି ଆଲିଙ୍ଗନ କରିବାକୁ ସେହିସବୁ ଜିନିଷକୁ ଯାହା ଶାଶ୍ୱତ, ଉତ୍କୃଷ୍ଟ, ମୁକ୍ତିର ଆହ୍ଲାଦରେ ବିସ୍ତାରିତ ସୁଦୂରପ୍ରସାରୀ । ପ୍ରତିଟି ଯୁଗ ଆଉ ଭୂଖଣ୍ଡରେ କଳା ଆଉ ସାହିତ୍ୟ ଭଣ୍ଡାରରେ ହିଁ ମାନବଜାତିର ସୌନ୍ଦର୍ଯ୍ୟ ଉପାସନା ଓ ଏହାର ସୁଖ ଭୋଗ ନିମନ୍ତେ ମୂଲ୍ୟବାନ ଅଳଙ୍କାରମାନ ତିଆରି ହୁଏ ଆଉ ଗଚ୍ଛିତ ହୋଇ ରହେ ମଧ୍ୟ । ଏହି ବିରାଟ ବିଶ୍ୱରେ ଆମେ କେବଳ ସାହିତ୍ୟରୁ ହିଁ କହିପାରିବା ଗୋଟେ ଦେଶର ଜନସମୁଦାୟ କାହାକୁ ବା କେଉଁ ଜିନିଷକୁ ଭଲ ପାଇଛନ୍ତି ଆଉ କହାଉପରେ ପ୍ରଶଂସା ଅଜାଡ଼ି ଦେଇଛନ୍ତି । ବାସ୍ତବରେ ସେଇମାନଙ୍କ ପ୍ରେମଦ୍ୱାରା ହିଁ ଆମେ ଲୋକଙ୍କୁ ବିଚାର କରିବା ଉଚିତ ।

 

ଦେବୀ ବୀଣାପାଣିଙ୍କ ବୀଣାରେ ଅନେକ ପ୍ରକାର ତାର ଥାଏ, କେତେକ ସୁବର୍ଣ୍ଣର, କେତେକ ତମ୍ବା ଆଉ କେତେକ ଷ୍ଟିଲ୍‌ର । ସୁବ୍ୟବସ୍ଥିତ ବିଶ୍ୱବ୍ରହ୍ମାଣ୍ଡର କଣ୍ଠରେ ଯେତେପ୍ରକାର ସ୍ୱର ଅଛନ୍ତି, ତନ୍ମଧ୍ୟରୁ କେତେକ ହାଲକା, କେତେକ ଗମ୍ଭୀର, କେତେକ ଆନନ୍ଦ ଓ ଉପଭୋଗର ସ୍ୱର, ସବୁ ତାଙ୍କରି ବୀଣାରେ ଝଙ୍କୃତ ହୁଏ । ଜଣେ କବିର କାବ୍ୟ ପଂକ୍ତିରେ ଠିକ୍ ସେହିପରି ଅଶେଷ ପ୍ରକାର ସଙ୍ଗୀତ ପୂରି ରହିଥାଏ । ସେହି ପ୍ରତିଟି ସଙ୍ଗୀତ ଯେ ଖୁବ୍ ଜୋର ସୁଉଚ୍ଚ ସ୍ୱରରେ ଧ୍ୱନିତ ହେବା ଉଚିତ ତାହା ମୁଁ କହିବାକୁ ଚାହୁଁ ନାହିଁ । ତଥାପି ପ୍ରତିଟି ସ୍ୱରରେ ବିଶ୍ୱସ୍ତ, ନିର୍ଭରଶୀଳ ଆଉ ଶାଶ୍ୱତର ଏକ ସଙ୍କେତ ରହିବା ଉଚିତ । ସେହି ସ୍ୱାର୍ଥତ୍ୟାଗର ମୂଲ୍ୟନିରୂପଣ ଶକ୍ତି ହିଁ ଆବେଗଭରା ଆସକ୍ତିକୁ ପବିତ୍ର କରାଏ ଆଉ ଏହାକୁ ଅଧିକ ଶକ୍ତିଶାଳୀ ତଥା ତେଜଃଯୁକ୍ତ କରାଏ-

 

ଭତ୍ତୃହରିଙ୍କ କାବ୍ୟରେ ଆମେ ଦେଖେ ଯେ ସେଇ ମଣିଷଟି ଭୋଗର ଜଗତକୁ ଅର୍ପିତ ହୋଇ ନିଜସ୍ୱ ସଙ୍ଗୀତ ଖୋଜି ପାଇଛି, ହେଲେ ସେହି ଏକା ସମୟରେ ତାର ପଙ୍‌କ୍ତିମାନଙ୍କର ଗଭୀରତା ତଳେ ନିଜର ଏକ୍‌ତାରାଟି ଧରି ବସିରହିଛି ବୈରାଗୀଟି, ତ୍ୟାଗର ମଣିଷଟି । ଏହି ଦୁଇ ସଙ୍ଗୀତର ସଂଯୋଗରେ ହିଁ କେବଳ ସେହି ଭାରସାମ୍ୟ ସୁରକ୍ଷିତ ରହିପାରେ, ମାନବ ଜୀବନରେ ଯେପରି କବିତାରେ ସେହିପରି । ସାହିତ୍ୟ ସେତିକିବେଳେ ନିଜର ପ୍ରକୃତ ତଥା କାଳଜୟୀ ଅର୍ଥ ଖୋଜିପାଏ ଯେତେବେଳେ ଏହାର ଉପହାରମାନ ସମର୍ପିତ କରିଦିଏ ସୁଦୂର ସମୟକୁ ଆଉ ବିବିଧ ମାନବସମୁଦାୟକୁ; କାଗଜ ଡଙ୍ଗା ଆଉ ମାଟିପାତ୍ର ମାଲମତା ବହନ କରି ପାରନ୍ତି ନାହିଁ । ଆଧୁନିକତାବାଦୀମାନେ ତାଚ୍ଛଲ୍ୟ କରି କହି ପାରନ୍ତି ଯେ ଆଧୁନିକ ସମୟର ବିଦେଶୀ ଭାଷା ସହ ଏସବୁ ଜମା ଖାପ ଖାଉ ନାହିଁ । ପ୍ରକୃତରେ ତାହା ଯଦି ସତ୍ୟ ହୋଇଥାଏ ତାହେଲେ ଆମେ ସମୟପାଇଁ ଦୁଃଖ କରିବା ଉଚିତ, ମାଟିପାତ୍ର ବା କାଗଜ ଡଙ୍ଗାପାଇଁ ନୁହେଁ । ଆମର ଆଶା ଏୟା ଯେ ସେମାନଙ୍କ କାଳସୀମା ଏତେ ଦୀର୍ଘ ନ ହେଉ ଚିରକାଳ ଆଧୁନିକ ହୋଇ ରହିବାକୁ ।

 

ଜଣେ ଅବସନ୍ନ କବି ଯଦି ଏୟା ଅନୁଭବ କରିବାକୁ ଆଗ୍ରହୀ ହୁଏ ଯେ ଆଧୁନିକ କଳରେ କବିତାର ଶାଶ୍ୱତ ବିଷୟମାନ ପୁରୁଣାକାଳିଆ ହୋଇ ଯାଇଛି, ତା ହେଲେ କହିବାକୁ ହେବ କାଳ ନିଶ୍ଚୟ ଜରାଗ୍ରସ୍ତ ତଥା ନୀରସ ହୋଇ ଯାଇଛି । ତାର ସରଳ ଆବେଗ ଆଉ ଯାଦୁକାରୀ ଶକ୍ତି ପରିଚିତ ଦୁନିଆରେ ପହଞ୍ଚି ପାରୁନାହିଁ, ଏଣେ ସେ ବି ତା’ ନିଜ ଆତ୍ମା ଭିତରକୁ ଦୁନିଆକୁ ସ୍ୱାଗତ କରିବାକୁ ଅସମର୍ଥ । ଗୋଟେ କାଳ୍ପନିକ ଭାବନା ଯାହା ନିଜ ଆଖପାଖ ଅଞ୍ଚଳରେ ଜୀବନୀଶକ୍ତି ଖୋଜି ପାଉ ନାହିଁ ତାହା କୌଣସି କଷ୍ଟସାଧ୍ୟ ରଚନାକୁ ଦୀର୍ଘ ସମୟପାଇଁ ଜୀବନ୍ତ ରଖି ପାରିବ; ଏପରି ଆଶା କରିବା ତ ବିଚିତ୍ର କଥା । ସ୍ୱାଦ ଜାଣିବାର ଶକ୍ତି ଯେତେବେଳେ ନଥାଏ ସେତେବେଳେ ଅମୂର୍ତ୍ତ ଖାଦ୍ୟର ରୁଚି ଅରୁଚି ଜାଣିବା ଅସମ୍ଭବ, ସେହି ଏକା କାରଣରୁ ଏହା ସବୁବେଳେ ଯେ ବିଦେଶୀ ପାକ୍‌ପ୍ରଣାଳୀ ନିର୍ମିତ ଦ୍ରବ୍ୟରୁ ଆନନ୍ଦ ପାଇବ ଏଭଳି ସମ୍ଭାବନା ବିଲକୁଲ କମ ।

 

ଆଜି ମୋର ସତୁରୀବର୍ଷ ବୟସରେ ମୋତେ ନେଇ ଲୋକଙ୍କ ଧାରଣା ଏକ ନିର୍ଦ୍ଦିଷ୍ଟ ଆକାର ନେଇଛି । ମୁଁ ଆଶାକରେ ଯେ, ଯେଉଁମାନେ ମତେ ବୁଝିବାକୁ ସାମାନ୍ୟ ଚେଷ୍ଟା ବି କରିଛନ୍ତି ସେମାନେ ଶେଷରେ ଏତିକି ନିଶ୍ଚୟ ଜାଣିଥିବେ; ମୁଁ ଗୋଟେ ଅଭାବୀ, ଅନାଟନ ପୀଡ଼ିତ ପୃଥିବୀରେ ଜନ୍ମ ହୋଇ ନଥିଲି । ଆଖି ଖୋଲିବା ପରେ ଯାହା ମୁଁ ଦେଖିଥିଲି, ସେସବୁ ଦେଖି ଦେଖି ମୁଁ କେବେ କ୍ଲାନ୍ତ ହୋଇ ନଥିଲି ଆଉ ମୋର ଚକିତ ହେବାର କୌଣସି ସୀମା ନଥିଲା କି ନଥିଲା କୌଣସି ଅନ୍ତ । ସୃଷ୍ଟିରେ ଆଘାତ ନ କରି ଚାରିପଟେ ଘୂରୁଥିବା ଧ୍ୱନିମାନଙ୍କର ଅସ୍ପଷ୍ଟବାର୍ତ୍ତା ପ୍ରତି ମୋ ହୃଦୟ ଓ ଆତ୍ମା ଥିଲା ଅତିମାତ୍ରାରେ ସମ୍ବେଦନଶୀଳ ଆଉ ସ୍ପର୍ଶକାତର ।

 

ଏହି ଧ୍ୱନିର ବାର୍ତ୍ତା ଆରମ୍ଭ ନଥିବା ସମୟରୁ ଅନୁନାଦିତ ହୋଇ ଅନ୍ତ ନଥିବା ସମୟଆଡ଼କୁ କମ୍ପିତ ହୋଇ ଚାଲି ଲାଗିଥିଲା । ମତେ ଲାଗୁଥିଲା ଏହି ବିଶ୍ୱବ୍ରହ୍ମାଣ୍ଡର ବାର୍ତ୍ତା ଯେପରି ମୁଁ ଯୁଗ ଯୁଗ ଧରି ଶୁଣିଛି । ସୌରମଣ୍ଡଳ ବ୍ୟବସ୍ଥାର ଗୋଟିଏ କୋଣରେ ଋତୁରୂପୀ ଦେବଦୂତମାନେ ଆମ ଛୋଟ ସବୁଜ ବିଶ୍ୱକୁ ପୋଷାକ ପିନ୍ଧାଇ ସଜାଇ ଦିଅନ୍ତି କେତେ ପ୍ରକାର ରଙ୍ଗ ଆଉ କେତେ ପ୍ରକାର ଇନ୍ଦ୍ରିୟାନୁଭୂତିରେ । ଏହି ମନୋରମ ସ୍ୱାଗତ ଉତ୍ସବରେ ଯୋଗଦେଇ ମୋ ହୃଦୟରୁ ରାଜ୍ୟାଭିଷେକର ଜଳ ଅର୍ପଣ କରିଦେବାରେ ମୁଁ କେବେ କାର୍ପଣ୍ୟ ଅନୁଭବ କରିନାହିଁ । ପ୍ରତିଦିନ ଭୋରବେଳେ ମୁଁ ନିରବରେ ଠିଆହୋଇଛି କଳାରାତିର ଶେଷ ପ୍ରାନ୍ତରେ କେବଳ ଭଲରେ ବୁଝିବାପାଇଁ ଏହି ବାର୍ତ୍ତାର ବାଣୀମାନଙ୍କୁ । ଏହା କହେ: ୟା ତେ ରୂପମ୍ କଲ୍ୟାଣତମମ ତାତେ ପଶ୍ୟମି । ‘ତୁମକୁ ମୁଁ ଦେଖେ ତୁମରି ଆକୃତିରେ ଚରମ ଅନାସକ୍ତ ଆଉ ଚରମ ଶୁଦ୍ଧ ।’ ମୁଁ ଚାହିଁଛି ମୋର ପ୍ରଗାଢ଼ ଚିନ୍ତାରେ ଛୁଇଁବାକୁ ଏହି ମହାନ୍ ବିଦ୍ୟମାନ ସତ୍ତାକୁ ଯିଏ ସମସ୍ତ ସତ୍ତାର ସମ୍ପର୍କ ମଧ୍ୟରେ ସମତାର ନିୟାମକ, ଯାହାର ଆନନ୍ଦ ପ୍ରକାଶିତ ହୁଏ ଅସଂଖ୍ୟ ରୂପରେ, ଯାହା ଅବିରତ କ୍ଲାନ୍ତ ନହୋଇ ପୂର୍ଣ୍ଣ କରୁଥାଏ ମୋ ଆତ୍ମାକୁ ଆନନ୍ଦର ସହ ଏତେ ଭିନ୍ନ ଭିନ୍ନ ବାଟରେ । ମୋ ଆତ୍ମା ଚିତ୍କାର କରେ; କୋହ୍ୟେବନୟତି କଃ ପ୍ରଣ୍ୟତି ୟଦେଶା ଆକାଶ ଆନନ୍ଦୋ ନା ସ୍ୟାତ୍ । ‘କିଏ ପ୍ରଶ୍ୱାସ ନିଃଶ୍ୱାସ ନେବ ଓ ଛାଡ଼ିବ ଯଦି ଆକାଶରେ କୌଣସି ଆନନ୍ଦ ନଥିବ ?’ ଏହା ସେହି ସତ୍ତା ଯାହା ଭିତରେ ଆନନ୍ଦର ବୈଦ୍ୟୁତିକ ସ୍ଫୁରଣର ଅସାଧାରଣ ସତ୍ୟ ରହିଛି, ଯାହ ପଙ୍ଗୁକୁ ଗିରି ଲଂଘାଏ, ଯାହା ଏହାର ଗଭୀରତମ ତାତ୍ପର୍ଯ୍ୟକୁ ବୁଝାଏ; ଏହା ସେହି ସତ୍ତା ଯାହା ମଣିଷର ଅନ୍ତର୍ଜୀବନରେ ସଜୀବ ରହି ଅବିରତ ଏହାକୁ ପୂର୍ଣ୍ଣ କରାଏ ଆଉ ଶକ୍ତିଶାଳୀ କରାଏ । ଏହି କାରଣରୁ ଆମେ ଭୟାନକ ଆତ୍ମତ୍ୟାଗରେ ହସି ପାରିବା ନାହିଁ ଆଉ ମଧ୍ୟ ଏହାକୁ ଗୋଟେ ପାଗଳର ଆତ୍ମଘାତୀ ପାଗଳାମୀର ଆଖ୍ୟା ଦେଇପାରିବା ନାହିଁ ।

 

କାହାପାଇଁ ରାତ୍ରିର ଏ ମହାଅନ୍ଧକାରେ

ଅଭିଯାତ୍ରୀ ମଣିଷଟି ଘୂରିବୁଲେ ଯୁଗ ପରେ ଯୁଗ ।

କାହାପାଇଁ ରାଜପୁତ୍ର ପିନ୍ଧେ

ଚ୍ଛିନ୍ନ ବସ୍ତ୍ର, ତ୍ୟାଗି ଆଭୂଷଣ,

ଜାଣେ ନାହିଁ ଜଗତର ଏ ପ୍ରୀତି ବନ୍ଧନ,

ଭିକ୍ଷା ମାଗି ବୁଲେ ଏଗଳି ସେଗଳି;

ସମସ୍ତ ବିରକ୍ତି, ଅସନ୍ତୋଷ, କେତେ ତୁଚ୍ଛ ସତେ,

ଯେତେ ସବୁ କୁତ୍ସିତ ଓ ସାଧାରଣ

ତଳେ ଥିବା ତୁହା ତୁହା ଭୟ, ଅବସାଦ,

ନୈରାଶ୍ୟ, ଆତଙ୍କ

କିଛି ନୁହେଁ; ସହିପାରେ ତା ମହାନ ଆତ୍ମା

କାହା ପାଦତଳେ ?

କାହା ପାଦତଳେ ଶୋଭାଦିଶେ

ସମାଦର, ସମ୍ମାନ ଓ ଶ୍ରଦ୍ଧା

କାହା ପାଦତଳ ଉପଯୁକ୍ତ ସ୍ଥଳ,

ଆଉ ଧନରାଶି, ଐଶ୍ୱର୍ଯ୍ୟ ଓ ଅଳଙ୍କାର;

କାହାପାଇଁ ? କାହାପାଇଁ ଜଣେ କବିର ହାତରେ

ନିଅନ୍ତି ନିଃଶ୍ୱାସ ସ୍ୱଚ୍ଛନ୍ଦରେ

ହଜାର କବିତା ଭୂଖଣ୍ଡୁ ଭୂଖଣ୍ଡ

ଏ ଦେଶୁ ସେ ଦେଶ ।

କାହାପାଇଁ ? କାହାପାଇଁ ଗଢ଼ାହୁଏ

ଏକ ବୀରର ଜୀବନ

ଆତ୍ମତ୍ୟାଗ ତାର...

 

ମୋ ବାପା ଇଶୋପନିଷଦର ଯେଉଁ ମନ୍ତ୍ରଦ୍ୱାରା ଅନୁପ୍ରାଣୀତ ହୋଇ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇଥିଲେ, ସେହି ମନ୍ତ୍ରଟି ମୋ ମନରେ ବାରମ୍ବାର ନିତ୍ୟନୂତନ ନିହିତାର୍ଥ ସହିତ ଝଙ୍କୃତ ହୁଏ, ଆଉ ନିଜକୁ ମୁଁ ବାରବାର କହେ: ତେନ ତ୍ୟକ୍ତେନ ଭୁଞ୍ଜିଥାଃ, ମାଗ୍ରିଧ୍ରଃ । ‘ଯାହା ସେ ଫିଙ୍ଗି ଦେଉଛନ୍ତି ତାକୁ ଭୋଗକର, ଲୋଭ ତ୍ୟାଗ କର ।’ ମୁକ୍ତ ଭାବରେ ଯାହା ତୁମ ପାଖକୁ ଆସୁଛି ସେଥିରେ ଆନନ୍ଦିତ ହୁଅ; ତୁମ ଚାରିପଟେ ଯେଉଁ ଅସରନ୍ତି ଭଣ୍ଡାର ରହିଛି, ତାହାକୁ ଦେଖି ପ୍ରଲୋଭନକୁ ପ୍ରଶୟ ଦିଅନାହିଁ । ଜଣେ କବିର ଜୀବନବ୍ୟାପୀ ସାଧନା ଭିତରେ ଏହି ନିର୍ଦ୍ଦେଶ ବହୁତ ମୂଲ୍ୟବାନ । ଯେଉଁ ବ୍ୟକ୍ତି ସଂକୀର୍ଣ୍ଣ ଆସକ୍ତିର ମୋହରେ ପଡ଼ିଯାଏ ସେ ବୁଢ଼ିଆଣୀ ପରି ନିଜ ଜାଲରେ ପଡ଼ି ଶେଷରେ ଦୁର୍ବଳ ହୋଇଯାଏ; ଏହା ଆଣିଦିଏ ଅପମାନ ଆଉ ଅବସାଦ । କାରଣ ସଂକୀର୍ଣ୍ଣ ଆସକ୍ତି ତାକୁ ସମ୍ପୂର୍ଣ୍ଣତାରୁ ଉପାଡ଼ି ଦେଇ ତା ନିଜର କ୍ଷୁଦ୍ର ସୀମା ଭିତରେ ବନ୍ଦୀକରିଦିଏ; ଫଳରେ ସେ ଖୁବ୍‍ଶୀଘ୍ର ତୋଳା ହୋଇଥିବା ପୁଷ୍ପ ପରି ମଉଳିଯାଏ । ଲୋଭ କବଳରୁ ଆନନ୍ଦକୁ ବଞ୍ଚାଇ ସୁରକ୍ଷା ପ୍ରଦାନ କରେ ଉତ୍କୃଷ୍ଟ ସାହିତ୍ୟ, ରକ୍ଷାକରେ ସଂକୀର୍ଣ୍ଣ ଆସକ୍ତିର ଆବେଗରୁ ସୌନ୍ଦର୍ଯ୍ୟକୁ, ବଞ୍ଚାଇଦିଏ ଆତ୍ମାକୁ ତତ୍କାଳ ଦାବିର ପ୍ରହରୀ କବଳରୁ । ରାବଣର ଲଙ୍କାପୁରୀରେ ସୀତା ବନ୍ଦୀ ହୋଇଥିଲେ ଲୋଭ ଆଉ କାମୁକତା କାରଣରୁ, ରାମଙ୍କ ଘରେ ସେ ମୁକ୍ତ ହେଲେ ପ୍ରେମଦ୍ୱାରା, ଆଉ ସେଇଠାରେ ସେ ପ୍ରକୃତରେ ଆସିଲେ ଲୋକଲୋଚନକୁ । ଶରୀରର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ପ୍ରେମ ପାଖରେ ମୁକୁଳିତ ହୁଏ, କାମନା ଆଗରେ ଏହା କେବଳ ରକ୍ତମାଂସର ଦେହଟିଏ ମାତ୍ର ।

 

ଜୀବନର ଭିନ୍ନ ଭିନ୍ନ ସ୍ଥିତିରେ, ବିବିଧ ଅବସ୍ଥାରେ, ମୁଁ ବେଶ ଦୀର୍ଘକାଳ ଧରି ଲେଖି ଆସୁଛି-। ମୁଁ ଲେଖିବା ଆରମ୍ଭ କରିଥିଲି ଗୋଟେ ଅନଭିଜ୍ଞ ବୟସରେ ଯେତେବେଳେ ମୋ ନିଜ ବିଷୟରେ ମୋର କିଛି ଧାରଣା ନଥିଲା । ଏଥିରେ ସନ୍ଦେହ ନାହିଁ ଯେ ମୋ ରଚନାରେ ଯଥେଷ୍ଟ ଆବର୍ଜନା ଓ ବାହୁଲ୍ୟ ଥିବ । ମୁଁ ଆଶା କରୁଛି ଯେ ଏହିସବୁ ଅନାବଶ୍ୟକ ପଦାର୍ଥରୁ ଯାହା କିଛି ବଳକା ରହିଯାଇଛି ସେଇତକ ସ୍ପଷ୍ଟଭାବରେ ଜଣାଇଦିଏ ଯେ ଏଇ ଦୁନିଆକୁ ମୁଁ ଭଲପାଇଛି, ଯେ ମୁଁ ସେଇ ବିରାଟ ପାଖରେ ମଥା ନତ କରିଛି; ସେଇ ସ୍ୱୟଂସିଦ୍ଧ ସତ୍ତା ନିକଟରେ ନିଜକୁ ସମର୍ପିତ କରି ମୁଁ ମୁକ୍ତି କାମନା କରିଛି । ମୁଁ ବିଶ୍ୱାସକରିଛି ଯେ ମାନବଜାତିର ସତ୍ୟ ସେହି ମହାନ ସ୍ୱୟଂସମ୍ପୂର୍ଣ୍ଣ ଭିତରେ ନିହିତ ଯିଏ ପ୍ରତିଟି ମଣିଷ ହୃଦୟରେ ସଦା ସନ୍ନିବିଷ୍ଟ ।

 

ପିଲାଦିନୁ ଅଭ୍ୟସ୍ତ ହୋଇଥିବା ମୋର ଏକମୁଖୀ ସାହିତ୍ୟ ସାଧନାର ସୀମାରେଖା ଭିତରୁ, ଗୋଟେ ସମୟରେ ମୁଁ ସାହସ କରିଛି ସୀମା ଲଂଘି, ମୋ କାମ ଆଉ ତ୍ୟାଗର ଉପହାର ସେହି ମହାନ ସ୍ୱୟଂସମ୍ପୂର୍ଣ୍ଣର ପାଦତଳେ ଅର୍ପି ଦେବାକୁ । ଏଥିରେ ଯଦି ମୁଁ ବାହାରୁ ପ୍ରତିରୋଧର ସମ୍ମୁଖୀନ ହୋଇଛି, ଭିତରୁ ମୋତେ ମିଳିଛି ସାନ୍ତ୍ୱନା ଓ ସନ୍ତୋଷ । ମୁଁ ଆସିଛି ପୃଥିବୀର ଏହି ମହାତୀର୍ଥ ସ୍ଥଳକୁ । ଏଠାରେ ସର୍ବାଞ୍ଚଳର, ସବୁଦେଶର, ସବୁଯୁଗର ଇତିହାସର ଅଗାଧ ଜ୍ଞାନ କେନ୍ଦ୍ରରେ ମାନବ ଭିତରେ ଅଛନ୍ତି ମାଧବ, ଯାହାଙ୍କ ପୂଜାବେଦୀତଳେ ମୁଁ ବସିଛି ନୀରବରେ, ଅହଙ୍କାର ଓ ମୁଁ କବଳରୁ, ତୁଚ୍ଛ ଭେଦବିଚାର ଅଭ୍ୟାସରୁ ନିଜ ସତ୍ତାକୁ ମୁକୁଳାଇବାର ଦୁଃସାଧ୍ୟ କର୍ମରେ ନିଜକୁ ଅର୍ପିତ କରିଦେଇଛି । ଏହି କାର୍ଯ୍ୟ ସରିନି ଏ ଯାଏଁ ।

 

ମୋ ଭିତରର ଦୀନତାକୁ ବିରୋଧ ନ କରି, ମୋ ଚରିତ୍ରର ଗଭୀରତମ ପ୍ରକୃତି ଓ ସାଧନା ଯଦି ମୋ ରଚନାରେ ପ୍ରକଟିତ ହୋଇଛି ଆଉ ଆପଣମାନଙ୍କୁ ସୁଖ ଦେଇଛି, ତାର ପ୍ରତିଦାନରେ ମୁଁ ମାଗୁଛି କେବଳ ପ୍ରେମ, ଆଉ କିଛି ନୁହେଁ । ମୁଁ ଯିବାପୂର୍ବରୁ ଏ ବିଷୟରେ ନିଶ୍ଚିନ୍ତ ହେବାକୁ ଚାହେଁ ଯେ ମୁଁ ନିରୋଳା ବନ୍ଧୁତା ପାଇଛି ସେଇମାନଙ୍କଠାରୁ ଯେଉଁମାନେ ମୋ ଦୋଷ ତ୍ରୁଟି ସତ୍ତ୍ୱେ ଜାଣନ୍ତି ତମାମ ଜୀବନ ମୁଁ କ’ଣ ଚାହିଁଛି, କ’ଣ ମୁଁ ପାଇଛି ଆଉ କ’ଣ ଦେଇଛି । ଏସବୁ ମୋର ଅସମ୍ପୂର୍ଣ୍ଣ ଜୀବନ ଆଉ ଅସମ୍ପୂର୍ଣ୍ଣ ସାଧନାକୁ ବି ସୂଚାଇ ଦିଏ ।

 

ଜଣେ କବିର ପ୍ରକୃତ ବୃତ୍ତି ଯଦି ହୁଏ ଅକ୍ଷରରେ ମାନବୀୟ ଉଲ୍ଲାସର ଅଜଣା ସତ୍ତ୍ୱର ଗୁପ୍ତଧନ ସୃଷ୍ଟି କରିବା ତାହେଲେ କେବଳ ପ୍ରେମ ଏହି ଉପହାର ଗ୍ରହଣ କରିପାରିବ, କାରଣ ପ୍ରେମର ହିଁ ଥାଏ ଏକ ପରିପୂର୍ଣ୍ଣ, ଅଭଙ୍ଗ ଦୃଷ୍ଟିଭଙ୍ଗୀ । ଆଜି ପର୍ଯ୍ୟନ୍ତ ସାହିତ୍ୟ ସୃଷ୍ଟି କରି ଯେଉଁମାନେ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ସୃଜନକର୍ମକୁ ଆମେ ଗୋଟିଏ ସ୍ୱୟଂସମ୍ପୂର୍ଣ୍ଣ କୃତିରୂପେ ବିଚାର କରେ ଆଉ ସମ୍ମାନଦିଏ । ପ୍ରବୃତ୍ତିଗତ ଭାବରେ ଆମେ ଏହାକୁ ଖଣ୍ଡ ଖଣ୍ଡ କରି ଚିରି ଦେବାକୁ ଚାହୁଁନା, ଚାହୁଁନା ଏଥିରୁ ତ୍ରୁଟି ଖୋଜି ଖୋଜି ବାହାର କରିବାକୁ । ଏ ବିଶ୍ୱରେ ଏଭଳି ଏକ ବିରାଟ ଲେଖକ ଜନ୍ମ ହେବାକୁ ତଥାପି ବାକି ଅଛି ଯାହାର ସବୁଠାରୁ ଭଲ ରଚନାକୁ ସମ୍ଭବତଃ ପରିହାସ କରି ହେବନାହିଁ, ଇଚ୍ଛାକୃତ ଭାବରେ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରାଯାଇ ପାରିବ ନାହିଁ, ଆଉ କୌଣସି କୁତ୍ସିତ ମାନସିକତା ସହିତ ପ୍ରଶଂସା କରିପାରୁ ନଥିବା ବ୍ୟକ୍ତିଦ୍ୱାରା ବିଭତ୍ସ ଭାବରେ ଭର୍ତ୍ସିତ ହୋଇପାରିବ ନାହିଁ । ପ୍ରେମର ଆନନ୍ଦମୟ ଉତ୍ତେଜନା ଗଢ଼ିଦିଏ ସରଳ ଭିତ୍ତିଭୂମି ଯାହା ଉପରେ କବିର ସାଧୁତା ଉଜ୍ଜ୍ୱଳି ଉଠେ ସମ୍ପୂର୍ଣ୍ଣ ଆଉ ସ୍ପଷ୍ଟ ହୋଇ ।

 

କୃତଜ୍ଞତାର ସହ ମୁଁ କହିବି ଯେ ମରଣଶୀଳ ଏ ଜଗତର ସର୍ବୋଚ୍ଚ ଆଶୀର୍ବାଦ ମୁଁ ପାଇଛି, ପ୍ରେମ । ଏହା ମୁଁ ପାଇଛି ଏ ପୃଥିବୀର ଅନେକ ମହତ ଲୋକଙ୍କଠାରୁ । ସେମାନଙ୍କୁ ମୁଁ ଧନ୍ୟବାଦ ଦେଉନାହିଁ, ମୋର ହୃଦୟ ଅର୍ପଣ କରୁଛି । ସେମାନଙ୍କ ଦୟାପୂର୍ଣ୍ଣ ଦକ୍ଷିଣ ହସ୍ତର ସ୍ପର୍ଶ ମୁଁ ଅନୁଭବ କରିଛି ମୋ କପାଳରେ, ଏ ସ୍ପର୍ଶ ମଣିଷ ଭିତରେ ଥିବା ମହତ ପଣର ସ୍ପର୍ଶ; ମୋ ଭିତରେ ଯାହା କିଛି ସବୁଠାରୁ ଭଲ ଅଛି ତାହ ସେମାନଙ୍କର ଗ୍ରହଣଯୋଗ୍ୟ ହେଉ ।

 

ଆଉ ମୋ ଦେଶବାସୀ ଯେଉଁମାନେ ଅତ୍ୟଧିକ ସାନ୍ନିଧ୍ୟ ଓ ମାତ୍ରାଧିକ ପରିଚୟର ଅସ୍ପଷ୍ଟତା ଭିତରେ ମୋତେ ଭଲପାଇବାକୁ ସମର୍ଥ ହୋଇଛନ୍ତି; ଆଜିର ଉତ୍ସବରେ ସେମାନଙ୍କ ସ୍ନେହରେ ପ୍ରସ୍ତୁତ ଅର୍ପଣମାନ ଚିତ୍ତାକର୍ଷକ ଭାବରେ ଶୃଙ୍ଖଳିତ ହୋଇ ଏଠାରେ ରହିଛନ୍ତି । ସେମାନଙ୍କର ଏହି ଶ୍ରଦ୍ଧା ଉପହାର ମୁଁ ହୃଦୟର ସହ ଗ୍ରହଣ କରୁଛି ।

 

ଦିନ ଯେବେ ଯାଏ ସରି, ଯାଏ ମରି ଦିନ

ଜୀବନର ପଥ ତେବେ କଢ଼ାଇବ କେଉଁଆଡ଼େ ବାଟ

ଅନ୍ଧକାର ଆସୁଥିବ ମାଡ଼ି ଗଭୀରୁ ଗଭୀରତର

ଜଙ୍ଗଲର ପଥେ ସିନା ଯିବ ହୁଡ଼ି ବାଟ

ଦେଖାଇବ ପଥ ମେଲି ଆଖି ସ୍ଥିର ଅଚଞ୍ଚଳ

‘ଡରନାହିଁ’, ଡାକୁଥିବେ ତାରାମାନେ ନିଜ ନିଜ ନୀରବ ସ୍ୱରରେ, ପ୍ରକମ୍ପିତ, କଳକଳ ॥

 

କ୍ଳାନ୍ତ ଦିନଟିର ତୋଳି ଶେଷ ଫୁଲ,

କରିଦେବି ମୋ ଯାତ୍ରାର ଅନ୍ତ,

ଏକ ନୂଆ ଜୀବନ ଯେ କରିଛି ଅପେକ୍ଷା

ଖୋଜି ପାଇବାକୁ ତାର ନିଜ ଉପକୂଳ ।

 

ହେ ମୋର ଗୋଧୂଳି, ମୋ ସାଥିରେ ରହିଛି ସେତିକି

ଯେତିକି ନିର୍ଭରଯୋଗ୍ୟ ତୁମ ବିଚ୍ଛୁରିତ ଶାଢ଼ୀର ଅଂଚଳ ତଳେ,

ରାତିର ପଡ଼ୋଶୀ, ଦେଖ ଅତୁଟ ବନ୍ଧନ ବନ୍ଧୁତାର

ବାନ୍ଧୁଛି ମୋ ହାତ କୋମଳ କଚଟି ଉପରେ ତୁମର ।

ଓଃ, ଆନନ୍ଦର ଅମଳିନ ସ୍ମୃତି ଅପାଶୋରା,

ଉଷାର ଆଗାମୀ ଆଶା କମ୍ପାଏ ମୋ ହୃଦ,

ତଥାପି ମୋ ପାଖେ ପାଖେ ଅଛନ୍ତି ସେମାନେ

 

ଅନ୍ଧାରର ଏ କେଉଁ ସଂଗୀତ ମଧୁର ବେଦନା

ରହିବେବି ଜୀବନର ବିଦାୟ ବେଳାରେ

ଉଡ଼ି ଯେବେ ଯାଉଥିବ ଆତ୍ମା ମୋର ସେପାରିକୁ !

 

ଯାହା କିଛି ଥିଲା ମୋର,

ଯାଇଛି ତ ସବୁ, କାମ ବି ସରିଛି,

ଯିବ ରହି ସବୁକିଛି ପଛରେ ମୋ ଗଲାବେଳେ,

ଏଇତ କରଇ ମୁକ୍ତ

ଏତେ ମୁକ୍ତ ସବୁ ବନ୍ଧନରୁ,

ଅସ୍ଥିର ମୁଁ ଚିନ୍ତାରେ ମୁକ୍ତିର,

ଡାକନ୍ତି ଏ ମଣିମୁକ୍ତାମାନେ ବିବିଧ ଭଙ୍ଗୀରେ

ହୃଦୟର ଧ୍ୱଂସକାରୀ ଝଡ଼ ସବୁ ନିର୍ବାପିତ

ନିଶ୍ଚିହ୍ନ ସେ ଦୂର ଦିଗବଳୟେ ଛାୟାଟିଏ ଗଲା ପରି ଉଡ଼ି

ହେବନି ତ ଫିଙ୍ଗି ସେଇ ଜୀବନ ଐଶ୍ୱର୍ଯ୍ୟ

ଯଦି ଅବା ଯିବ ରହି ଗୋଧୂଳିର ଅସମ୍ମାନ ମିଶା

ଛାୟା ଅନ୍ଧକାରେ, ପାରିବିତ ଚିହ୍ନି, ପାଦସ୍ପର୍ଶ ସମସ୍ତଙ୍କ ପାଇପାରେ ।

 

ପଉଷ - 1338, 15th Dec - 15th Jan. 1931 - 1932

Image

 

ଛଅ

 

ଗୋଟେ ବିରାଟ ବଟବୃକ୍ଷର ଶରୀର ନିର୍ମାଣପାଇଁ ଯେଉଁ ମୁଖ୍ୟ ଉପାଦାନଗୁଡ଼ିକ ଜରୁରୀ ହୋଇଥାଏ ତାହା ଅନ୍ୟ ରାଜକୀୟ ଦ୍ରୁମମାନଙ୍କ ଶରୀର ଗଠନ ନିମନ୍ତେ ଦରକାରୀ ଉପାଦାନଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ । ବୃକ୍ଷଟି ନିଜ ପୋଷଣ ମାଟିରୁ ସଂଗ୍ରହ କରେ ଯାହା ସମଗ୍ର ଜୀବଜଗତପାଇଁ ପ୍ରଯୁଜ୍ୟ । । ସେହିସବୁ ଉପାଦାନ ଆଉ ପୋଷକ ଦ୍ରବ୍ୟମାନଙ୍କୁ ଆମେ ବହୁପ୍ରକାର ନାମ ଦେଇପାରେ, ଆଉ ବିବିଧ ବିଭାଗରେ ସେଗୁଡ଼ିକର ବିଶ୍ଳେଷଣ ହୁଏତ କରିପାରେ । ହେଲେ ଯେଉଁ ସହଜାତ ପ୍ରବୃତ୍ତି ଆଉ ଉତ୍ସାହ ଅସଂଖ୍ୟ ପ୍ରକାର ଉଦ୍ଭିଦ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ଗଛକୁ ଗୋଟେ ବଟବୃକ୍ଷ କରି ଗଢ଼େ, ତନ୍ଦୁର୍ଦର୍ଶମ ଗୃର୍ହମନୁ ପ୍ରବିଷ୍ଟମ୍‌, ‘ପ୍ରାୟ କେବେ ଦେଖାଯାଉ ନଥିବା ସତ୍ତା ଯାହା ବହୁଗଭୀରରେ ଚେରର ଚେର ହୋଇ ରହିଥାଏ; ସେହି ଅଦୃଶ୍ୟ, ପ୍ରଗାଢ଼, ଅପରିହାର୍ଯ୍ୟ ଗୁଣକୁ କେଉଁ ନାମ ଦିଆଯାଇ ପାରିବ ମୁଁ ଜାଣେ ନାହିଁ । ଏହାକୁ ହୁଏତ ଏୟା କୁହାଯାଇ ପାରିବ ଯେ, ଏହା ହେଉଛି ସ୍ୱାଭାବିକ ଏବଂ ସ୍ୱତଃସ୍ଫୂର୍ତ୍ତ ଗୋଟେ ପ୍ରକ୍ରିୟା ନିଜ ଶକ୍ତିର, ସ୍ୱାଭାବିକ ବଳକ୍ରିୟା । ଏହା କେବଳ ନିଜର ବୈୟକ୍ତିକ ଓ ଶ୍ରେଣୀଗତ ପରିଚୟ ସ୍ପଷ୍ଟ ବ୍ୟକ୍ତ କରିବାର ପ୍ରବୃତ୍ତି ନୁହେଁ, ଏହା ଏପରି ଏକ ସହଜାତ ପ୍ରବୃତ୍ତି ଯାହା ଅବିରତ ସେହି ପରିଚୟକୁ ବିବର୍ତ୍ତିତ ବି କରୁଥାଏ । ଗୋଟିଏ ବୃକ୍ଷର ସମଗ୍ର ସତ୍ତାରେ ଏହା ବାରମ୍ବାର ଅନୁପ୍ରବେଶ କରି ମଧ୍ୟ ସବୁସ୍ଥାନରେ ତଥାପି ସହଜରେ ଧରାପଡ଼ୁ ନଥିବା ଏକ ଅସ୍ପଷ୍ଟ ରହସ୍ୟ ହୋଇ ରହିଥାଏ । ସେହି ଅସାଧାରଣ ଗୁଣର ଗତି ଓ କାର୍ଯ୍ୟ ଆଖିରେ ପଡ଼େ କିନ୍ତୁ ଏହାର ଆକାର ନଜର ଆଢ଼ୁଆଳରେ ଲୁଚିକରି ଥାଏ । ଅସଂଖ୍ୟ ଉପାୟ ମଝିରେ ଏହା ଗୋପନରେ ନିଜର ଅସାଧାରଣ ବୈଶିଷ୍ଟ୍ୟକୁ ଚରମ କୁଶଳତାର ସହିତ ଆପଣା ବାଟରେ ଅକ୍ଷତ, ନିରାପଦ ରଖିଥାଏ । ଏହା କେବେ ବି ଅଟକି ଯାଏ ନାହିଁ କିମ୍ବା ସଢ଼ିଯାଏ ନାହିଁ ।

 

ଆମ ଭିତରେ ବହୁ ଗଭୀରରେ ଥିବା ଏହି ସ୍ପନ୍ଦିତ ରହସ୍ୟ ବାବଦରେ ଆମେ ସତ୍ୱରଭାବେ ନାହିଁ, ହେଲେ ମୁଁ ଏହା ବାରବାର ଅନୁଭବ କରିଛି । ବିଶେଷକରି ଆଜି ଯେତେବେଳେ ଜୀବନର ଶେଷ ସୀମାରେ ଠିଆ ହୋଇଛି, ଏହାକୁ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ମୁଁ ବୁଝିପାରୁଛି ।

 

ଜୀବନର ଗଭୀରତମ ଅର୍ଥ, ଅନ୍ତର୍ନିହିତ ସତ୍ୟ, ଯାହା ବାହାରେ ଘଟୁଥିବା ଏକ କ୍ରମବିବର୍ତ୍ତନର ରୂପଭିତରେ ନିଜକୁ ସ୍ପଷ୍ଟଭାବରେ ବ୍ୟକ୍ତ କରି ଚାଲିଥାଏ, ଏହାକୁ ମୁଁ ଦେଖେ ପ୍ରାଣସ୍ୟ ପ୍ରାଣମ୍ ରୂପେ; ‘ଜୀବନର ଜୀବନ୍ତ ଉପାଦାନ ।’ ଏହା ତ ମୁଁ ଦାବି କରିପାରିବି ନାହିଁ ଯେ ମୋ ମାଧ୍ୟମରେ ଏହା ଏକ ସହଜ ବାଟ ପାଇଛି; ଏଠାରେ ପ୍ରତିପାଦରେ ରହି ଆସିଛି ଅନେକ ବାଧାବିଘ୍ନ । ମୋ ଜୀବନର ବାଦ୍ୟ ଯନ୍ତ୍ରରୁ ନିର୍ଦ୍ଦେଶକ ତାଙ୍କ ମନମୁତାବକ ସଂଗୀତ ବାହାର କରିବାକୁ ସମର୍ଥ ହୋଇ ନାହାନ୍ତି । ହେଲେ ମୋତେ ନେଇ ତାଙ୍କ ଉଦ୍ଦେଶ୍ୟରେ ସାଧାରଣ ସୂତ୍ରଗୁଡ଼ିକୁ ମୁଁ ବୁଝିଛି । ସବୁଦିଗରୁ ବିଭ୍ରାନ୍ତ ହୋଇ ଅନେକ ସମୟରେ ଏହାକୁ ମୁଁ ଭୁଲ୍ ବୁଝୁଥିଲି, ମୋର ଧ୍ୟାନ ଆପେ ଗୋଳମାଳିଆ ଭୁଲ୍ ବାଟରେ ନିମ୍ନଗାମୀ ହେଉଥିଲା, ଆଉ ବେଳେ ବେଳେ ସମ୍ଭବତଃ ଅନ୍ୟ କ୍ଷେତ୍ରରେ ଉତ୍କର୍ଷତାର ଅହଙ୍କାର ମୋତେ ପ୍ରଭାବିତ କରି ଖୁବ୍ ଅନ୍ଧ କରି ଦେଇ ଥିଲା । ମୁଁ ଭୁଲି ଯାଇଥିଲି ଯେ ଜଣକର ଉଚ୍ଛ୍ୱାସ ଅନୁସାରେ ତା ପଥର ଯଶ ଓ ମୂଲ୍ୟ ସ୍ଥିର ହୋଇଥାଏ, ଆଉ ଏହା ପ୍ରତ୍ୟେକ ଲୋକପାଇଁ ଅଲଗା । ମୋ ନାଟକ ‘ନଟୀର ପୂଜା’ରେ ମୁଁ ଏହା ହିଁ କହିବାକୁ ଚାହିଁଛି । ବୁଦ୍ଧଙ୍କୁ ଯେଉଁ ଅର୍ପଣ ଦେବାକୁ ନର୍ତ୍ତକୀଟି ଚାହିଁଛି ତାହା ହେଉଛି ତାର ନୃତ୍ୟ-। ଅନ୍ୟଭକ୍ତ, ପୂଜକ ଓ ସନ୍ନ୍ୟାସୀମାନେ ସେମାନଙ୍କ ନିଜର ଗଭୀରତମ ସତ୍ୟର ଉପହାର ଆଣି ଆସିଥିଲେ; ନର୍ତ୍ତକୀଟି ତା ଜୀବନର ସୂକ୍ଷ୍ମତମ ତଥା ଗଭୀରତମ ସତ୍ୟଟିକୁ ଅର୍ପଣ କଲା । ଆଉ ସେ ତା’ ନିଜର ମୃତ୍ୟୁରେ ଏହି ସତ୍ୟର ଅସଲ ମୂଲ୍ୟ ପ୍ରତିପାଦିତ କରିଗଲା । ତା’ ସ୍ଥିତିର ଏହା ହିଁ ଥିଲା ଜୀବନ୍ତ ନିର୍ଯ୍ୟାସ ଯାହା ଏ ନୃତ୍ୟକୁ ତା’ ହୃଦୟରେ ଓ ମନରେ ସମ୍ପୂର୍ଣ୍ଣ ଶୋଭା ଆଉ ସୌନ୍ଦର୍ଯ୍ୟର ସହ ଉଜାଗର କରାଇଥିଲା ।

 

ମୋ ମନରେ ତିଳେମାତ୍ର ସନ୍ଦେହ ନାହିଁ ଯେ ମୋ ଭିତରେ ଗୋଟେ ପ୍ରଗାଢ଼ ସଚେତନତା ଆପେ ବାଟ କଢ଼େଇ ନେଉଛି ଏକ ଅପରିବର୍ତ୍ତନୀୟ ସର୍ଜନଶୀଳ ଲକ୍ଷ୍ୟସ୍ଥଳଆଡ଼କୁ । ଏହା ବାଟରେ ଆସୁଥିବା କୌଣସି ବାଧାବିଘ୍ନ ମାନୁନାହିଁ, ଏପରି କି ସ୍ୱବିରୋଧକୁ ବି ନୁହେଁ । ଏହି ସଜାଗତାର ପ୍ରେରଣାରେ ଆଉ ଏହି ଉପାସନାର ଭେଳାରେ ହିଁ ଜୀବନର ଭକ୍ତିଭାବ ପାଏ ନିଜ ସଙ୍ଗତି ଆଉ ବୈଶିଷ୍ଟ୍ୟ ପ୍ରକାଶପାଇଁ ଏକ ସମ୍ପୂର୍ଣ୍ଣ ଅଭିବ୍ୟକ୍ତି, ଅବଶ୍ୟ ଯଦି ଜଣେ ଯଥେଷ୍ଟ ଭାଗ୍ୟବାନ୍ ହୋଇଥାଏ । କହିବାର ଅର୍ଥ ଯଦି ଜଣକର ଗଭୀର ସ୍ୱତନ୍ତ୍ର ବୋଧଶକ୍ତି ଆଉ ସହଜଜ୍ଞାନ ନିଜର ଅବସ୍ଥା ଓ ସାମର୍ଥ୍ୟ ସହିତ ସମାନ ତାଳରେ, ଗୋଟିଏ ସରଳ ରେଖାରେ ଚାଲିପାରେ, ଯଦି ସଙ୍ଗୀତଜ୍ଞ ଆଉ ସଙ୍ଗୀତ ମଧ୍ୟରେ ଦୂରତା ହଜିଯାଇପାରେ କେଉଁ ଅପରିବର୍ତ୍ତନୀୟ ସଙ୍ଗମରେ, ତାହେଲେ ଏପରି ଘଟିପାରେ । ଆଜି ପଛକୁ ଚହିଁଲେ ଦେଖେ ଆଉ ଚିହ୍ନିପାରେ ପଥ ବାହାରୁ ସେହି ମୋ ଜୀବନଯାତ୍ରାର ସୁସଙ୍ଗତି ଭିତରେ ଥିବା ସର୍ବୋତ୍ତମ ଅଭିବ୍ୟକ୍ତିକୁ । ସେହି ଏକା ସମୟରେ ମୋ ଆତ୍ମାଭିତରେ ମୁଁ ଜାଣିପାରେ ଯେ ସମସ୍ତ ସକ୍ରିୟତାର କେନ୍ଦ୍ରରେ ଥିବା ଉକ୍ତ ଅଦୃଶ୍ୟ ସତ୍ତାଟି ବେଶ୍ ଉଦ୍ଦେଶ୍ୟମୂଳକ କ୍ରମାନ୍ୱୟରେ ଜୀବନର ତଥ୍ୟମାନଙ୍କୁ ବୁଣିଚାଲିଛି ସତ୍ୟର ସୂତାଖିଅରେ ବାନ୍ଧି ବାନ୍ଧି ।

 

ଆମ ପରିବାର ପୃଷ୍ଠଭୂମିରେ ହିଁ ଜଣେ ମୋ ଜୀବନର ସାମାଜିକ ପ୍ରେକ୍ଷାପଟ୍ଟକୁ ବିଚାର କରିବା ଠିକ୍ ହେବ । ମୁଁ ଜନ୍ମ ହେଲାବେଳକୁ ଆମ ଘର ମୃତ ଅତୀତର ସାମାଜିକ ପରମ୍ପରା ଜନିତ କାନ୍ଥଦ୍ୱାରା ଚାରିପଟୁ ଘେରା ହୋଇ ନଥିଲା । ଏହା ଅବଶ୍ୟ ସତ୍ୟ ଅପେକ୍ଷା ଅଭ୍ୟାସ ଯୋଗୁ ଘଟିଥିଲା । ମୋ ପୂର୍ବପୁରୁଷଙ୍କ ପୂଜା ଘରଟି କୋଠାଭିତରେ ଖାଲି ପଡ଼ିଥିଲା; ଏହାର ଉପାସନା ପଦ୍ଧତି, ରୀତିନୀତି ବାବଦରେ ମୋର ସାମାନ୍ୟତମ ଅନୁଭୂତି ନଥିଲା । ସେହିସବୁ ଗୌଣ ନିଷେଧାଜ୍ଞା ଯାହା ସଂକୀର୍ଣ୍ଣ ମତବାଦର ନିବୁଜ ଗୁମ୍ଫାରେ ଥାଏ, ସେହିସବୁ କୃତ୍ତ୍ରିମ ନୀତିନିୟମ ଯାହାଦ୍ୱାରା ମଣିଷର ବୋଧଶକ୍ତି ଅଭିଶପ୍ତ ହୋଇଯାଏ, ଯାହା ବହୁଶତାବ୍ଦୀ ଧରି ଭିନ୍ନଭିନ୍ନ ସ୍ଥାନରେ ଆଉ ପ୍ରଚଣ୍ଡ ଉନ୍ମତ୍ତ ରୂପରେ ଦେଶ ଦେଶ ଭିତରେ ଅତି ଭୟାନକ ଶତ୍ରୁତାକୁ ଡାକିଆଣେ, ଯାହା ପାରସ୍ପରିକ ଘୃଣା ଆଉ ପ୍ରତ୍ୟଭିଯୋଗର ଅଧଃପତନକୁ ଦୃଢ଼ ଅନ୍ଧବିଶ୍ୱାସରେ ବଦଳାଇ ଦିଏ, ଆଉ ଯାହାର ପ୍ରଭାବ ମଧ୍ୟଯୁଗର ଶେଷ ସମୟର ସମସ୍ତ ଭଦ୍ର ସମାଜରେ ବେଶ୍ କମି ଆସିଥିଲା ବା ଏହାର ତୀକ୍ଷ୍ମ ଧାର ଆଉ ନଥିଲା, ହେଲେ ସେହି ପ୍ରଚଣ୍ଡ ମାରକଶକ୍ତି ଯାହା ଆମ ଜାତୀୟ ଜୀବନର ଚାରିପଟେ ଖୁବ୍ ଜୋର୍ ବ୍ୟାପି ଆଉ ରାଜନୀତି ଓ ସମାଜ ବ୍ୟବସ୍ଥାରେ ଭୟାନକ ଦ୍ୱନ୍ଦ୍ୱ ସୃଷ୍ଟିକାରୀ ରୂପ ଦୃଷ୍ଟିଗୋଚର କରାଉଥିଲା, ସେଭଳି ଚଳଣି ଆଉ ମାନସିକତାର ଚିହ୍ନବର୍ଣ୍ଣ ବି ନଥିଲା ଆମ ପରିବାରର ବଳୟ ଭିତରେ ବା ବାହାରେ । କହିବାର ଅର୍ଥ ଏୟା ଯେ ଜନ୍ମଠାରୁ ମୋର ଆତ୍ମା ଆଉ ବ୍ୟକ୍ତିତ୍ୱ ବିକଶିତ ହେବାବେଳେ କେବେ ବି ଗୋଟେ ଜୀର୍ଣ୍ଣ ଯୁଗର ପୌରାଣିକ ପରମ୍ପରାଦ୍ୱାରା ଚାପଗ୍ରସ୍ତ ହୋଇନଥିଲା । ଏହାର ନବୀନ ସର୍ଜନା ପ୍ରକ୍ରିୟା ଧାରାରେ ଯେଉଁ ଶକ୍ତି ସେଗୁଡ଼ିକୁ ରୂପାୟିତ କରୁଥିଲା ସେହି ଶକ୍ତି କେବେ ପ୍ରାଚୀନ ନିର୍ଦ୍ଦେଶାବଳୀର ଅଂଗୁଳି ଉଠା ପ୍ରତି ବରାବର ସତର୍କ ଦୃଷ୍ଟି ରଖିବାପାଇଁ ସଚେତନ ବି ନଥିଲା ।

 

ବସ୍ତୁମାନଙ୍କ ମହାଜାଗତିକ ଶୃଙ୍ଖଳା ଭିତରେ ଥାଏ ଗୋଟେ ବିସ୍ମୟକାରୀଭାବ ଆଉ ଚାରିପଟେ ଏପରି କିଛି ଯାହା ଆମ ଅଭିବ୍ୟକ୍ତିରେ ଧରା ନଦେଇ ସୂକ୍ଷ୍ମରେ ଖସିଯାଏ । ମୋ ମନଭିତରେ ସେହି ଚକିତ ହେବାର ଅନୁଭବ ସହିତ ପ୍ରାଚୀନ ପରମ୍ପରାର କୌଣସି ବିଶ୍ୱାସ, କୌଣସି ସ୍ୱତନ୍ତ୍ର ଉତ୍ସବର ପାଳନରୀତି କେବେ ବାଧା ଦେଇନାହିଁ । ଏ ବିଶ୍ୱ ଆଉ ମୋ ମନ ମଧ୍ୟରେ ବରାବର ଚାଲିଆସିଛି ଏକ ଶୁଦ୍ଧ ଆଉ ପ୍ରତିବନ୍ଧ ବିହୀନ ଆଳାପ । ପିଲାଦିନୁ ପୃଥିବୀର ସମ୍ମୋହନରେ ମୁଁ ପାଇଛି ଗଭୀରତମ ତୃପ୍ତି । କୌଣସି ଆରାଧନା ଏହି ଆନନ୍ଦିତ ଅନୁଭବଠାରୁ ଅଧିକ ସରଳ ହୋଇ ନପାରେ । ଏହି ଆରାଧନାର ଦୀକ୍ଷା ବାହାରୁ ମୁଁ ପାଇନାହିଁ, ନିଜ ଭିତରେ ନିଜେ ଏହାର ମନ୍ତ୍ର ଗଢ଼ିବାକୁ ମୁଁ ବାଧ୍ୟ ହୋଇଛି ।

 

ଶୈଶବର ଶୀତ ସକାଳ ତଥାପି ମୋ ମନରେ ସତେଜ ହୋଇ ରହିଛି । ରାତିର ଅନ୍ଧାର ଟିକିଏ ଫିକା ପଡ଼ିଆସିଲା ବେଳକୁ ରେଜେଇ ଫିଙ୍ଗି ମୁଁ ଉଠିପଡ଼େ । ଆମ ବାସଗୃହର ପାଚେରୀଘେରା ବଗିଚାର ପୂର୍ବ ସୀମାନ୍ତରେ ଧାଡ଼ି ଧାଡ଼ି ନଡ଼ିଆଗଛର ସରୁ-ମୁନିଆ ପତ୍ର ମୂନରେ ସେହି ମୁହୂର୍ତ୍ତର ବାଳ-ସୂର୍ଯ୍ୟ ରଶ୍ମୀରେ ଚକଚକ କରୁଥାଏ କାକର ବିନ୍ଦୁ । କାଳେ ଏହି ସୌନ୍ଦର୍ଯ୍ୟ ଦର୍ଶନରୁ ବଞ୍ଚିତ ହେବି ଏହି ଭୟରେ ପତଳା ସାର୍ଟଟିଏ ଦେହରେ ଗଳାଇ, ହାତଦୁଇଟି ଛାତି ଉପରେ ଜୋର ଛନ୍ଦି, ଶୀତକୁ ଭ୍ରୂକ୍ଷେପ ନକରି ମୁଁ ଦୌଡ଼ିଯାଏ ବାହାରକୁ । ଉତ୍ତରଦିଗର କୋଠରୀ ପାଖରେ ଯେଉଁଠି ଅଦରକାରୀ ଚଟିଜୋତା ଗଦା ହୋଇଥାଏ, ସେଠାରେ ଥାଏ ଗୋଟଏ ଖଟାଫଳ ଗଛ, ଆଉ ଅନ୍ୟଗୋଟେ କୋଣରେ ଗୋଟେ ଭଙ୍ଗା କୂଅ କଡ଼ରେ ଥାଏ କୋଳିଗଛଟିଏ-। ଅସ୍ୱାସ୍ଥ୍ୟକର ଏହି ଫଳଦ୍ୱାରା ଆକର୍ଷିତ ହୋଇ, ଝିଅମାନେ ଖରାବେଳେ ଏଠି ଭିଡ଼ ଜମାନ୍ତି । ମଝିରେ ଥାଏ ଗୋଟେ ପଥର ତିଆରି ଜାଲି କୋଉ କାଳରୁ, ଶିଉଳି ମାଡ଼ି ଯାଇଥାଏ ତା ଉପରେ, ଆଉ ସରୁ ଲମ୍ବାଗାର ପରି ଫାଟି ଯାଇଥିବା କେତେ ଯାଗାରେ । ସେଇଠି ଥାଏ ଗୋଟେ ବଡ଼ ଖାଲିଯାଗା, ଅବହେଳିତ ଓ ପରିତ୍ୟକ୍ତ; ମୁଁ ଆଉ ମନେ ପକାଇ ପାରେନାହିଁ ଅନ୍ୟ କେଉଁ ମୂଲ୍ୟବାନ ଗଛକଥା । ଏହା ହିଁ ଥିଲା ମୋର ଉଦ୍ୟାନ ଆଉ ଏଇତକ ମୋପାଇଁ ଥିଲା ଯଥେଷ୍ଟ । ସତେ କି ଗୋଟେ ମଙ୍ଗଭଙ୍ଗା ମାଠିଆରୁ ଜଳପାନ କରି ମୋ ଶୋଷ ମେଣ୍ଟାଉଥିଲି । ମୋ ଭିତରର ଗୋଟେ ସହୃଦୟ ଆତ୍ମା ଗୋପନରେ ଜଳଢାଳି ଦେଉଥିଲା । ମୋ ଅନ୍ତରତଳର ଆନନ୍ଦ ଓ ଉତ୍ତେଜନା ଯେପରି ପାର୍ଥିବ ଦ୍ରବ୍ୟ ରୂପରେ ଯାହା କିଛି ମୋ ପାଖରେ ଥିଲା ସେ ସବୁକୁ ସତେ କି ବହୁତ ପଛରେ ପକାଇ ଦେଉଥିଲା । ଆଜି ମୁଁ ଜାଣିପାରୁଛି ଏଇଥିପାଇଁ ଏ ଦୁନିଆକୁ ମୁଁ ଆସିଥିଲି-। ମୁଁ ନୁହେଁ କେଉଁ ସନ୍ଥ ବା ସନ୍ନ୍ୟାସୀ । ମୁଁ କେବଳ ଚାଖିଛି ସୁବ୍ୟବସ୍ଥିତ ବିଶ୍ୱବ୍ରହ୍ମାଣ୍ଡର ଅକ୍ଷୟ ଉପାଦାନ ଆଉ ବାରମ୍ବାର ଫେରିଛି କହିବାକୁ: ‘ଏହା କେତେ ଆକର୍ଷକ ସତେ !’ ଅପରାହ୍ଣରେ ଯେତେବେଳେ ମୁଁ ସ୍କୁଲରୁ ଫେରୁଥିଲି, ଘୋଡ଼ାଗାଡ଼ିରୁ ଓହ୍ଲାଇବାମାତ୍ରେ ଚାହୁଁଥିଲି ତୃତୀୟ ମହଲା ଛାତ ଉପର ପୂର୍ବଦିଗର ଆକାଶକୁ, ଦେଖିବାକୁ ସ୍ତୂପୀକୃତ ଘନତା ଭିତରେ କଳା ନୀଳ ବାଦଲଖଣ୍ଡ-। ମୁହୂର୍ତ୍ତକ ଭିତରେ ବାଦଲଠାରୁ ଅଧିକ ବହଳ ଏକ ଚକିତଭାବ ମୋ ମନ ଭିତରେ ଜମିଯାଉଥିଲା । ଗୋଟିଏ ପଟେ ଥାଏ ମେଘମାଳାଦ୍ୱାରା ନରମି ଯାଇଥିବା ଏକ ଦୂର ଆକାଶ, ଅପରପଟେ ବିସ୍ମୟରେ ଥରଥର କମ୍ପିତ ହୃଦୟ ଗୋଟେ ବାଳକର, ଯିଏ ଏ ଦୁନିଆରେ ନବାଗତ । ଏହି ଚମକପ୍ରଦ କମ୍ପନ ନିହାତି ଦରକାର ଥିଲା କାରଣ ତାହା ନହୋଇଥିଲେ ସ୍ୱର ନିଜର ଛନ୍ଦ ହରାଇ ବସିଥାନ୍ତା । ଏ ପୃଥିବୀ କାର୍ଯ୍ୟକ୍ଷମ ଲୋକର ଦୃଷ୍ଟି ଆକର୍ଷିତ କରେ; ପଥପ୍ରାନ୍ତରୁ ଦେଖଣାହାରୀଙ୍କୁ ବି ଡାକେ । ମୁଁ ଅନୁଭବ କରିଛି ଏହି ଉଦ୍ଦେଶ୍ୟହୀନ ସ୍ଥିର ଦୃଷ୍ଟିରେ ଚାହିଁବାର କୌତୁହଳକୁ ସନ୍ତୁଷ୍ଟ କରିବାପାଇଁ ମୋ ଭିତରର ଆବେଗ ସଦାବେଳେ ତତ୍ପର ଥିଲା । ଏହି ଦେଖିବା କାର୍ଯ୍ୟଟି ନଥିଲା କେବଳ ଗୋଟେ ନିଷ୍କ୍ରିୟ ଆଳସ୍ୟ । ଏହି ଦେଖିବା ଆଉ ଦୃଶ୍ୟର ଛନ୍ଦ ଲୟ ଭିତରେ ହିଁ ତ ଥାଏ ସର୍ଜନା ।

 

ଋଗ୍‍ବେଦରେ ଅଛି ଗୋଟେ ଅସାଧାରଣ ଉକ୍ତି: ଅଭ୍ରତ୍ରିଭ୍ୟୋ ଅନତ୍ୱମନପିରୀନ୍ଦ୍ର ଯାନୁଷା ସନଦସୀ । ୟୁଦ୍ଧେଦପିତ୍ୱାମିଚଚ୍ଛସେ । ‘ହେ ଇନ୍ଦ୍ର, ତୁମର ନାହାନ୍ତି କେହି ଶତ୍ରୁ, କେହି ନାୟକ ଓ ନେତା, କେହି ବନ୍ଧୁ; ତଥାପି ପ୍ରକଟିତ ହେବା ମୁହୂର୍ତ୍ତରେ ତୁମେ ଆଦାନପ୍ରଦାନ (ଯୋଗ) ମାଧ୍ୟମରେ ଘନିଷ୍ଠ ବନ୍ଧୁତା କାମନା କରିଥାଅ ।’

 

ଜଣେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ, ନିଜକୁ ସଚ୍ଚୋଟ ଭାବରେ ବ୍ୟକ୍ତ କରିବାପାଇଁ ଦରକାର କରେ ବନ୍ଧୁତା ଆଉ ଚାହେଁ ଅନ୍ୟମାନଙ୍କ ସ୍ନେହ ଓ ଶ୍ରଦ୍ଧାଭାଜନ ହେବାକୁ, ଏ ବ୍ରହ୍ମାଣ୍ଡରେ ଏତେ ଜିନିଷ ଅଛି ଯାହାକୁ ମନ ପ୍ରିୟଭାବି କୁଣ୍ଢେଇ ପାରିବ । ଏହା ସେହି ଗାନ ଯାହା ବାହାରେ ଧ୍ୱନିରୁ, ସୌନ୍ଦର୍ଯ୍ୟରୁ ଆଉ ସରଳ ରେଖା ଓ ଅଙ୍କାବଙ୍କା ବୃତ୍ତରୁ ବାହାରିଥିବା ସମସ୍ତ ଆକୃତିରୁ ଆଉ ଲଂଘିଯାଏ ଯେତେସବୁ ସୀମା । ଆମେ କ୍ୱଚିତ ବିଚାର କରିଥାଏ କେତେ ଚମତ୍କାର ଏସବୁ !

 

ମୋର କହିଦେବା ଉଚିତ୍ ଯେ ସର୍ଜନାରେ ଏଇଠାରେ ମୋର ସ୍ଥାନ, ପୃଥିବୀର ଏହି ଅଦରକାରୀ କୋଣ ଭିତରେ । ଏହି ସେହିସ୍ଥାନ ଯେଉଁଠାକୁ ମୁଁ ଡକା ହୋଇ ଆସିଛି । ମୁଁ ଆସିଛି ତୁରନ୍ତ ଆଗେଇ ଯାଇ ଇନ୍ଦ୍ରଙ୍କ ସହ ବନ୍ଧନ ବାନ୍ଧିବାକୁ, ବନ୍ଧୁତାର ବନ୍ଧନ । ଜୀବନର ଆବଶ୍ୟକ ଦ୍ରବ୍ୟମାନଙ୍କ ଭିତରେ ଅଛି ଖାଦ୍ୟ, ବସ୍ତ୍ର ଆଉ ଘର, ହେଲେ ଏହା ମଧ୍ୟରୁ କେହି ତ ଅମରତ୍ୱ ଓ ଆନନ୍ଦର କୌଣସି ଗୁଣ ଧାରଣ କରନ୍ତି ନାହିଁ, ଏହି ଶୂନ୍ୟ ସ୍ଥାନ ଗୁଡ଼ିକ ପୂରଣ କରନ୍ତି ଇନ୍ଦ୍ରଙ୍କ ସାଥିମାନେ ।

 

ଅନ୍ତି ସାନ୍ତମ ନ ଜହତି

ଅନ୍ତି ସାନ୍ତମ ନ ପଶ୍ୟତି ।

ଦେବଶ୍ୟ ପଶ୍ୟା କାବ୍ୟମ୍‌

ନାମମର ନ ଜିର‌୍ୟତି ॥

 

‘ସେ ଆମ ନିକଟରେ ଅଛନ୍ତି ଆଉ କେବେ ଅଲଗା ହୋଇ ପାରିବେ ନାହିଁ, ସେ ନିକଟରେ ଅଛନ୍ତି ଆଉ ଦେଖାଯାଇ ପାରିବେ ନାହିଁ । ହେଲେ ଈଶ୍ୱରଙ୍କ କବିତାକୁ ଦେଖ, ତାହା କେବେ ଜୀର୍ଣ୍ଣହୁଏ ନାହିଁ କିମ୍ବା ମୃତ୍ୟୁ ଲଭେ ନାହିଁ ।

 

ସ୍ରଷ୍ଟାଙ୍କ କାର୍ଯ୍ୟର ପ୍ରଖରତା ଆଉ ପ୍ରଭାବ ପଶୁମାନଙ୍କ ଉପରେ ଅଧିକ ପ୍ରତ୍ୟକ୍ଷଭାବରେ ସଂଯୁକ୍ତ ହୋଇଥାଏ । ସେମାନେ ନିଜକୁ ଏଥିରୁ ମୁକୁଳାଇ ପାରନ୍ତି ନାହିଁ ବା ତାଙ୍କୁ ଦେଖିବି ପାରନ୍ତି ନାହିଁ । ଯଦି ସେ ମଣିଷ ସାଥିରେ କେବଳ ବ୍ୟବସ୍ଥା ଆଉ ପ୍ରକ୍ରିୟା ଜରିଆରେ ସଂଯୁକ୍ତ ହୋଇଥାନ୍ତେ, ତା ହେଲେ ଜନ୍ତୁଜୁନ୍ତାଙ୍କ ପରି ମଣିଷ ବି କେବଳ ଅପରିହାର୍ଯ୍ୟ ବିଶେଷ ଘଟଣାଭିତରେ ଲାଖି ରହିଯାଇଥାନ୍ତା ଆଉ ପରିଣାମରେ ତାଙ୍କୁ ପାଉ ନଥାନ୍ତା । ହେଲେ ଈଶ୍ୱରଙ୍କ କବିତାରେ ଗୁରୁତ୍ୱପୂର୍ଣ୍ଣ ଘଟନାମାନଙ୍କର ଶୃଙ୍ଖଳିତ ବିଶୃଙ୍ଖଳା ଜରିଆରେ ହିଁ ସେହି ଏକ ପ୍ରକାଶିତ ହୁଅନ୍ତି ଆଉ ପ୍ରକାଶିତ ହେଲା ପରି ପ୍ରତୀୟମାନ ବି ହୁଅନ୍ତି । ସେହି କବିତା ତାଙ୍କରି ପବିତ୍ରତମ ଆତ୍ମପ୍ରକାଶକୁ ନେଇ ତିଆରି ହୋଇଥାଏ ।

 

ଏହି ପ୍ରକାଶ ବିଷୟରେ ଋଷି କହିଛନ୍ତି :

 

ଅଭୀର ଭଇ ନମ ଦେବତାର ତେନସ୍ତେ ପରିବୃତ,

ତସ୍ୟ ରୂପେନେମେ ବୃକ୍ଷ ହରିତ ହରିତସ୍ରଜାଃ ।

 

‘ଅଭୀ ଏହି ଈଶ୍ୱରଙ୍କ ନାମ; ତାଙ୍କରି ସହିତ ସବୁଜିନିଷ ବ୍ୟାପ୍ତ ହୁଏ, ଖେଳେଇ ହୋଇଯାଏ-। ଏହି ସବୁ ବୃକ୍ଷ ତାଙ୍କରି ଆକାର ନେଇ ହିଁ ସେମାନଙ୍କୁ ସବୁଜ କରିଛି । ସେ ସେମାନଙ୍କ ଚାରିପଟେ ଏକ ସବୁଜ ବଳୟ ଗଢ଼ି ଦେଇଛନ୍ତି ।’

 

ଋଷିକବି ସ୍ୱୀୟ କବିସୁଲଭ ଦୃଷ୍ଟିରେ ଦେଖିଥିଲେ ଏହି କବିର ନିର୍ଭୁଲ ପ୍ରଦର୍ଶନ । ସବୁଜମାଳା ସହିତ ଏହି ଅଭୀଙ୍କର ଆବିର୍ଭାବକୁ ବ୍ୟାଖ୍ୟା କରିବାପାଇଁ କୌଣସି କାରଣ ଦର୍ଶାଯାଇ ପାରିବ ନାହିଁ ଯାହାର ମୂଳଉତ୍ସ ପରିବେଶର ବାଧ୍ୟତା ଯୋଗୁ ଅପରିହାର୍ଯ୍ୟ କୁହାଯାଇପାରେ । ଏହା ବି ବୁଝାଇ ହେବନାହିଁ କାହିଁକି ସେ ଆମକୁ ଆକ୍ତାମାକ୍ତା କରିଦିଅନ୍ତି ଏତେ ଆନନ୍ଦରେ ଯାହା ତାଙ୍କର ସର୍ବଶ୍ରେଷ୍ଠ ଦାନ । ପଶୁମାନଙ୍କର ଜୀବିକା ଅନ୍ୱେଷଣରେ ଏଭଳି କୌଣସି ଦାବି ନଥାଏ । ଋଷି କବି କହିଛନ୍ତି, ଜଗତର ସ୍ରଷ୍ଟା ଏହି ସୁବ୍ୟବସ୍ଥିତ ବିଶ୍ୱବ୍ରହ୍ମାଣ୍ଡକୁ ନିଜର ଅର୍ଦ୍ଧେକ ଦେଇ ଗଢ଼ିଛନ୍ତି । ତା’ପରେ ଋଷି ପଚାରିଛନ୍ତି; ତଦସ୍ୟଧର୍ମମ୍ କତମଃ ସକେତୁଃ ।’ ‘ତାଙ୍କର ଅପର ଅର୍ଦ୍ଧେକ କେଉଁ ଯାଗାକୁ ଆଉ କେଉଁ ଅବସ୍ଥାକୁ ଗଲା ? ଏହି ପ୍ରଶ୍ନର ଉତ୍ତର ବେଶ୍ ଜଣାଶୁଣା । ସୃଷ୍ଟି ସ୍ପଷ୍ଟଭାବେ ପ୍ରକାଶିତ ଆଉ ଦୃଶ୍ୟମାନ; କିନ୍ତୁ ଏହାର ଉର୍ଦ୍ଧ୍ୱରେ ଅଛି ଏକ ରାଜ୍ୟ ଯାହା ନା ସୁସ୍ପଷ୍ଟ ନା ପରିଦୃଶ୍ୟ-। କେଉଁଠାରେ ଏହାର ଅନିର୍ବଚନୀୟ ମହକ ମୁଁ ଆବିଷ୍କାର କରିଥାନ୍ତି, ଯଦି ବସ୍ତୁର ସେହି ସ୍ତୂପ ଆରପଟେ ବିରାଟ ବିରାମର ସେହି ଧାମଟି ନଥାନ୍ତା ? ଯାହା ସୃଷ୍ଟି ହୋଇନାହିଁ ତାହାର ପ୍ରଥମ ସ୍ପର୍ଶ ଏହି ସ୍ଥାନରେ ସୃଷ୍ଟି ଉପରେ ହିଁ ତ ପଡ଼େ, ଯେପରି ଆକାଶରୁ ଆଲୋକ ଓହ୍ଲାଇ ଆସେ ପୃଥିବୀ ଉପରକୁ । ମାତ୍ରାଧିକ ପରିଚୟ ଯୋଗୁ ଆମେ ସୃଷ୍ଟିର କବିତାକୁ ଧରିବାରେ ବିଫଳ ହୋଇଥାଏ, କାରଣ ଏହାର ସ୍ଥିତି ଥାଏ ଶବ୍ଦ ଆଉ ପ୍ରତୀୟମାନ ରୂପରେଖର ପରିସୀମା ବାହାରେ, ଯେଉଁଠି ସ୍ରଷ୍ଟାଙ୍କର ଅପର ଅର୍ଦ୍ଧେକ ଖୋଜିଲେ ମିଳିଯିବ । ଏହି ଅପର ଅର୍ଦ୍ଧେକ ସ୍ଥୂଳ ପଦାର୍ଥରେ ବନ୍ଦୀନୁହେଁ-। ଏହି ବିରାଟ ବ୍ୟାପ୍ତି ଯାହା ଭୌତିକ ବସ୍ତୁର ସୀମା ବାହାରେ ବ୍ୟାପ୍ତ, ସେହିଠାରେ ଇନ୍ଦ୍ର ଓ ତାଙ୍କ ସାଥିମାନଙ୍କ ହୃଦୟର ମିଳନ ଘଟେ । ସ୍ରଷ୍ଟା ବ୍ୟକ୍ତ କରୁଥିବା ବାଦ୍ୟଯନ୍ତ୍ରର ତାର ଏହାର ବାର୍ତ୍ତାକୁ ସେହି ଅବ୍ୟକ୍ତ ଜଗତକୁ ପଠାଇଦିଏ ।

 

ବହୁତ ପ୍ରକାର କାମରେ ମୋ ଦିନଗୁଡ଼ିକ କଟିଯାଇଛି, ସବୁଦିଗକୁ ଆକର୍ଷିତ ହୋଇ ମୋ ମନ ଦୌଡ଼ିଛି । ଦୁନିଆରେ ଗତି ରୀତିକୁ ମୁଁ ବୁଝି ସାରିଛି ଆଉ ତା’ ପାଖରେ ନିଜକୁ ସମର୍ପି ଦେବାକୁ ମୁଁ ବାଧ୍ୟ ହୋଇଛି । ମୁଁ ଏତେ ବି ଅବିରତ ଭାବନା ବିହ୍ୱଳ ହୋଇ ନାହିଁ ଯେ ଦୁନିଆକୁ ଦେଖିବାର ମୋ ଲଗାମ ବିହୀନ ଦୃଷ୍ଟିକୁ ବିକୃତ ହେବାକୁ ଛାଡ଼ି ଦେଇଥାନ୍ତି । ହେଲେ ଜଗତ ସହିତ ମୋର ଯେତେ ଆଳାପ ତାହାରି ମାଧ୍ୟମରେ ମୋ ମନ କୌଶଳରେ ଖସିଯାଇଛି ଆଉ ସେଇ ସ୍ଥାନରେ ଏକାତ୍ମ ହୋଇଯାଇଛି ଯେଉଁଠାରେ ସୃଷ୍ଟି ଚାଲିଯାଏ ସୃଷ୍ଟିର ସୀମା ବାହାରକୁ । ଏଇ, ଏକାତ୍ମରେ ମୋ ଜୀବନ ପାଇଛି ଏହାର ପୂର୍ଣ୍ଣତା ।

 

ଏକଦା ମୁଁ କହିଥିଲି, ‘ମରିବାକୁ ଚାହେଁନା ମୁଁ ସୁନ୍ଦର ଭୁବନେ ।’

 

ଋଗ୍‍ବେଦରେ କବି କହିଛନ୍ତି;

 

‘ଅଶୁନିତେ ପୁନରସ୍ମସୁ ଚକ୍ଷୁଃ

ପୁନଃ ପ୍ରଣମିହ ଯେ ଧେହି ଭୋଗମ୍ ।

ଯ୍ୟୋକ ପଶ୍ୟେମ ସୂର୍ଯ୍ୟମ୍ ଉଚ୍ଚରନ୍ତମ୍‌

ଅନୁମତେ ମ୍ରରଃମ୍ଭ ନାଃ ସ୍ୱସ୍ତି ।’

 

‘ଜୀବନର ପଥ ପ୍ରଦର୍ଶକ, ମୋତେ ପୁଣିଥରେ ଚକ୍ଷୁଦିଅ, ପୁଣିଥରେ ଦିଅ ଜୀବନ, ଅନୁଭୂତି, ଆନନ୍ଦ । ମୁଁ ସବୁବେଳେ ଦେଖୁଥିବି ଅଭିଯାତ୍ରୀ ସୂର୍ଯ୍ୟଙ୍କୁ, ମୋତେ ଦିଅ ପ୍ରଶାନ୍ତି ।’

 

ଏହା ବାସ୍ତବରେ ବନ୍ଧୁତ୍ୱର ଏକ ଅଭିବ୍ୟକ୍ତି । ଯେତେବେଳେ ବନ୍ଧୁର ବିଦ୍ୟମାନତା ହୃଦୟ ଜୟ କରିନିଏ, ସେତେବେଳେ ଏହାଠାରୁ ଉଚ୍ଚତର ପ୍ରଶଂସାଗାନ ଆଉ କିଛି ଅଛି ? ‘ଦେବସ୍ୟ ପଶ୍ୟା କାବ୍ୟମ୍‌’: ଈଶ୍ୱରଙ୍କ କବିତାକୁ ଦେଖ, ଦେଖ ଏ କବିତାକୁ ବାରମ୍ବାର । ଦୃଷ୍ଟିଭଂଗିମାର ଗଭୀରତା ମାପି ହୁଏ ନାହିଁ, ରହସ୍ୟ ବୁଝି ହୁଏ ନାହିଁ ।

 

ଏଠାରେ ପ୍ରଶ୍ନ କରାଯାଇ ପାରେ: ମୋ କର୍ମ ମାଧ୍ୟମରେ ମୁଁ କଣ ତାଙ୍କ ସହ ସଂଯୁକ୍ତ ହୋଇନାହିଁ ?

 

ହୋଇଛି, ନିଶ୍ଚିତଭାବରେ ହୋଇଛି । ହେଲେ, ଏ ସମ୍ପୃକ୍ତି କେବେ ଯନ୍ତ୍ରପାତି ଦୋକାନର କାଠ ଆଉ ଲୁହାର ଝଣଝଣ ଭିତର କାମ ନଥିଲା । ଏହା କାର୍ଯ୍ୟ ରୂପରେ କବିତା ହିଁ ଥିଲା । ଥରେ ଶାନ୍ତିନିକେତନରେ ନିଜ ପାଖରେ ନିଜେ ମୁଁ ଶପଥ କରିଥିଲି, ଶିକ୍ଷାପାଇଁ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଦେବି, ଆଉ ଗୋଟିଏ ଶିକ୍ଷକଭାବରେ ମୋ ସୃଜନ କର୍ମର କ୍ଷେତ୍ର ଥିଲା ସ୍ରଷ୍ଟାଙ୍କ କବିତା ରାଜ୍ୟ-। ଏହି ଭୂମିଖଣ୍ଡର ଜମି, ଜଳ ଓ ଆକାଶର ସାହାଯ୍ୟ ମୁଁ ଭିକ୍ଷା କରିଥିଲି । ମୁଁ ଚାହୁଁଥିଲି ଆନନ୍ଦର ପୂଜାବେଦୀ ଉପରେ ଜ୍ଞାନର ଅନ୍ୱେଷଣକୁ ସଂସ୍ଥାପିତ କରିବି । ଋତୁମାନଙ୍କର ଅଗ୍ରଦୂତ ହୋଇ ଆସୁଥିବା ସଙ୍ଗୀତ ଭିତରେ ମୋ ଛାତ୍ରମାନଙ୍କ ପ୍ରାଣକୁ ଜାଗ୍ରତ କରାଇ ସେମାନଙ୍କୁ ପ୍ରକୃତିର ମହୋତ୍ସବ ସହିତ ପରିଚିତ କରାଇବି ।

 

ଆରମ୍ଭରୁ ଏଠାରେ ସୃଜନଶକ୍ତିର ସ୍ୱତଃସ୍ପୂର୍ତ୍ତ ଉପଲବ୍‌ଧିର ମୌଳିକ ସତ୍ୟଗୁଡ଼ିକ ସର୍ବତ୍ର ବିଦ୍ୟମାନ ଥିଲା । ସମ୍ପୂର୍ଣ୍ଣ ସଜୀବବସ୍ତୁ ଭିତରେ ବୋଧଶକ୍ତିକୁ ଏକ ସମ୍ମାନଜନକ ସ୍ଥାନରେ ରଖିବାକୁ ମୁଁ ଚାହୁଁଥିଲି । ସେଥିପାଇଁ ମୋ କର୍ମକ୍ଷେତ୍ରରେ ବିଜ୍ଞାନକୁ ଉଚ୍ଚସୋପାନରେ ରଖିବାପାଇଁ ମୁଁ ଯତ୍ପୋରନାସ୍ତି ପ୍ରଯତ୍ନ କରିଥିଲି ।

 

ବେଦ କହନ୍ତି,

 

ଯାସ୍ମଦ୍ରିତେ ଯ ସିଦ୍ଧତି ଯଜେ୍ଞାବିପାଶିତ୍ତଶ୍ଚନା

ସା ଧୀନମ୍ ଯୋଗମିନ୍ୱତି ।

 

ଏହାର ଅର୍ଥ: ଯାହାଙ୍କ ବିନା ସବୁଠାରୁ ଶକ୍ତିଶାଳୀ ଋଷି ମୁନିମାନଙ୍କ ଉପାସନା ଓ ଯଜ୍ଞାଦି ବ୍ୟର୍ଥହୁଏ ତାହାଙ୍କ ଭେଟ ମିଳିପାରେ ମନ ଓ ଧୀଶକ୍ତି ମାଧ୍ୟମରେ, ମନ୍ତ୍ରର ବନ୍ଧନ ଜରିଆରେ ନୁହେଁ ବା ଯାଦୁକରୀ ତନ୍ତ୍ର ଜରିଆରେ ନୁହେଁ । ଆଉ ସେଥିପାଇଁ ଧୀ ଓ ଆନନ୍ଦର ଦ୍ୱୈତଶକ୍ତିକୁ ନିୟନ୍ତ୍ରିତ କରିବାକୁ ମୁଁ ସବୁବେଳେ ଚେଷ୍ଟାକରି ଆସିଛି ।

 

ଗୋଟିଏ ପଟେ ଏହି ସ୍ଥାନରେ ମୁଁ ପ୍ରକୃତି ସହିତ ଉଲ୍ଲସିତ ଆଳାପ କରିବାପାଇଁ ନିବେଦିତ ହୋଇଛି, ଆଉ ଅପରପକ୍ଷେ ଆନ୍ତରିକଭାବେ ଚେଷ୍ଟା କରିଛି ମଣିଷ ମଣିଷ ମଧ୍ୟରେ ବନ୍ଧନ ହୃଦୟର ବନ୍ଧନ ହେଉ । କର୍ତ୍ତବ୍ୟ ଓ କାର୍ଯ୍ୟର ପରିସର ଭିତରେ ଯେଉଁଠାରେ ହୃଦୟର ବନ୍ଧନ ଦୁର୍ବଳ ଓ ସଂକୀର୍ଣ୍ଣ ହୋଇଯାଏ, ଈଶ୍ୱରଙ୍କ ପରି ସବୁଠାରୁ ବଡ଼ ହୋଇ ଉଭା ହୁଅନ୍ତି ପରମ୍ପରା ଓ ରୀତିନୀତି ମାନ । ସୃଜନକ୍ରିୟା ବଦଳରେ ଏହା ହୋଇଯାଏ ଗୋଟାଏ ଏକାଠି କରିବାର ସମାବେଶର କୌଶଳ ଯାହା ଆଣିଦିଏ ପ୍ରଭୁତ୍ୱ ଓ କ୍ଷମତା । ଧୀରେ ଧୀରେ ଏହିପରି ତିଆରି କରାଯାଇଥିବା ଯାନ୍ତ୍ରିକତା କବିର କବିତାକୁ ଅସମ୍ମାନିତ କରିବାର ଅଧିକାର ପାଇଯାଏ । କବିତାର ଛନ୍ଦ, ଲୟ ଓ ପଦବିନ୍ୟାସ ଭିତର ଦେଇ ହିଁ କବିର ସାହିତ୍ୟ କର୍ମ ଭାଷା ପାଏ, ଆଉ ଏହା ସମ୍ପୂର୍ଣ୍ଣ ଭାବରେ ତା’ ନିଜ ନିୟନ୍ତ୍ରଣରେ ଥାଏ, ଯାହା ଘଟିବା ଉଚିତ ମଧ୍ୟ । ହେଲେ ଯେଉଁଠାରେ ସୃଜନ ପ୍ରକ୍ରିୟା ବହୁଲୋକଙ୍କୁ ଜଡ଼େଇ ଧରିଥାଏ ସେତେବେଳେ ଏହାର ପବିତ୍ରତା ସୁରକ୍ଷିତ ରଖିବା ଅସମ୍ଭବ ହୋଇପଡ଼େ । ଏଭଳି ଅବସ୍ଥା ମାନବ ସମାଜରେ ଯେତେବେଳେ ଆସେ ସେତେବେଳେ ଆଧ୍ୟାତ୍ମିକ ଅନ୍ୱେଷା ନିଜର ସ୍ୱତନ୍ତ୍ରତା ହରାଏ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଆଇନ କାନୁନ୍ ତଳେ କେବଳ ପ୍ରସ୍ତରୀଭୁତ ହେବାପାଇଁ । ମୁଁ କେବଳ ଏତିକି ଆଶା କରିପାରେ ଯେ ନିର୍ଜୀବ ଗୋଷ୍ଠୀବିବାଦ ଜନିତ କଟକଣାର ଜଟିଳ ଜାଲ ଆଉ ଚୁକ୍ତିକରଣର ଦାବି ଭବିଷ୍ୟତରେ ଆଶ୍ରମଟିର ପ୍ରାଣଶକ୍ତିଭରା ନୈତିକତାକୁ ଧ୍ୱଂସ କରିଦେବ ନାହିଁ ।

 

ମୁଁ ଜାଣେନାହିଁ ଏଥିପାଇଁ ଆଉ ଗୋଟିଏ ସୁଯୋଗ ଆସିବ କି ଆସିବ ନାହିଁ, ଏଥିପାଇଁ ଅଶୀବର୍ଷ ଜୀବନର ଏକ କର୍ମକ୍ଷେତ୍ର ଭିତରେ ମୁଁ ଯେଉଁ ଅଧିକାରରେ ଛିଡ଼ା ହୋଇଛି, ସେହି ଅଧିକାରରେ ଦୃଢ଼ ଭାବରେ ସ୍ଥିର କରିଛି ମୋ ଜୀବନର ସତ୍ୟକୁ ବିସ୍ତୃତଭାବରେ ସମସ୍ତଙ୍କ ସମ୍ମୁଖରେ ପରିଚିତ କରାଇବି । ହେଲେ ଦୃଢ଼ ଇଚ୍ଛା ଆଉ କାର୍ଯ୍ୟ ମଧ୍ୟରେ ଗୋଟେ ସମ୍ପୂର୍ଣ୍ଣ ସମନ୍ୱୟ କେବେ ସମ୍ଭବ ହୁଏନାହିଁ । ଏଣୁ ଗୋଟିଏ ପକ୍ଷରେ ଜଣେ ନିଜକୁ ଦେଖିପାରେ ନିଜ ଭିତରର ଉତ୍ସାହ ଓ ପ୍ରବୃତ୍ତିର ଆଧାରରେ ଆଉ ଅପରପକ୍ଷରେ ବାହାରୁ ଆହରିତ ଶକ୍ତି ଓ ଅଭିପ୍ରାୟ ଆଧାରରେ । ମୁଁ ବହୁବାର ଆଶ୍ରମର ନମୁନା ଆଉ ଗଠନର ଶୈଳୀରୂପେ ତପୋବନର ଉଦାହରଣ ଦେଇଛି । ତପୋବନର ଧାରଣା ମୁଁ ଇତିହାସ ସର୍ବେକ୍ଷଣରୁ ପାଇନାହିଁ ବରଂ କବି ଓ ସେମାନଙ୍କ କବିତାରୁ ପାଇଛି । ଆଉ ସ୍ୱାଭାବିକ ଭାବରେ ଚେଷ୍ଟା କରିଛି ସେହି ଆଦର୍ଶକୁ ହୃଦୟଙ୍ଗମ କରିବାକୁ ଆଉ ସତ୍ୟରୂପେ ସଂସ୍ଥାପିତ କରିବାକୁ ଯାହା କବିସୁଲଭ ଅନୁପାତରେ ଅନୁକରଣୀୟ ।

 

ମୁଁ କହିବାକୁ ଚାହିଁଛି; ପଶ୍ୟ ଦେବସ୍ୟ କାବ୍ୟମ୍‌, ଜଣେ ମଣିଷଭାବରେ, ‘ସର୍ବୋତ୍କୃଷ୍ଟ କବିତାକୁ ଦେଖ ।’ ଉପନିଷଦର ସ୍ତୋତ୍ରମାନଙ୍କୁ ପିଲାଦିନୁ ଆବୃତ୍ତି କରିଛି ଆଉ ମୋ ମନର ଆଖିରେ ଅଭ୍ୟାସ ବଳରେ ଚିହ୍ନିବାକୁ ଶିଖିଛି ବିଶ୍ୱବ୍ରହ୍ମାଣ୍ଡକୁ ଆବୋରି ରଖିଥିବା ପୂର୍ଣ୍ଣତା ଓ ଦୀପ୍ତିକୁ-। ଏ ପୂର୍ଣ୍ଣତା ଭୌତିକ ବସ୍ତୁର ପୂର୍ଣ୍ଣତା ନୁହେଁ, ଏହା ଆଧ୍ୟାତ୍ମିକ, ଏକଥାତ ଜଣାଶୁଣା ଯେ ଭୌତିକ ବୋଝ ହାଲୁକା କରିବାକୁ ଆମେ ବାଧ୍ୟ ।

 

ଏହି ଆଶ୍ରମର ପ୍ରାଥମିକ ଅବସ୍ଥାରେ ଯେଉଁମାନେ ମତେ ଦେଖିଛନ୍ତି ମୋ ମନରେ ଏହାର ଆକାର ଓ ବ୍ୟବସ୍ଥାକୁ ନେଇ ଥିବା ଧାରଣା ବିଷୟରେ ନିଶ୍ଚୟ ଜାଣନ୍ତି । ସେତେବେଳେ ଏହାର ମୁଖ୍ୟ ପ୍ରସଂଗ ଥିଲା ଯନ୍ତ୍ରପାତି ଓ ସୁଯୋଗର ଅଭାବ । ପବିତ୍ରତା ଆଉ ନିଚ୍ଛକ ସତ୍ୟ ଯେଉଁଠାରେ ଥାଏ ସେଠାରେ ଚତୁର୍ଦ୍ଦିଗରେ ଗୋଟେ ସରଳ ଜୀବନଧାରା ବିଚ୍ଛେଇ ହୋଇଯାଏ । ଖେଳକୁଦ, ସଙ୍ଗାତ ଆଉ ଅଭିନୟରେ ବାଳକମାନଙ୍କ ସହ ମୋ ସମ୍ପର୍କ ବ୍ୟକ୍ତିତ୍ୱର ଏକ ନିତ୍ୟ ନୂତନ ବିକାଶପାଇଁ ବାଟ ଖୋଲିଦେଇଥିଲା । ମୋ କାର୍ଯ୍ୟମାନଙ୍କରେ ଏହାକୁ ଦେଖିବା ସହଜ: ଶାନ୍ତମ୍ ଶିବମ୍ ଅଦ୍ୱୈତମ୍‌, ପ୍ରଶାନ୍ତ, ମଙ୍ଗଳକାରକ ଆଉ ଅଦ୍ୱୈତ । ଯାହାଙ୍କୁ ମୁଁ ମୋ ହୃଦୟର ଅନ୍ତରଙ୍ଗ ଧ୍ୟାନ ଭିତରେ ଡାକି ଆଣି ପାରୁଥିଲି । କାରଣକାମ ଥିଲା ଅ-ଜଟିଳ, ଦୈନିକ ରୁଟିନ ସରଳ, ଛାତ୍ର ସଂଖ୍ୟାକମ୍‌, ଆଉ ମୋ ସହିତ ହାତଗଣତି କେତେଜଣ ଶିକ୍ଷକଙ୍କର ଏହି ଉକ୍ତିରେ ବିଶ୍ୱାସ, ଏତସ୍ମିନ୍ନୁ କଃଲୁ ଅକ୍ଷରେ ଆକାଶ ଓତଶ୍ଚଚ ପ୍ରୋତଶ୍ଚଃ । ‘ସେହି ନିରବିଚ୍ଛିନ୍ନ ଅପରିବର୍ତ୍ତନୀୟ ସତ୍ତାଦ୍ୱାରା ଆକାଶ ଏକ ତନ୍ତରେ ବୁଣା ହେଉଥିବା ଚାଦର ପରି ବ୍ୟାପିଛି ।’ ସେମାନେ ଗଭୀର ବିଶ୍ୱାସର ସହିତ ଉଚ୍ଚାରଣ କରିପାରୁଥିଲେ, ତମେ ବୈକମ ଜନଥ ଆତ୍ମାନମ୍ । ‘ଏହି ଅସାଧାରଣ ସତ୍ତାକୁଜାଣ, ସର୍ବବ୍ୟାପୀ ଆତ୍ମାକୁ ଜାଣ ।’ ଆତ୍ମାନ୍ୟେବ, ‘ତୁମ ନିଜ ଆତ୍ମାଭିତରେ’, ପାରମ୍ପରିକ ରୀତିନୀତି ଆଉ ଉତ୍ସବ ପାଳନରେ ନାହିଁ, ପରନ୍ତୁ ମଣିଷ ଜାତି ପ୍ରତି ପ୍ରେମରେ, ଭଲକାମରେ, ସାଂସାରିକ ଜ୍ଞାନରେ କୁଶଳୀ ଦେଖାଇ ନୁହେଁ ବରଂ ନିଜ ଭିତରର ପ୍ରେରଣାରେ ପ୍ରେରିତ ହୋଇ ଆତ୍ମାକୁ ଚିହ୍ନ । ଆମ ଦୈନନ୍ଦିନ କାର୍ଯ୍ୟ ଆଉ କର୍ତ୍ତବ୍ୟ ପାଳନ ଭିତରେ ଯେଉଁ ଦାରିଦ୍ର‌୍ୟର ସମ୍ମୁଖୀନ ଆମେ ହୁଏ ତାରି ମାଧ୍ୟମରେ ଆଧ୍ୟାତ୍ମିକ ଶ୍ରଦ୍ଧାର ବାତାବରଣ ହିଁ ଆମକୁ ଦେଖାଏ ଧୈର୍ଯ୍ୟଶୀଳ ସ୍ୱାର୍ଥତ୍ୟାଗର ଜୀବନ ।

 

ବାଳକାବସ୍ଥାର କଥା । ଦିନେ ଦେଖିଲି ସକାଳସୂର୍ଯ୍ୟର ଆଲୋକରଶ୍ମୀ ଉପରକୁ ଉଠିବାବେଳେ ତଳକୁ ଆସିବାର ଦୁଃସାହସିକ କାମ କରୁଥିଲା, ହେଲେ ଜାଣିନଥିଲି ଏହା କେଉଁବାଟ ଦେଇ ଉପରକୁ ଉଠୁଥିଲା ଆଉ ହଠାତ୍ ଆତ୍ମାର ଔଜ୍ଜ୍ୱଲ୍ୟରେ ମୋ ସାମ୍ନାରେ ସମସ୍ତ ମାନବୀୟ ସମ୍ପର୍କ ଉଦାହରଣ ପରି ସ୍ପଷ୍ଟ ହୋଇଗଲା । ଯଦିଓ ବେଶୀ ଡେରି ହେବା ଆଗରୁ ଏହି ଆଲୋକରଶ୍ମୀ ପ୍ରାତ୍ୟହିତ ଜୀବନର ଅପରିଚ୍ଛନ୍ନ ଅବସ୍ଥା ଭିତରେ ଅନର୍ହିତ ହୋଇଯିବାର ଥିଲା, ତଥାପି ମୁଁ ଆଶା କରିଥିଲି ଯେ ଏ ପୃଥିବୀରୁ ବିଦାୟ ନେବା ଆଗରୁ ଦିନେ ନିଶ୍ଚୟ ଦେଖିବି ସମଗ୍ର ମାନବ ଜାତି କିପରି ସେହି ଗୋଟିଏ ଆତ୍ମାର ଦୀପ୍ତିରେ ଭାସ୍ୱର ହୋଇ ଉଠୁଛି । ହେଲେ ମୋ ଅନ୍ତର୍ଜାଗରଣର ଚରମ ଶିଖରରେ ସେହି ଆଲୋକ ପ୍ରବାହର ପଥଟି କୁଜ୍‌ଝଟିକା ଓ ଘନୀଭୂତ ବାଷ୍ପଦ୍ୱାରା ଅସ୍ପଷ୍ଟ ହୋଇଗଲା । ଯାହା ହେଉ ପଛେ, ଅନ୍ତତଃ ଜୀବନର ଦୈହିକ ବା ମାନସିକ ଶ୍ରମକ୍ଷେତ୍ରରେ ମୁଁ ତ ସୁଯୋଗ ପାଇଥିଲି ଆନନ୍ଦର ଅଳ୍ପ କେତୋଟି ଶସ୍ୟ ସଂଗ୍ରହ କରିବାପାଇଁ । ଆରାଧନା ଓ ଯଜ୍ଞର ପ୍ରାଙ୍ଗଣ, ଏହି ଆଶ୍ରମରେ । ମୁଁ ଯାହା ଏକଦା ପ୍ରସ୍ତୁତ କରିଥିଲି, ବିନୀତ ପ୍ରାର୍ଥନା ଭିତରେ ତାହା ସମ୍ପାଦିତ ହୋଇଥିଲା । ମାନବୀୟ ସତ୍ତାର ସେହି ମହାନତାକୁ ମୁଁ ଯେ ଆତିଥ୍ୟ ଅର୍ପଣ କରିବାକୁ ସମର୍ଥ ହୋଇଯାଇଥିଲି; ଏ ସମସ୍ତ ପ୍ରତିଫଳିତ ହୋଇଛି ଏହି ଶବ୍ଦମାନଙ୍କରେ: ଅତିଥି ଦେବୋଭବଃ, ‘ଈଶ୍ୱର ଆମର ଅତିଥି ହୁଅନ୍ତୁ’ । ଈଶ୍ୱର ହିଁ ବାସ୍ତବରେ ଅତିଥିଙ୍କ ଭିତରେ ଥାଆନ୍ତି ।

 

ମୁଁ କହିପାରିବି ନାହିଁ ଯେ ସଫଳତାର ଅହଙ୍କାର ମୋ ମନକୁ କେବେ ଗ୍ରାସ କରିନାହିଁ, ହେଲେ ଏଭଳି ଦୁର୍ବଳତା ଆତ୍ମତ୍ୟାଗର ସମ୍ପୂର୍ଣ୍ଣତାଦ୍ୱାରା ଭାରାକ୍ରାନ୍ତ ହୋଇ ବହୁତଳେ ପୋତି ହୋଇଯାଇଛି । ଏଠାରେ ମୋତେ ସୁଯୋଗ ମିଳିଥିଲା ବୋଧଶକ୍ତି ସହ ଜ୍ଞାନ ଓ ବିଚାରଶୀଳତାକୁ ଯୋଡ଼ି ଦେବାକୁ; ତାହାପୁଣି ଅନାସକ୍ତ, ଆନ୍ତରିକ ଉଦ୍ୟମ ଭିତରେ । ସମସ୍ତ ଦେଶ ଓ ସମସ୍ତ ଜାତିକୁ ସ୍ୱାଗତ କରିବା ଭିତରେ ମୁଁ କୌଣସି ସୁଯୋଗ ସୃଷ୍ଟି କରିନାହିଁ ଯାହାଦ୍ୱାରା ଜ୍ଞାନ ଓ ବିଚାରଶୀଳତାର ଉଜାଗର ଏଭଳି କିଛି ପଥ ପ୍ରଦର୍ଶିତ କରାଇବ ଯାହା ବିଭ୍ରାନ୍ତିକର ହୋଇଯିବ । ବାରମ୍ବାର ମୁଁ ବ୍ୟାକୁଳ ହୋଇ ଚାହିଁଛି :

 

ଯା ଏକୋଃବର୍ଣ୍ଣୋ ବହୁଧା ଶକ୍ତିୟୋଗତ୍‌

ବର୍ଣ୍ଣନାନେକେନ ନିହିତାର୍ଥୋ ଦଧାତି

ବିଚୈତି ଚାନ୍ତେ ବିଶ୍ୱମଦୌ ସା ଦେବାଃ

ସା ନୋ ବୁଧ୍ୟା ଶୁଭୟା ସମ୍ୟୁନକ୍ତୁ ।

 

ଶାନ୍ତି ନିକେତନ

୧ ବୈଶାଖ - ୧୩୪୭

ଅପ୍ରିଲ୍ ୧୪ – ୧୯୪୦

Image